ଭୁବନେଶ୍ବର: ଉତ୍ତରାଖଣ୍ଡରେ ଚାଲିଥିବା ୩୮ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶା ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ଶୁକ୍ରବାର ଓଡ଼ିଶା ଖେଳାଳି ୨ ସ୍ବର୍ଣ୍ଣ ଓ ୪ କାଂସ୍ୟ ସହ ମୋଟ ୫ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଫଳରେ ଏହି ପ୍ରତିଯୋଗିତାରେ ଓଡ଼ିଶାର ପଦକ ସଂଖ୍ୟା ୯ (୩ ସ୍ବର୍ଣ୍ଣ, ୬ କାଂସ୍ୟ)ରେ ପହଞ୍ଚିଛି।

ଶୁକ୍ରବାର ସ୍ବର୍ଣ୍ଣ ଦୁଇଟି ମହିଳା ଭାରୋତ୍ତୋଳନ ଓ ରଗ୍‌ବିରୁ ଆସିଛି। ୪୫ କେଜି ଭାରୋତ୍ତୋଳନରେ ରିମା ଭୋଇ ୮୪ କେଜି ସ୍ନାଚ୍‌ ଏବଂ ୧୦୫ କେଜି କ୍ଲିନ୍‌ ଓ ଜର୍କ ସହ ମୋଟ ୧୮୯ କେଜି ଉଠାଇ ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲେ। ଏହା ଓଡ଼ିଶାର ପ୍ରଥମ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ। ହରିୟାଣାର ସ୍ନେହା ୧୮୭ କେଜି (୮୩ କେଜି ସ୍ନାଚ୍‌ ଏବଂ ୧୦୪ କେଜି କ୍ଲିନ୍‌ ଓ ଜର୍କ) ରୌପ୍ୟ ଏବଂ ଅରୁଣାଚଳପ୍ରଦେଶର ବଲୋ ୟାଲାମ ୧୮୫ କେଜି (୮୧ କେଜି ସ୍ନାଚ୍‌ ଏବଂ ୧୦୪ କେଜି କ୍ଲିନ୍‌ ଓ ଜର୍କ) କାଂସ୍ୟ ପାଇଥିଲେ। ୫୫ କେଜି ମହିଳାରେ ମୀନା ସାନ୍ତା (ଏ) ୧୮୧ କେଜି ଉଠାଇ ଚତୁର୍ଥ ଏବଂ ସ୍ନେହା ସୋରେନ (୧୮୦ କେଜି) ପଞ୍ଚମ ସ୍ଥାନରେ ରହିଥିଲେ। ମୀନା କେବଳ ଗୋଟିଏ କେଜି ପାଇଁ କାଂସ୍ୟରୁ ବଞ୍ଚିତ ହୋଇଥିଲେ। ଏହି ପ୍ରଦର୍ଶନ ଲାଗି ଖେଳାଳିମାନଙ୍କୁ ଓଡ଼ିଶା ଭାରୋତ୍ତୋଳନ ସଂଘ ସଭାପତି ଇଂ ଚିତ୍ତରଂଜନ ସ୍ବାଇଁ ଅଭିନନ୍ଦନ ଜଣାଇଛନ୍ତି।

ମହିଳା ରଗ୍‌ବି ଫାଇନାଲ୍‌ରେ ଓଡ଼ିଶା ୨୯-୫ରେ ବିହାରକୁ ହରାଇଥିଲା। ଏହା ପୂର୍ବରୁ ସେମିଫାଇନାଲ୍‌ରେ ଓଡ଼ିଶା ୩୧-୫ରେ ମହାରା‌ଷ୍ଟ୍ରକୁ ହରାଇଥିଲା। ବିଜେତା ଓଡ଼ିଶା ଦଳରେ ଓଡ଼ିଶା ଦଳରେ କବିତା ପଢ଼ିହାରୀ, ଆରତୀ ମୁର୍ମୁ, ପୁଷ୍ପାଞ୍ଜଳି ଭୋଇ, ପାର୍ବତୀ ହାଁସ୍‌ଦା, ଡୁମୁନି ମାର୍ଣ୍ଡି, ହୁପି ମାଝୀ, ନିର୍ମାଲ୍ୟ ରାଉତ, ସୁନିତା ହାଁସ୍‌ଦା, ସନ୍ଧ୍ୟାରାଣୀ ଟୁଡ଼ୁ, ପାର୍ବତୀ କିସ୍‌କୁ, ମାମା ନାୟକ, ତିଳୋତମା ସାହୁ ଥିଲେ। ତେବେ ପୁରୁଷ ଦଳ ସେମିଫାଇନାଲ୍‌ରେ ମହାରାଷ୍ଟ୍ରଠୁ ୭-୧୨ରେ ହାରି ସ୍ବର୍ଣ୍ଣ ଲଢ଼େଇରୁ ବାଦ୍‌ ପଡ଼ିଥିଲା। ହେଲେ କାଂସ୍ୟ ମୁକାବିଲାରେ ୨୬-୧୦ରେ ପଶ୍ଚିମବଙ୍ଗକୁ ହରାଇ ପଦକ ନିଶ୍ଚିତ କରିଥିଲା।

ସନ୍ତରଣରେ ପ୍ରତ୍ୟାଶା ରାୟ, ସାଇକ୍ଲିଂରେ ସ୍ବସ୍ତି ସିଂହ ଏବଂ ଉଷୁରେ ରିୟା ଠାକୁର କାଂସ୍ୟ ପଦକ ଜିତିଛନ୍ତି। ୨୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ପ୍ରତ୍ୟାଶା (୨:୨୭.୭୫) ତୃତୀୟ ସ୍ଥାନରେ ରହିଥିଲା ବେଳେ ପଶ୍ଚିମବଙ୍ଗର ସୌବିତ୍ରୀ ମଣ୍ଡଳ (୨:୨୪.୪୧) ସ୍ବର୍ଣ୍ଣ ଏବଂ ମହାରାଷ୍ଟ୍ରର ପ୍ରତିଷ୍ଠା ଡାଙ୍ଗି (୨:୨୬.୬୩) ରୌପ୍ୟ ପାଇଥିଲେ। ସାଇକ୍ଲିଂର ୬୦ କିଲୋମିଟର ରୋଡ୍‌ ମାସ୍‌ ଷ୍ଟାର୍ଟ ଇଭେଣ୍ଟ୍‌ରେ ସ୍ବସ୍ତି (୧:୪୫:୧୦.୭୬୯) ତୃତୀୟ ସ୍ଥାନରେ ରହିଥିଲେ। ତାଙ୍କ ଆଗରେ ଗୁଜରାଟର ମୁସ୍କାନ ଗୁପ୍ତା (୧:୪୫:୧୦.୫୧୨) ଏବଂ ମହାରାଷ୍ଟ୍ରର ପୂଜା ବାବନ ଡାନୋଲେ (୧:୪୫:୧୦.୫୯୦) ରହି ଯଥାକ୍ରମେ ‌ସ୍ବର୍ଣ୍ଣ ଓ କାଂସ୍ୟ ପଦକ କରାୟତ୍ତ କରିଥିଲେ।
ଓଡ଼ିଶା ମହିଳା ଖୋ ଖୋ ଦଳ ଏବଂ ଉଷୁ ଖେଳାଳି ମଞ୍ଜୁ ମୁଣ୍ଡା ଫାଇନାଲ୍‌ରେ ପହଞ୍ଚି ଓଡ଼ିଶା ଲାଗି ଆଉ ୨ ସ୍ବର୍ଣ୍ଣ ପଦକ ଆଶାକୁ ଉଜ୍ଜୀବିତ ରଖିଛନ୍ତି। ଖୋ ଖୋ ସେମିଫାଇନାଲ୍‌ରେ ଓଡ଼ିଶା ୩୬-୨୩ରେ କର୍ଣ୍ଣାଟକକୁ ପରାସ୍ତ କରିଛି। ଉଷୁ ମହିଳା ୪୯ କେଜି ବର୍ଗରେ ମଞ୍ଜୁ ଦିଲ୍ଲୀ ପ୍ରତିଦ୍ବନ୍ଦ୍ବୀଙ୍କୁ ହରାଇ ଫାଇନାଲ୍‌ ସ୍ଥାନ ନିଶ୍ଚିତ କରି‌ଥିଲେ। ମହିଳା ଫୁଟ୍‌ବଲ୍‌ ଗ୍ରୁପ୍‌ ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ଓଡ଼ିଶା ୨-୦ ଗୋଲ୍‌ରେ ତାମିଲନାଡ଼ୁକୁ ପରାସ୍ତ କରିଛି। ଓଡ଼ିଶା ପକ୍ଷରୁ ମନିଷା ନାୟକ (୪୫+୨ ମିନିଟ୍‌) ଏବଂ ପ୍ରତିମା ଓରାମ (୯୦+୨ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ।