Breaking News

ହକି ହିଁ ଜୀବନ, ଫୁଟାଉଛି ହସ

ଘ‌ାସ ପଡ଼ିଆରୁ ସିନ୍ଥେଟିକ୍ ଟ୍ରାକ୍, ବାଉଁଶ ବାଡ଼ିରୁ ଗ୍ରାଫାଇଟ୍ ଷ୍ଟିକ୍, ୭୦ ମିନିଟ୍‌ରୁ ୧୫ ମିନିଟ୍ ବିଶିଷ୍ଟ ମୋଟ ୬୦ ମିନିଟ୍‌ର ଚାରିଟି କ୍ବାର୍ଟର, ପୁଣି କାଠ ପେଣ୍ଡୁରୁ ହାର୍ଡ ପ୍ଳାଷ୍ଟିକ୍ ବଲ୍; ବିବର୍ତ୍ତନର ଅନେକ ପାହାଚ ତଥା ସୋପାନ...

ଦେବାଶିଷ ସୁନ୍ଦରାୟ

ରାଉରକେଲା: ଘ‌ାସ ପଡ଼ିଆରୁ ସିନ୍ଥେଟିକ୍ ଟ୍ରାକ୍, ବାଉଁଶ ବାଡ଼ିରୁ ଗ୍ରାଫାଇଟ୍ ଷ୍ଟିକ୍, ୭୦ ମିନିଟ୍‌ରୁ ୧୫ ମିନିଟ୍ ବିଶିଷ୍ଟ ମୋଟ ୬୦ ମିନିଟ୍‌ର ଚାରିଟି କ୍ବାର୍ଟର, ପୁଣି କାଠ ପେଣ୍ଡୁରୁ ହାର୍ଡ ପ୍ଳାଷ୍ଟିକ୍ ବଲ୍; ବିବର୍ତ୍ତନର ଅନେକ ପାହାଚ ତଥା ସୋପାନ ଦେଇ ଆଧୁନିକ ରୂପ ଓ ରଙ୍ଗରେ ପହଞ୍ଚିଥିବା ‘ହକି’ ଆଜି କେବଳ ଏକ ଖେଳରେ ସୀମିତ ରହିନାହିଁ। ସୁନ୍ଦରଗଡ଼ ବାସିନ୍ଦାଙ୍କ ପାଇଁ ଜୀବନ ଜିଇଁବାର ବାଟ ପାଲଟିଥିବା ‘ହକି’ ନିଜ ପୁରୁଣା ସ୍ଥିତିରୁ ଆଉ ପାଦେ ଆଗେଇ ଏବେ ଏଠାକାର ସାଧାରଣ ଲୋକଙ୍କ ମୁହଁରେ ହସ ଫୁଟାଇବାର ମାଧ୍ୟମ ପାଲଟିଛି। ୮୪ ମାସର ବନବାସ ପରେ ଫେରିଥିବା ହକି ଖେଳର ଫଟାଫଟ୍ ଲଢ଼େଇ ‘ହକି ଇଣ୍ଡିଆ ଲିଗ୍’ ଏହାର ଜ୍ବଳନ୍ତ ଉଦାହରଣ ପାଲଟିଛି। ଉଭୟ ପୁରୁଷ ଓ ମହିଳା ବର୍ଗରେ ଆୟୋଜିତ ବିଶ୍ବର ଏହି ଚର୍ଚ୍ଚିତ ତଥା ସର୍ବାଧିକ ପୁରସ୍କାର ରାଶି ବିଶିଷ୍ଟ ଲିଗ୍ ପାଇଁ ଓଡ଼ିଶା ହକିର ଅନ୍ୟତମ ଅନ୍ତୁଡ଼ିଶାଳ ‘ରାଉରକେଲା’ ସମଗ୍ର ହକି ଦୁନିଆ ପାଇଁ ଆକର୍ଷଣର କେନ୍ଦୁବିନ୍ଦୁ ସାଜିଛି। ରାଞ୍ଚିରେ ଆୟୋଜିତ ପ୍ରଥମ ମହିଳା ହକି ଇଣ୍ଡିଆ ଲିଗ୍‌ରେ ରାଜ୍ୟର ନିଜସ୍ବ ଦଳ ‘ଓଡ଼ିଶା ୱାରିୟର୍ସ’ ବିଜେତା ହେବା ପରେ ରାଜ୍ୟ ହକିରେ ନୂଆ ଅଧ୍ୟାୟ ଯୋଡ଼ିହୋଇଛି। ରାଉରକେଲାରେ ଚାଲିଥିବା ପୁରୁଷ ସେମିଫାଇନାଲ୍ ପର୍ଯ୍ୟାୟରୁ ଓଡ଼ିଶାର ଦୁଇ ଦଳ ବେଦାନ୍ତ କଳିଙ୍ଗ ଲାନସର୍ସ ଓ ଟିମ୍ ଗୋନାସିକା ବିଦାୟ ନେଇ ସାରିଥିଲେ ମଧ୍ୟ ହକି ଇଣ୍ଡିଆ ଲିଗ୍‌କୁ ନେଇ ରାଉରକେଲା ବାସିନ୍ଦାଙ୍କ ଭିତରେ ଥିବା ଉତ୍ସାହ କାଣିଚାଏ ବି କମିନି। ଯାହାର ପ୍ରମାଣ ରାଉରକେଲା ରେଳ ଷ୍ଟେସନ୍‌ ବାହାରେ ପାଦ ଥାପୁ ଥାପୁ ସ୍ପଷ୍ଟ ବାରି ହୋଇଯାଇଥାଏ। ଟ୍ୟାକ୍ସି ଷ୍ଟାଣ୍ଡଠାରୁ ଆରମ୍ଭ କରି ଉଠା ଦୋକାନ ପର୍ଯ୍ୟନ୍ତ ସବୁଠୁ ଏହି ନିଆରା ପ୍ରତିଯୋଗିତାକୁ ନେଇ ଆଲୋଚନା, ପର୍ଯ୍ୟାଲୋଚନା ଓ ଅଙ୍କକଷା ଶୁଣିବାକୁ ମିଳୁଛି। ଏଥିନେଇ ରେଳ ଷ୍ଟେସନ୍‌ରେ ‘ଓଲା’ କଂପାନିରେ ଗାଡ଼ି ଲଗାଇ ଗୁଜରାଣ ମେଣ୍ଟାଉଥିବା ପ୍ରଫୁଲ୍ଲ ପଟ୍ଟନାୟକ ନାମକ ଜଣେ ଗାଡ଼ି ମାଲିକ କୁହନ୍ତି, ହକି ଇଣ୍ଡିଆ ଲିଗ୍ ଆୟୋଜିତ ହେବା ପରେ ଆମ ବେପାର ଢେର ବଢ଼ିଛି। ଏଥିଲାଗି ଆମେ ଚାହୁଛୁ ରାଉରକେଲାରେ ଅଧିକରୁ ଅଧିକ ହକି ପ୍ରତିଯୋଗିତା ଖେଳାଯାଉ। ବିଶ୍ବକପ୍ ପୁଣି ଥରେ ହେଲେ ଆହୁରି ଭଲ। କାରଣ ବିଶ୍ବକପ୍‌ ବେଳେ ଏଠାରେ ହକିର କ୍ରେଜ୍ ଆହୁରି ଅଧିକ ଥିଲା। ବେପାର ୪ରୁ ୫ଗୁଣ ବଢ଼ିଥିଲା। ରାସ୍ତାଘାଟଠାରୁ ଆରମ୍ଭ କରି ହୋଟେଲ ପର୍ଯ୍ୟନ୍ତ ବହୁନିର୍ମାଣ ଓ ନବୀକରଣ କାର୍ଯ୍ୟ ହୋଇଥିଲା।

ପ୍ରଫୁଲ୍ଲଙ୍କ ଭଳି ଗାଡ଼ି ମାଲିକଙ୍କ ସହ ହକି ଣ୍ଡିଆ ଲିଗ୍‌ରେ ଅଂଶଗ୍ରହଣ କରିଥିବା ଓଡ଼ିଆ ଖେଳାଳି, ସମସ୍ତେ ଅର୍ଥନୈତିକ ଦୃଷ୍ଟିରୁ ବେଶ୍ ଲାଭବାନ ହୋଇଛନ୍ତି। ଏହି କ୍ଷେତ୍ରରେ ଯଦି ମହିଳା ହକି ଇଣ୍ଡିଆ ଲିଗ୍ କଥା ବିଚାରକୁ ନିଆଯାଏ, ତାହେଲେ ବିଜେତା ‘ଓଡ଼ିଶା ୱାରିୟର୍ସ’ ଦଳରେ ଅଲିମ୍ପିଆନ୍ ଦୀପଗ୍ରେସ୍ ଏକ୍କା (୧୦ ଲକ୍ଷ), ଅନ୍ତର୍ଜାତୀୟ ଖେଳାଳି ଜ୍ୟୋତି ଛତ୍ରୀ (୫ ଲକ୍ଷ), ହର୍ଷ ରାଣୀ ମିଞ୍ଜ୍ (୨ ଲକ୍ଷ), ମାଧୁରୀ କିଣ୍ଡୋ ( ୩.୪ ଲକ୍ଷ)ଙ୍କ ଭଳି ଖେଳାଳି ମାତ୍ର ଦୁଇ ସପ୍ତାହ ଭିତରେ ଲକ୍ଷାଧିକ ଟଙ୍କା ରୋଜଗାର କରିଛନ୍ତି। ଯାହା ପୂର୍ବରୁ ସେମାନଙ୍କ ପାଇଁ ସ୍ବପ୍ନ ଥିଲା। ପୂରା ଲିଗ୍‌ରେ ଥିବା ଓଡ଼ିଶା ଖେଳାଳିଙ୍କ କଥା ବିଚାରକୁ ନେଲେ ଏହା ପାଖାପାଖି କୋଟିଏ ଟଙ୍କା ହେବ। ପୁରୁଷ ହକି ଲିଗ୍‌ରେ ଓଡ଼ିଶା ଖେଳାଳିମାନେ ଏହାଠାରୁ ବହୁଗୁଣ ଅଧିକ ଟଙ୍କା ରୋଜଗାର କରିଛନ୍ତି। ମୋଟ ଉପରେ ହକି ଇଣ୍ଡିଆ ଲିଗ୍‌ରେ ଖେଳୁଥିବା ୨୫ ଓଡ଼ିଆ (୧୮ ପୁରୁଷ ଓ ୭ ମହିଳା)ଙ୍କ ଆର୍ଥିକ ସ୍ଥିତି ଯଥେଷ୍ଟ ସୁଦୃଢ଼ ହୋଇଛି। ସେମାନଙ୍କ ଭିତରୁ ଅଧିକାଂଶ ଗରିବ ପରିବାରରୁ ଆସିଥିବାରୁ ‌ଏହି ଅର୍ଥ ସେମାନଙ୍କ ଜୀବନ ଧାରଣର ମାନ ବଢ଼ାଇବାରେ ଯଥେଷ୍ଟ ସହାୟ ହୋଇଛି।

ହକି ଇଣ୍ଡିଆ ଲିଗ୍‌ର ଚଳିତ ସଂସ୍କରଣର ଅର୍ଥନୈତିକ ପ୍ରଭାବ ନେଇ ହକି ଇଣ୍ଡିଆର ସଭାପତି ତଥା ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କି କହିଛନ୍ତି, ଲିଗ୍ ଆରମ୍ଭରୁ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ୧୨୦୦୦ରୁ ୧୫୦୦୦ ଦର୍ଶକ ଆସୁଥିଲେ। ମଝିରେ ଏହି ସଂଖ୍ୟା ଟିକିଏ କମିଥିଲା। ହେଲେ ସେମିଫାଇନାଲ୍‌ର କିଛି ମ୍ୟାଚ୍ ପୂର୍ବରୁ ପୁଣି ଥରେ ଦର୍ଶକ ସଂଖ୍ୟା ବଢ଼ିଛି। ଆମେ ଯାହା ଆଶା କରିଥିଲୁ। ସେ ଅନୁସାରେ ସବୁ ଚାଲିଛି। ଆଗାମୀ ଋତୁରେ ଲିଗ୍‌କୁ ଆମେ ଆହୁରି ବଡ଼ ଓ ଭଲ କରିବାକୁ ଯୋଜନା କରିଛୁ। ଆମେ ଜାଣିଛୁ ଯେ ଭୁବନେଶ୍ବର ଭଳି ବଡ଼ ସହରରେ ଲିଗ୍ ଆୟୋଜନ କରିଥିଲେ ଅଧିକ ରାଜସ୍ବ ମିଳିଥା’ନ୍ତା। ହେଲେ ଖର୍ଚ୍ଚ ବି ସେମିତି ହୋଇଥା’ନ୍ତା। ସବୁଠୁ ବଡ଼ କଥା ହେଉଛି ଆମ ଖେଳାଳି ଓ ହକି ଖେଳ ସମଗ୍ର ଭାବରେ ଏଥିଲାଗି ଉପକୃତ ହୋଇଛି। ସମସ୍ତ କିଛି ନି କିଛି ଲାଭବାନ ହେଉଛନ୍ତି। ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ହକି ଖେଳାଳି ପିଟର ତିର୍କି କହିଛନ୍ତି, ହକି ଇଣ୍ଡିଆ ଲିଗ୍ କେବଳ ଓଡ଼ିଶା ନୁହେଁ, ସମଗ୍ର ବିଶ୍ବ ହକି ପାଇଁ ଏକ ବୈପ୍ଳବିକ ତଥା ସକାରାତ୍ମକ ଅଧ୍ୟାୟ। ଏହା ଦ୍ବାରା ଗାଁ ଗହଳିରେ ରହୁଥିବା ଆମ ଖେଳାଳି ବିଶେଷ ଭାବେ ଉପକୃତ ହେଉଛନ୍ତି। ସେମାନଙ୍କ ଆର୍ଥିକ ସ୍ଥିତି ସୁଧୁରୁଛି, ସେହିଭଳି ବିଶ୍ବର ବହୁ ତାରକା ହକି ଖେଳାଳିଙ୍କୁ ସେମାନେ ପାଖରୁ ଦେଖିବାକୁ ପାଉଛନ୍ତି। ଏପରିକି ସେମାନଙ୍କ କାନ୍ଧ ସହ କାନ୍ଧ ମିଳାଇ ପଡ଼ିଆ ଭିତରେ ଲଢ଼ିବା ସହ ବହୁମୂଲ୍ୟ ଅଭିଜ୍ଞତା ସାଉଣ୍ଟୁଛନ୍ତି।

ସେହିଭଳି ରାଉରକେଲାରେ ବିଶ୍ବକପ୍ ଓ ହକି ଇଣ୍ଡିଆ ଲିଗ୍ ଭଳି ବଡ଼ବଡ଼ ପ୍ରତିଯୋଗିତା ଆୟୋଜନ ହେବା ନେଇ ଦୀପକ ରାୟ ନାମକ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ଏଠାରେ ବିଶ୍ବକପ୍ ଆୟୋଜନ ହେବା ପରେ ଅନେକଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଛି। ରାଉରକେଲାର ‘ଛେଣ୍ଡ୍‌’ ଅଞ୍ଚଳରେ ବିହୁ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ହୋଇଛି। ଏହାର ପ୍ରଭାବରେ ଅନେକ ଆବାସିକ କଲୋନି ଗଢ଼ି ଉଠିବା ସହ ବ୍ୟବସାୟ ବଢ଼ିଛି। ଜମି ଦର ବି ଆକାଶଛୁଆଁ ହୋଇଛି। ବିମାନବନ୍ଦର ପାଇଁ ଯୋଗାଯୋଗର ମାଧ୍ୟମ ବଢ଼ିଛି। ସବୁଠାରୁ ବଡ଼ କଥା ହେଲା ବିଶ୍ବର ସର୍ବବୃହତ୍ ହକି ଷ୍ଟାଡିୟମ୍‌ (ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍) ପାଇଁ ରାଉରକେଲାର ନାଁ ବିଶ୍ବ କ୍ରୀଡ଼ା ମାନଚିତ୍ରରେ ସ୍ଥାନିତ ହୋଇଛି। ଯାହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି। ହକି ଇଣ୍ଡିଆ ଲିଗ୍ ପାଇଁ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଭିତରେ ଏବଂ ବାହାରେ କାମ ପାଇଥିବା ୨୦୦ରୁ ଅଧିକ ସୁରକ୍ଷାକର୍ମୀ ମଧ୍ୟ ବେଶ୍ ଖୁସି ଅଛନ୍ତି। ଷ୍ଟାଡିୟମ୍‌ରେ କ୍ରୀଡ଼ା ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିବା ମୁକ୍ତା ଲାକ୍ରା ନାମକ ଜଣେ ସ୍ଥାନୀୟ ଯୁବକ କହିଛନ୍ତି ମୋ ଘର ଏଠାରୁ ୨୭ କିଲୋମିଟର ଦୂର। ମୋ ଭଳି ଆମ ବିର୍କେରା ଗାଁର ଆହୁରି ଅନେକ ପିଲା ମଧ୍ୟ ଷ୍ଟାଡିୟମ୍‌ ସୁରକ୍ଷାରେ ନିୟୋଜିତ ହୋଇଛୁ। ଭଲ ପାଇସା ମିଳୁଛି। ଆଗକୁ ଏମିତି ଅଧିକ ଖେଳ ହେଉ ବୋଲି ଆମେ ସମସ୍ତେ ଚାହୁଛୁ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.