Breaking News

ରୋମାଞ୍ଚର ପ୍ରଭାବ କମାଇଦେଇଛି ନାୟକକୈନ୍ଦ୍ରିକତା

ବେଳେବେଳେ ଦର୍ଶକଙ୍କୁ ଏଭଳି ଚଳଚ୍ଚିତ୍ର ଦେଖିବାକୁ ପଡ଼େ, ଯାହାର କାହାଣୀ ପାଖାପାଖି ଶେଷଯାଏ ଯାହାସବୁ କହିଥାଏ, ଶେଷରେ ବାସ୍ତବତା ତାହାର ସଂପୂର୍ଣ୍ଣ ଓଲଟା ବୋଲି ପ୍ରଘଟ କରି ଦର୍ଶକର ବିଚାରଶକ୍ତିକୁ ଏକପ୍ରକାର ତାଚ୍ଛଲ୍ୟ କରେ।

ବେଳେବେଳେ ଦର୍ଶକଙ୍କୁ ଏଭଳି ଚଳଚ୍ଚିତ୍ର ଦେଖିବାକୁ ପଡ଼େ, ଯାହାର କାହାଣୀ ପାଖାପାଖି ଶେଷଯାଏ ଯାହାସବୁ କହିଥାଏ, ଶେଷରେ ବାସ୍ତବତା ତାହାର ସଂପୂର୍ଣ୍ଣ ଓଲଟା ବୋଲି ପ୍ରଘଟ କରି ଦର୍ଶକର ବିଚାରଶକ୍ତିକୁ ଏକପ୍ରକାର ତାଚ୍ଛଲ୍ୟ କରେ। ସୌଭାଗ୍ୟକୁ ଆଜି ମୁକ୍ତିଲାଭ କରିଥିବା ‘ଦେବା’ ଚଳଚ୍ଚିତ୍ରରେ ସେଭଳି ଏକ ନିର୍ଣ୍ଣାୟକ ମୋଡ଼ ଥିଲେ ହେଁ ତାହା ଦର୍ଶକର ବୁଦ୍ଧିକୁ ଅପମାନିତ କରି ନ ଥାଏ। କିନ୍ତୁ ଏକାଧିକ ପରସ୍ତ ବିଶିଷ୍ଟ ଏହି କାହାଣୀକୁ ପରଦାରେ ଏଭଳି ଭାବେ ଉନ୍ମୋଚିତ କରାଯାଇଛି, ଯାହା ମନରେ ବିଶେଷ ରୋମାଞ୍ଚ ଅବା କୌତୂହଳ ସୃଷ୍ଟି କରିବାରେ ବିଫଳ ହୋଇଛି। ତଥାପି ଦୁର୍ଦ୍ଦାନ୍ତ ପୁଲିସ ଅଧିକାରୀ ‘ଦେବ ଆମ୍ବ୍ରେ’ ଚରିତ୍ରରେ ଶାହିଦ କପୁରଙ୍କ ଚମକପ୍ରଦ ଅଭିନୟ ସାଙ୍ଗକୁ ଉତ୍ତମ ବୈଷୟିକ କାର୍ଯ୍ୟ ଯୋଗୁଁ ପ୍ରାୟ ଅଢ଼େଇଘଣ୍ଟାର ଏହି ସିନେମା ଦେଖିବାବେଳେ ବିତୃଷ୍ଣା ଜାତ ହୋଇନଥାଏ।

ମୁମ୍ବାଇ ସହରରେ ପର୍ଯ୍ୟବସିତ ଏହି କାହାଣୀରେ ‘ଦେବ’ ହେଉଛି ଜଣେ ବିଶୃଙ୍ଖଳ ତଥା ହିଂସ୍ର ପୁଲିସବାଲା, ଯିଏ ଅପରାଧୀ ଓ ଦୁର୍ନୀତିଗ୍ରସ୍ତ ନେତାଙ୍କୁ ମୁକାବିଲା କଲାବେଳେ ପ୍ରୋଟୋକଲ୍ ଅଥବା ଉଚ୍ଚ ଅଧିକାରୀଙ୍କ ଆଦେଶକୁ ଭ୍ରୂକ୍ଷେପ କରିନଥାଏ। ଗୋଟିଏ ପଟେ ତା’ ସାହସିକତା ଏକ ସତ୍ୟାନୁରାଗୀ ଆଇନ ରକ୍ଷାକର୍ତ୍ତାର ଭାବମୂର୍ତ୍ତି ସୃଷ୍ଟି କରୁଥିବାବେଳେ ଅନ୍ୟ ପଟେ ସାମ୍ବାଦିକ, ରାଜନେତା ଓ ଆରୋପିତ ଅପରାଧୀଙ୍କ ପ୍ରତି ସେ ଯେଉଁ ହିଂସ୍ର ଆଚରଣ ପ୍ରଦର୍ଶନ କରେ ତାହା ମନରେ ଏକ ଅସାମାଜିକ ପୁଲିସର ଧାରଣା ସୃଷ୍ଟି କରିବା ସ୍ବାଭାବିକ। ତେବେ ଦେବର ବାଲ୍ୟ ବନ୍ଧୁ ତଥା ସହକର୍ମୀ ରୋହନ ଡିସିଲ୍‌ଭା (ପାବେଲ ଗୁଲାଟି)କୁ ହତ୍ୟା କରାଯିବା ପରେ ତାହାର ତଦନ୍ତ ଦାୟିତ୍ବ ଦେବକୁ ମିଳୁଛି ଏବଂ ଏହାପରେ ରହସ୍ୟମୟ ହତ୍ୟାକାରୀକୁ ଖୋଜିବା ଲାଗି ଯେଉଁ ତଦନ୍ତ ଆରମ୍ଭ ହେଉଛି, ତାହା ହିଁ ଏହି କାହାଣୀର ଆତ୍ମା। ମୁଣ୍ଡରେ ଆଘାତ ଲାଗିବା ଯୋଗୁଁ ନାୟକ ଦେବ ସ୍ମୃତିଶକ୍ତି ହରାଇବସିବା ଭଳି ଏକ ପୁରୁଣା ବିଷୟବସ୍ତୁ ଉପରେ ହତ୍ୟା ଅପରାଧୀ ଅନୁସନ୍ଧାନରେ ସବୁତକ ଉତ୍କଣ୍ଠା ନିର୍ଭରଶୀଳ ହୋଇ ରହିଛି। ସେହିପରି ମୁଖ୍ୟ ଚରିତ୍ରର ନାମ ‘ଦେବ’ ହୋଇଥିବା ବେଳେ ଚଳଚ୍ଚିତ୍ରର ନାମ କାହିଁକି ଓ କିପରି ‘ଦେବା’ ହେଲା ତାହା ସିନେମାର ଏକ ନିର୍ଣ୍ଣାୟକ ମୋଡ଼ରେ ଜାଣିବାକୁ ମିଳିବ।

୨୦୧୩ର ଚହଳ ସୃଷ୍ଟିକାରୀ ମାଲୟାଲୀ ସିନେମା ‘ମୁମ୍ବାଇ ପୁଲିସ’ର ରିମେକ୍‌ ଭାବେ ୨୦୨୫ରେ ବଲିଉଡ୍‌ରେ ‘ଦେବା’ ନିର୍ମିତ ହେବା ଦର୍ଶାଉଛି ଯେ କାହାଣୀ ଦୃଷ୍ଟିରୁ ହିନ୍ଦୀ ସିନେମା ଶିଳ୍ପ କେରଳର ମାଲୟାଲମ୍ ଶିଳ୍ପ ଠାରୁ କେତେ ପଛରେ ରହିଛି। ତେବେ ସବୁଠାରୁ ଭଲ କଥା ହେଉଛି ‘ମୁମ୍ବାଇ ପୁଲିସ’ର ନିର୍ଦେଶକ ରୋଶନ ଏଣ୍ଡ୍ର୍ୟୁଜ୍‌ ଓ ଲେଖକ ଯୋଡ଼ି ବବି-ସଞ୍ଜୟ ହିଁ ଏହି ହିନ୍ଦୀ ରିମେକ୍‌ର ନିର୍ଦେଶନା ଓ କାହାଣୀ ରଚନା ଦାୟିତ୍ବ ନିର୍ବାହ କରିଛନ୍ତି। ଏହା ସତ୍ତ୍ବେ ‘ଦେବା’ର ନାୟକକୈନ୍ଦ୍ରିକ ଉପସ୍ଥାପନା ଯୋଗୁଁ ମୂଳ କାହାଣୀର ପ୍ରଭାବ ଅନେକଟା ହ୍ରାସ ପାଇଛି। ସେହିପରି ଆରମ୍ଭରେ ‘ଭସଡ଼ ମଚା’ ଗୀତରେ ଶାହିଦଙ୍କ ନୃତ୍ୟ ଦକ୍ଷତାର ପ୍ରଦର୍ଶନ ଉପଭୋଗ୍ୟ ହୋଇଥିଲେ ହେଁ କାହାଣୀରେ ତାହାର କୌଣସି ଭୂମିକା ନାହିଁ।

‘ଦେବା’ର ସବୁଠାରୁ ଶକ୍ତିଶାଳୀ ଦିଗ ହେଉଛି ଶାହିଦଙ୍କ ଉତ୍ସର୍ଗୀକୃତ ଅଭିନୟ। ସିନେମାଟୋଗ୍ରାଫର୍ ଅମିତ ରୟ ମୁମ୍ବାଇର ଅନ୍ଧାରୀ ଦିଗକୁ ଯଥାର୍ଥ ଭାବେ ଦେଖାଇବା ସହିତ ଆକ୍ସନ ଦୃଶ୍ୟଗୁଡ଼ିକୁ ଜୀବନ୍ତ ଢଙ୍ଗରେ ଉତ୍ତୋଳନ କରିଛନ୍ତି। ଆକ୍ସନ୍‌ପ୍ରେମୀଙ୍କୁ ଏହା ନିରାଶ କରିବ ନାହିଁ। ଜେକ୍‌ସ ବେଜୟଙ୍କ ପ୍ରଚ୍ଛଦ ସଂଗୀତ ଉତ୍ସାହ, ଉତ୍କଣ୍ଠା, ଦ୍ବନ୍ଦ୍ବ, ବିଷାଦ ଆଦି ଭାବନାକୁ ଫୁଟାଇବାରେ ସାହାଯ୍ୟ କରିଛି। ତେବେ ପୂଜା ହେଗଡ଼େ ଓ କୁବ୍ରା ସୈତ ଯଥାକ୍ରମେ ସାମ୍ବାଦିକା ଦୀୟା ସାଠେ ଓ ପୁଲିସ କର୍ମୀ ଦୀପ୍ତି ସିଂହ ଭୂମିକାରେ ଭଲ ଅଭିନୟ କରିଥିଲେ ହେଁ ସେମାନଙ୍କୁ ଦକ୍ଷତା ପ୍ରଦର୍ଶନର ବିଶେଷ ସୁଯୋଗ ମିଳିନାହିଁ। ୧୨ ବର୍ଷ ତଳର ଏକ ଆଞ୍ଚଳିକ ସିନେମାର ରିମେକ୍‌ ହୋଇଥିବା ଦୃଷ୍ଟିରୁ ଏହା ଅତି ବେଶିରେ ଏକ ମଧ୍ୟମ ମାନର ମନୋରଂଜନକାରୀ ଭାବେ ପରିଗଣିତ ହେବ।

ଦେବା
ନିର୍ଦେଶକ: ରୋଶନ ଏଣ୍ଡ୍ର୍ୟୁଜ୍‌
ମୁଖ୍ୟ ଚରିତ୍ରରେ: ଶାହିଦ କପୁର, ପୂଜା ହେଗଡ଼େ, ପାବେଲ ଗୁଲାଟୀ

 

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.