Breaking News

ବହୁବଚନ: ଚିଠି ମୋର ଟିକି ଚଢ଼େଇ

“ଚିଠି ମୋର ଟିକି ଚଢ଼େଇ, ଫୁର୍ କିନା ଦେଲି ଉଡ଼େଇ”, ଅକ୍ଷୟ ମହାନ୍ତିଙ୍କ ଶବ୍ଦ ଓ ସ୍ୱରରେ ସ୍ପନ୍ଦିତ ଏହି ଗୀତ ଖୁବ୍ ପୁରୁଣା ନୁହେଁ। ଏହା କିନ୍ତୁ ପୁରୁଣା ହୋଇଗଲାଣି, ପୁରୁଣାକାଳିଆ ମଧ୍ୟ। ଆଜିକାଲି ଚିଠିଲେଖା ନାହିଁ, ଚିଠି ପଠେଇବାର ପ୍ରଶ୍ନ କାହିଁ?

ବିଜୟ ନାୟକ

“ଚିଠି ମୋର ଟିକି ଚଢ଼େଇ, ଫୁର୍ କିନା ଦେଲି ଉଡ଼େଇ”, ଅକ୍ଷୟ ମହାନ୍ତିଙ୍କ ଶବ୍ଦ ଓ ସ୍ୱରରେ ସ୍ପନ୍ଦିତ ଏହି ଗୀତ ଖୁବ୍ ପୁରୁଣା ନୁହେଁ। ଏହା କିନ୍ତୁ ପୁରୁଣା ହୋଇଗଲାଣି, ପୁରୁଣାକାଳିଆ ମଧ୍ୟ। ଆଜିକାଲି ଚିଠିଲେଖା ନାହିଁ, ଚିଠି ପଠେଇବାର ପ୍ରଶ୍ନ କାହିଁ?
ସମ୍ପର୍କ ସଭ୍ୟତାର ଆଧାର। କଥାବାର୍ତ୍ତା ନିକଟ ସମ୍ପର୍କକୁ ନିବିଡ଼ କରେ, ଦୂର ସମ୍ପର୍କର ସେତୁ ଚିଠି। କାହିଁ କେଉଁ କାଳରୁ ମଣିଷ ତା’ର ଆତ୍ମୀୟମାନଙ୍କୁ ଚିଠି ଲେଖିଆସୁଛି। ଆଗକାଳରେ ଡଗରମାନଙ୍କ ଜରିଆରେ ଚିଠି ପଠାଉଥିଲେ ରାଜାମାନେ, ଦୂତୀମାନେ ସାଜିଥିଲେ ରାଜପୁତ୍ର, ରାଜପୁତ୍ରୀମାନଙ୍କ ପ୍ରେମପତ୍ରର ବାହିକା। ଆଜକୁ ପ୍ରାୟ ଦୁଇ ହଜାର ବର୍ଷ ତଳେ ମେଘମାଶ୍ଳିଷ୍ଟ ସାନୁ ମେଘମନସ୍କ କରିଥିଲା ମହାକବି କାଳିଦାସଙ୍କୁ। ବିରହୀ ଯକ୍ଷଯୁବକ ବିଶାଳାକ୍ଷର ବେଦନା ବହନ କରି ମେଘକୁ ସେ ଦୂତ ରୂପେ ବରଣ କରିଥିଲେ। ‘ମେଘଦୂତମ୍’ ପ୍ରଣୟପତ୍ରର ମହାକାବ୍ୟ ଭାବରେ ବିଶ୍ୱବିଦିତ। କବିତାରେ ଚିଠି ଲେଖିବାର ପରମ୍ପରା ମଧ୍ୟ ବେଶ୍ ସୁଦୀର୍ଘ। ମହାରାଜା କଂସଙ୍କ କ୍ରୋଧପତ୍ର ବିଷୟରେ ଭକ୍ତକବି ଭକ୍ତଚରଣ ଦାସଙ୍କ ବର୍ଣ୍ଣନା ଭାବୋଦ୍ଦୀପକ: “ଲେଖିଅଛି କଂସ ହୋଇ ମହାରୋଷ, ଆରେ ଗୋପପତି ନନ୍ଦ।” କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ‘ପ୍ରେମସୁଧାନିଧି’ କାବ୍ୟର ପ୍ରେମ ଚିଟାଉ ଆଜି ବି ଅମିତ ଉନ୍ମାଦନାର ଉପପାଦ୍ୟ। ଇଷ୍ଟଦେବଙ୍କୁ ସ୍ମରଣ କରି ଚିଠି ଲେଖିବା ପ୍ରଥା ବହୁଦିନରୁ ଅନୁସୃତ ହୋଇଆସୁଛି। କିଏ ଚିଠିର ଆରମ୍ଭରେ ‘ଜୟ ଜଗନ୍ନାଥ’ ତ ଆଉ କେହି ‘ଜୟ ଶ୍ରୀରାମ’ ଆଦି ଲେଖନ୍ତି। ରାଜଜେମା ପ୍ରେମସୁଧାନିଧିଙ୍କୁ ରାଜକୁମାର ପୁଷ୍ପକେତୁଙ୍କ ଚିଠି ଇଷ୍ଟ ସ୍ମରଣରୁ ହିଁ ଆରମ୍ଭ: “ଜାନକୀବଲ୍ଲଭ ପଦ୍ମପାଦେ ଚିତ୍ତ ଥାଉ, ରାଜସୁତା ପ୍ରୀତିକଉଶଳାକୁ ଚିଟାଉ।” ଗୀତରେ ଗୀତରେ ଚିଠିଲେଖା ନିକଟ ଅତୀତ ପର୍ଯ୍ୟନ୍ତ ଥିଲା ପରିବ୍ୟାପ୍ତ। ଓଡ଼ିଶାର ଅଳ୍ପ ପାଠୋଈ ଗ୍ରାମ୍ୟବଧୂ ପ୍ରବାସୀ ପତିକୁ ଘରବାହୁଡ଼ାର ନିମନ୍ତ୍ରଣ ଦେଉଥିଲା। ବିଦେଶରୁ ଆଣିବା ପାଇଁ ପଠାଉଥିଲା ନାନା ଦ୍ରବ୍ୟର ଏକ ସୂଚୀ ଯାହାର ଝଲକ ଏମିତି: “କଜଳ, କୁଙ୍କୁମ, ସିନ୍ଦୂର, ସଙ୍ଗେ ଆଣିଥିବ ଖଣ୍ଡେ ଝଙ୍କାର।”
ଚିଠିଲେଖା ଓ ଚିଠି ପାଇଁ ପ୍ରତୀକ୍ଷାର ପ୍ରବଣତା ଆଜି ମଧ୍ୟ ଅନେକଙ୍କ ସ୍ମୃତି ସିନ୍ଦୁକରେ ସାଇତା ହୋଇ ରହିଥିବ। ଦୂର କେଉଁ ହଷ୍ଟେଲରେ ରହୁଥିଲାବେଳେ ବାପାଙ୍କ ଚିଠି ପାଇଲା କ୍ଷଣି ଛାତି ତଳେ ମୃଦୁ କମ୍ପନଟିଏ ସଞ୍ଚରି ଯାଏ। କି ଆଦେଶ ବା ଆକଟ ଥିବ ଚିଠିରେ? କଲେଜ ବା ୟୁନିଭର୍ସିଟି କ୍ୟାମ୍ପସର ସବୁ ସବୁଜିମା ହଠାତ୍ ଯେମିତି ଧୂସର ପାଲଟିଯାଏ। ଆଉ ପ୍ରେମିକ ବା ପ୍ରେମିକାର ଚିଠି ଅଜସ୍ର ପୁଲକ ଆଣେ ଦେହମନରେ। ନିରୋଳା ମୁହୂର୍ତ୍ତରେ ଚିଠି ପଢ଼ିବା ବା ଚିଠି ପଢୁପଢୁ ଦ୍ରବୀଭୂତ ହୋଇଯିବାର ଅନୁଭବ କାହାର ବା ନାହିଁ! ସେତେବେଳେ ଆକାଶରୁ ତାରାମାନେ ଗଙ୍ଗଶିଉଳି ପରି ଝରିପଡ଼ନ୍ତି ତ ଜହ୍ନ ଧରାଦିଏ ହାତ ପାପୁଲିରେ। ଆଉ ପ୍ରେମଚିଠି ଲେଖିବା ମୁହୂର୍ତ୍ତରେ ଇନ୍ଦ୍ରଧନୁର ମୁହଁ ଦିଶେ ସାଦା କାଗଜରେ, ନୀଳନଦୀ ସ୍ୟାହି ହୋଇ ଝରେ କଲମରୁ। ଏବେ ସେସବୁ ଅତୀତ ନା ଐତିହ୍ୟ!
ଅତୀତର ଅନେକ ଚିଠି କିନ୍ତୁ ଐତିହ୍ୟ ପରି ଅକ୍ଷତ। ନେପୋଲିଅନ ବୋନାପାର୍ଟଙ୍କ ପ୍ରେମଚିଠି ଲେଖା ଇତିହାସର ଏକ ଅଭୁଲା ପୃଷ୍ଠା। ଯୁଦ୍ଧଭୂମିରୁ ପ୍ରେମିକା-ପତ୍ନୀ ଜୋସେଫିନଙ୍କୁ ନିୟମିତ ଚିଠି ଲେଖୁଥିଲେ ନେପୋଲିୟନ। ପରାକ୍ରମୀ ହିଟ୍‌ଲରଙ୍କୁ କେହି କ’ଣ ଚିଠି ଲେଖିବାର ସାହସ କରିପାରନ୍ତା! କିନ୍ତୁ ସେପରି ସାହସ କରିଥିଲେ ମହାତ୍ମା ଗାନ୍ଧୀ। ବିଶ୍ୱରେ ଅଶାନ୍ତିର ଅନ୍ତ ପାଇଁ ହିଟ୍‌ଲରଙ୍କ ପାଖକୁ ପଠାଇଥିଲେ ସେ ଏକାଧିକ ପରାମର୍ଶ-ପତ୍ର। ହିଟ୍‌ଲରଙ୍କୁ ବନ୍ଧୁ ସମ୍ବୋଧନ କରି ମହାତ୍ମା ଗୋଟିଏ ଚିଠିରେ ଯାହା ଲେଖିଥିଲେ, ତା’ର କିୟଦଂଶ ଏହିପରି: “ଆପଣଙ୍କ ବୀରତ୍ୱ ଓ ଦେଶ ପ୍ରତି ପ୍ରତିବଦ୍ଧତା ବିଷୟରେ ଆମମାନଙ୍କର ତିଳେ ସନ୍ଦେହ ନାହିଁ। ଆପଣଙ୍କ ଶତ୍ରୁଙ୍କ ପରି ଆମେ ଆପଣଙ୍କୁ ନିଷ୍ଠୁର ବୋଲି କହୁନାହୁଁ। କିନ୍ତୁ ଆପଣଙ୍କ ନିଜ ଲେଖା ଓ କଥାରୁ ଆମେ ନିଃସନ୍ଦେହ ଯେ ଆପଣଙ୍କ କାର୍ଯ୍ୟ କ୍ରୂର, ମାନବିକ ମର୍ଯ୍ୟାଦାର ପରିପନ୍ଥୀ।” ତେବେ ହିଟ୍‌ଲରଙ୍କ ଉପରେ ଗାନ୍ଧୀଜୀଙ୍କ ଚିଠିର ପ୍ରଭାବ ସମ୍ବନ୍ଧରେ ଇତିହାସରେ ବିଶେଷ ଉଲ୍ଲେଖ ମିଳେନାହିଁ। ଇନ୍ଦିରାଙ୍କୁ ଲିଖିତ ଜବାହରଙ୍କ ପତ୍ର ମଧ୍ୟ ଅନେକ ସମୟରେ ଚର୍ଚ୍ଚାକୁ ଆସେ। ଇନ୍ଦିରା ଯେତେବେଳେ ଦଶ ବର୍ଷୀୟା କିଶୋରୀ, ସେତେବେଳେ ସଭ୍ୟତା, ସଂସ୍କୃତି, ପ୍ରକୃତି, ଜାତି, ଜନଜାତି ଆଦି ବିଷୟରେ ଜବାହର ଲେଖିଥିବା ତିରିଶଟି ଚିଠି ‘ଲେଟର୍ସ ଅଫ୍ ଏ ଫାଦର୍ ଟୁ ହିଜ୍ ଡଟର୍’ ନାମକ ପୁସ୍ତକରେ ସଂକଳିତ।
ଯୁକ୍ତରାଷ୍ଟ୍ର ଆମେରିକାର ଷୋଡ଼ଶ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନ ତାଙ୍କ ପୁଅ ପଢୁଥିବା ସ୍କୁଲର ହେଡ୍‌ମାଷ୍ଟରଙ୍କୁ ଲେଖିଥିବା ଚିଠି ବିଷୟରେ ଭିନ୍ନ ଭିନ୍ନ ମତ ରହିଅଛି। ତେବେ ‘ଭାବ’ ଓ ‘ଭାଷା’ ଦୃଷ୍ଟିରୁ ପ୍ରୋକ୍ତଚିଠିଟି ଗୋଟିଏ ସୁନ୍ଦର କବିତା ଠାରୁ କୌଣସି ଗୁଣରେ ନ୍ୟୂନ ନୁହେଁ: “ମୋ ପୁଅକୁ ଆପଣ ବହିର ବିସ୍ମୟ ବିଷୟରେ କହିବେ। ଆକାଶରେ ସୂର୍ଯ୍ୟାଲୋକରେ ଘୂରି ବୁଲୁଥିବା ମହୁମାଛି ଓ ପାହାଡ଼ର ସବୁଜ ପାଦଦେଶରେ ଫୁଟୁଥିବା ଫୁଲ ବିଷୟରେ ଭାବିବା ପାଇଁ ତାକୁ ଅବସର ଦେବେ।” ନିଜ ପୁଅ ଭିତରେ ଲୁକ୍‌କାୟିତ କବିଭାବକୁ ଉଖାରିବା ପାଇଁ ହେଡ୍‌ମାଷ୍ଟରଙ୍କୁ ଏପରି ଲେଖିଥାଇ ପାରନ୍ତି ଲିଙ୍କନ। ଏମିତି ଅନେକ ଚିଠି ମାନବ ସମାଜର ସୁଦୃଶ୍ୟ ଅଟ୍ଟାଳିକାର ଭିତ୍ତିପ୍ରସ୍ତର ହୋଇ ରହିଛି।
ଦୂତ, ଡଗରଙ୍କ ସମୟରେ ଚିଠିର ଆଦାନପ୍ରଦାନ ସୀମିତ ଥିଲା। ଏହା ବ୍ୟାପକ ହେଲା ଡାକସେବା ପ୍ରଚଳନ ପରେ। ଖାକି ପୋଷାକଧାରୀ ଡାକବାଲା ଶତାବ୍ଦୀ ଶତାବ୍ଦୀ ଧରି ଆଶା ଓ ଆଶଙ୍କାର ପ୍ରତୀକ ପାଲଟିଥିଲା। ଫ୍ୟାକ୍‌ସ ଡାକସେବାକୁ ଦୋହଲାଇ ଦେଲା। ଡାକଘରସବୁ ଅକାମୀ ହୋଇପଡ଼ିଲେ। ଫ୍ୟାକ୍‌ସକୁ ଘଣ୍ଟାକ ମଧ୍ୟରେ ଅଚଳ କରିଦେଲା ମୋବାଇଲ୍ ମେସେଜ, ଇ-ମେଲ୍। ମେସେଜ ବା ଇ-ମେଲ୍ କ’ଣ ଲୁହର ଚିଠି ବା କୋହର କବିତା ହୋଇପାରିବ? ଭିଡିଓ କଲ୍, ପରଦେଶୀ ଓ ଦୂରବାସୀ ଆତ୍ମୀୟମାନଙ୍କୁ ଦେଖିବାର ଉତ୍କଣ୍ଠାରେ ପୂର୍ଣ୍ଣଚ୍ଛେଦ ପକାଇନାହିଁ କି? ଝୁରିହେବା ଶବ୍ଦ ଏବେ ଶବ୍ଦକୋଷରୁ ଉଭାନ।
ଚିଠି ବିନା ଭାବପ୍ରବଣତା ନାହିଁ। ଭାବପ୍ରବଣତା ବିନା ଜୀବନର ମାଧୁର୍ଯ୍ୟ କାହିଁ! ମଣିଷ ରୋବଟ୍ ଗଢ଼ିବା ଇତିହାସ ସିନା, ହେଲେ ସେ ନିଜେ ରୋବଟ୍ ପାଲଟିଯିବା ଇତିହାସର ଉପହାସ ନୁହେଁ ତ ଆଉ କ’ଣ?
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୧୪୩୮୯୬

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.