କଟକ: ଆସନ୍ତା ୯ତାରିଖ ରବିବାର ବାରବାଟୀ ଷ୍ଟାଡିୟମ୍‌ରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଦ୍ବିତୀୟ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ ପାଇଁ ଓଡ଼ିଶା କ୍ରି‌‌କେଟ୍ ଆସୋସିଏସନ(ଓସିଏ) ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ଗୋଟିଏ ପଟେ ବାରବାଟୀ ‌ଷ୍ଟାଡିୟମ୍‌ରେ ଛୋଟବଡ଼ ମରାମତି, ସାଜସଜା ଚାଲିଥିବା ବେଳେ ଅନ୍ୟପଟେ ଆଜିଠାରୁ ଅଫ୍‌ଲାଇନରେ ଟିକଟ୍ ବିକ୍ରି ଆରମ୍ଭ ହୋଇଛି। ଓସିଏର ପ୍ରଚଳିତ ପରମ୍ପରା ଅନୁସାରେ, ଆଜି ପ୍ରଥମ କରି ଓସିଏ ସହ ଅନୁବନ୍ଧିତ ଅନୁଷ୍ଠାନମାନଙ୍କୁ ଓସିଏ ସମ୍ମିଳନୀ କକ୍ଷରେ ଟିକଟ୍ ବିକ୍ରି କରାଯାଇଛି।

ଟିକେଟ୍ କିଣିଲେ ଅନୁବନ୍ଧିତ ୟୁନିଟ୍

ଓସିଏ ସହ ଅନୁବନ୍ଧିତ ୭୦ଟି ଅନୁଷ୍ଠାନ(ଜିଲ୍ଲା ସଂଘ, କ୍ଲବ୍, ସ୍କୁଲ, କଲେଜ), ତିନି ଜଣ ବ୍ୟକ୍ତିବି‌ଶେଷ ଓ ଓସିଏ କର୍ମକର୍ତ୍ତା(ସଂପାଦକ, ଉପସଭାପତି, ଯୁଗ୍ମ ସଂପାଦକ, କୋଷାଧ୍ୟକ୍ଷ, ‌ଜଣେ ଆପେକ୍ସ କାଉନ୍‌ସିଲ ସଭ୍ୟ, ୩ଜଣ ମନୋନୀତ ଆପେକ୍ସ କାଉନ୍‌ସିଲ ସଭ୍ୟ)ଙ୍କ ପାଇଁ ପାଖାପାଖି ୯ହଜାର ଟିକଟ୍ ବିକ୍ରି କରାଯିବା ବ୍ୟବସ୍ଥା ରହିଥିବା ବେଳେ ଆଜି ଅଧିକାଂଶ ବିକ୍ରି କରାଯାଉଛି। ଟିକଟ୍‌ ବିକ୍ରି ପାଇଁ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ବ୍ୟାପକ ଆୟୋଜନ ହୋଇଥିଲା। ଅଧିକାଂଶ ଅନୁବନ୍ଧିତ ଅନୁଷ୍ଠାନ ଆଜି ଟିକଟ୍ କିଣିଥିବା ବେଳେ ମୁଷ୍ଟ‌ିମେୟ ଅନୁବନ୍ଧିତ ଅନୁଷ୍ଠାନ ଆସନ୍ତାକାଲି ଟିକଟ୍ କିଣିବେ ବୋଲି ସୂଚନା ମିଳିଛି। ପ୍ରତି ଜିଲ୍ଲା ସଂଘ ପାଇଁ ୧୪୫ ଲେଖାଏଁ ଟିକଟ୍ ରହିଥିବା ବେଳେ କ୍ଲବ୍ ପାଇଁ ୧୦୦ ଲେଖାଏ ଟିକେଟ ବିକ୍ରି କରାଯାଇଥିବା ସୂଚନା ମିଳିଛି। ଆଜି ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳାଳି ଦେବାଶିଷ ମହାନ୍ତି ମଧ୍ୟ ପ୍ରଥମ ଦିନରେ ଟିକଟ କିଣିଥିବା ଦେଖାଯାଇଛି। ଆସନ୍ତାକାଲି ଦ୍ବିତୀୟ ଦିନ ଟିକେଟ୍ ବିକ୍ରି ପରେ ଯାହା ବଳିଲା ଅବଶିଷ୍ଟ ଟିକେଟ କାଉଣ୍ଟର୍‌କୁ ଯିବ ବୋଲି ସୂଚନା ମିଳିଛି।

ଆସନ୍ତା ମ୍ୟାଚ୍‌ ପାଇଁ ଓସିଏ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ବେଳେ ଆଜି ବିସିସିଆଇ କ୍ୟୁରେଟର ପ୍ରକାଶ ଯାଦବ ବାରବାଟୀ ଷ୍ଟାଡିୟମ୍‌ ପରିଦର୍ଶନ କରି ମ୍ୟାଚ୍‌ ପ୍ରସ୍ତୁତିକୁ ଅନୁଧ୍ୟାନ କରିଛନ୍ତି। ଓସିଏ ମୁଖ୍ୟ କ୍ୟୁରେଟର୍‌ ଡକ୍ଟର ଅଞ୍ଜନ ଖୁଣ୍ଟିଆ ଉପସ୍ଥିତ ରହି ଶ୍ରୀ ଯାଦବକୁ ବାରବାଟୀ ପିଚ୍ ବିଷୟରେ ବୁଝାଇଥିଲେ। ବିସିସିଆଇ କ୍ୟୁରେଟର ଶ୍ରୀ ଯାଦବ ପିଚ୍ ନିର୍ମାଣରେ ସନ୍ତୋଷବ୍ୟକ୍ତ କରିଛନ୍ତି। ପୂର୍ବରୁ ବିସିସିଆଇ ମୁଖ୍ୟ କ୍ୟୁରେଟର୍‌ ଆଶିଷ ଭୌମିକ ମଧ୍ୟ ବାରବାଟୀ ଷ୍ଟାଡିୟମ୍ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ସେହିପରି ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପ୍ରମୁଖ ଶାସନ ସଚିବ ଭାସ୍କର ‌ଜ୍ୟୋତି ଶର୍ମା ମଧ୍ୟ ଆଜି ବାରବାଟୀ ଷ୍ଟାଡିୟମ୍‌ ପରିଦର୍ଶନ କରି ଚାଲିଥିବା ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି। ଓଡ଼ିଶା ଅଲିମ୍ପିକ ସଂଘ ସଂପାଦକ ଅଭିଜିତ ପାଲ, ଓସିଏ କାର୍ଯ୍ୟକାରୀ ସଭାପତି ପଙ୍କଜ ଲୋଚନ ମହାନ୍ତି, ଓସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ବେହେରା, ସଦସ୍ୟ ଧୀରେନ୍ ପ‌ଲାଇ ପ୍ରମୁଖ ଉପସ୍ଥିତ ରହି କ୍ରୀଡ଼ା ସଚିବ ଶ୍ରୀ ଶର୍ମାଙ୍କୁ ପ୍ରସ୍ତୁତି ସଂକ୍ରାନ୍ତରେ ଅବଗତ କରାଇଥିଲେ