Breaking News

ଶୁଳ୍କ ନିଷ୍ପତ୍ତି ବଦଳାଇଲେ ଟ୍ରମ୍ପ: ପାଲଟା ଟିକସ ଲଗାଇଲା ଚୀନ୍

ଯେଉଁ ଦର୍ପରେ ବିଶ୍ବର ବିଭିନ୍ନ ଦେଶକୁ ଧମକାଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଢ଼ା ଶୁଳ୍କ ଲଗାଇଥିଲେ, ସେହି ନିଷ୍ପତ୍ତିରେ କିଛି ଦିନ ବି ସେ ଅଟଳ ରହିପାରିଲେ ନାହିଁ। ଚୀନ୍‌, କାନାଡା ଓ ମେକ୍ସିକୋ

ନୂଆଦିଲ୍ଲୀ: ଯେଉଁ ଦର୍ପରେ ବିଶ୍ବର ବିଭିନ୍ନ ଦେଶକୁ ଧମକାଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଢ଼ା ଶୁଳ୍କ ଲଗାଇଥିଲେ, ସେହି ନିଷ୍ପତ୍ତିରେ କିଛି ଦିନ ବି ସେ ଅଟଳ ରହିପାରିଲେ ନାହିଁ। ଚୀନ୍‌, କାନାଡା ଓ ମେକ୍ସିକୋ ଉପରେ ଚଢ଼ା ଶୁଳ୍କ ଲଗାଇବା ପରେ ସେହି ନିଷ୍ପତ୍ତି ସେ ବଦଳାଇଛନ୍ତି। ବର୍ତ୍ତମାନ ସମୟ ପାଇଁ ଶୁଳ୍କ ପ୍ରହାରକୁ ସେ ସ୍ଥଗିତ ରଖିଛନ୍ତି। ଫଳରେ ସାରା ବିଶ୍ବରେ ଯେଉଁ ବାଣିଜ୍ୟ ଲଢ଼େଇ ଦେଖାଦେବା ଆଶଙ୍କା ସୃଷ୍ଟି ହୋଇଥିଲା ତାହା ମଉଳିଯାଇଛି। ବିଶେଷଜ୍ଞମାନେ ଟ୍ରମ୍ପଙ୍କୁ କାଗଜ ବାଘ ସହ ତୁଳନା କରିଛନ୍ତି।

ଅନ୍ୟ ପକ୍ଷରେ, ଆମେରିକା ଉପରେ ଚୀନ୍ ପାଲଟା ଟିକସ ଲଗାଇଛି। ଆମେରିକାର ତୈଳ ଓ ଗ୍ୟାସ୍‌ ଉପରେ ଏହା ୧୫ ପ୍ରତିଶତ ଟିକସ ଲଗାଇଛି। କେବଳ ସେତିକି ନୁହେଁ ଆମେରିକାର ଅନ୍ୟତମ ବଡ଼ କମ୍ପାନି ଗୁଗଲ୍ ବିରୋଧରେ ତଦନ୍ତ ଆରମ୍ଭ କରିବାକୁ ମଧ୍ୟ ଚୀନ୍ ନିଷ୍ପତ୍ତି ନେଇଛି। ଚୀନ୍ ଉପରେ ଟ୍ରମ୍ପ୍ ୧୦ ପ୍ରତିଶତ ଶୁଳ୍କ ଲଗାଇଥିଲେ। ତେବେ ଚୀନ୍ ନେଇଥିବା ନିଷ୍ପତ୍ତି ଆମେରିକାକୁ ବିଶେଷ ପ୍ରଭାବିତ କରିବ ନାହିଁ ବୋଲି କୁହାଯାଉଛି। କାରଣ ଆମେରିକା ବିକୁଥିବା ୬ ପ୍ରତିଶତ ଏଲ୍‌ଏନ୍‌ଜି ଚୀନ୍ କିଣୁଛି। ନଗଣ୍ୟ ପରିମାଣର କୋଇଲା ସେଠାରୁ ମଗାଉଛି। ୨୦୧୦ ପରଠାରୁ ଚୀନ୍‌ରେ ଗୁଗଲ୍‌ ସେବା ଉପଲବ୍ଧ ନାହିଁ।

କିଛି ଦିନ ପୂର୍ବେ ଟ୍ରମ୍ପ କାନାଡା ଓ ମେକ୍ସିକୋ ଉପରେ ୨୫ ପ୍ରତିଶତ ଓ ଚୀନ୍ ଉପରେ ୧୦ ପ୍ରତିଶତ ଶୁଳ୍କ ଲଗାଇଥିଲେ। ଯେଉଁ ଦେଶଗୁଡ଼ିକ ଆମେରିକାକୁ ଅଧିକ ଜିନିଷ ପଠାଉଛନ୍ତି ଓ କମ୍ ଜିନିଷ ନେଉଛନ୍ତି, ସେହି ଦେଶଗୁଡ଼ିକୁ ଟାର୍ଗେଟ୍‌ କରି ଶୁଳ୍କ ଲଗାଯାଇଥିଲା। ଏହାର କିଛି ଘଣ୍ଟା ପରେ କାନାଡା ପାଲଟା ଟିକସ ଲଗାଇଥିଲା। ଶୁଳ୍କ ନିଷ୍ପତ୍ତିରେ ଯଦିଓ ଟ୍ରମ୍ପ ପଛୁଘୁଞ୍ଚା ଦେଇଛନ୍ତି, କିନ୍ତୁ ନିଜ ଦେଶର ସୀମାକୁ ଅନୁପ୍ରବେଶକାରୀଙ୍କଠାରୁ ସୁରକ୍ଷା ଦେବାରେ ସେ କିଛିଟା ସଫଳ ହୋଇଛନ୍ତି। ମେକ୍ସିକୋ ଓ କାନାଡା ନିଜ ସୀମାକୁ ଜଗିବା ଲାଗି ଅଧିକ ପ୍ରହରୀ ମୂତୟନ କରିବା ଘୋଷଣା କରିଛନ୍ତି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.