Breaking News

ବିଶ୍ୱ ପାଣିପାଗ ସଂସ୍ଥାର ଚେତାବନୀ: ମାଡ଼ି ଆସୁଛି ତାତି, ୯୦ ଦିନରୁ ୮୦ ଦିନ ସିଝାଇବ

ଏଯାଏଁ ଶୀତ ଯାଇନି। କୁହୁଡ଼ି ଛାଡ଼ିନି। ହେଲେ ଗ୍ରୀଷ୍ମର ଟାଇଁ ଟାଇଁ ଖରା ଅସ୍ତବ୍ୟସ୍ତ କରିପକାଇଲାଣି। ଫେବ୍ରୁଆରି ପ୍ରଥମରୁ ହିଁ ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ସାରା ଓଡ଼ିଶା। ଉପାନ୍ତରୁ ଉପକୂଳ....

ଭୁବନେଶ୍ବର: ଏଯାଏଁ ଶୀତ ଯାଇନି। କୁହୁଡ଼ି ଛାଡ଼ିନି। ହେଲେ ଗ୍ରୀଷ୍ମର ଟାଇଁ ଟାଇଁ ଖରା ଅସ୍ତବ୍ୟସ୍ତ କରିପକାଇଲାଣି। ଫେବ୍ରୁଆରି ପ୍ରଥମରୁ ହିଁ ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ସାରା ଓଡ଼ିଶା। ଉପାନ୍ତରୁ ଉପକୂଳ ହେଉ କି ଉତ୍ତରରୁ ଦକ୍ଷିଣ, କୌଣସି ଅଞ୍ଚଳ ବି ଏଥିରୁ ବାଦ୍‌ ପଡ଼ୁନି। ପୁରୀ ଭଳି ଉପକୂଳ ସହରରେ ଏବେ ଦିନ ଓ ରାତି ତାପମାତ୍ରା ମଧ୍ୟରେ ବ୍ୟବଧାନ ମାତ୍ର ୬.୨ ଡିଗ୍ରି ରହିଛି। କୋରାପୁଟ ପରି ଥଣ୍ଡା ଅଞ୍ଚଳ ଏବେ ଦିନରେ ତତଲା ତାୱାରେ ଭାଜି ହେଉଛି। ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ପରି ସହର କଥା ନ କହିବା ଭଲ। ଫେବ୍ରୁଆରି ଆରମ୍ଭରୁ ଏଠାରେ ପାରଦ ୩୫ ଡେଇଁଗଲାଣି। ଦିନକୁ ଦିନ ତାପମାତ୍ରା ବଢ଼ୁଥିବାରୁ ଆଗକୁ ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି ବିଶ୍ବସ୍ତରୀୟ ପାଣିପାଗ ସଂସ୍ଥାଗୁଡ଼ିକ ଆକଳନ କରିଛନ୍ତି।

ବିଶ୍ୱ ପାଣିପାଗ ସଂସ୍ଥା (ଡବ୍ଲୁଏମ୍‌ଓ) ଚେତାବନୀ ଅନୁଯାୟୀ ରାଜ୍ୟରେ ୭୦ରୁ ୮୦ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ଅର୍ଥାତ୍‌ ମାର୍ଚ୍ଚ ୧୫ରୁ ଜୁନ୍‌ ୧୫ ମଧ୍ୟରେ ୯୦ ଦିନ ମଧ୍ୟରୁ ୮୫% ଦିନ ପ୍ରଚଣ୍ଡ ରୌଦ୍ର ସ୍ଥିତି ଓଡ଼ିଶାରେ ସୃଷ୍ଟି ହେବ। ୨୦୨୫ ଜାନୁଆରି ଦେଶର ଉତ୍ତପ୍ତ ମାସ ହୋଇଛି। ପୃଥିବୀର ହାରାହାରି ତାପମାତ୍ରା ପ୍ରଥମ ଥର ପାଇଁ ୧୩.୬ ଡିଗ୍ରି ଛୁଇଁବା ଚିନ୍ତାର କାରଣ ପାଲଟିଛି। ଏବର୍ଷ ଲଗାତାର ୧୫  ଦିନ ଧରି ଉପକୂଳ ଓଡ଼ିଶାରେ କୁହୁଡ଼ି ପଡ଼ିବା ସହ ସେଥିରୁ ରାଜଧାନୀରେ ୧୦ ଦିନ ଯାଏଁ ଦୃଶ୍ୟମାନ ଦୂରତା ୧୦୦ ମିଟରରୁ କମ୍‌ ରହିଥିଲା। ଲଗାତାର ଗୁରୁଚାପ ବଳୟ ଓଡ଼ିଶା ଉପକୂଳକୁ କବ୍‌ଜାରେ ରଖିବା ଦ୍ବାରା ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା-ଶୁଷ୍କ ପବନର ଅବରୋଧ ତଥା ପଶ୍ଚିମାଝଡ଼ର ବାରମ୍ବାର ଆଗମନ ଏଭଳି ସ୍ଥିତିକୁ ପ୍ରଶମିତ କରିଛି। ଖାସ୍‌ କରି ମେରୁ ବଳୟ(ପୋଲାର-ଭୋର୍ଟେକ୍ସ) ଦୁର୍ବଳ ହେବା ଫଳରେ ପଶ୍ଚିମାଝଡ଼ର ବାରମ୍ବାରତା ବୃଦ୍ଧି ପାଉଛି, ଯାହାକି ବିଶ୍ୱତାପନ ତଥା ଜଳବାୟୁ ପରିବର୍ତ୍ତନର ସିଧାସଳଖ ପ୍ରତିଫଳନ। ଏହାଦ୍ବାରା ଶୀତ ଗାଏବ ହେଉଛି ଏବଂ ତାତିର ପ୍ରଭାବ ବଢ଼ୁଛି ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

କୋରାପୁଟ, ଭବାନୀପାଟଣା, ଝାରସୁଗୁଡ଼ା ୫୦ ବର୍ଷର ରେକର୍ଡ ଭାଙ୍ଗିଲା

୨୧ ବର୍ଷର ରେକର୍ଡ ଭାଙ୍ଗିଲା ଭୁବନେଶ୍ବର, ଶୀତ ଗାଏବ ହେଉଛି, ତାତିର ପ୍ରଭାବ ବଢ଼ୁଛି

ସବୁଠାରୁ ବଡ଼ କଥା ହେଉଛି ଯେ ୨୦୨୩ ଓ ୨୦୨୪  ଲଗାତାର ଭାବେ ବିଶ୍ବର ଉତ୍ତପ୍ତ ବର୍ଷ ପାଲଟିଛି। ବିଶ୍ୱତାପନର ପ୍ରଭାବ ଦିନକୁ ଦିନ ତୀବ୍ରତର ହେଉଥିବାରୁ ୨୦୨୪ରେ ବିଶ୍ବର ହାରହାରି ତାପମାତ୍ରା ପ୍ରଥମ ଥର ୧.୫ ଡିଗ୍ରି ଅତିକ୍ରମ କରିଛି। ଏହାର ସିଧାସଳଖ ପ୍ରଭାବ ସ୍ଥାନୀୟ ପାଣିପାଗରେ ଦେଖିବାକୁ ମିଳିଛି। ୨୦୨୪ ମସିହାରେ ୩୭ ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ଏବଂ ଚଳିତବର୍ଷ ଜାନୁଆରି ଅଧାରୁ ଶୀତ ଗାଏବ, ଜଳବାୟୁ ପରିବର୍ତ୍ତନର ସିଧାସଳଖ ପ୍ରଭାବର ପ୍ରତିଫଳନ। ସେହିପରି ସ୍ୱାଭାବିକ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ୧୧ ଦିନ ତୁଳନାରେ ତିନି ଗୁଣ ଅଧିକ ରହିବା ଚିନ୍ତାର କାରଣ ପାଲଟିଛି। ଫେବ୍ରୁଆରି ମାସରେ ଓଡ଼ିଶାରେ ଦିନର ତାପମାତ୍ରା ସ୍ବାଭାବିକଠାରୁ ଯଥେଷ୍ଟ ଅଧିକ ରହିବା ନେଇ ଇତିମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିସାରିଛି। ଦୁଇ ସପ୍ତାହର ପାଣିପାଗ ସ୍ଥିତିକୁ ଦେଖିଲେ ଏଥର ତାତି ଓଡ଼ିଶାରେ କେଉଁଭଳି ରେକର୍ଡ ଭାଙ୍ଗୁଛି ତାହା ଜଣାପଡ଼ୁଛି। ଜାନୁଆରି ୨୭ରେ କୋରାପୁଟର ତାତି ୫୨ ବର୍ଷର ରେକର୍ଡ ଭାଙ୍ଗିଥିଲା। ପ୍ରଥମ ଥର ପାଇଁ ଦିନର ସର୍ବୋଚ୍ଚ ତାପମାତ୍ରା ୩୩.୪ ଡିଗ୍ରି ରେକର୍ଡ ହୋଇଥିଲା, ଯାହାକି ୧୯୭୩ ପରେ ଅନୁଭୂତ ହେଇଥିଲା। ଜାନୁଆରି ୩୧ରେ ଭବାନୀପାଟଣାରେ ରେକର୍ଡ ହୋଇଥିବା ୩୪ ଡିଗ୍ରି, ୧୯୭୩ରୁ ୨୦୨୫ ମଧ୍ୟରେ ଜାନୁଆରି ମାସର ଅର୍ଥାତ୍‌ ୫୨ ବର୍ଷର ଦ୍ୱିତୀୟ ସର୍ବାଧିକ ତାପମାତ୍ରା। ସେହିପରି ଜାନୁଆରି ୩୧ରେ ଝାରସୁଗୁଡ଼ାରେ ରେକର୍ଡ ହୋଇଥିବା ୩୪.୫ ଡିଗ୍ରି ଜାନୁଆରି ମାସର ତୃତୀୟ ସର୍ବାଧିକ ତାପମାତ୍ରା ବୋଲି ଜଣାପଡ଼ିଛି। ରାଜଧାନୀ ଭୁବନେଶ୍ବର ମଧ୍ୟ କୌଣସି ଗୁଣରେ କମ୍‌ ପଡ଼ିନି। ଏଠାରେ ମଧ୍ୟ ପାରଦ ୩୫ ଡିଗ୍ରି ମୁହାଁ ହୋଇଛି। ପୂର୍ବରୁ ଫେବ୍ରୁଆରି ମାସରେ ଏକାଧିକ ଥର ୪୦ ଡିଗ୍ରି ଛୁଇଁବାର ନଜିର ରହିଥିଲେ ମଧ୍ୟ ଏଥର ମାସର ପ୍ରଥମ ସପ୍ତାହରେ ୩୫ ଡିଗ୍ରି ପାଖରେ ପହଞ୍ଚିବା ଚିନ୍ତାର କାରଣ ପାଲଟିଛି।

ରାଜଧାନୀର ଚାରିଆଡ଼େ କଂକ୍ରିଟ ଜଙ୍ଗଲ ସୃଷ୍ଟି ହେଉଥିବା ବେଳେ ଗ୍ରୀଷ୍ମ ଋତୁରେ ତାପମାତ୍ରା ରେକର୍ଡ ଭାଙ୍ଗୁଛି। ଭୁବନେଶ୍ବରରେ ପାଣିପାଗ ପର୍ଯ୍ୟବେକ୍ଷଣ କେନ୍ଦ୍ର ସ୍ଥାପନଠାରୁ ଅର୍ଥାତ୍‌ ୭୮ ବର୍ଷ ମଧ୍ୟରେ ୨୦୨୪ ଏପ୍ରିଲରେ ଦିନର ତାପମାତ୍ରା ୧୬ ଦିନ ଧରି ୪୦ ଡିଗ୍ରିରୁ ଅଧିକ ରହିଥିଲା। ଏବର୍ଷ ଫେବ୍ରୁଆରି ପ୍ରଥମ ସପ୍ତାହ ନ ପୂରୁଣୁ ସହରର ତାତି ଚେତାବନୀ ଦେବା ଆରମ୍ଭ କରିଛି। ଗତ ୨୧ ବର୍ଷରେ ପ୍ରଥମ ଥର ପାଇଁ ଫେବ୍ରୁଆରିର ପ୍ରଥମ ୪ ଦିନ ତାପମାତ୍ରା ୩୫ ଡିଗ୍ରି ପାଖାପାଖି ଛୁଇଁଛି। ଜାନୁଆରି ୨ରେ ରେକର୍ଡ ହୋଇଥିବା ୩୪.୯ ଡିଗ୍ରି, ୨୦୦୫ ପରଠାରୁ ଏପର୍ଯ୍ୟନ୍ତ ଫେବ୍ରୁ୍ଆରି ମାସର ପ୍ରଥମ ୪ ଦିନରେ ସର୍ବୋଚ୍ଚ ଦିନ ତାପମାତ୍ରା।
ଏମିତିରେ ଫେବ୍ରୁଆରି ତୃତୀୟ ସପ୍ତାହରେ ସାଧାରଣତଃ ତାପମାତ୍ରା ବୃଦ୍ଧି ହେବା ଆରମ୍ଭ ହୋଇଥାଏ। ମାତ୍ର ଚଳିତବର୍ଷର ତାପମାତ୍ରା କିଛି ଭିନ୍ନ ତଥ୍ୟ ବୟାନ କରୁଛି। ୨୦୦୫ ମସିହା କଥା ଦେଖିଲେ ସ୍ଥିତି ଅତ୍ୟନ୍ତ ସଙ୍ଗିନ୍‌ ଲାଗୁଛି। ୨୦୦୫ ଫେବ୍ରୁଆରି ୧ରେ ଦିନର ସର୍ବୋଚ୍ଚ ତାପମାତ୍ରା ୨୫.୭ ଡିଗ୍ରି ରହିଥିଲା। ହେଲେ ଏଥର ୩୩.୬ ଡିଗ୍ରି ଅର୍ଥାତ୍‌ ୭.୬ ଡିଗ୍ରି ଅଧିକ ରହିଛି। ୨୦୦୮ ଫେବ୍ରୁଆରି ୧ରେ ଦିନର ସର୍ବୋଚ୍ଚ ତାପମାତ୍ରା ୨୫ ଡିଗ୍ରି ରହିଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.