Saqlain Mushtaq Pitch Controversy: ଭାରତ ବିପକ୍ଷ ମ୍ୟାଚ୍‌କୁ ନେଇ ପାକିସ୍ତାନୀ ଚ୍ୟା‌ନେଲ୍‌ରେ ନୂଆ ନାଟକ, ପିଚ୍‌କୁ ନେଇ ପ୍ରଶ୍ନ ଉଠାଇଲେ ସାକଲିନ୍‌

ଲାହୋର: ଭାରତ ବିପକ୍ଷ ବିଶ୍ବକପ୍‌ ମ୍ୟାଚ୍‌କୁ ନେଇ ପିସିବି ମହାନାଟକ କରିବା ପରେ ସେଠାକାର କିଛି ପୂର୍ବତନ ଖେଳାଳି ଏବେ ଟେଲିଭିଜନ୍‌ ଚ୍ୟାନେଲ୍‌ରେ ବସି ଅଜବ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳିଛି। ବାଂଲାଦେଶକୁ ସମର୍ଥନ କରି ବିଶ୍ବକପ୍‌ର ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବାର ଧମକ ଏବଂ ଆଇସିସି ଚାପରେ ନାଟକୀୟ ଢଙ୍ଗରେ ୟୁଟର୍ଣ୍ଣ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଲୋକହସା ହେବାରୁ ଯେମିତି ଏମାନେ କିଛି ଶିଖୁ ନାହାନ୍ତି। ୧୫ ତାରିଖର ମହାମୁକାବିଲା ପୂର୍ବରୁ ଭାରତ ଉପରେ ମନସ୍ତାତ୍ତ୍ବିକ ଚାପ ସୃଷ୍ଟି କରିବାକୁ ପାକିସ୍ତାନର ଏହି କ୍ରିକେଟ୍‌ ପଣ୍ଡିତମାନେ ନାନା କଥା ବିଳିବିଳାଉଛନ୍ତି। ପୂର୍ବତନ ସ୍ପିନର ସାକଲିନ୍‌ ମୁସ୍ତାକ ତ ସବୁ ସୀମା ଟପି ଯାଇ ଆଇସିସି ଉପରେ ଚାପ ପକାଇ ବିସିସିଆଇ କିଛି ବି କରିପାରେ। ଏପରିକି କଲମ୍ବୋର ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ର ପିଚ୍‌କୁ ମଧ୍ୟ ରାତାରାତି ବଦଳାଇ ଦେଇପାରେ କହି ଭୀଷଣ ଟ୍ରୋଲ୍‌ର ସମ୍ମୁଖୀନ ହୋଇଛନ୍ତି।

Saqlain Mushtaq
Saqlain Mushtaq

ସାକଲିନଙ୍କ ଯୁକ୍ତିକୁ ହସରେ ଉଡ଼ାଇ ଦେଇଛନ୍ତି କ୍ରିକେଟ୍‌ ବିଶେଷଜ୍ଞ ମାନେ

ପାକିସ୍ତାନ ତା’ର ପୂର୍ବ ଦୁଇ ମ୍ୟାଚ୍‌ କଲମ୍ବୋର ସିଂହଳୀ ସ୍ପୋର୍ଟସ ଗ୍ରାଉଣ୍ଡ୍‌ରେ ଖେଳି ବିଜୟୀ ହୋଇଛି। ଭାରତ ବିପକ୍ଷ ମ୍ୟାଚ୍‌ କିନ୍ତୁ ଆର ପ୍ରେମଦାସା ଷ୍ଟାଡିୟମ୍‌ରେ ଖେଳାଯିବାର ଅଛି। ଏଣୁ ପାକିସ୍ତାନର ଏକ ଟେଲିଭିଜନ୍‌ ଚ୍ୟାନେଲର ଲୋକପ୍ରିୟ କାର୍ଯ୍ୟକ୍ରମ ‘ଗେମ୍‌ ଅନ୍‌ ହୈ’ର ଉପସ୍ଥାପକ ଯେତେବେଳେ ପ୍ରେମଦାସା ଷ୍ଟାଡିୟମ୍‌ରେ ମଧ୍ୟ ପାକିସ୍ତାନକୁ ପୂର୍ବ ଦୁଇ ମ୍ୟାଚ୍‌ ଭଳି ପିଚ୍‌ ମିଳିବ କି ବୋଲି ପ୍ରଶ୍ନ କରିଥିଲେ। ସେତେବେଳେ ସାକଲିନ୍‌ ଦେଇଥିବା ଉତ୍ତର ସମସ୍ତଙ୍କୁ ଚକିତ କରି ଦେଇଥିଲା। ସେ କହିଥିଲେ, ଆଜିକାର ବୈଷୟିକ ଜ୍ଞାନ କୌଶଳ ଉପଯୋଗ କରି କିଛି ବି କରିହେବ। ଆଧୁନିକ ଗ୍ରାଉଣ୍ଡ୍‌ମ୍ୟାନ୍‌ମାନେ ଏହାକୁ ମାଧ୍ୟମ କରି ପିଚ୍‌ ବି ବଦଳାଇ ଦେଇପାରିବେ। ଆପଣ କିଛି କରିପାରିବେନି। ଆମେ ଜାଣିଛେ କାହା ପ୍ରଭାବରେ ଆଇସିସି ଚାଲୁଛି। ସାକଲିନଙ୍କ ଏହି ବିତଣ୍ଡା ଯୁକ୍ତିକୁ କିନ୍ତୁ କ୍ରିକେଟ୍‌ ବିଶେଷଜ୍ଞମାନେ ହସରେ ଉଡ଼ାଇ ଦେଇଛନ୍ତି।

ସୌଜନ୍ୟ ସମ୍ବାଦ