Breaking News

ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ: ୨ ଛାତ୍ରଙ୍କ ମୁଣ୍ଡନେଲା କୁଆଖାଇ ଗଣ୍ଡ

ବହୁ ଆନନ୍ଦଉଲ୍ଲାସରେ ବିଦ୍ୟାଦାତ୍ରୀ ସରସ୍ବତୀଙ୍କ ମୂର୍ତ୍ତି ବିସର୍ଜନ କରିବାକୁ ଶିକ୍ଷକ ଓ ସାଙ୍ଗମାନଙ୍କ ସହ ଘରୁ ବାହାରି ପଡ଼ିଥିଲେ। ମାତ୍ର କିଏ ଜାଣିଥିଲା ସରସ୍ବତୀଙ୍କ ମୂର୍ତ୍ତି ବିସର୍ଜନ କରୁକରୁ ସେମାନଙ୍କ ଜୀବନଦୀପ ଲିଭିଯିବ।

ବାଲିଅନ୍ତା: ବହୁ ଆନନ୍ଦଉଲ୍ଲାସରେ ବିଦ୍ୟାଦାତ୍ରୀ ସରସ୍ବତୀଙ୍କ ମୂର୍ତ୍ତି ବିସର୍ଜନ କରିବାକୁ ଶିକ୍ଷକ ଓ ସାଙ୍ଗମାନଙ୍କ ସହ ଘରୁ ବାହାରି ପଡ଼ିଥିଲେ। ମାତ୍ର କିଏ ଜାଣିଥିଲା ସରସ୍ବତୀଙ୍କ ମୂର୍ତ୍ତି ବିସର୍ଜନ କରୁକରୁ ସେମାନଙ୍କ ଜୀବନଦୀପ ଲିଭିଯିବ। ସରସ୍ବତୀଙ୍କ ମୂର୍ତ୍ତି ସହ ସବୁଦିନ ପାଇଁ ସେମାନେ ବି ବୁଡ଼ିଯିବେ କୁଆଖାଇର ମଣିଷଖିଆ ଗଣ୍ଡରେ! ବୁଧବାର ପୂର୍ବାହ୍ଣରେ ବାଲିଅନ୍ତା ରଙ୍ଗବଜାର କୁଆଖାଇ ନଦୀର ବାଲିଘାଟ ନିକଟରେ ଘଟିଥିବା ଏମିତି ଏକ ଘଟଣା ସମସ୍ତଙ୍କ ଛାତି ଥରାଇଦେଇଛି। ଦଶମ ଶ୍ରେଣୀରେ ପଢ଼ୁଥିବା ମୃତ ଛାତ୍ରଦ୍ବୟ ହେଉଛନ୍ତି ଏୟାରପୋର୍ଟ ଥାନା ୟୁନିଟ୍‌ -୬ ଗଙ୍ଗନଗର ଅଞ୍ଚଳର ବୁଲୁ ସେନାପତିଙ୍କ ବଡ଼ପୁଅ ସିକୁନ ଓ କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ୍‌-୬ କାଳୀମନ୍ଦିର ବସ୍ତି ଅଞ୍ଚଳର ସୁଶାନ୍ତ ମହାଳିକଙ୍କ ଏକମାତ୍ର ପୁଅ ଦିବ୍ୟଜ୍ୟୋତି।

ପୁଲିସ ସୂଚନାନୁସାରେ ୟୁନିଟ୍‌-୬ ଅଞ୍ଚଳସ୍ଥିତ ଏକ କୋଚିଂ ସେଣ୍ଟରରେ ପଢ଼ୁଥିଲେ ସିକୁନ୍‌ ଓ ଦିବ୍ୟଜ୍ୟୋତି। ଆଜି ସକାଳୁ ସେମାନେ କୋଚିଂ ସେଣ୍ଟରରେ ଗଣିତ ଓ ଇଂରାଜୀ କ୍ଲାସ ଶେଷ କରିଥିଲେ। ମୁଣ୍ଡ ଉପରେ ମାଟ୍ରିକ୍‌ ପରୀକ୍ଷା ଥିବାରୁ ପଢ଼ା ସରିବା ପରେ ମୂର୍ତ୍ତି ବିସର୍ଜନ କରିବାକୁ ଶିକ୍ଷକ ଓ ଛାତ୍ରମାନେ ଯୋଜନା କରିଥିଲେ। ପଢ଼ାପଢ଼ି ସରିବା ପରେ ଶିକ୍ଷକଙ୍କ ସହ ୭ଜଣ ଛାତ୍ର ଏକ ଅଟୋରେ ମୂର୍ତ୍ତିକୁ ଧରି କୁଆଖାଇ ନଦୀ ଅଭିମୁଖେ ବାହାରିଯାଇଥିଲେ। ଟଙ୍କପାଣି ବ୍ରିଜ୍‌ଠାରୁ ୨୦୦ ମିଟର ଦୂର ସତ୍ୟଭାମାପୁର ପଞ୍ଚାୟତ ଅଧୀନ ରଙ୍ଗବଜାର ନିକଟସ୍ଥ ବାଲିଘାଟ ନିକଟରେ ଅଟୋ ପହଞ୍ଚିଯାଇଥିଲା। ଛାତ୍ରମାନେ ମୂର୍ତ୍ତିକୁ ଧରି ପାଣି ଭିତରକୁ ପଶିଯାଇଥିଲେ। କିନ୍ତୁ ହଠାତ୍ ସିକୁନ୍‌ ଓ ଦିବ୍ୟଜ୍ୟୋତି ବୁଡ଼ିଗଲେ।

ମୁଖ୍ୟମନ୍ତ୍ରୀଙ୍କ ଶୋକ, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା

ପ୍ରଥମେ ଅନ୍ୟ ଛାତ୍ରମାନେ କିଛି ବୁଝି ପାରି ନଥିଲେ। କିନ୍ତୁ ଯେତେବେଳେ ସିକୁନ୍‌ ଓ ଦିବ୍ୟଜ୍ୟୋତି ପାଣି ଭିତରେ ବୁଡ଼ି ଦୂରକୁ ଦୂର ଭାସିଯାଉଛନ୍ତି ବୋଲି ସେମାନେ ଦେଖିଲେ, ବିକଳରେ ସରସ୍ବତୀଙ୍କ ମୂର୍ତ୍ତିକୁ ଛାଡ଼ି ଉପରକୁ ଉଠିଆସିଥିଲେ। ଶିକ୍ଷକ ଓ ଛାତ୍ରମାନଙ୍କ ପାଟି ଶୁଣି ନିକଟରେ ମାଛ ଧରୁଥିବା କିଛି ସ୍ଥାନୀୟ ଲୋକ ଓ ଯୁବକ ଧାଇଁ ଆସିଥିଲେ। ସେମାନେ ପାଣି ଭିତରକୁ ଡେଇଁ ଖୋଜିବାରେ ଲାଗି ପଡ଼ିଥିଲେ। ଏତିକିବେଳେ କିଛି ଲୋକ ଅଟୋ ଚାଳକକୁ ଗାଳି କରିଥିଲେ। ସ୍ଥାନୀୟ ଲୋକ ଚଳପ୍ରଚଳ ହେଉନଥିବା ନଦୀପଠାକୁ ପୁଣି ଯେଉଁଠି ୩୦/୪୦ ଫୁଟ୍‌ ଗଭୀର ଗଣ୍ଡ ରହିଛି, ସେଠାକୁ ଆସିବାକୁ କିଏ କହିଲା ବୋଲି ସେମାନେ ଅଟୋ ଚାଳକକୁ ଗାଳି କରୁଥିଲେ। ଏହା ଭିତରେ ମଉକା ଦେଖି ଅଟୋ ଚାଳକ ସେଠାରୁ ପଳାଇଥିଲା।

ସେହିଭଳି ୟୁନିଟ୍‌-୬ ଅଞ୍ଚଳରୁ ଛାତ୍ରମାନଙ୍କ ଅଭିଭାବକ ଓ ଅନ୍ୟମାନେ ନଦୀପଠାରେ ପହଞ୍ଚି ଯାଇଥିଲେ। ବହୁ ସମୟ ପରେ ୨ ଛାତ୍ରଙ୍କୁ ମୃତ ଅବସ୍ଥାରେ ନଦୀରୁ ଉଦ୍ଧାର କରାଯାଇଥିଲା। ମୃତ ଛାତ୍ରଦ୍ବୟଙ୍କ ବାପାମା’ଙ୍କ ବୁକୁଫଟା କ୍ରନ୍ଦନ ସମସ୍ତଙ୍କ ହୃଦୟ ବିଦାରି ପକାଇଥିଲା। ସମାନ ସ୍ଥିତି ଦେଖିବାକୁ ମିଳିଥିଲା କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ। ବ୍ୟବଚ୍ଛେଦ ପରେ ଶୋକାକୁଳ ପରିବେଶରେ ମୃତଦେହ ଦ୍ବୟକୁ ହସ୍ପିଟାଲ୍‌ରୁ ନିଆଯାଇଥିଲା। ବାଲିଅନ୍ତା ଥାନା ପୁଲିସ କୋଚିଂ ସେଣ୍ଟର୍‌ର ଶିକ୍ଷକଙ୍କୁ ଅଟକ ରଖିବା ସହ ଅଟୋଚାଳକକୁ ଠାବ କରିବାକୁ ଉଦ୍ୟମ କରୁଛି। ମୃତକଙ୍କ ପରିବାର ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକପ୍ରକାଶ କରିବା ସହ ମୃତକଙ୍କ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ମୃତକଙ୍କ ପରିବାର ନିମନ୍ତେ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

 

 

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.