Breaking News

୩୭ ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀ ଖାଇବେ ଔଷଧ: ୧୦ରୁ ଲିମ୍ଫାଟିକ୍‌ ଫାଇଲେରିଆ ଦୂରୀକରଣ କାର୍ଯ୍ୟକ୍ରମ

ଚଳିତମାସ ୧୦ ତାରିଖରୁ ରାଜ୍ୟର ୬ ଟି ଫାଇଲେରିଆପ୍ରବଣ ଜିଲ୍ଲାରେ ଲିମ୍ଫାଟିକ୍‌ ଫାଇଲେରିଆ (ଏଲ୍‌ଏଫ) ଦୂରୀକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ (ଏମଡିଏ) ଅନୁଷ୍ଠିତ ହେବ। ୨ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଓ ଗୁରୁତର ଭାବରେ...

ଭୁବନେଶ୍ବର: ଚଳିତମାସ ୧୦ ତାରିଖରୁ ରାଜ୍ୟର ୬ ଟି ଫାଇଲେରିଆପ୍ରବଣ ଜିଲ୍ଲାରେ ଲିମ୍ଫାଟିକ୍‌ ଫାଇଲେରିଆ (ଏଲ୍‌ଏଫ) ଦୂରୀକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ (ଏମଡିଏ) ଅନୁଷ୍ଠିତ ହେବ। ୨ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଓ ଗୁରୁତର ଭାବରେ ଅସୁସ୍ଥ ଥିବା ଲୋକଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଏହି ଔଷଧ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଔଷଧ ଖାଇବେ। ସମୁଦାୟ ୩୭ଲକ୍ଷ ୭୭ହଜାର ୪୦୬  ଜଣ ହିତାଧିକାରୀଙ୍କୁ ଔଷଧ ଖୁଆଇବା ସୁନିଶ୍ଚିତ କରିବା ପାଇଁ ୧୫ହଜାର ୩୧ ଜଣ ତାଲିମପ୍ରାପ୍ତ ଔଷଧ ପ୍ରଦାନକାରୀ ଘରକୁ ଘର ଗସ୍ତ କରିବେ। ଏହା ୧୯ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଫାଇଲେରିଆ ଏକ ସାମୂହିକ ଜନସ୍ୱାସ୍ଥ୍ୟ ସମସ୍ୟା। ଯାହା ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ। ସାଧାରଣତଃ ପିଲାଦିନେ ଏହା ସଂକ୍ରମିତ ହେଉଥିବା ବେଳେ ପ୍ରାପ୍ତ ବୟସରେ ଏହାର ଲକ୍ଷଣ ପ୍ରକାଶ ପାଇଥାଏ। ଉପଯୁକ୍ତ ଚିକିତ୍ସା କରା ନ ଗଲେ ଶରୀରର ବିଭିନ୍ନ ଅଂଶରେ ଫୁଲା ସୃଷ୍ଟି କରେ। ଫାଇଲେରିଆସିସ୍‌ରେ ଆକ୍ରାନ୍ତ ଲୋକମାନେ ଅନେକ ସମୟରେ ହାଇଡ୍ରୋସିଲ (ଅଣ୍ଡକୋଷ ଫୁଲିବା), ଲିମ୍ଫୋଡେମା (ଅଙ୍ଗ ପ୍ରତ୍ୟଙ୍ଗ ଫୁଲିବା) ଓ କାଇଲୁରିଆ (ଈଷତ୍‌ ଧଳା ରଙ୍ଗର ପରିସ୍ରା) ଭଳି ଅନେକ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏଭଳି ଲକ୍ଷଣ ଏଲ୍‌ଏଫ୍‌ରେ ଆକ୍ରାନ୍ତ ଲୋକଙ୍କର ଜୀବିକା, ସେମାନଙ୍କ ପାଖରେ ଥିବା ସୁଯୋଗ ଓ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିଥାଏ। ଫାଇଲେରିଆ ନିରୋଧୀ ଔଷଧ ଡିଇସି, ଆଲବେଣ୍ଡାଜୋଲ୍‌, ଆଇଭର୍‌ମେକଟିନ୍‌ ସେବନ ଦ୍ୱାରା ଏହାକୁ ରୋକାଯାଇପାରିବ। ରାଜ୍ୟର ବଲାଙ୍ଗୀରକଟକକଳାହାଣ୍ଡିକନ୍ଧମାଳ, ନୟାଗଡ଼ ଓ ରାୟଗଡ଼ା ଜିଲ୍ଲାର ଯୋଗ୍ୟ ହିତାଧିକାରୀଙ୍କୁ ଔଷଧ ଦିଆଯିବ। ବହୁସଂଖ୍ୟାରେ ହିତାଧିକାରୀ ଫାଇଲେରିଆ ନିରୋଧୀ ଔଷଧ ସେବନ କଲେ ଫାଇଲେରିଆ ସଂକ୍ରମଣ ଶୃଙ୍ଖଳାକୁ ଛିନ୍ନ କରାଯାଇପାରିବ।

ଜିଲ୍ଲା ତଥା ବ୍ଲକ୍‌ସ୍ତରରେ ଔଷଧର ପାର୍ଶ୍ୱ ପ୍ରତିକ୍ରିୟାର ମୁକାବିଲା ନିମନ୍ତେ ଆରଆର୍‌ଟି ଦଳ ଗଠନ କରାଯାଇଛି। ଆଲବେଣ୍ଡାଜୋଲ୍‌କୁ ଚୋବେଇ ଓ ଡିଇସି, ଆଇଭର୍‌ମେକଟିନ୍‌ ସମ୍ପୂର୍ଣ୍ଣ ଭାବରେ ଗିଳିବାକୁ ହେବ। ଏହି ଔଷଧଗୁଡ଼ିକ ଖାଦ୍ୟ ଖାଇବା ପରେ ଖାଇବାକୁ ହେବ। ଏହା କୌଣସି ନୂଆ ଔଷଧ ନୁହେଁ ଓ ବହୁଦିନରୁ ବ୍ୟବହୃତ ଔଷଧ। ଏହି ଔଷଧର ଗୁରୁତର ପ୍ରତିକ୍ରିୟା ନାହିଁ। ଏମ୍‌ଡିଏ କାର୍ଯ୍ୟକ୍ରମ ତଦାରଖ କରିବା ନିମନ୍ତେ ୧୫୦୩ ଜଣ ସୁପରଭାଇଜରମାନଙ୍କୁ ନିୟୋଜିତ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ଗ୍ଲୋବାଲ୍‌ ହେଲ୍‌ଥ ଷ୍ଟ୍ରାଟେଜିସ୍‌ ସଂସ୍ଥାର ମିଳିତ ଅନୁକୂଲ୍ୟରେ ଫାଇଲେରିଆ ନିରାକରଣ ସମ୍ପର୍କରେ ଏକ ରାଜ୍ୟସ୍ତରୀୟ ଗଣମାଧ୍ୟମ ସଚେତନତା କର୍ମଶାଳା ମିଳିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ସମ୍ମିଳନୀରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.