Breaking News

ବଡ଼ଜୋର ନାଳ ପାର୍ଶ୍ୱ ଦଖଲ କରିନେଲେ: ସଙ୍କୁଚିତ ହେଉଛି ନାଳ, ଆବର୍ଜନାରେ ଜଳ ପ୍ରଦୂଷିତ, କ୍ଷୁଦ୍ର ଜଳସେଚନ ବିଭାଗ ଦୃଷ୍ଟି ଦେବାକୁ ଦାବି

ଜଟଣୀ ବ୍ଲକର ୫ଟି ପଞ୍ଚାୟତ ସମେତ ପୌରପାଳିକାର ଗୋଟିଏ ୱାର୍ଡର ଲୋକ ବଡ଼ଜୋର ନାଳ ଉପରେ ନିର୍ଭର କରନ୍ତି। ଜୋର କୂଳିଆ ଗ୍ରାମବାସୀ ଏଥିରେ ସ୍ନାନ କରିବା ସହ ଶୌଚ ହେବାଠାରୁ ଆରମ୍ଭ କରି ଶହ ଶହ ଚାଷୀ ଖରାଟିଆ ଓ ପନିପରିବା ଚାଷ କରି ଦି ପଇସା ରୋଜଗାର କରନ୍ତି।

ଜଟଣୀ: ଜଟଣୀ ବ୍ଲକର ୫ଟି ପଞ୍ଚାୟତ ସମେତ ପୌରପାଳିକାର ଗୋଟିଏ ୱାର୍ଡର ଲୋକ ବଡ଼ଜୋର ନାଳ ଉପରେ ନିର୍ଭର କରନ୍ତି। ଜୋର କୂଳିଆ ଗ୍ରାମବାସୀ ଏଥିରେ ସ୍ନାନ କରିବା ସହ ଶୌଚ ହେବାଠାରୁ ଆରମ୍ଭ କରି ଶହ ଶହ ଚାଷୀ ଖରାଟିଆ ଓ ପନିପରିବା ଚାଷ କରି ଦି ପଇସା ରୋଜଗାର କରନ୍ତି। ବର୍ଷା ଅଭାବ ସମୟରେ ମଧ୍ୟ ଏହି ବଡ଼ଜୋର ନାଳରୁ ଗ୍ରାମବାସୀଙ୍କୁ ବହୁତ ମିଳିଥାଏ। ହେଲେ ପ୍ରଶାସନର ଅବହେଳା ତଥା ଅସାମାଜିକ ବ୍ୟକ୍ତିମାନେ ବର୍ତ୍ତମାନ ଏହି ଜୋରକୁ ଜବରଦଖଲ କରିଛନ୍ତି। ଯାହାଫଳରେ ଦିନକୁ ଦିନ ଏହି ନାଳ ସଙ୍କୁଚିତ ହେଉଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ସ୍ଥାନୀୟ ଅଞ୍ଚଳବାସୀ ଜୋରରେ ଅଳିଆ ଆବର୍ଜନା ପକାଉଥିବାରୁ ଜଳ ପ୍ରଦୂଷିତ ହୋଇଗଲାଣି। କ୍ଷୁଦ୍ର ଜଳସେଚନ ବିଭାଗ ସବୁ ଜାଣି ମଧ୍ୟ ଚୁପ୍‌ ରହୁଥିବାରୁ ଆଗକୁ ଗ୍ରାମବାସୀଙ୍କ ବ୍ୟବହାର ପାଇଁ ଏହି ଜଳ ଅନୁପଯୋଗୀ ହେବ ବୋଲି ଆଶଙ୍କା କରାଯାଉଛି।

ଜଟଣୀ-ତଳଖେତା ମୁଖ୍ୟ ରାସ୍ତାର ଷଣ୍ଢପୁର ଲୁହାଶଙ୍ଖଠାରେ ବଡ଼ଜୋର ନାଳ ଧୀରେ ଧୀରେ ସଙ୍କୁଚିତ ହେବାକୁ ବସିଲାଣି। ଜୋରକୁ ଜବରଦଖଲ କରି ନାଳ କଡ଼ରେ ପାଚେରି ଉଠାଇ ଦେଇଛନ୍ତି। ଫଳରେ ଜଳସ୍ତର କମି କମି ଯାଉଛି ବୋଲି କିଛି ଚାଷୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସ୍ଥାନୀୟ ଲୋକ ଷଣ୍ଢପୁରସ୍ଥିତ ପୋଲ ଉପରୁ ଜୋରକୁ ବର୍ଜ୍ୟବସ୍ତୁ ସବୁ ଢାଳୁଛନ୍ତି। ପଲିଥିନ୍, ଠୁଙ୍ଗା, ଅଖା ବସ୍ତା ଆଦିରେ କୁଢ଼ କୁଢ଼ ଅଳିଆ ଆବର୍ଜନା ନାଳରେ ଜୋରରେ ଭାସୁଥିବା ଦେଖିବାକୁ ମିଳିଛି। ଫଳରେ ପାଣି ଆବର୍ଜନାମୟ ହେବା ସହ ବିଷାକ୍ତ ହୋଇଗଲାଣି। ଅନ୍ୟପଟେ ଏହି ଜୋରରୁ ମାଛ ଧରାଳିମାନେ ମାଛ ଧରି ପରିବାର ଚଳାଉଥିଲେ। ହେଲେ ଅଳିଆ ଆବର୍ଜନା ପାଇଁ ଜାଲରେ ଆଉ ମାଛ ପଡୁନି। ପୁଣି ପ୍ରଦୂଷିତ ପାଣି କାରଣରୁ ଅନେକ ସମୟରେ ମାଛ ମରି ଭାସୁଥିବା ଅଭିଯୋଗ ହୋଇଛି। ତେଣୁ ପ୍ରଶାସନ ଓ ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି। ଚାଷୀ ମାନସ ରଞ୍ଜନ ବେହେରା କହନ୍ତି, ଏହି ବଡ଼ଜୋର ଜଳରେ ବିଭିନ୍ନ ପ୍ରକାର ଚାଷ ହେଉଥିଲା। ଖରାଦିନେ ଖରାଟିଆ ଚାଷ ସହ ପନିପରିବା ଆଦି ଚାଷ ହେଉଥିଲା। ହେଲେ ଏବେ ପାଣି ଅଭାବରୁ ଚାଷ କମି କମି ଗଲାଣି। ଜବରଦଖଲ ଯୋଗୁଁ ଠିକ୍ ପରିମାଣରେ ପାଣି ଆସି ପାରୁ ନଥିବାରୁ ଚାଷ ଭଲଭାବେ ହୋଇପାରୁ ନାହିଁ ବୋଲି ସେ କହିଛନ୍ତି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.