Breaking News

ଭାରତର ଏକତରଫା ବିଜୟ: ଜୟସ୍ବାଲ, ରାଣାଙ୍କ ପଦାର୍ପଣ

ଟ୍ବେଣ୍ଟି-୨୦ ଶୃଙ୍ଖଳା ଭଳି ଦିନିକିଆରେ ମଧ୍ୟ ଭାରତୀୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ନାଗପୁରରେ ଗୁରୁବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ରୋହିତ ଶର୍ମାଙ୍କ ଦଳ ୪ ୱିକେଟ୍‌ରେ ଏକତରଫା ଭାବେ ବିଜୟୀ ହୋଇଛି।

ନାଗପୁର: ଟ୍ବେଣ୍ଟି-୨୦ ଶୃଙ୍ଖଳା ଭଳି ଦିନିକିଆରେ ମଧ୍ୟ ଭାରତୀୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ନାଗପୁରରେ ଗୁରୁବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ରୋହିତ ଶର୍ମାଙ୍କ ଦଳ ୪ ୱିକେଟ୍‌ରେ ଏକତରଫା ଭାବେ ବିଜୟୀ ହୋଇଛି। ଭାରତୀୟ ବୋଲର୍‌ମାନେ ଇଂଲଣ୍ଡକୁ ୨୪୮ ରନ୍‌ରେ ରୋକିବା ପରେ ୧୧.୨ ଓଭର ପୂର୍ବରୁ ୬ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଛି ଟିମ୍ ଇଣ୍ଡିଆ। ଶୁବମନ ଗିଲ୍‌, ଶ୍ରେୟସ ଆୟର, ଅକ୍ଷର ପଟେଲଙ୍କ ଅର୍ଦ୍ଧଶତକ ବଳରେ ହିଁ ଭାରତ ବିଜୟୀ ହୋଇଛି। ଶତକ ସୁଯୋଗ ହାତଛଡ଼ା କରିଥିବା ଗିଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।
ଗୁରୁବାର ଟସ୍ ଜିତି ଇଂଲଣ୍ଡ ବ୍ୟାଟିଂ ନିଷ୍ପତ୍ତି‌ ନେଇଥିଲା। ୮.୫ ଓଭରରେ ଭ୍ରମଣକାରୀ ଦଳର ପ୍ରାରମ୍ଭିକ ବ୍ୟାଟର୍‌ ବି ୭୫ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ  ପକାଇଥିଲେ। ନବମ ଓଭରରେ ଫିଲ୍ ସଲ୍ଟ (୨୬ ବଲ୍‌ରୁ ୪୩ ରନ୍)ଙ୍କ ରନ୍ ଆଉଟ୍‌ ଭାରତକୁ ପ୍ରଥମ ସଫଳତା ରୂପରେ ମିଳିଥିଲା। ପଦାର୍ପଣ କରିଥିବା ହର୍ଷିତ ରାଣା ପ୍ରଥମ ଓଭରରେ ୧୧ ରନ୍‌ ନେଇଥିଲେ ମଧ୍ୟ ଦ୍ବିତୀୟ ଓଭରଟି ମେଡେନ୍ ପକାଇଥିଲେ। ତୃତୀୟ ଓଭରରେ କିନ୍ତୁ ହର୍ଷିତଙ୍କ ହୋସ୍ ଉଡ଼ାଇ ଦେଇଥିଲେ ଫିଲ୍ ସଲ୍ଟ। ୩ ଛକା ଓ ୨ ଚୌକା ମାରି ତାଙ୍କଠାରୁ ୨୬ ରନ୍ ଆଦାୟ କରିଥିଲେ। ତେବେ ନିଜ ପଞ୍ଚମ ଓଭର ବେନ୍ ଡକେଟ୍ (୩୨) ଓ ହ୍ୟାରି ବ୍ରୁକ୍ (୦)ଙ୍କୁ ଆଉଟ୍ କରି ଆଶ୍ବସ୍ତ ହୋଇଥିଲେ। ଲିଆମ୍ ଲିଭିଂଷ୍ଟୋନ୍‌ଙ୍କୁ ନିଜ ତୃତୀୟ ଶିକାର କରି ସେ ୭-୧-୫୩-୩ ଚିତ୍ର ପାଇଥିଲେ। ମଧ୍ୟକ୍ରମରେ ଜୋସ୍ ବଟଲର୍ (୫୭ ବଲ୍‌ରୁ ୫୨ ରନ୍) ଓ ଜ୍ୟାକବ୍ ବେଥେଲ୍ (୬୪ ବଲ୍‌ରୁ ୫୧ ରନ୍‌) ଅର୍ଦ୍ଧଶତକ ହାସଲ କରିବା ସହ ଇଂଲଣ୍ଡକୁ ଲଢ଼ୁଆ ସ୍କୋର୍ ଆଶା ଦେଇଥିଲେ। କିନ୍ତୁ ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ ଭାରତକୁ ପ୍ରତ୍ୟାବର୍ତ୍ତନ କରାଇବା ସହ ୪୭.୪ ଓଭରରେ ଇଂଲଣ୍ଡ ପାଳିକୁ ଶେଷ କରି ଦେଇଥିଲେ।

ଜବାବରେ ଭାରତ ବି ସଅଳ ଦୁଇ ପ୍ରାରମ୍ଭିକ ବ୍ୟାଟର୍‌ ଅନ୍ୟତମ ପଦାର୍ପଣକାରୀ ଯଶସ୍ବୀ ଜୟସ୍ବାଲ ଓ ରୋହିତ ଶର୍ମାଙ୍କୁ ହରାଇଥିଲା। ରୋହିତ ତ୍ରୁଟିପୂର୍ଣ୍ଣ ସଟ୍‌ ଖେଳି ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ପ୍ରଥମ ପଦାର୍ପଣରେ ଯୁବ ବ୍ୟାଟର୍ ଜୟସ୍ବାଲ ୨୨ ବଲ୍‌ରୁ ୧୫ ରନ୍ କରି ଫେରିଯାଇଥିଲେ। ପରବର୍ତ୍ତୀ ୩ ବ୍ୟାଟର୍ ଶୁବମନ ଗିଲ୍ (୯୬ ବଲ୍‌ରୁ ୮୭ ରନ୍), ଶ୍ରେୟସ ଆୟର (୩୬ ବଲ୍‌ରୁ ୫୯ ରନ୍), ଅକ୍ଷର ପଟେଲ (୪୭ ବଲ୍‌ରୁ ୫୨ ରନ୍)ଙ୍କ ପାଳି କିନ୍ତୁ ଭାରତକୁ ସହଜ ବିଜୟ ଦିଗରେ ଅଗ୍ରସର କରାଇଥିଲା। ବାସ୍ତବରେ ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଶ୍ରେୟସ ଆୟର ମାତ୍ର ୩୦ ବଲ୍‌ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରି ଭାରତକୁ ବିଜୟ ମୁହାଁ କରିଥିଲେ। କେଏଲ୍ ରାହୁଲ (୨) ବିଫଳ ହୋଇଥିଲେ ମଧ୍ୟ ହାର୍ଦିକ ପାଣ୍ଡ୍ୟା (୬ ବଲ୍‌ରୁ ୯* ରନ୍) ଓ ରବୀନ୍ଦ୍ର ଜାଡ଼େଜା (୧୦ ବଲ୍‌ରୁ ୧୨* ରନ୍) ଭାରତର ବିଜୟ ମୁଣ୍ଡି ମାରିଥିଲେ।
ସଂକ୍ଷିପ୍ତ ସ୍କୋର୍‌: ଇଂଲଣ୍ଡ ୪୭.୪ ଓଭରରେ ୨୪୮/୧୦ (ଜୋସ୍ ବଟଲର୍‌-୫୨, ଜ୍ୟାକବ୍ ବେଥେଲ-୫୧, ଫିଲ୍ ସଲ୍ଟ-୪୩,‌ ଜୋଫ୍ରା ଆର୍ଚର-୨୧*, ରବୀନ୍ଦ୍ର ଜାଡ଼େଜା-୩/୨୬, ହର୍ଷିତ ରାଣା-୩/୫୩, ମହମ୍ମଦ ସାମି-୧/୩୮, ଅକ୍ଷର ପଟେଲ୍‌-୧/୩୮, କୁଲଦୀପ ୟାଦବ-୧/୫୩)। ଭାରତ ୩୮.୪ ଓଭରରେ ୨୫୧/୬ (ଶୁବମନ ଗିଲ୍‌-୮୭, ଶ୍ରେୟସ ଆୟର-୫୯, ଅକ୍ଷର ପଟେଲ୍‌-୫୨,  ସକିବ୍ ମେହମ୍ମୁଦ-୨/୪୭, ଆଦିଲ ରସିଦ୍‌-୨/୪୯, ଜ୍ୟାକବ୍ ବେଥେଲ-୧/୧୮, ‌ଜୋଫ୍ରା ଆର୍ଚର-୧/୩୯)।

ବିରଳ କ୍ଲବ୍‌ରେ ଜାଡ଼େଜା: ୬୦୦ ୱିକେଟ୍ ପୂର୍ଣ୍ଣ
ଭେଟେରାନ୍ ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଗୁରୁବାର ବିରଳ ଭାରତୀୟ କ୍ଲବ୍‌ରେ ସାମିଲ ହୋଇଛନ୍ତି। ପଞ୍ଚମ ଭାରତୀୟ ଭାବେ ଜାଡ଼େଜା ୬୦୦ ଅନ୍ତର୍ଜାତୀୟ ୱିକେଟ୍ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ଇଂଲଣ୍ଡ ବିପକ୍ଷ ନାଗପୁର ଦିନିକିଆରେ ୩ ୱିକେଟ୍ ସଫଳତା ପାଇଥିବା ଜାଡ଼େଜା ଏହି ଗୌରବ ପାଇଛନ୍ତି। ଆଦିଲ ରସିଦ୍‌ଙ୍କୁ ନିଜ ତୃତୀୟ ୱିକେଟ୍ ଭାବେ ଆଉଟ୍ କରିବା ବେଳେ ସେ ଏହି ମାଇଲ୍‌ଖୁଣ୍ଟ ଛୁଇଁଥିଲେ। ଜାଡ଼େଜା ଦିନିକିଆରେ ୧୯୮ ମ୍ୟାଚ୍‌ରୁ ୨୨୩ ୱିକେଟ୍ ଅକ୍ତିଆର କରିଥିବା ବେଳେ ୮୦ ଟେଷ୍ଟ୍‌ରୁ ୩୨୩ ୱିକେଟ୍ ଏବଂ ୭୪ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରୁ ୫୪ ୱିକେଟ୍ ନେଇଛନ୍ତି। ଗତବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜୟ ପରେ ରୋହିତ ଶର୍ମା, ବିରାଟ କୋହଲିଙ୍କ ଭଳି ରବୀନ୍ଦ୍ର ଜାଡ଼େଜା ମଧ୍ୟ ଏହି ଫର୍ମାଟ୍‌ରୁ ଅବସର ଘୋଷଣା କରି ଦେଇଥିଲେ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୬୦୦ ୱିକେଟ୍ ପୂର୍ଣ୍ଣ କରିବାରେ ପଞ୍ଚମ ଭାରତୀୟ ହୋଇଛନ୍ତି। ତାଙ୍କ ପୂର୍ବରୁ ଏହି କ୍ଲବ୍‌ରେ ଅନିଲ କୁମ୍ବଲେ (୯୫୩), ରବିଚନ୍ଦ୍ରନ ଅଶ୍ବିନ (୭୬୫), ହରଭଜନ ସିଂହ (୭୦୭) ଓ କପିଳ ଦେବ (୬୮୭) ସାମିଲ ଥିଲେ। ଦିନିକିଆରେ ୨୦୦ରୁ ଊର୍ଧ୍ବ ୱିକେଟ୍‌ ଦଖଲରେ ସେ ସପ୍ତମ ଭାରତୀୟ ଅଛନ୍ତି। ଅନିଲ କୁମ୍ବଲେ, କପିଳ ଦେବ, ଜଭାଗଲ ଶ୍ରୀନାଥ, ଜାହିର୍ ଖାନ୍, ଅଜିତ ଅଗରକର ଓ ହଭରଜନ ସିଂହ ଏହି କ୍ଲବ୍‌ରେ ଅଛନ୍ତି।

ଜୟସ୍ବାଲ, ରାଣାଙ୍କ ପଦାର୍ପଣ
ମହାନ ବ୍ୟାଟର୍‌ ବିରାଟ କୋହଲି ଆହତ ହେବା ଯୁବ ତାରକା ଯଶସ୍ବୀ ଜୟସ୍ବାଲଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା। ୧୯ ଟେଷ୍ଟ୍ ଓ ୨୩ ଟ୍ବେଣ୍ଟି-୨୦ ଖେଳି ସାରିଥିବା ୨୩ବର୍ଷୀୟ ଜୟସ୍ବାଲ ପ୍ରଥମ ଥର ପାଇଁ ଗୁରୁବାର ଭାରତୀୟ ଦିନିକିଆ ଦଳରେ ସ୍ଥାନ ପାଇଥିଲେ। ପଦାର୍ପଣରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ପାଳି ଆରମ୍ଭ କରିଥିଲେ। ୨୨ ବଲ୍ ଖେଳି ୩ ଚୌକା ସହାୟତାରେ ୧୫ ରନ୍ କରିଥିଲେ। ଅଷ୍ଟ୍ରେଲିଆରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିରେ ପ୍ରଭାବୀ ପ୍ରଦର୍ଶନ କରିବାର ଫଳ ଜୟସ୍ବାଲଙ୍କୁ ମିଳିଥିଲା। ସେହିଭଳି ଆଉ ଜଣେ ଯୁବ ତାରକା ହର୍ଷିତ ରାଣା ମଧ୍ୟ ଗୁରୁବାର ନିଜ ଦିନିକିଆ ଜୀବନ ଆରମ୍ଭ କରିଥିଲେ। ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଭାରତୀୟ ଦଳରେ ରହିବେ ବୋଲି ସମସ୍ତେ ଆକଳନ କରିଥିଲେ ବି ଦଳୀୟ ପରିଚାଳକ ରାଣାଙ୍କ ମୁଣ୍ଡରେ ସୁନା କଳସ ଢାଳିଥିଲେ। ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଗୋଟିଏ ମ୍ୟାଚ୍ ଖେଳି ୩ ୱିକେଟ୍ ଅକ୍ତିଆର କରିଥିବା ରାଣା ବି ନିରାଶ କରି ନଥିଲେ। ୭ଓଭର  ବୋଲିଂ କରି ଗୋଟିଏ ମେଡେନ୍ ସହ ୫୩ ରନ୍ ବିନିମୟରେ ମଧ୍ୟ ୩ ୱିକେଟ୍ କରାୟତ୍ତ କରିଥିଲେ। ସାମିଙ୍କ ସହ ନୂଆ ବଲ୍‌ରେ ବୋଲିଂ କରି ଇଂଲଣ୍ଡ ଶୀର୍ଷକ୍ରମ ଉପରେ ଚାପ ସୃଷ୍ଟି କରିବାକୁ ବି ସକ୍ଷମ ହୋଇଥିଲେ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.