Breaking News

ଏଇ ବଜେଟରେ ଗ୍ରାମ୍ୟ ବିକାଶ ଯୋଜନା

ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ କେନ୍ଦ୍ର ସରକାରଙ୍କ ବଜେଟ ଇତି ମଧ୍ୟରେ ଉପସ୍ଥାପିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ବିକଶିତ ଭାରତର ଯେଉଁ ପରିକଳ୍ପନା କରିଛନ୍ତି, ତାକୁ ନଜରରେ ରଖି ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ପରିପୂର୍ଣ୍ଣ ବଜେଟ ବ୍ୟବସ୍ଥା ପାଇଁ ଚେଷ୍ଟା କରିଛନ୍ତି।

ଅଖିଳ କୁମାର ମିଶ୍ର

ଭାରତର ଭବିଷ୍ୟତ ତା’ର ଗ୍ରାମାଞ୍ଚଳରେ ଅଛି- ମହାତ୍ମା ଗାନ୍ଧୀ
ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ କେନ୍ଦ୍ର ସରକାରଙ୍କ ବଜେଟ ଇତି ମଧ୍ୟରେ ଉପସ୍ଥାପିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ବିକଶିତ ଭାରତର ଯେଉଁ ପରିକଳ୍ପନା କରିଛନ୍ତି, ତାକୁ ନଜରରେ ରଖି ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ପରିପୂର୍ଣ୍ଣ ବଜେଟ ବ୍ୟବସ୍ଥା ପାଇଁ ଚେଷ୍ଟା କରିଛନ୍ତି। ଆବହମାନ କାଳରୁ ଭାରତ ଏକ ଗ୍ରାମବହୁଳ ଦେଶ। ତେବେ ସମୟ ଓ ସୂଚନା ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି ସହିତ ସହରାଞ୍ଚଳର ବୃଦ୍ଧି ଯଦିଓ ଘଟୁଛି, ତଥାପି ଜନସଂଖ୍ୟାର ଏକ ବିଶାଳ ଭାଗ ଆଜି ବି ଗ୍ରାମାଞ୍ଚଳରେ ବସବାସ କରୁଛନ୍ତି। ଏ ବର୍ଷ ବଜେଟରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟକୁ ୧.୮୮ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି, ଯାହାକି ଗତ ବଜେଟ ଠାରୁ ୫.୭୫% ଅଧିକ। ଏତଦ୍‌ବ୍ୟତୀତ ପୂର୍ବଭଳି ‘ମନରେଗା’ ଯୋଜନାକୁ ୮୬,୦୦୦ କୋଟି ଟଙ୍କା ଦିଆଯାଇଛି। ଅର୍ଥାତ୍‌ ଗ୍ରାମାଞ୍ଚଳ ବିକାଶ ପାଇଁ ମୋଟରେ ୨.୬୬ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।
ଅର୍ଥମନ୍ତ୍ରୀଙ୍କ ଦ୍ବାରା ଉପସ୍ଥାପିତ ବଜେଟରେ ନିମ୍ନଲିଖିତ ବିଭିନ୍ନ ଯୋଜନା ଉପରେ ଗୁରୁତ୍ବ ଦିଆଯାଇଛି ଯାହାକି ଗ୍ରାମାଞ୍ଚଳ ବିକାଶ ଲାଗି ବିଶେଷ ସହାୟକ ହେବ।
ପ୍ରଧାନମନ୍ତ୍ରୀଙ୍କ ଧନଧାନ୍ୟ କୃଷି ଯୋଜନା ସେହିଭଳି ୧୦୦ଟି ଜିଲ୍ଲାରେ ଲାଗୁ ହେବ, ଯେଉଁ ଜିଲ୍ଲାମାନଙ୍କରେ ଉତ୍ପାଦନ ବୃଦ୍ଧି ଓ ଶସ୍ୟ ଋଣ କ୍ଷେତ୍ରରେ ସମସ୍ୟା ରହିଛି। ରାଜ୍ୟମାନଙ୍କ ସହାୟତାରେ ଓ ପ୍ରଚଳିତ ଯୋଜନାଗୁଡ଼ିକ ସହ ମିଶ୍ରଣ ମାଧ୍ୟମରେ ପଞ୍ଚାୟତ ଓ ବ୍ଲକ୍‌ ସ୍ତରରେ ଏହା ପ୍ରଚଳିତ ହେବ। ଏହା ଛଡ଼ା ବିବିଧ ଶସ୍ୟ ଉତ୍ପାଦନ ଓ ଜଳସେଚନ ବିକାଶ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ।
ଗ୍ରାମାଞ୍ଚଳରେ ଯେକୌଣସି ପରିସ୍ଥିତିରେ ଦକ୍ଷତା ବଜାୟ ରଖିବା ପାଇଁ କେନ୍ଦ୍ର ଓ ରାଜ୍ୟମାନଙ୍କ ମିଳିତ ସହାୟତାରେ ଗ୍ରାମୀଣ ବିକାଶ ଓ ପୁନଃ ଦକ୍ଷତା ଯୋଜନା କାର୍ଯ୍ୟକାରୀ କରାଯିବ। ଏହା ଦ୍ବାରା ଗାଁମାନଙ୍କର ରୋଜଗାର ଶକ୍ତି, ନିବେଶ, ଦକ୍ଷତାର ବିକାଶ ହେବା ସହିତ ସାମଗ୍ରିକ ଅଭିବୃଦ୍ଧି ସମ୍ଭବ ହେବ। ଏହି ଯୋଜନାର ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳରେ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବା, ଯାହା ଫଳରେ ଗ୍ରାମାଞ୍ଚଳରେ ଲୋକେ ବାହାରକୁ ଯିବାକୁ ବାଧ୍ୟ ହେବେ ନାହିଁ। ଗାଁର ମହିଳା, ଯୁବଚାଷୀ, ଯୁବଗୋଷ୍ଠୀ, କ୍ଷୁଦ୍ର ଓ ମଧ୍ୟମ ଚାଷୀ ଏବଂ ଭୂମିହୀନ ପରିବାର ପାଇଁ ଏଥିରେ ବିଶେଷ ସୁଯୋଗ ରହିବ।
ଡାଲି ଜାତୀୟ ଶସ୍ୟରେ ଆତ୍ମନିର୍ଭରତା ଉପରେ ଏହି ବଜେଟ୍‌ରେ ଗୁରୁତ୍ବ ଦିଆଯାଇଛି। ଏଥି ଲାଗି ଏକ ୬ ବର୍ଷୀୟ ଯୋଜନା କଥା କୁହାଯାଇଛି ଯହିଁରେ ବିଶେଷ କରି ହରଡ଼, ବିରି ଓ ମସୁର ଡାଲି ଜାତୀୟ ଶସ୍ୟରେ ଆତ୍ମନିର୍ଭରତା ହାସଲ ପାଇଁ ସ୍ବତନ୍ତ୍ର ଦୃଷ୍ଟି ରଖାଯିବ। ଏଥିରେ ପରିବେଶ ସହିତ ଖାପ ଖୁଆଇ ପାରୁଥିବା ବିହନର ବିକାଶ ଓ ବଜାରରେ ଏହାର ଉପଲବ୍‌ଧତା, ଉତ୍ପାଦନ ବୃଦ୍ଧି, ଅମଳ ପରବର୍ତ୍ତୀ ସଂରକ୍ଷଣ ବ୍ୟବସ୍ଥା ଓ ସର୍ବୋପରି ଚାଷୀମାନଙ୍କୁ ଏକ ଉଚିତ ମୂଲ୍ୟର ପ୍ରତିଶ୍ରୁତି ଗୁରୁତ୍ବ ପାଇବ। ଏହାର ଲକ୍ଷ୍ୟ ଗ୍ରାମାଞ୍ଚଳବାସୀଙ୍କ ଲାଗି ଅଧିକ ପୁଷ୍ଟିସାରର ବ୍ୟବସ୍ଥା କରିବା।
ବଜେଟ୍‌ରେ ଗ୍ରାମାଞ୍ଚଳର ଭିତ୍ତିଭୂମି ଢାଞ୍ଚାକୁ ମଜବୁତ କରିବା ସହ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅଗ୍ରଗତି ହାସଲ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ୧୯,୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ସେହିପରି “ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା” ବା ଗ୍ରାମୀଣ ଜୀବିକା ମିଶନ ପାଇଁ ୧୯,୦୦୫ କୋଟି ଟଙ୍କା ଦିଆଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ୫୪,୮୩୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ବଜେଟ୍‌ର ଗୁରୁତ୍ବପୂର୍ଣ୍ଣ ଘୋଷଣା ଅନୁସାରେ ୧.୫ ଲକ୍ଷ ଗ୍ରାମୀଣ ଡାକଘରକୁ ‘ଲଜିଷ୍ଟିକ ହବ୍‌’ରେ ପରିଣତ କରାଯିବ ଏବଂ ଗ୍ରାମୀଣ ବିଦ୍ୟାଳୟ ଓ ସ୍ବାସ୍ଥ୍ୟ କେନ୍ଦ୍ରକୁ ‘ବ୍ରଡ୍‌ବ୍ୟାଣ୍ଡ’ ଦ୍ବାରା ସଂଯୁକ୍ତ କରାଯିବ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଏକ ‘ଦାରିଦ୍ର୍ୟମୁକ୍ତ ଭାରତ’ ଗଠନ ପାଇଁ ‘ଦାରିଦ୍ର୍ୟମୁକ୍ତ ଗ୍ରାମ’ ଉପରେ ସରକାର ଜୋର ଦେଇଛନ୍ତି। ନୂତନ ଗ୍ରାମୀଣ ବଜେଟ୍‌ରେ ଗ୍ରାମରେ ରହୁଥିବା ଜନସାଧାରଣଙ୍କ ପାଇଁ ସ୍ବତନ୍ତ୍ର ସୁଯୋଗ ଓ ଭାଗୀଦାରି ସୃଷ୍ଟି ହେବ।
(ମତାମତ ଲେଖକଙ୍କ ନିଜସ୍ବ)
ଅତିରିକ୍ତ ମହାନିର୍ଦ୍ଦେଶକ,
ପିଆଇବି, ଭୁବନେଶ୍ବର

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.