Breaking News

ସୁଲଭ ବାସଗୃହ ପ୍ରକଳ୍ପରେ ଏମିତି ଜୀବନ: କୁଣିଆ ଆସିଲେ ବାହାରେ ଶୁଅ

ଆପାର୍ଟମେଣ୍ଟ ଭଳି ସୁବିଧା ସୁଯୋଗ ପାଇବେ ବସ୍ତିବାସିନ୍ଦା। ୨୪ ଘଣ୍ଟିଆ ପିଇବା ପାଣି ଓ ବିଦ୍ୟୁତ୍‌ ସେବା ଉପଲବ୍ଧ ହେବ। ପ୍ରବେଶ ପଥରେ ସୁରକ୍ଷା କର୍ମୀ ନିୟୋଜିତ ରହିବେ। ଅସାମାଜିକ କାର୍ଯ୍ୟକଳାପ ଉପରେ ସମ୍ପୂର୍ଣ୍ଣ ଅଙ୍କୁଶ ଲାଗିବ।

ଚନ୍ଦ୍ରଶେଖରପୁର: ଆପାର୍ଟମେଣ୍ଟ ଭଳି ସୁବିଧା ସୁଯୋଗ ପାଇବେ ବସ୍ତିବାସିନ୍ଦା। ୨୪ ଘଣ୍ଟିଆ ପିଇବା ପାଣି ଓ ବିଦ୍ୟୁତ୍‌ ସେବା ଉପଲବ୍ଧ ହେବ। ପ୍ରବେଶ ପଥରେ ସୁରକ୍ଷା କର୍ମୀ ନିୟୋଜିତ ରହିବେ। ଅସାମାଜିକ କାର୍ଯ୍ୟକଳାପ ଉପରେ ସମ୍ପୂର୍ଣ୍ଣ ଅଙ୍କୁଶ ଲାଗିବ। ସୁଲଭ ବାସଗୃହ ପ୍ରକଳ୍ପରେ ଥଇଥାନ ହେଉଥିବା ରାଜଧାନୀ ବସ୍ତିବାସିନ୍ଦାଙ୍କୁ ରାଜ୍ୟ ସରକାର ଏଭଳି ପ୍ରତିଶ୍ରୁତି ଦେଇଥିଲେ। ପର୍ଯ୍ୟାୟକ୍ରମେ ସମସ୍ତ ବସ୍ତିବାସିନ୍ଦାଙ୍କୁ ଘର ଯୋଗାଇବା ସହ ସହରକୁ ବସ୍ତିମୁକ୍ତ କରିବାକୁ ୨୦୨୩ ନଭେମ୍ବର ମାସରେ ତତ୍‌କାଳୀନ ବିଜେଡି ସରକାର ସ୍ବପ୍ନ ଦେଖାଇଥିଲେ। ୩ଟି ସୁଲଭ ବାସଗୃହ ପ୍ରକଳ୍ପ ଲୋକାର୍ପଣ କରିବା ଅବସରରେ ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ସହରର ବିକାଶରେ ବସ୍ତିବାସିନ୍ଦାଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଆଜି ଗରିବ ଲୋକମାନଙ୍କୁ ନୂଆ ଓ ଭଲ ଘର ଯୋଗାଇଦେଇ ମୁଁ ବହୁତ ଖୁସି। ନୂଆ ଘର ପାଇବା ପରେ ହିତାଧିକାରୀମାନେ ମଧ୍ୟ ଉତ୍ସାହିତ ହୋଇପଡ଼ିଥିଲେ। ଆଶା ରଖିଥିଲେ ଆପାର୍ଟମେଣ୍ଟରେ ରହିବେ। ସେମାନଙ୍କ ପିଲାଙ୍କ ଭବିଷ୍ୟତ ଉଜ୍ବଳମୟ ହେବ। ମାତ୍ର ରାଜ୍ୟରେ ସରକାର ବଦଳିବା ପରେ ସୁନେଲି ସ୍ବପ୍ନ ଏବେ ଘୋଷଣାରେ ହିଁ ରହିଯାଇଛି। କେତେବେଳେ ପିଇବା ପାଣି ଆସୁ ନାହିଁ ତ ଆଉ କେବେ ଅନ୍ଧାରରେ ରାତି କଟୁଛି। ଏମିତି ଘର ମିଳିଛି ଯେ ବାପା, ମା’, ଛୁଆଙ୍କ ବ୍ୟତୀତ ଆଉ କେହି ରହିବା ସମ୍ଭବପର ନୁହେଁ। ଯଦି ଘରକୁ କୌଣସି କୁଣିଆ(ଅତିଥି) ଆସିଲେ ତାହା ହେଲେ କଥା ସରିଲା। ସ୍ବାମୀ, ସ୍ତ୍ରୀଙ୍କ ମଧ୍ୟରୁ ଜଣେ କିଏ ଘର ବ‌ାହାରେ ରହିବେ। ନ ହେଲେ କୁଣିଆ ବାହାରେ ଶୋଇବେ। ଯେଉଁଠି ରୋଷେଇ କରୁଛନ୍ତି ସେଠାରେ ହିଁ ଖାଉଛନ୍ତି। ଏତେ ଛୋଟ ଘର ମିଳିଥିବାରୁ ନୀଳାଦ୍ରିବିହାର ନିକଟ ବୁଦ୍ଧବିହାର ପ୍ରକଳ୍ପରେ ଘର ପାଇଥିବା ଲୋକଙ୍କୁ ଏବେ ଏମିତି ଭାବେ ଦିନ କାଟିବାକୁ ପଡ଼ୁଛି।

କଣ୍ଟ ପୂରିଗଲାଣି, ବୁଦ୍ଧବିହାର ପ୍ରକଳ୍ପ କାମ ସରୁନି
ମୌଳିକ ସୁବିଧା ପାଇବାରୁ ବଞ୍ଚିତ ୮୦୦ ପରିବାର
ସୋସାଇଟିକୁ ପ୍ରକଳ୍ପ ହସ୍ତାନ୍ତର କରୁନି ବିଡିଏ

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୧୧ଏକର ୯୫୦ ଡିସିମିଲ ଜାଗାରେ ‘ବୁଦ୍ଧବିହାର ପ୍ରକଳ୍ପ’ ନିର୍ମାଣ ଚାଲିଛି। ଏଠାରେ ୨୬୦୦ ପରିବାରଙ୍କୁ ଘର ଯୋଗାଇବା ଲକ୍ଷ୍ୟରେ କାମ ଆରମ୍ଭ ହୋଇଥିଲା। ୨୦୨୩ ନଭେମ୍ବର ସୁଦ୍ଧା ପିପିପି ମୋଡ୍‌ରେ ଏଠାରେ ୮୨୦ଟି ଘର ନିର୍ମାଣ ସରିଥିଲା ଏବଂ ୨୦୨୪ ମାର୍ଚ୍ଚ ସୁଦ୍ଧା ବାକି ୧୭୮୦ ଘର ନିର୍ମାଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଇତିମଧ୍ୟରେ ୨୦୨୪ ମାର୍ଚ୍ଚ ଯାଇ ୨୦୨୫ ମାର୍ଚ୍ଚ ହେବାକୁ ବସିଲାଣି। ହେଲେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବାର ନାଁ ଧରୁନି। ମନ୍ଥର ଗତିରେ କାମ ଚାଲିଥିବାରୁ ସହରର ଏହି ବଡ଼ ପ୍ରକଳ୍ପ କାମ ‌କେବେ ଶେଷ ହେବା ନେଇ ଅନିଶ୍ଚିତତା ପ୍ରକାଶ ପାଇଛି। ଆହୁରି ଆଶ୍ଚର୍ଯ୍ୟ କଲା ଭଳି କଥା ହେଉଛି ଯେ ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହୋଇଥିବା ସମସ୍ତ ଘର ଏପର୍ଯ୍ୟନ୍ତ ଆଲଟ୍‌ମେଣ୍ଟ ହୋଇନାହିଁ। ସରସ୍ବତୀବସ୍ତି, ଶ୍ରୀକୃଷ୍ଣନଗରବସ୍ତି, ନାରାୟଣୀବସ୍ତି, ତେଲଗୁବସ୍ତି, ଭେଙ୍କଟେଶ୍ୱରବସ୍ତି ସମେତ ସାଲିଆସାହି ବସ୍ତିରୁ ଉଚ୍ଛେଦ ହୋଇଥିବା କେତେକ ହିତାଧିକାରୀଙ୍କୁ ବାସଗୃହ ଆବଣ୍ଟନ ହୋଇଛି।

ଏବେ ଏଠାରେ ଅବ୍ୟବସ୍ଥା ସୀମା ଟପିଲାଣି। ଯେଉଁମାନେ ଘର ପାଇଛନ୍ତି ସେମାନଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇବାରେ ବିଡିଏ କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି। ବୁଦ୍ଧବିହାରରେ ସୋସାଇଟି ଗଠନ ହୋଇଥିଲେ ମଧ୍ୟ ବିଡିଏ ପକ୍ଷରୁ ପରିଚାଳନା ଦାୟିତ୍ବ ହସ୍ତାନ୍ତର କରାଯାଇ ନାହିଁ। ପାନୀୟ ଜଳ ଓ ସଫେଇ କାର୍ଯ୍ୟ ଦିଲ୍ଲୀର ଏକ ଘରୋଇ ସଂସ୍ଥାକୁ ଦିଆଯାଇଛି। ନିୟମିତ ରକ୍ଷଣାବେକ୍ଷଣ ଓ ମରାମତି ସମେତ ଅନ୍ୟାନ୍ୟ ଦାୟିତ୍ବ ବିଡିଏ ନିଜ ହାତରେ ରଖିଛି। ଜଣେ ଇଞ୍ଜିନିୟର ଏଠାରେ ନିଯୁକ୍ତ ହେବା ସହ ସମସ୍ତ କଥା ବୁଝୁଛନ୍ତି। ହିତାଧିକାରୀଙ୍କ ଅଭିଯୋଗ ଅନୁଯାୟୀ ପିଇବା ପାଣି ପାଇଁ ବିଭିନ୍ନ ସମୟରେ ଦହଗଞ୍ଜ ହେବାକୁ ପଡ଼ୁଛି। ଦୁଇ ଦିନ ତଳେ ପାଣି ପାଇଁ ରାସ୍ତାକୁ ଓହ୍ଲାଇବାକୁ ପଡ଼ିଥିଲା। ଏହାପରେ ରାତାରାତି ମରାମତି ହୋଇଛି। ‌ଆଜି ପର୍ଯ୍ୟନ୍ତ ମୁଖ୍ୟ ଫାଟକ ତିଆରି ହୋଇପାରି ନାହିଁ। ସୁରକ୍ଷା କର୍ମୀ ନିୟୋଜିତ ହୋଇଥିଲେ ମଧ୍ୟ ନ ଥିବା ଭଳି। ସନ୍ଧ୍ୟା ହେଲେ ଏହା ପରିସରରେ ଅସାମାଜିକଙ୍କ ଆଡ଼ା ଜମୁଛି। ମଦ୍ୟପାନ କରି ଗାଳିଗୁଲଜ କରିବା ଭଳି ଘଟଣା ସାମ୍ନାକୁ ଆସୁଛି। ଚୋରି ହେଉଛି। ପେଭର ବ୍ଲକ ପକାଯାଉ ନାହିଁ। ଏଠାରେ ପାର୍କିଂ ସୁବିଧା ମଧ୍ୟ ହୋଇନି। ଏକ ବର୍ଷରୁ ଅଧିକ ଦିନ ଧରି ଲୋକେ ରହୁଥିଲେ ମଧ୍ୟ ପରିଚାଳନା ବାବଦରେ କୌଣସି ଫି’ ଆଦାୟ କରାଯାଇପାରୁ ନାହିଁ। କେବଳ ଯାହା ସୋସାଇଟି ଗଠନ ହୋଇଛି। ସମସ୍ୟା ସମ୍ପର୍କରେ ଅବଗତ କରାଗଲେ ମଧ୍ୟ ସମାଧାନ ହେଉ ନାହିଁ।

ବିଡିଏର ଜଣେ ଅଧିକାରୀ କହିଛନ୍ତି ଯେ ସମ୍ପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ। ପ୍ରଥମ ପର୍ଯ୍ୟାୟରେ ୬୭୬ଜଣଙ୍କୁ ଏବଂ ପରବର୍ତ୍ତୀ ସମୟରେ ଆଉ ଶହେ ଜଣଙ୍କୁ ମିଶାଇ ପ୍ରାୟ ୮୦୦ ପରିବାରଙ୍କୁ ଘର ବଣ୍ଟନ ହୋଇଛି। ଘର ନିର୍ମାଣ ଟିକିଏ ବିଳମ୍ବ ହୋଇଛି। ଯେଉଁ ବିଲଡିଂ କାମ ସରୁଛି ସଙ୍ଗେ ସଙ୍ଗେ ତାହାକୁ ବିଡିଏ ନିଜ ଅକ୍ତିଆରକୁ ଆଣୁଛି। ବିଭିନ୍ନ ସମୟରେ ଘର ଆବଣ୍ଟନ ଜାରି ରହିଛି। ତେବେ ସମ୍ପୂର୍ଣ୍ଣ ୨୬୦୦ ଘର ନିର୍ମାଣ ପରେ ସୋସାଇଟିକୁ ପରିଚାଳନା ଦାୟିତ୍ବ ହସ୍ତାନ୍ତର କରାଯିବ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.