Breaking News

ଦିନକ ପରେ ବାରବାଟୀ ଦିନିକିଆ: ଭାରତ ଅଭ୍ୟାସ କରିବ, ଇଂଲଣ୍ଡ ଗଲ୍ଫ ଖେଳିବ

ଭାରତ ଓ ଇଂଲଣ୍ଡ ଦଳ ଶୁକ୍ରବାର ରାତିରେ ଭୁବନେଶ୍ବରରେ ପାଦ ଥାପିଛନ୍ତି। ଆଉ ଦିନକ ପରେ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ ଭାରତ-ଇଂଲଣ୍ଡ ଦ୍ବିତୀୟ ଆନ୍ତର୍ଜାତିକ ଦିନିକିଆ କ‌୍ରିକେଟ୍ ମ୍ୟାଚ୍।

ଭୁବ‌ନେଶ୍ବର/କଟକ: ଭାରତ ଓ ଇଂଲଣ୍ଡ ଦଳ ଶୁକ୍ରବାର ରାତିରେ ଭୁବନେଶ୍ବରରେ ପାଦ ଥାପିଛନ୍ତି। ଆଉ ଦିନକ ପରେ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ ଭାରତ-ଇଂଲଣ୍ଡ ଦ୍ବିତୀୟ ଆନ୍ତର୍ଜାତିକ ଦିନିକିଆ କ‌୍ରିକେଟ୍ ମ୍ୟାଚ୍। ଏଥି ପାଇଁ ଆୟୋଜକ ଓଡ଼ିଶା କ୍ରିକେଟ୍ ସଂଘ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ସବୁଜ ଘାସ ଗାଲିଚା ଓ ଫ୍ଲଡ୍‌ ଲାଇଟ୍‌ରେ ଝଲସୁଥିବା ବାରବାଟୀ ଷ୍ଟାଡିୟମ୍‌ ଏବେ ଭାରତ, ଇଂଲଣ୍ଡ ଦଳର ଖେଳାଳିଙ୍କୁ ଅପେକ୍ଷା କରିଛି। ଶନିବାର ଅପରାହ୍‌ଣ ୧ଟାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ୩ଘଣ୍ଟା ଧରି ଇଂଲଣ୍ଡ ଦଳ ବାରବାଟୀ ଷ୍ଟାଡିୟ‌ମ୍‌ରେ ଅଭ୍ୟାସ କରିବ‌ାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ଚାପ କ୍ଲାନ୍ତି ମେଣ୍ଟାଇବାକୁ ବାରବାଟୀ ନଯାଇ ଭୁବ‌ନେଶ୍ବର ଗଲ୍‌ଫ କ୍ଲବ୍‌ରେ ଗଲ୍‌ଫ ଖେଳିବେ। ଏଥିପାଇଁ ବିଜିସିରେ ପ୍ରସ୍ତୁତି ହୋଇଛି। ସେହିପରି ଭାରତୀୟ ଦଳ ଅପରାହ୍‌ଣ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ବାରବାଟୀରେ ଅଭ୍ୟାସ କରିବାକୁ କାର୍ଯ୍ୟସୂଚୀ ରହିଛି।

ଖେଳାଳିମାନେ ଭୁବନେଶ୍ବର ମେ’ଫେୟାରରେ ଅବସ୍ଥାନ କରୁଥିବା ବେଳେ ଶନିବାର ଅଭ୍ୟାସ ଓ ରବିବାର ମ୍ୟାଚ୍ ପାଇଁ ପରିବହନ କରିବାକୁ ଓସିଏ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଓସିଏ ପକ୍ଷରୁ ୫ଟି ଭଲ୍‌ଭୋ ବସ୍ ସମେତ କିଛି ଇନୋଭା ଗାଡ଼ି କମିସନରେଟ ପୁଲିସକୁ ହସ୍ତାନ୍ତର କରାଯାଇଛି। ଷ୍ଟାଡିୟମ୍‌ରେ ମଧ୍ୟ ଖେଳାଳିଙ୍କ ଅଭ୍ୟାସ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଉଭୟ ଦଳର ଅଭ୍ୟାସ ପାଇଁ ସ୍ବତନ୍ତ୍ର ପିଚ୍ ନିର୍ମା‌ଣ ହୋଇଥିବା ବେଳେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶନିବାର ଖେଳାଳିମାନଙ୍କ ଅଭ୍ୟାସ ଦେଖିବା ପାଇଁ ଦର୍ଶକମାନଙ୍କୁ ଷ୍ଟାଡିୟମରେ ଗ୍ୟାଲେରି ନଂ-୫କୁ ଯିବା ସୁବିଧା କରାଯାଇଛି। ଆସନ୍ତାକାଲି ଦର୍ଶକଙ୍କ ଭିଡ଼କୁ ଅନୁମାନ କରି ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ରବିବାର ଦିନ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସପତ୍ନୀକ ବାରବାଟୀ ଦିନିକିଆ ଦେଖିବାକୁ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତଳବାଲିଯାତ୍ରା ପଡ଼ିଆ ଅସ୍ଥାୟୀ ହେଲିପ୍ୟାଡ୍‌ରେ ହେଲିକପ୍ଟରରୁ ଓହ୍ଲାଇ ସେଠାରୁ କାର୍ ଯୋଗେ ଷ୍ଟାଡିୟମ୍‌କୁ ଆସିବେ। ଏଥି ପାଇଁ ବ୍ୟପକ ବ୍ୟବସ୍ଥା ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆଜି ଅପରାହ୍‌ଣରେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଓସିଏ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିବା ସହିତ ଷ୍ଟାଡିୟମ୍‌ ଭିତର, ମୁଖ୍ୟମନ୍ତ୍ରୀଙ୍କ ବସିବା ବ୍ୟବସ୍ଥା, ଖେଳାଳିଙ୍କ ପ୍ରବେଶ, ପ୍ରସ୍ଥାନ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଆଦି ଅନୁଧାନ କରିଛନ୍ତି। ଜିଲ୍ଲାପାଳଙ୍କ ପରେ କଟକ ଡିସିପି ଜଗମୋହନ ମୀନା ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ସହିତ ବରିଷ୍ଠ ଅଧିକାରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

କଟକରେ ଖେଳିପାରନ୍ତି କୋହଲି

ଭୁବନେଶ୍ବର: ଗୁରୁବାର ନାଗପୁରରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆରେ ଟସ୍ ପଡ଼ିବା ପର୍ଯ୍ୟନ୍ତ ବିରାଟ କୋହଲିଙ୍କ ଆହତ ଖବର କାହାରି ପାଖରେ ନଥିଲା। ଯଶସ୍ବୀ ଜୟସ୍ବାଲ ପଦାର୍ପଣ କରିଥିଲେ, କିନ୍ତୁ ସେ ଯେ ବିରାଟ କୋହଲିଙ୍କ ବଦଳରେ ଆସିଥିଲେ ଏହାକୁ କ୍ରିକେଟ୍‌ ପ୍ରଶଂସକ ଗ୍ରହଣ କରିପାରି ନଥିଲେ। ସାମାନ୍ୟ ଆହତ କାରଣରୁ କୋହଲି ଏହି ମ୍ୟାଚ୍‌ ‌‌ଖେଳିପାରି ନଥିଲେ। ଏହି କାରଣରୁ ଚଳିତ ଶୃଙ୍ଖଳାରେ ସେ ଖେଳିବେ ନ ଖେଳିବେ ଯେତିକି ଚିନ୍ତା ନୁହେଁ ଆସନ୍ତା ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ଉପଲବ୍‌ଧ ହେବେ କି ନା ମୁଣ୍ଡବିନ୍ଧାର କାରଣ ହୋଇଛି। ଦଳର ଜଣେ ସପୋର୍ଟ ‌ଷ୍ଟାଫ୍ କହିଛନ୍ତି, ‘‘ବିରାଟ କୋହଲିଙ୍କ ସମ୍ପର୍କରେ ବୁଧବାର ରାତିରେ ନିଷ୍ପତ୍ତି ନିଆଯାଇଥିଲା। ଅଭ୍ୟାସ ବେଳେ ସେ ଠିକ୍‌ଠାକ୍ ଥିଲେ। କିନ୍ତୁ ହୋଟେଲକୁ ‌‌‌ଫେରିବା ପରେ ଆଣ୍ଠୁ ଫୁଲି ଯାଇଥିବା ଦେଖିବାକୁ ମିଳିଥିଲା। ଏହା ସେତେଟା ଗମ୍ଭୀର ନଥିବାରୁ ବାରବାଟୀ ମ୍ୟାଚ୍‌ରେ ସେ ଖେଳିପାରନ୍ତି।’’ ୩୬ ବ‌ର୍ଷୀୟ କୋହଲିଙ୍କୁ ସ୍କାନିଂ ପାଇଁ ପଠାଯାଇନାହିଁ। ଦୀର୍ଘ ୧୭ ବର୍ଷ ଧରି କୋହଲି କ୍ବଚିତ ଫିଟନେସ୍ ସମସ୍ୟାରେ ପଡ଼ିଥାନ୍ତି। ଶେଷ ଥର ପାଇଁ ୨୦୨୨ରେ ପିଠିରେ ମାଂଶପେସୀ ଯନ୍ତ୍ରଣା କାରଣରୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍‌ ଖେଳିପାରି ନଥିଲେ। ୨୦୧୭ରେ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ୍‌ ଖେଳିପାରିନ ଥିଲେ। ରାଞ୍ଚିରେ ସୀମାରେଖା ନିକଟରେ ଫିଲ୍ଡିଂ ସମୟରେ କାନ୍ଧରେ ଆଘାତ କାରଣରୁ ସେ ବଞ୍ଚିତ ହୋଇଥିଲେ। ଗୁରୁବାର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଗ୍ରହଣ ବେଳେ ଉପଅଧିନାୟକ ଶୁବମନ ଗିଲ୍‌ ବି କହିଥିଲେ ‘‘କୋହଲିଙ୍କ ଆଣ୍ଠୁ ଫୁଲିବା ସେତେ ଗୁରୁତର ନୁହେଁ, ରବିବାର ବାରବାଟୀ ମ୍ୟାଚ୍‌ ପାଇଁ ସେ ଉପଲବ୍‌ଧ ହେବେ’’।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.