Breaking News

ଅତୀତର ପ୍ରେତ

ଅସ୍ତିତ୍ବ ଲୋପ ହୋଇଥିବା ସତ୍ତ୍ବେ ଜନସ୍ମୃତି, ଜନଶ୍ରୁତି ଓ ଜନରବରେ ସେମାନେ ବଞ୍ଚି ରହି ‘ପେପର ୱେଟ୍‌’ ଭଳି କାମ କରନ୍ତି, ଯେମିତି ଖ୍ରୀଷ୍ଟପୂର୍ବ ୪୮ରେ ଧ୍ବଂସ କରି ଦିଆଯାଇଥିବା ପ୍ରାଚୀନ ଆଲେକଜାଣ୍ଡ୍ରିଆ ଲାଇବ୍ରେରି ବିଷୟ...

ଅସ୍ତିତ୍ବ ଲୋପ ହୋଇଥିବା ସତ୍ତ୍ବେ ଜନସ୍ମୃତି, ଜନଶ୍ରୁତି ଓ ଜନରବରେ ସେମାନେ ବଞ୍ଚି ରହି ‘ପେପର ୱେଟ୍‌’ ଭଳି କାମ କରନ୍ତି, ଯେମିତି ଖ୍ରୀଷ୍ଟପୂର୍ବ ୪୮ରେ ଧ୍ବଂସ କରି ଦିଆଯାଇଥିବା ପ୍ରାଚୀନ ଆଲେକଜାଣ୍ଡ୍ରିଆ ଲାଇବ୍ରେରି ବିଷୟ ଏବେ ମଧ୍ୟ ଆଲୋଚନାର ଅଂଶ ପାଲଟେ! ସୁତରାଂ, ନିଶ୍ଚିହ୍ନ କରି ଦିଆଗଲେ ମଧ୍ୟ ଅତୀତର ପ୍ରେତ ବଞ୍ଚି ରହେ। ବାଂଲାଦେଶର ଅତୀତ ଅତ୍ୟନ୍ତ ସଂକ୍ଷିପ୍ତ। ତେଣୁ ଅତୀତକୁ ଲିଭାଇ ଦେବାର ଏ ପ୍ରୟାସ ଯେ ନିଷ୍ଫଳ ହେବ, ତାହା ନିଃସନ୍ଦେହ। ଏବଂ ଦୂର ଭବିଷ୍ୟତ୍‌ରେ ବା‌ଂଲାଦେଶୀମାନଙ୍କୁ ଅତୀତର ପ୍ରେତମାନଙ୍କ ସହିତ ମଧ୍ୟ ସାମନାସାମନି ହେବାକୁ ପଡ଼ିପାରେ!

ଗଲା ୫ ତାରିଖ ଦିନ ବାଂଲାଦେଶରେ ଘଟିଥିବା ଏକ ଅଭାବନୀୟ ଘଟଣା ତୀବ୍ର ବିବ୍ରତବୋଧ ସୃଷ୍ଟି କରିଛି; ଯହିଁରେ ଶହ ଶହ ବାଂଲାଦେଶୀ ନାଗରିକ ଏକତ୍ର ହୋଇ ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ପୈତୃକ ବାସଭବନକୁ ଭାଙ୍ଗିରୁଜି ଚୂର୍ଣ୍ଣ କରିଦେବା ପରେ ତହିଁରେ ଅଗ୍ନି ସଂଯୋଗ କରି ତାକୁ ଅଙ୍ଗାରରେ ପରିଣତ କରି ଦେଇଛନ୍ତି। ପ୍ରକାଶ ଥାଉ କି ‘ଷ୍ଟୁଡେଣ୍ଟସ ଏଗେନ୍‌ଷ୍ଟ ଡିସ୍‌କ୍ରିମିନେସନ’ ନାମକ ଏକ ଛାତ୍ର ସଂଗଠନ ଦ୍ବାରା ଆୟୋଜିତ ଏକ ଶୋଭାଯାତ୍ରା ଅବଲୀଳା କ୍ରମେ ଉନ୍ମତ୍ତ ଭିଡ଼ରେ ପରିଣତ ହୋଇ ଜାନ୍ତବ ଉଲ୍ଲାସର ସହିତ ବାଂଲାଦେଶ ଇତିହାସର ଏକ ଅଧ୍ୟାୟକୁ ନିଶ୍ଚିହ୍ନ କରି ପକାଉଥିବାର ଦୃଶ୍ୟମାନ ଗଣମାଧ୍ୟମରେ ବ୍ୟାପକ ରୂପେ ପ୍ରସାରିତ ହେବାରେ ଲାଗିଛି। ‘ବୁଲଡୋଜର ପ୍ରୋସେସନ’ ଭାବେ ନାମିତ ଏହି ‌େଶାଭାଯାତ୍ରାରେ ବୁଲଡୋଜର ବ୍ୟବହାର କରାଯାଇଥିଲା ଏବଂ ଏହା ଯୋଜନାବଦ୍ଧ ତଥା ସେଠାରେ କ୍ଷମତାରୂଢ଼ ଅନ୍ତରୀଣ କାମଚଳା ସରକାରର ଆଶୀର୍ବାଦପ୍ରାପ୍ତ ବୋଲି ମଧ୍ୟ ସ୍ପଷ୍ଟ, ଯଦିଓ ସରକାରୀ ଭାବେ କୁହାଯାଇଛି ‌େଯ ବିତାଡ଼ିତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଦ୍ବାରା ପ୍ରଦତ୍ତ ଭାଷଣରେ ଉତ୍‌କ୍ଷିପ୍ତ ଜନସାଧାରଣଙ୍କ ସ୍ବତଃସ୍ଫୂର୍ତ୍ତ ଆକ୍ରୋଶର ଏହା ହେଉଛି ଏକ ଦୁଃଖଦ ପରିଣାମ। ତେବେ, ବାସ୍ତବତାଟି ହେଲା ବାଂଲାଦେଶ ପୁନର୍ବାର କଡ଼ ଲେଉଟାଇଛି, ଯେଉଁ ଦୃଶ୍ୟପଟରେ ପୁରୁଣା ଶତ୍ରୁ ମିତ୍ରରେ ଏବଂ ଅନ୍ତରଙ୍ଗ ମିତ୍ର ଶତ୍ରୁରେ ପରିଣତ ହୁଅନ୍ତି! ଇତିହାସ ସାକ୍ଷୀ ଯେ ବାଂଲାଦେଶର ଜନ୍ମରେ ଭାରତର ଏକ ନିର୍ଣ୍ଣାୟକ ଭୂମିକା ଥିଲା ଏବଂ ଏଥି ଲାଗି ଅସୁମାରି ଶରଣାର୍ଥୀଙ୍କ ବୋଝ ତଥା ଆମେରିକା ନେତୃତ୍ବରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ଜାରି ବାସନ୍ଦ ଇତ୍ୟାଦିକୁ ସମ୍ମୁଖୀନ ହେବାର ସାହସ ଭାରତ ଦର୍ଶାଇଥିଲା। ସୁତରାଂ, ତ୍ୟାଗ ଓ ବଳିଦାନର ସେହି ଇତିହାସକୁ ବର୍ତ୍ତମାନ ଯେତେବେଳେ ଅସ୍ତିତ୍ବଶୂନ୍ୟ କରିବାର ଉଦ୍ୟମ ଚାଲିଛି, ସେ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଉଲ୍ଲେଖଯୋଗ୍ୟ ଯେ ଧାନମୁଣ୍ଡିରେ ଅବସ୍ଥିତ ଶେଖ ମୁଜିବୁର ରହମାନଙ୍କ ପୈତୃକ ବାସଭବନଟି ୧୯୭୧ ମାର୍ଚ୍ଚରେ ତାଙ୍କ ଗିରଫଦାରି, ୧୯୭୨ ଜାନୁୁଆରିରେ ସ୍ବାଧୀନ ବା‌ଂଲାଦେଶକୁ ତାଙ୍କ ପ୍ରତ୍ୟାବର୍ତ୍ତନ ଓ ରାଷ୍ଟ୍ରପତି ପଦ ଲାଭ ଏବଂ ୧୯୭୫ ଅଗଷ୍ଟ ୧୫ରେ ସପରିବାର ହତ୍ୟାର ଶିକାର ହେବା ଭଳି ହର୍ଷ-ବିଷାଦ ଭରା ସମସ୍ତ ଐତିହାସିକ କ୍ଷଣମାନର ମୂକ ସାକ୍ଷୀ ଥିଲା ଏବଂ ପରବର୍ତ୍ତୀ କାଳରେ ଏହା ବଙ୍ଗବନ୍ଧୁଙ୍କ ସ୍ମୃତି ସମ୍ବଳିତ ଏକ ସଂଗ୍ରହାଳୟରେ ପରିଣତ ହୋଇଥିଲା। ତେବେ, ଛଅ ମାସ ତଳେ ଅର୍ଥାତ୍‌ ଗଲା ଅଗଷ୍ଟ ମାସରେ, କ୍ଷମତାଚ୍ୟୁତ ଶେଖ ହସିନାଙ୍କ ପଳାୟନ ପରେ ହିଂସ୍ର ଆନ୍ଦୋଳନକାରୀମାନଙ୍କ ଆକ୍ରମଣରେ ଏହି ଗୃହଟି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ତିଷ୍ଠି ରହିଥିଲା, ଯାହା ଗଲା ଫେବ୍ରୁଆରି ୫ ତାରିଖରେ ସାମାଜିକ ଗଣମାଧ୍ୟମରେ ଶେଖ ହସିନାଙ୍କ ଦ୍ବାରା ପ୍ରଦତ୍ତ ଭାଷଣ ପରେ ସତ୍ତା ହରାଇଛି। ପ୍ରକାଶ ଥାଉ କି ଭାରତ ଭୂମିରେ ଆଶ୍ରୟ ଲାଭ କରିଥିବା ଶେଖ ହସିନାଙ୍କ ଦ୍ବାରା କୌଣସି ଭାଷଣ ସାଂପ୍ରତିକ ଅନ୍ତରୀଣ ସରକାର ଲାଗି ଆଦୌ ରୁଚିକର ହୁଅନ୍ତା ନାହିଁ, ଯେଉଁ କାରଣରୁ ହସିନା ଏଭଳି ଉଦ୍ୟମରୁ କ୍ଷାନ୍ତ ରହନ୍ତୁ ବୋଲି ଚେତାବନୀ ମଧ୍ୟ ଦିଆଯାଇଥିଲା। ସୁତରାଂ, ଚେତାବନୀକୁ ଅମାନ୍ୟ କରିବାର ପରିଣାମ ସ୍ବରୂପ ଶେଖ ହସିନାଙ୍କ ଖାନଦାନୀ ପିତ୍ରାଳୟକୁ ବିଧ୍ବସ୍ତ କରି ଦିଆଗଲା। ଯଦିଓ କେତେକ ପର୍ଯ୍ୟବେକ୍ଷକ କହନ୍ତି ଯେ ବାଂଲାଦେଶରେ ଶେଖ ହସିନାଙ୍କ ବିରୋଧରେ ପ୍ରଜ୍ଜ୍ବଳିତ ହୋଇଥିବା କ୍ରୋଧାଗ୍ନି ଏ ଯାବତ୍‌ ପ୍ରଶମିତ ହୋଇନାହିଁ; କିନ୍ତୁ ସତ କଥାଟି ହେଲା ମୌଳବାଦୀ ଦଳ ଜମାତ-ଇ-ଇସଲାମୀ ଦ୍ବାରା ବାଂଲାଦେଶର ଅନ୍ତରୀଣ ସରକାର କବଳିତ ହୋଇଥିବାରୁ ଏବଂ ସେହି ଦୃଷ୍ଟିରୁ ପାକିସ୍ତାନର ସଖି କଣ୍ଢେଇରେ ପରିଣତ ହେବାକୁ ଯାଉଥିବାରୁ ଏଭଳି ଘଟିବା ସ୍ବାଭାବିକ ଥିଲା, ତେଣିକି ଜନ ‌େରାଷ ଥାଉ ବା ନ ଥାଉ! କାରଣ ଆୱାମି ଲିଗ୍‌, ଶେଖ ମୁଜିବୁର, ଶେଖ ହସିନା ଏବଂ ଭାରତ; ଏମାନେ ହେଉଛନ୍ତି ପାକିସ୍ତାନର ଜାତ ଶତ୍ରୁ ଏବଂ ବାଂଲାଦେଶର ଇତିହାସରେ ଏମାନଙ୍କ ମହତ୍ତ୍ବପୂର୍ଣ୍ଣ ଅବଦାନକୁ ପାକିସ୍ତାନ ସର୍ବାଦା ଅସ୍ବୀକାର ହିଁ କରିବ। କିନ୍ତୁ ପ୍ରଶ୍ନ ଉଠିଥାଏ ଯେ ଇତିହାସର ହସ୍ତାକ୍ଷରକୁ ଲିଭାଇ ଦେବା, ପୁଣି ଆଜି ଭଳି ଦସ୍ତାବିଜ ପ୍ରସ୍ତୁତି ଓ ସଂରକ୍ଷଣର ବିପୁଳ ସମ୍ଭାବନାମୟ ସମୟରେ, କଦାଚିତ୍‌ ସମ୍ଭବ କି?
ପ୍ରକାଶ ଥାଉ କି ଷଷ୍ଠ ଓ ସପ୍ତମ ଦଶକରେ ତତ୍‌କାଳୀନ ପୂର୍ବ-ପାକିସ୍ତାନର ସର୍ବାଧିକ ପ୍ରଭାବଶାଳୀ ରାଜନୈତିକ ଦଳ ଥିଲା ଆୱାମି ଲିଗ୍‌ ଏବଂ ତା’ର ପ୍ରତିଷ୍ଠାତା ‌େନତା ଶେଖ ମୁଜିବୁର ରହମାନ ଥିଲେ ସର୍ବ ମାନ୍ୟ ନେତା। ସୁତରାଂ, ୧୯୭୦ ମସିହାର ପାକିସ୍ତାନ (ତତ୍‌କାଳୀନ ଉଭୟ ପୂର୍ବ ଓ ପଶ୍ଚିମ ପାକିସ୍ତାନ) ନିର୍ବାଚନରେ ବିପୁଳ ସଂଖ୍ୟାଗରିଷ୍ଠତା ଲାଭ କରିଥିବା ସତ୍ତ୍ବେ ଇସଲାମାବାଦ ‘ଏଷ୍ଟାବ୍ଲିସମେଣ୍ଟ’ ଦ୍ବାରା ଯେତେବେ‌ଳେ ଏହି ଦଳକୁ ଶାସନ କରିବାର ସୁଯୋଗ ଦିଆ ନ ଗଲା ଏବଂ ମୁଜିବୁରଙ୍କୁ ଗିରଫ କରି ନିଆଗଲା, ସେତେବେଳେ ପୂର୍ବ-ପାକିସ୍ତାନରେ ପଶ୍ଚିମ-ପାକିସ୍ତାନ ବିରୋଧରେ ଜନ ବିଦ୍ରୋହର ବୀଜ ପଡ଼ିବା ସ୍ବାଭାବିକ ଥିଲା, ଯାହା ମୁକ୍ତି ସଂଗ୍ରାମର ରୂପ ନେଇ ପରିଶେଷରେ ବାଂଲାଦେଶକୁ ଜନ୍ମ ଦେଲା। କିନ୍ତୁ ଆଉ ଏକ ବାସ୍ତବତା ହେଲା ୧୯୭୧ ମସିହା ମାର୍ଚ୍ଚ ମାସରେ ମେଜର ଜେନେରାଲ ଜିଆ ଉର ରହମାନ ମଧ୍ୟ ଏକ ସାମରିକ ବିଦ୍ରୋହ ଘଟାଇ ସର୍ବପ୍ରଥମେ ଚିଟ୍ଟାଗଙ୍ଗରେ ବାଂଲାଦେଶର ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ସ୍ବାଧୀନ ବାଂଲାଦେଶ ଉଦ୍ଦେଶ୍ୟରେ ଏକ ରେଡିଓ ଭାଷଣ ପ୍ରଦାନ କରିଥିଲେ। ସମଗ୍ର ମୁକ୍ତି ସଂଗ୍ରାମ କାଳ ତକ ଶେଖ ମୁଜିବୁର ରହମାନ ପାକିସ୍ତାନ କାରାଗାରରେ ବନ୍ଦୀ ଭାବେ ରହି ନିରବ ଥିବାରୁ ସ୍ବାଧୀନ ବାଂଳାଦେଶ ଉଦ୍ଦେଶ୍ୟରେ ପ୍ରଥ‌େମ ସମ୍ବୋଧନ କରିଥିବା ଜିଆ ଉର ରହମାନଙ୍କୁ ଅନେକ ବାଂଲାଦେଶୀ ନାଗରିକ ସ୍ବାଧୀନତାର ବାର୍ତ୍ତାବହ ରୂପେ ବିଚାର କରନ୍ତି। ଏଭଳି ସ୍ଥିତିରେ ମୁଜିବୁର ରହମାନ ଓ ଜିଆ ଉର ରହମାନଙ୍କ ପକ୍ଷଭୁକ୍ତମାନେ ପରସ୍ପର ବିରୋଧୀ ହୋଇ ଉଠିବା ଏକ ଦୁର୍ଭାଗ୍ୟଜନକ ବାସ୍ତବତା ହୋଇଗଲା, ଯେଉଁ କାରଣରୁ ଜିଆ ଉର ରହମାନଙ୍କ ଦ୍ବାରା ପ୍ରତିଷ୍ଠିତ ‘ବାଂଲାଦେଶ ନେସନାଲିଷ୍ଟ ପାର୍ଟି’ ବା ‘ବିଏନ୍‌ପି’ ଏବଂ ଆୱାମି ଲିଗ୍‌ ପରସ୍ପରକୁ ରାଜନୈତିକ ବିରୋଧୀ ରୂପେ ବିବେଚନା ନ କରି ଶତ୍ରୁ ରୂପେ ବିଚାର କରିଥାଆନ୍ତି। ସେହି କାରଣରୁ ଉଭୟ ଦଳ କ୍ଷମତାରେ ଥିବା ବେଳେ ନିଜ ସପକ୍ଷରେ ଇତିହାସ ରଚନା କରି ଅତୀତର କେତେକ ଅପଭ୍ରଂଶ ଘଟାଇଛନ୍ତି ମଧ୍ୟ! ଏବେ ସେହି ପ୍ରକରଣର ଚରମ ରୂପଟି ଦୃଶ୍ୟମାନ ହେଉଛି ଯାହା।
ମତାଦର୍ଶ କାରଣରୁ ହେଉ ବା ଧର୍ମ ବିଶ୍ବାସ କାରଣରୁ ହେଉ ବା ଅନ୍ୟ କୌଣସି କାରଣରୁ; କ୍ଷମତାଧାରୀଙ୍କ ଚକ୍ଷୁଶୂଳ ହେଉଥିବା ଅନେକ ବିରଳ ଐତିହ୍ୟ ସଂପନ୍ନ ସ୍ମାରକୀକୁ ଧ୍ବଂସ କରିଦିଆଯାଏ। ୨୦୦୧ ମସିହାରେ ତାଲିବାନମାନଙ୍କ ଦ୍ବାରା ବା ୨୦୧୭ ମସିହାରେ ‘ଆଇସିସ’ ଆତଙ୍କବାଦୀ ସଂଗଠନ ଦ୍ବାରା ଯଥାକ୍ରମେ ଆଫଗାନିସ୍ତାନରେ ଅତିକାୟ ପ୍ରାଚୀନ ବାମିୟାଁ ବୁଦ୍ଧ ମୂର୍ତ୍ତି ଓ ସିରିଆରେ ଖ୍ରୀଷ୍ଟଜନ୍ମ ପୂର୍ବବର୍ତ୍ତୀ କାଳର ଆସିରୀୟ ସାମ୍ରାଜ୍ୟର ଚିହ୍ନ ସ୍ବରୂପ ତିଷ୍ଠି ରହିଥିବା ବିଶାଳ ‘ଗେଟ୍‌ସ ଅଫ ନିନେଭ’ ବା ‘ନିନେଭ ଫାଟକ’ଗୁଡ଼ିକୁ ନିଶ୍ଚିହ୍ନ କରି ଦିଆଯାଇଥିଲା। କିନ୍ତୁ ପ୍ରଶ୍ନ ଉଠେ ଯେ ଏହା ଦ୍ବାରା ସେମାନେ ଚାହୁଁଥିବା ଭଳି ଅତୀତର ମୂଳପୋଛ ହୋଇପାରିଲା କି? ପ୍ରସିଦ୍ଧ ଇସ୍ରାଏଲୀ କବି ୟାହୁଦା ଆମିକାଇଙ୍କ ଏକ କବିତାର ସ୍ମରଣୀୟ ଧାଡ଼ିଟିଏ କହିଥାଏ ଯେ ସ୍ମୃତି-ସ୍ମାରକୀମାନ ‘ପେପର ୱେଟ୍‌’ ଭଳି; କାରଣ ସେମାନଙ୍କ ଯୋଗୁଁ ମୋ ଦେଶର ଇତିହାସ ଉଡ଼ି ଯାଏ ନାହିଁ’। କିନ୍ତୁ ଏଭଳି ‘ପେପର ୱେଟ୍‌’ଗୁଡ଼ିକୁ ଅପସାରଣ କରି ଦିଆଗଲେ କ’ଣ କାଳର ପବନ ଇତିହାସକୁ ଉଡ଼ାଇ ନିଏ? ବୋଧହୁଏ ନା! କାରଣ, ଅସ୍ତିତ୍ବ ଲୋପ ହୋଇଥିବା ସତ୍ତ୍ବେ ଜନସ୍ମୃତି, ଜନଶ୍ରୁତି ଓ ଜନରବରେ ସେମାନେ ବଞ୍ଚି ରହି ‘ପେପର ୱେଟ୍‌’ ଭଳି କାମ କରନ୍ତି, ଯେମିତି ଖ୍ରୀଷ୍ଟପୂର୍ବ ୪୮ରେ ଧ୍ବଂସ କରି ଦିଆଯାଇଥିବା ପ୍ରାଚୀନ ଆଲେକଜାଣ୍ଡ୍ରିଆ ଲାଇବ୍ରେରି ବିଷୟ ଏବେ ମଧ୍ୟ ଆଲୋଚନାର ଅଂଶ ପାଲଟେ! ସୁତରାଂ, ନିଶ୍ଚିହ୍ନ କରି ଦିଆଗଲେ ମଧ୍ୟ ଅତୀତର ପ୍ରେତ ବଞ୍ଚି ରହେ। ବାଂଲାଦେଶର ଅତୀତ ଅତ୍ୟନ୍ତ ସଂକ୍ଷିପ୍ତ। ତେଣୁ ଅତୀତକୁ ଲିଭାଇ ଦେବାର ଏ ପ୍ରୟାସ ଯେ ନିଷ୍ଫଳ ହେବ, ତାହା ନିଃସନ୍ଦେହ। ଏବଂ ଦୂର ଭବିଷ୍ୟତ୍‌ରେ ବା‌ଂଲାଦେଶୀମାନଙ୍କୁ ଅତୀତର ପ୍ରେତମାନଙ୍କ ସହିତ ମଧ୍ୟ ସାମନାସାମନି ହେବାକୁ ପଡ଼ିପାରେ!

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.