Breaking News

ସ୍ବାଧୀନ ଜିତିଲେ ରୌପ୍ୟ: ଓଡ଼ିଶାକୁ ଯୁଗଳ ସ୍ବର୍ଣ୍ଣ

ଉତ୍ତରାଖଣ୍ଡରେ ଚାଲିଥିବା ୩୮ତମ ଜାତୀୟ କ୍ରୀଡ଼ାରେ ରବିବାର ଓଡ଼ିଶାକୁ ଯୁଗଳ ସ୍ବର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ମିଳିଛି। ସମସ୍ତ ୩ ପଦକ ଦୌଡ଼କୁଦରୁ ହିଁ ମିଳିଛି। ୪୦୦ ପୁରୁଷ ଦୌଡ଼ରେ ବାପି ହାଁସ୍‌ଦା ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି।

ଭୁବନେଶ୍ବର: ଉତ୍ତରାଖଣ୍ଡରେ ଚାଲିଥିବା ୩୮ତମ ଜାତୀୟ କ୍ରୀଡ଼ାରେ ରବିବାର ଓଡ଼ିଶାକୁ ଯୁଗଳ ସ୍ବର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ମିଳିଛି। ସମସ୍ତ ୩ ପଦକ ଦୌଡ଼କୁଦରୁ ହିଁ ମିଳିଛି। ୪୦୦ ପୁରୁଷ ଦୌଡ଼ରେ ବାପି ହାଁସ୍‌ଦା ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି। ସେ ୪୬.୮୨ ସେକେଣ୍ଡରେ ଏହି ରେସ୍‌ ଶେଷ କରିଥିଲେ। ଏହି ଇଭେଣ୍ଟ୍‌ରେ ଭାଗନେଇଥିବା ଆଉ ଜଣେ ଓଡ଼ିଶା ଖେଳାଳି ଆସ୍ତିକ ପ୍ରଧାନ (୪୭.୨୮) ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଛନ୍ତି। ହରିୟାଣାର ବିକ୍ରାନ୍ତ ପାଞ୍ଚାଲ (୪୬.୯୨ ସେକେଣ୍ଡ୍‌) ରୌପ୍ୟ ଏବଂ କେରଳର ମନୁ ଏସ୍‌ (୪୭.୦୮) କାଂସ୍ୟ ପାଇଛନ୍ତି। ଶନିବାର ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ଜିତିଥିବା ଅନିମେଶ ‌କୁଜୁର ଏବଂ ତାଙ୍କ ସାଥୀ ଲାଲୁ ପ୍ରସାଦ ଭୋଇ, ଦଣ୍ଡପତି ମୃତ୍ୟୁୟମ ଜୟରାମ ଓ ଅମିୟ ମଲ୍ଲିକଙ୍କୁ ନେଇ ଗଠିତ ଓଡ଼ିଶା ୪ଗୁଣା ୧୦୦ ମିଟର ରିଲେ ଦଳ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଛି। ଓଡ଼ିଶା ଦଳ ୩୯.୪୭ ସେକେଣ୍ଡ୍‌ରେ ରେସ୍‌ ଶେଷ କରି ଜାତୀୟ କ୍ରୀଡ଼ା ରେକର୍ଡ ସହ ଏହି ପଦକ ନିଶ୍ଚିତ କରିଥିଲା। ପୂର୍ବରୁ ଏହି ରେକର୍ଡ ସର୍ଭିସେସ୍‌ (୩୯.୯୪ ସେକେଣ୍ଡ, ୨୦୧୧) ନାମରେ ଥିଲା। ରବିବାର ଏହି ଇଭେଣ୍ଟରେ ତାମିଲନାଡ଼ୁ (୪୦.୦୮) ଓ କେରଳ (୪୦.୭୩) ଯଥାକ୍ରମେ ‌ରୌପ୍ୟ ଓ କାଂସ୍ୟ ପାଇଥିଲେ। ଉଚ୍ଚଡିଆଁରେ ଓଡ଼ିଶାର ସ୍ବାଧୀନ କୁମାର ମାଝୀ ରୌପ୍ୟ ପଦକ କରାୟତ୍ତ କରିଛନ୍ତି। ରବିବାରର ଏହି ୩ ପଦକ ସହ ଓଡ଼ିଶାର ମୋଟ ଓଡ଼ିଶାର ପଦକ ସଂଖ୍ୟା ୨୯ (୮ ସ୍ବର୍ଣ୍ଣ, ୧୦ ରୌପ୍ୟ, ୧୧ କାଂସ୍ୟ)ରେ ପହଞ୍ଚିଛି।

ବାଧାଦୌଡ଼ରେ ଡବଲ୍‌ ରେକର୍ଡ
ଚଳିତ ଜାତୀୟ କ୍ରୀଡ଼ାରେ ରବିବାର ମହିଳା ୧୧୦ ମିଟର ଓ ପୁରୁଷ ୧୦୦ ମିଟର ବାଧାଦୌଡ଼ରେ ଗେମ୍‌ ରେକର୍ଡ ଦେଖିବାକୁ ମିଳିଛି। ମହିଳାରେ ଆନ୍ଧ୍ରପ୍ରଦେଶର ଜ୍ୟୋତି ୟାରାଜୀ ଓ ପୁରୁଷରେ ମହାରାଷ୍ଟ୍ରର ତେଜାସ ଶୀର୍ଷେ ଏହି ରେକର୍ଡ ସହ ଲଗାତାର ତୃତୀୟ ଥର ଲାଗି ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି। ଏହି ଦୁଇ ଜାତୀୟ ରେକର୍ଡଧାରୀ ୨୦୨୨ ଗୁଜରାଟ ଓ ୨୦୨୩ ଗୋଆ ସଂସ୍କରଣରେ ପ୍ରଥମ ସ୍ଥାନରେ ରହିଥିଲେ। ଏସୀୟ ବିଜୟିନୀ ଓ ହାଂଝୁ ଏସୀୟ କ୍ରୀଡ଼ା ରୌପ୍ୟ ବିଜୟିନୀ ୨୫ ବର୍ଷୀୟା ୟାରାଜୀ (୧୩.୧୦) ନିଜର ପୂର୍ବ ଜାତୀୟ କ୍ରୀଡ଼ା (୨୦୨୩) ରେକର୍ଡ ୧୩.୨୨ ସେକେଣ୍ଡକୁ ଟପିଥିଲେ। ସେ ୨୦୨୩ରେ ୧୨.୭୮ ସେକେଣ୍ଡ ଜାତୀୟ ରେକର୍ଡର ଅଧିକାରୀ ହୋଇଥିଲେ। ୨୨ ବର୍ଷୀୟ ଶୀର୍ଷେ (୧୩.୬୫) ନିଜର ପୂର୍ବ ରେକର୍ଡ ୧୩.୭୧ସେକେଣ୍ଡକୁ (୨୦୨୩) ଟପିଥିଲେ। ସେ ଗତ ବର୍ଷ ୧୩.୪୧ ସେକେଣ୍ଡରେ ରେସ୍‌ ଶେଷ କରି ଜାତୀୟ ରେକର୍ଡର ଅଧିକାରୀ ହୋଇଥିଲେ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.