Breaking News

ରାଜ୍ୟଙ୍କୁ ଟାର୍ଗେଟ୍‌ କଲେ କେନ୍ଦ୍ରମନ୍ତ୍ରୀ; ଟିକସ ଅବଦାନ ଅନୁସାରେ ଭାଗ ମାଗିବା ଦୁର୍ଭାଗ୍ୟଜନକ: ଗୋୟଲ

କେନ୍ଦ୍ରୀୟ ଟିକସ ପ୍ରତି ବିଭିନ୍ନ ରାଜ୍ୟର ଅବଦାନ ଭିନ୍ନ ଭିନ୍ନ ରହିଛି। ଅଧିକ ଟିକସ ଯୋଗଦାନ ଦେଉଥିବା ରାଜ୍ୟଗୁଡ଼ିକ କେନ୍ଦ୍ରୀୟ ଟିକସରୁ ଅଧିକ ଭାଗ ମାଗିବା ଦୁର୍ଭାଗ୍ୟଜନକ ବୋଲି କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି।

ନୂଆଦିଲ୍ଲୀ: କେନ୍ଦ୍ରୀୟ ଟିକସ ପ୍ରତି ବିଭିନ୍ନ ରାଜ୍ୟର ଅବଦାନ ଭିନ୍ନ ଭିନ୍ନ ରହିଛି। ଅଧିକ ଟିକସ ଯୋଗଦାନ ଦେଉଥିବା ରାଜ୍ୟଗୁଡ଼ିକ କେନ୍ଦ୍ରୀୟ ଟିକସରୁ ଅଧିକ ଭାଗ ମାଗିବା ଦୁର୍ଭାଗ୍ୟଜନକ ବୋଲି କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଏହା ସେହି ରାଜ୍ୟଗୁଡ଼ିକର ସଂକୀର୍ଣ୍ଣ ଭାବନା ବୋଲି ସେ କହି ସେମାନଙ୍କୁ ଟାର୍ଗେଟ କରିଛନ୍ତି। ଗୋୟଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାବନା ହେଉଛି, ଭାରତ ସମୃଦ୍ଧ ହେବାକୁ ହେଲେ ବିହାର, ଛାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶା ଭଳି ପୂର୍ବ ଭାରତର ରାଜ୍ୟ ଓ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ବିକାଶ ନିଶ୍ଚିତ ହେବା ଜରୁରୀ। ଗତ ୧୧ ବର୍ଷ ହେଲା ମହାଭାରତର ଅର୍ଜୁନଙ୍କ ଭଳି ମୋଦୀ ସରକାର ଏହି ରାଜ୍ୟଗୁଡ଼ିକୁ ଗୁରୁତ୍ବ ଦେଉଛନ୍ତି। କିନ୍ତୁ କିଛି ରାଜ୍ୟ ଓ କେତେକ ନେତା ନିଜ ରାଜ୍ୟ ଦେଉଥିବା ଟିକସ ଯୋଗଦାନ ଅନୁସାରେ କେନ୍ଦ୍ରୀୟ ଟିକସରୁ ଭାଗ ମାଗିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ସେ ମହାରାଷ୍ଟ୍ରକୁ ଟାର୍ଗେଟ କରି ସେଭଳି କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ କର୍ଣ୍ଣାଟକ, ତାମିଲନାଡୁ ଓ ତେଲେଙ୍ଗାନା ଟିକସ ପ୍ରତି ଦେଉଥିବା ଯୋଗଦାନ ଅନୁସାରେ ଅଧିକ ପାଣ୍ଠି ମାଗୁଛନ୍ତି। ଏହାଠାରୁ ଅଧିକ ସଂକୀର୍ଣ୍ଣ ମାନସିକତା ଓ ଦୁର୍ଭାଗ୍ୟଜନକ ଘଟଣା କିଛି ନାହିଁ ବୋଲି ସେ କହିଛନ୍ତି।

ପୂର୍ବ ଓ ଉତ୍ତରପୂର୍ବ ଭାରତୀୟ ରାଜ୍ୟଗୁଡ଼ିକର ବିକାଶ ଲାଗି ମୋଦୀ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରି ‌ସେ କହିଛନ୍ତି ଯେ ‘ଆକ୍ଟ ଇଷ୍ଟ ଓ ଲୁକ୍ ଇଷ୍ଟ ନୀତିରେ ଗତ ୧୧ ବର୍ଷ ଧରି ମୋଦୀ ସରକାର ଏହି ଅଞ୍ଚଳରେ ଥିବା ‌ରାଜ୍ୟଗୁଡ଼ିକର ବିକାଶ ପାଇଁ ଉଦ୍ୟମ କରୁଛନ୍ତି। ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ରାଜଧାନୀ ସହ ରେଳ ସଂଯୋଗ ସ୍ଥାପନ କରାଯାଇଛି ଏବଂ ରାଜପଥ ମଧ୍ୟ ନିର୍ମାଣ କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ୬୫ ଥର ଉତ୍ତର ପୂର୍ବାଞ୍ଚଳ ଗସ୍ତ କରିଛନ୍ତି ବୋଲି ସେ କହିଛନ୍ତି। ଚଳିତ ବର୍ଷ ଜାନୁଆରି ୨୮ ଓ ୨୯ରେ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଯାଇଥିବା ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୫କୁ ଉଦ୍‌ଘାଟନ କରିବା ଲାଗି ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ମୁଁ ପ୍ରଧାନମନ୍ତ୍ରୀ ହେବା ପରେ ଓଡ଼ିଶାକୁ ୩୦ ଥର ଆସିଲାଣି। ସ୍ବାଧୀନ ଭାରତରେ ଯେତେ ଜଣ ପ୍ରଧାନମନ୍ତ୍ରୀ ହୋଇଛନ୍ତି, ସମସ୍ତେ ମିଳିତ ଭାବେ ସେତିକି ଥର ଓଡ଼ିଶା ଆସିନଥିବା ସେ କହିଥିଲେ। ଓଡ଼ିଶା ‘ବିକଶିତ ଭାରତ’ ପ୍ରତି ଗୁରୁତ୍ବପୂର୍ଣ୍ଣ ଯୋଗଦାନ ‌େ‌ଦଉ ବୋଲି ସେ ଚାହୁଥିବା କହିବା ସହ ରାଜ୍ୟରେ ପୁଞ୍ଜିନିବେଶ କରିବାକୁ ଶିଳ୍ପପତିମାନଙ୍କୁ ‘ମୋଦୀ ଗ୍ୟାରେଣ୍ଟି’ ଦେଇଥିଲେ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.