Breaking News

‌‌ଏଫ୍‌ଡିଆଇ ନୀତି କୋହଳ ହେବ, ଅଂଶୀଦାରଙ୍କ ସହ ବିଚାରବିମର୍ଶ

ଦେଶକୁ ଅଧିକ ବିଦେଶୀ ପୁଞ୍ଜି ଆଣିବା ଲାଗି ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ନୀତିକୁ ଆହୁରି କୋହଳ କରିବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ୨୦୨୫-୨୬ ‌ବଜେଟ୍‌ରେ ବୀମାରେ...

ନୂଆଦିଲ୍ଲୀ: ଦେଶକୁ ଅଧିକ ବିଦେଶୀ ପୁଞ୍ଜି ଆଣିବା ଲାଗି ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ନୀତିକୁ ଆହୁରି କୋହଳ କରିବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ୨୦୨୫-୨୬ ‌ବଜେଟ୍‌ରେ ବୀମାରେ ଏଫ୍‌ଡିଆଇ ସୀମାକୁ ୭୪ ପ୍ରତିଶତରୁ ବଢ଼ାଇ ୧୦୦ ପ୍ରତିଶତ କରିଛନ୍ତି। ତେବେ ଆହୁରି ଏଭଳି କେତେକ କ୍ଷେତ୍ର ରହିଛି, ଯେଉଁଥିରେ ବିଦେଶୀ ପୁଞ୍ଜି ଲାଗି ରହିଥିବା ପ୍ରତିବନ୍ଧକ ଦୂର କରିବା ଆବଶ୍ୟକତା ରହିଛି। କିଭଳି ଅଧିକ ବିଦେଶୀ ପୁଞ୍ଜି ଦେଶକୁ ଆସିପାରିବ ତାହା ଜାଣିବା ଲାଗି ଶିଳ୍ପ ଓ ଆଭ୍ୟନ୍ତରୀଣ ବ୍ୟବସାୟ ପ୍ରସାର ବିଭାଗ (ଡିପିଆଇଆଇଟି) ପକ୍ଷରୁ ବିଭିନ୍ନ ବିଭାଗ, ନିୟାମକ ସଂସ୍ଥା, ଶିଳ୍ପ ସଂସ୍ଥା, ଉ‌ପଦେଷ୍ଟା ଓ ଆଇନ ସଂସ୍ଥା, ପେନ୍‌ସନ୍ ପାଣ୍ଠି, ପ୍ରାଇଭେଟ୍ ଇକ୍ବିଟି ଓ ଭେଞ୍ଚର କ୍ୟାପିଟାଲ୍‌ମାନଙ୍କ ସହ ଆଲୋଚନା କରାଯାଇଥିଲା। ଏଫ୍‌ଡିଆଇକୁ ନେଇ ରହିଥିବା କେତେକ ସମସ୍ୟାର ସମାଧାନ ଲାଗି ବୈଠକରେ ‌ସୁଚିନ୍ତିତ ପରାମର୍ଶ ମିଳିଛି। କିଛି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। କିନ୍ତୁ ନିୟମକୁ ଆହୁରି କୋହଳ କରିବା ଉପରେ ବିଚାର କରାଯାଉଛି।

ଇ-କମର୍ସ କ୍ଷେତ୍ରରେ କେବଳ ରପ୍ତାନି ପାଇଁ ଅନ୍‌ଲାଇନ୍ କାରବାରର ଇନ୍‌ଭେ‌‌ଣ୍ଟୋରି ମଡେଲ୍‌‌ରେ ଏଫ୍‌ଡିଆଇ ଅନୁମତି ଦେବା, ହିତଧିକାରୀ ମାଲିକାନା ସଂଜ୍ଞାର ପ୍ରେସ୍‌ ନୋଟ୍‌ ୩ କୋହଳ କରିବା ଏବଂ ଏକକ ବ୍ରାଣ୍ଡ୍‌ର ଖୁଚୁରା କାରବାରରେ ନିୟମ କୋହଳ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ମାଲିକାନା ସମ୍ପର୍କିତ ପ୍ରେସ୍‌ ନୋଟ୍‌ରେ ଭାରତ ସହ ଯେଉଁ ଦେଶଗୁଡ଼ିକର ସୀମା ରେଖା ଯୋଡ଼ିହୋଇ ରହିଛି, ସେହି ଦେଶଗୁଡ଼ିକରୁ ଆସୁଥିବା ନିବେଶ ପ୍ରସ୍ତାବ ପାଇଁ ସରକାରୀ ଅନୁମୋଦନ ବାଧ୍ୟତାମୂଳକ କରାଯାଇଛି। ଚୀନ୍‌କୁ ନଜରରେ ରଖିବା ଲାଗି ନିଆଯାଇଥିବା ଏହି ପଦକ୍ଷେପ ଅନ୍ୟ ଦେଶଗୁଡ଼ିକରୁ ଆସୁଥିବା ନିବେଶ ପାଇଁ ପ୍ରତିବନ୍ଧକ ସାଜିଥିବା କୁହାଯାଉଛି। ୨୦୦୦ ଏପ୍ରିଲ୍‌ରୁ ୨୦୨୪ ‌‌ସେପ୍ଟେମ୍ବର ମଧ୍ୟରେ ଦେଶକୁ ୧ ଲକ୍ଷ କୋଟି ଡଲାରରୁ ଅଧିକ ଏଫ୍‌ଡିଆଇ ଆସିଛି। କମ୍ପ୍ୟୁଟର ସଫ୍ଟୱେର, ହାର୍ଡୱେର୍‌, ଟେଲିଯୋଗାଯୋଗ, ଟ୍ରେଡିଂ, ନିର୍ମାଣ, ଅଟୋମୋବାଇଲ୍‌, ‌ରସାୟନ ଓ ଫାର୍ମାସ୍ୟୁଟିକାଲ୍‌ କ୍ଷେତ୍ର ଅଧିକ ବିଦେଶୀ ନିବେଶ ଆକୃଷ୍ଟ କରିଛନ୍ତି। ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍‌ରୁ ସେପ୍ଟେମ୍ବର ମଧ୍ୟରେ ଦେଶକୁ ୨୯୭୯ କୋଟି ଡଲାରର ଏଫ୍‌ଡିଆଇ ଆସିଛି ଯାହା ପୂର୍ବବର୍ଷର ସେହି ସମୟ ତୁଳନାରେ ୪୫ ପ୍ରତିଶତ ଅଧିକ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.