Breaking News

ପରୀକ୍ଷା ଓ ଜୀବନଯୁଦ୍ଧ ପାଇଁ ସଫଳତାର ମନ୍ତ୍ର

ପ୍ରକୃତି, ନିଜର ଅସୀମିତ ଜ୍ଞାନ ବଳରେ, ପ୍ରତ୍ୟେକ ମଣିଷକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଆମ ଟିପଚିହ୍ନ ଠାରୁ ନେଇ ଆଖି ପିତୁଳା ପର୍ଯ୍ୟନ୍ତ, ଆମ ଧାରଣାଠାରୁ ନେଇ ବିଚାର ପର୍ଯ୍ୟନ୍ତ, ଆମ ପ୍ରତିଭାଠାରୁ ନେଇ ଉପଲବ୍‌ଧି ପର୍ଯ୍ୟନ୍ତ, ଆମେ ସମସ୍ତେ ପରସ୍ପଠାରୁ ଭିନ୍ନ ଓ ଅଭିନବ।

ପ୍ରକୃତି, ନିଜର ଅସୀମିତ ଜ୍ଞାନ ବଳରେ, ପ୍ରତ୍ୟେକ ମଣିଷକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଆମ ଟିପଚିହ୍ନ ଠାରୁ ନେଇ ଆଖି ପିତୁଳା ପର୍ଯ୍ୟନ୍ତ, ଆମ ଧାରଣାଠାରୁ ନେଇ ବିଚାର ପର୍ଯ୍ୟନ୍ତ, ଆମ ପ୍ରତିଭାଠାରୁ ନେଇ ଉପଲବ୍‌ଧି ପର୍ଯ୍ୟନ୍ତ, ଆମେ ସମସ୍ତେ ପରସ୍ପଠାରୁ ଭିନ୍ନ ଓ ଅଭିନବ। ମଣିଷର ଏହି ଅଭିନବ ବିଶେଷତ୍ୱ ଆମ ସମାଜର ପରିଭାଷିତ ବୈଶିଷ୍ଟ୍ୟ ହୋଇ ରହିଆସିଛି। ତେଣୁ ଆମ ଶିକ୍ଷା ପ୍ରଣାଳୀ ମଧ୍ୟ ଏହି ସ୍ୱତନ୍ତ୍ର ବୈଶିଷ୍ଟ୍ୟକୁ ପ୍ରତିଫଳିତ କରିବା ଆବଶ୍ୟକ। ପ୍ରତ୍ୟେକ ପିଲାଙ୍କ ମଧ୍ୟରେ କିଛି ନା କିଛି ପ୍ରତିଭା ଥାଏ; କିଛି ଉଜ୍ଜ୍ୱଳ ଶିକ୍ଷାଗତ ପ୍ରତିଭାରେ ଚହଟିଥା’ନ୍ତି, ଅନ୍ୟ କେତେକଙ୍କ ପାଖରେ ସୃଜନଶୀଳ ଭାବନା ରହିଥାଏ ତ ଆଉ କେହି କ୍ରୀଡ଼ା କୌଶଳ ଓ ବୃତ୍ତିଗତ ଦକ୍ଷତାରେ ଉତ୍କର୍ଷ ହାସଲ କରନ୍ତି। ଏହି ଅଭିନବ ଗୁଣ ଉପରେ ଆଲୋକପାତ କରି ସ୍ୱାମୀ ବିବେକାନନ୍ଦ ଏକଦା କହିଥିଲେ, ‘‘ଶିକ୍ଷା ମଣିଷ ଭିତରେ ପୂର୍ବରୁ ରହିଥିବା ପରିପୂର୍ଣ୍ଣତାର ଅଭିବ୍ୟକ୍ତି ଅଟେ।’’
ପିଲାମାନଙ୍କର ପ୍ରକୃତ ପ୍ରତିଭା ସାମ୍ନାକୁ ଆଣିବା ତଥା ସେମାନଙ୍କୁ ନିଜ ପସନ୍ଦର ଶିକ୍ଷାଗତ ଓ ପାଠ୍ୟକ୍ରମ ବହିର୍ଭୂତ କାର୍ଯ୍ୟକଳାପରେ ସୃଜନଶୀଳ ଢଙ୍ଗରେ ସମ୍ପୃକ୍ତ କରିବା, ଆମ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଏକ କଠିନ ଆହ୍ୱାନ ହୋଇ ରହିଆସିଛି। ଶିକ୍ଷକ ଓ ନୀତି ନିର୍ଦ୍ଧାରକ ଭାବରେ ଆମର ଭୂମିକା ହେଉଛି, ପ୍ରତ୍ୟେକ ପିଲାର ଅନନ୍ୟ ପ୍ରତିଭାକୁ ପ୍ରୋତ୍ସାହନ ଦେବା। ଏହା ମନୋନୀତ କାର୍ଯ୍ୟରେ ପିଲାକୁ ସଫଳତା ଆଡ଼କୁ ନେଇଯାଏ। ଆମେ ପ୍ରତିଭାକୁ କିଭଳି ପରିଭାଷିତ କରିବା ଏବଂ ପ୍ରୋତ୍ସାହନ ଦେବା, ସେ ଦିଗରେ ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦ ଏକ ଆଦର୍ଶଗତ ପରିବର୍ତ୍ତନ ଆଣିଛି। ଏହା ଏକ ଦାର୍ଶନିକ ଢାଞ୍ଚା ଯାହା ବାସ୍ତବରେ ପ୍ରତ୍ୟେକ ପିଲା ଭିତରେ ଥିବା ଅଭିନବ ପ୍ରତିଭାର ସୂକ୍ଷ୍ମ ରୂପରେଖକୁ ଚିତ୍ରିତ କରିଥାଏ ଏବଂ ଆମ ଦେଶର ପ୍ରଗତିରେ ଯୋଗଦାନ ଦିଏ।
ଆମ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ, ଆମେ ଶିକ୍ଷା କ୍ଷେତ୍ରରେ ପୁଙ୍ଖାନୁପୁଙ୍ଖ ସଂସ୍କାର କାର୍ଯ୍ୟକାରୀ କରୁଛୁ, ଯାହାଦ୍ୱାରା ପିଲାଙ୍କ ଶିକ୍ଷା ଯାତ୍ରା ସର୍ବଦା ରୋମାଞ୍ଚକର ଓ ସ୍ମରଣୀୟ ହୋଇ ରହିବ। ଅଧ୍ୟୟନ କିମ୍ବା ପରୀକ୍ଷା ସମୟରେ ସେମାନେ କୌଣସି ପ୍ରକାର ଚାପ ଓ ବୋଝ ଠାରୁ ମୁକ୍ତ ରହିବେ। ମୌଳିକ ଶିକ୍ଷା ଠାରୁ ଆରମ୍ଭ କରି ସର୍ବୋଚ୍ଚ ସ୍ତରର ଶିକ୍ଷା ଓ ଗବେଷଣା ପର୍ଯ୍ୟନ୍ତ, ଏହି ଦୃଷ୍ଟିକୋଣ ହେଉଛି ଆମର ଶିକ୍ଷା ସଂସ୍କାରର କେନ୍ଦ୍ରବିନ୍ଦୁ।
କିଛି ବର୍ଷ ପୂର୍ବେ, ଆମ ଶିଶୁ ବିଦ୍ୟାର୍ଥୀଙ୍କ ପାଇଁ ବାଲ ବାଟିକା କିମ୍ବା ଖେଳନା ଉପରେ ଆଧାରିତ ଶିକ୍ଷା ବ୍ୟବସ୍ଥାକୁ ନେଇ ଅନେକ ସନ୍ଦେହ ପ୍ରକାଶ ପାଇଥିଲା। ଆଜି ‘ଏନ୍‌ଇପି’ କାରଣରୁ ଏହି ଅଭିନବ ଦୃଷ୍ଟିକୋଣ ପ୍ରାରମ୍ଭିକ ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିଛି, ଫଳରେ ଶିଖିବା ଏକ ବୋଝ ପରିବର୍ତ୍ତେ ଆନନ୍ଦଦାୟକ ଅନୁଭୂତି ପାଲଟିଛି। ପ୍ରତ୍ୟେକ ପିଲା ନିଜର ପ୍ରାକୃତିକ ପ୍ରତିଭା ବଳରେ ଚମକିବା ଉଚିତ ବୋଲି ଆମ ଶିକ୍ଷା ବ୍ୟବସ୍ଥା ବିବେଚନା କରିଥାଏ।
ଆମର କ୍ରେଡିଟ୍ ହସ୍ତାନ୍ତର ନୀତି ଏକ ‘ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍’ ସ୍ଥାପନ କରି ଆଉ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି। ଜୀବନର ମାର୍ଗ ସବୁବେଳେ ସିଧା ନହୋଇ ଅଙ୍କାବଙ୍କା ହୋଇଥାଏ ଏବଂ ଶିକ୍ଷା ଭିନ୍ନ ଭିନ୍ନ ପରିସ୍ଥିତି ଓ ଭିନ୍ନ ଗତିରେ ହୋଇପାରେ ବୋଲି ଏହା ସ୍ୱୀକାର କରିଛି। ନିଜ ପସନ୍ଦର କ୍ଷେତ୍ରକୁ ବାଛିବା, ବାସ୍ତବ ଅଭିଜ୍ଞତା ହାସଲ କରିବା କିମ୍ବା ପରିବାରକୁ ସମର୍ଥନ କରିବା ନିମନ୍ତେ ଶିକ୍ଷାର୍ଥୀମାନେ ଆନୁଷ୍ଠାନିକ ଶିକ୍ଷା ବନ୍ଦ କରିବାର ସମ୍ଭାବନା ରହିଥାଏ। ସେମାନେ ପୁଣିଥରେ ଯେତେବେଳେ ଆନୁଷ୍ଠାନିକ ଶିକ୍ଷାକୁ ଫେରନ୍ତି, ସେମାନଙ୍କର ଅଭିଜ୍ଞତା ଓ ସଫଳତା କାମରେ ଆସେ। ଏହା ଅତି ମୂଲ୍ୟବାନ ହୋଇଥାଏ ଏବଂ ସେମାନଙ୍କର ଏକାଡେମିକ କ୍ରେଡିଟ୍‌ ରେକର୍ଡରେ ଏହାକୁ ସାମିଲ କରାଯାଏ। ଶିକ୍ଷାର ଦ୍ୱାର ସବୁବେଳେ ଯେପରି ଖୋଲା ରହିବ ଓ ସେମାନେ ଯେକୌଣସି ସମୟରେ ପୁଣିଥରେ ଶିକ୍ଷଣ ପରିବେଶକୁ ଫେରିପାରିବେ ତାହା ଏହି ଅନୁକୂଳତା ଦ୍ୱାରା ସୁନିଶ୍ଚିତ ହୋଇଥାଏ।
ପରୀକ୍ଷା ଆମ ଯୁବପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଥାଏ। ଏହାକୁ ଦୃଷ୍ଟିରେ ରଖି ସରକାର ଏପରି ଏକ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ଯେଉଁଥିରେ ପରୀକ୍ଷାର ସଫଳତା କିମ୍ବା ବିଫଳତା କେବେ ବି ପିଲାମାନଙ୍କର ସାମଗ୍ରିକ ବିକାଶ ଉପରେ ପ୍ରଭାବ ପକାଇବ ନାହିଁ। ଏହି ଗୁରୁତ୍ୱପୂର୍ଣ୍ଣ ଆହ୍ୱାନକୁ ସ୍ୱୀକାର କରି ଆମ ସରକାର ପରୀକ୍ଷା ଜନିତ ଚାପ ଦୂର କରିବାରେ ସାହାଯ୍ୟ କରିବା ଲାଗି ଏହାକୁ ଏକ ଜାତୀୟ ପ୍ରାଥମିକତା ଭାବେ ଗ୍ରହଣ କରିଛନ୍ତି। ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ ପରୀକ୍ଷା ଜନିତ ଚିନ୍ତାକୁ ଏକ ଜାତୀୟ ଆଲୋଚନାର ପ୍ରସଙ୍ଗରେ ପରିଣତ କରିଛି। ବର୍ଷ ବର୍ଷ ଧରି ପ୍ରଭାବଶାଳୀ ମସ୍ତିଷ୍କ ଉପରେ ଅନାବଶ୍ୟକ ଚାପ ପକାଉଥିବା ପରୀକ୍ଷା ଚିନ୍ତାକୁ ଦୂର କରିବା ପାଇଁ ସେ ପ୍ରୟାସ କରିଛନ୍ତି। ନିଜ ଜୀବନ ଓ ଅଭିଜ୍ଞତାରୁ ପ୍ରାପ୍ତ ପ୍ରଧାନମନ୍ତ୍ରୀଙ୍କ ବ୍ୟାବହାରିକ ପରାମର୍ଶକୁ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ଭଲ ଭାବେ ଗ୍ରହଣ କରିଛନ୍ତି, ଯାହାଦ୍ୱାରା ସେମାନଙ୍କ ଦ୍ୱାରା ଏକ ବାଧାମୁକ୍ତ ଓ ଚାପମୁକ୍ତ ସର୍ବୋତ୍ତମ ପରୀକ୍ଷା ପ୍ରଦର୍ଶନ ସୁନିଶ୍ଚିତ ହୋଇଛି। ପ୍ରକୃତ ନେତୃତ୍ୱର ଏକ ଉଦାହରଣ ସ୍ୱରୂପ ଆମେ ଭାରତୀୟମାନଙ୍କ ଭବିଷ୍ୟତ ପିଢ଼ିକୁ ପ୍ରୋତ୍ସାହିତ କରିବା ପାଇଁ ଜଣେ ଦୂରଦୃଷ୍ଟିସମ୍ପନ୍ନ ନେତାଙ୍କ ଉତ୍ସର୍ଗୀକୃତ ମନୋଭାବକୁ ଦେଖୁଛୁ, ଯାହା ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିଥାଏ ଏବଂ ପ୍ରଗତି ଦିଗରେ ରାଷ୍ଟ୍ରର ଅବିସ୍ମରଣୀୟ ଯାତ୍ରାକୁ ସୁନିଶ୍ଚିତ କରିଥାଏ।
ପିତାମାତା ଓ ନାଗରିକ ସମାଜ ଏହି ପରିବର୍ତ୍ତନର କେନ୍ଦ୍ରବିନ୍ଦୁ। ‘ପରୀକ୍ଷା ପେ ଚର୍ଚ୍ଚା’ ମାନସିକ ସ୍ୱାସ୍ଥ୍ୟ ଓ ସହାୟକ ଶିକ୍ଷଣ ପରିବେଶର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଉପରେ ଆଲୋକପାତ କରିବାରେ ପରିବର୍ତ୍ତନଶୀଳ ପ୍ରଭାବ ପକାଇଛି। ଏହା ଏପରି ଏକ ମାନସିକତା, ଯାହାକୁ କେବଳ ଦଶମ ଓ ଦ୍ୱାଦଶ ବୋର୍ଡ ନୁହେଁ, ବରଂ ସବୁ ଶ୍ରେଣୀଗୃହ ଓ ସବୁ ବୟସର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟାପକ ଓ ପରିବ୍ୟାପ୍ତ କରିବାର ଆବଶ୍ୟକତା ରହିଛି। ଶିକ୍ଷଣର ସମସ୍ତ ପର୍ଯ୍ୟାୟରୁ ପରୀକ୍ଷାର ଚାପ ଓ ବୋଝ ଦୂର ହେବା ଆବଶ୍ୟକ।
ମହାପୁରୁଷ ରବୀନ୍ଦ୍ର ନାଥ ଟାଗୋର ଯଥାର୍ଥରେ କହିଛନ୍ତି, ‘‘ଗୋଟିଏ ପିଲାକୁ ନିଜ ଶିକ୍ଷା ମଧ୍ୟରେ ସୀମିତ ରଖନ୍ତୁ ନାହିଁ, କାରଣ ସେ ଅନ୍ୟ ଏକ ସମୟରେ ଜନ୍ମ ନେଇଛି।’’ ଶିକ୍ଷାଗତ ପରିବର୍ତ୍ତନ ପାଇଁ ଆମର ଆଭିମୁଖ୍ୟ ଏହି ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ। ଶିକ୍ଷାରେ ଚାପ ଅନିବାର୍ଯ୍ୟ ବୋଲି ଯେଉଁ ଧାରଣା ରହିଛି ସେଥିରେ ଆଉ ଏକ ବୁଝାମଣା ପାଇଁ ସୁଯୋଗ ରହିବା ଆବଶ୍ୟକ ଏବଂ ତାହା ହେଉଛି ଅନୁକୂଳ ପରିବେଶରେ ପ୍ରକୃତ ଶିକ୍ଷା ସମୃଦ୍ଧ ହୁଏ। ଜନସମାଜ, ଶିକ୍ଷକ ଓ ପରିବାର ଏକାଠି ହୋଇ ଅନୁକୂଳ ପରିବେଶ ସୃଷ୍ଟି କରିପାରିଲେ ଛାତ୍ରଛାତ୍ରୀ ଉନ୍ନତି କରିପାରିବେ ଏବଂ ସଫଳତା ପାଇପାରିବେ।
ଶ୍ରେଣୀଗୃହ ଠାରୁ ଆରମ୍ଭ କରି ଖେଳ ପଡ଼ିଆ ପର୍ଯ୍ୟନ୍ତ, ଧନ୍ଦାମୂଳକ ତାଲିମ କେନ୍ଦ୍ରଠାରୁ ଆରମ୍ଭ କରି ଗବେଷଣାଗାର ପର୍ଯ୍ୟନ୍ତ, ଆମକୁ ଏପରି ଏକ ସ୍ଥାନ ସୃଷ୍ଟି କରିବାକୁ ହେବ, ଯେଉଁଠାରେ ବିବିଧ ପ୍ରତିଭାର ବିକାଶ ହୋଇପାରିବ। ବ୍ୟକ୍ତିଗତ ସାମର୍ଥ୍ୟକୁ ସ୍ୱୀକୃତି ଓ ପୋଷଣ କରୁଥିବା ଏକ ଅଧିକ ସୂକ୍ଷ୍ମ, ପ୍ରତିକ୍ରିୟାଶୀଳ ପ୍ରଣାଳୀକୁ ରାସ୍ତା ଦେବା ପାଇଁ ସମସ୍ତଙ୍କୁ ଗୋଟିଏ ନିକିତିରେ ତଉଲିବାର ପୁରୁଣାକାଳିଆ ଚିନ୍ତାଧାରାକୁ ପରିବର୍ତ୍ତନ କରିବାକୁ ହେବ।
ଯେତେବେଳେ ଆମେ ବିକଶିତ ଭାରତ ଦିଗରେ ଦ୍ରୁତ ଗତିରେ ଆଗକୁ ବଢୁଛୁ, ଆମର ଶିକ୍ଷା ବ୍ୟବସ୍ଥା ଜାତୀୟ ପରିବର୍ତ୍ତନର ଏକ ପ୍ରମୁଖ ମୂଳଦୁଆ ଭାବେ ଛିଡ଼ା ହୋଇଛି। ଆମେ ସ୍ୱୀକାର କରୁଛୁ ଯେ ପ୍ରତ୍ୟେକ କୌଶଳର ଯୋଗ୍ୟତା ରହିଛି, ପ୍ରତ୍ୟେକ ଯାତ୍ରାର ମୂଲ୍ୟ ରହିଛି, ଏବଂ ପ୍ରତ୍ୟେକ ପିଲା ପାଖରେ ଉତ୍କର୍ଷ ପାଇଁ ନିଜସ୍ୱ ଅଭିନବ ପଥ ଆବିଷ୍କାର କରିବାର ଅଧିକାର ରହିଛି। ଯେତେବେଳେ ଆମେ ବିବିଧ ପ୍ରତିଭାର ପୋଷଣ କରୁ, ସେତେବେଳେ ଆମେ ଆମ ସମାଜର ଗଠନକୁ ସୁଦୃଢ଼ କରୁ ଏବଂ ସମସ୍ତ କ୍ଷେତ୍ରରେ ଆମ ଦେଶର ସାମର୍ଥ୍ୟକୁ ବୃଦ୍ଧି କରୁ।
ଆଜି ମୁଁ ଆମ ମହାନ ରାଷ୍ଟ୍ରର ପ୍ରତ୍ୟେକ ପିତାମାତା, ଶିକ୍ଷକ ଓ ନାଗରିକଙ୍କୁ ଆହ୍ୱାନ କରୁଛି। ଶିକ୍ଷାର ପରିବର୍ତ୍ତନ କେବଳ ଏକ ସରକାରୀ ପଦକ୍ଷେପ ନୁହେଁ, ଏହା ଏକ ଜାତୀୟ ମିସନ୍‌ ଯାହା ଆମର ସାମୂହିକ ପ୍ରତିବଦ୍ଧତା ଓ ସହଭାଗୀ ଦୃଷ୍ଟିକୋଣ ଆବଶ୍ୟକ କରେ। ସରକାର ଓ ନାଗରିକ ସମାଜ ମଧ୍ୟରେ ସହଯୋଗ ଓ ଭାଗୀଦାରି ଆମର ନୀତି ଓ କାର୍ଯ୍ୟକଳାପକୁ ପରିଭାଷିତ କଲେ ଆମେ ଆମର ଲକ୍ଷ୍ୟ ହାସଲ କରିପାରିବା।
ଆମର ପିଲାମାନେ ହେଉଛନ୍ତି ଆମର ଭବିଷ୍ୟତ। ସେମାନେ ନିଜର ଅଭିନବ ପ୍ରତିଭା ଦ୍ୱାରା ଉଜ୍ଜ୍ୱଳ ହେବେ ଏବଂ ଦେଶକୁ ଗର୍ବିତ କରିବେ। ଏକ ଉଜ୍ଜ୍ୱଳ ଭବିଷ୍ୟତ ଆମକୁ ଆହ୍ୱାନ କରୁଛି। ଆମେ ବିଶ୍ୱାସ କରୁ ଯେ ପ୍ରତ୍ୟେକ ଶିଶୁର ସ୍ୱତନ୍ତ୍ରତା ମଧ୍ୟରେ ଭାରତ ଭବିଷ୍ୟତର ସ୍ୱତନ୍ତ୍ରତା ନିହିତ ରହିଛି। ଚାପମୁକ୍ତ ଶିକ୍ଷା ଆମର ଅତ୍ୟନ୍ତ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ଅଭିନବ ଯୋଗଦାନର ଚାବିକାଠି ହେବ।
(ମତାମତ ଲେଖକଙ୍କ ନିଜସ୍ବ)

ଧର୍ମେନ୍ଦ୍ର ପ୍ରଧାନ
ମନ୍ତ୍ରୀ, ଶିକ୍ଷା ମନ୍ତ୍ରଣାଳୟ, 
ଭାରତ ସରକାର

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.