Breaking News

ଅସମ୍ଭାଳ ଭିଡ ପାଇଁ ପ୍ରୟାଗରାଜରେ ଖାଦ୍ୟ ସଂକଟ: ସରିଯାଇଛି ଅଟା-ଡାଲି-ମଇଦା-ସୁଜି, ଶୁଖିଲା ପଡିଛି ପେଟ୍ରୋଲ ପମ୍ପ୍

ପ୍ରୟାଗରାଜ: ମହାକୁମ୍ଭରେ ଅସମ୍ଭାଳ ଭିଡ । ସାରା ଦେଶ ସମେତ ବିଦେଶର ଲୋକ ଏବେ ମହାକୁମ୍ଭ ମୁହାଁ । ଯାହାକୁ ଦେଖିବ ସିଏ ମହାକୁମ୍ଭ ଯାଉଛି, ତେଣୁ ଭିଡ ଦିନକୁ ଦିନ ବଢୁଛି । ୧୨ ଫେବୃୟାରୀ ମାଘ ପୂର୍ଣ୍ଣିମା ପଡୁଥିବାରୁ ଶ୍ରଦ୍ଧାଳୁଙ୍କ ସମାଗମ ଅସମ୍ଭାଳ ହୋଇଛି । ଭିଡ ଏତେ ବଢିଯାଇଛି ଯେ ପ୍ରୟାଗରାଜରେ ସ୍ଥିତି ସଙ୍ଗୀନ୍ ହୋଇଛି । ସବୁଠି ଦେଖିବାକୁ ମିଳିଛି ହାହାକାର ପରିସ୍ଥିତି । ଭିଡକୁ ଦୃଷ୍ଟିରେ ରଖି ଭାରି ଯାନକୁ ସହର ଭିତରକୁ ପ୍ରବେଶ ଉପରେ ରୋକ ଲଗାଯାଇଛି ।

ତେବେ ଅସମ୍ଭାଳ ଭିଡ ପାଇଁ ସହରରେ ଖାଦ୍ୟାଭାବ ଉପୁଜିଛି । ଗୋଟେ ଗୋଟେ ଦୋକାନରୁ ଅଟା ଉଭାନ ହେଇଯାଇଛି । ମଇଦା ମିଳୁନି, ସୁଜି ସରିଯାଇଛି । ଅଧିକାଂଶ ଦୋକାନର ଥାକ ଖାଲି ପଡିଛି । ୫ କେଜିଆ ଅଟା ପ୍ୟାକେଟର ଘୋର ଅଭାବ ଦେଖା ଦେଇଛି । ଆଉ ଯେଉଁଠି ଯେଉଁଠି ଅଟା ମିଳୁଛି କିଲୋ ପିଛା ଚଢା ଦରରେ ବିକ୍ରି ହେଉଛି ।

ଖାଲି କଣ ସେତିକି ସହରର ବିଭିନ୍ନ ଦୋକାନରୁ ଡାଲି ବି ସରିଯାଇଛି, ଯେଉଁଠି ଅଛି ସେଠି କିଲୋ ପିଛା ୫ ଟଙ୍କାରୁ ଅଧିକ ପଡୁଛି । ଚିନି କିଲୋ ପିଛା ୨ ଟଙ୍କା ଅଧିକ ବିକ୍ରି ହେଉଥିବା ବେଳେ ସୋରିଷ ତେଲ ଏବଂ ରିଫାଇନ ତେଲର ଘୋର ସଂକଟ ଦେଖା ଦେଇଛି । ଭିଡ କାରଣରୁ ସହର ଭିତରକୁ ମାଲବୋଝେଇ ଗାଡି ପ୍ରବେଶ କରିପାରୁନି ତେଣୁ ଏ ସବୁ ସମସ୍ୟା ସୃଷ୍ଟି ହୋଇଛି ।

ସେପଟେ ଖାଲି ପଡିଛି ପେଟ୍ରୋଲ ପମ୍ପ । ସହରର ୫୦ରୁ ଅଧିକ ପେଟ୍ରୋଲ ପମ୍ପରେ ଟୋପେ ବି ତେଲ ନାହିଁ । ପେଟ୍ରୋଲ, ଡିଜେଲ ଟ୍ୟାଙ୍କର ସହରକୁ ପ୍ରବେଶ କରିପାରୁ ନଥିବାରୁ ଟାଙ୍କି ଫାଙ୍କା ପଡିଛି ଯାହାର ପ୍ରଭାବ ଭାରି ମାତ୍ରାରେ ପଡିଛି ଏବଂ ଏଥିପାଇଁ ମୋଟର ବୋଟ୍ ବି ଅଟକି ରହିଛି ।

 

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.