Breaking News

‘ପରୀକ୍ଷା ପେ ଚର୍ଚ୍ଚା’ରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ: ବ୍ୟାଟର୍‌ଙ୍କ ଭଳି ପାଠରେ ଧ୍ୟାନ ଦିଅ

ପରୀକ୍ଷା ପେ ଚର୍ଚ୍ଚା (ପିପିସି ୨୦୨୫)ର ଅଷ୍ଟମ ସଂସ୍କରଣରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ଆଜି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ ନେତା ସଦ୍‌ଗୁରୁ...

ନୂଆଦିଲ୍ଲୀ: ପରୀକ୍ଷା ପେ ଚର୍ଚ୍ଚା (ପିପିସି ୨୦୨୫)ର ଅଷ୍ଟମ ସଂସ୍କରଣରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ଆଜି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ ନେତା ସଦ୍‌ଗୁରୁ, ଅଭିନେତ୍ରୀ ଦୀପିକା ପାଦୁକୋନ ଓ ବିକ୍ରାନ୍ତ ମାସେ, ଅଲିମ୍ପିକ୍ ଚାମ୍ପିୟନ ମେରି କମ୍ ଏବଂ ପାରାଲିମ୍ପିକ୍ସ ସ୍ୱର୍ଣ୍ଣପଦକ ବିଜେତା ଅବନୀ ଲେଖାରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ନିଜ ନିଜର ଅନୁଭୂତି ବାଣ୍ଟିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କୁ ନିମ୍ନୋକ୍ତ ପରାମର୍ଶ ଦେଇଛନ୍ତି। ସଫଳ ସମୟ ପରିଚାଳନା: ପ୍ରଧାନମନ୍ତ୍ରୀ ମୋଦୀ ରଣନୀତିକ ଢଙ୍ଗ‌ରେ ସମୟ ଉପଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। କେବଳ ନିଜ ପସନ୍ଦର ବିଷୟ ଉପରେ ଧ୍ୟାନ ନ ଦେଇ କଷ୍ଟ ବିଷୟକୁ ଅଧିକ ସମୟ ଦେବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଶିକ୍ଷକମାନଙ୍କୁ ପରାମର୍ଶ: କେବଳ ଉପଦେଶ ନ ଦେଇ ଛାତ୍ରଛାତ୍ରୀଙ୍କ ଅନନ୍ୟ ଶକ୍ତିକୁ ସକ୍ରିୟ ଭାବରେ ଚିହ୍ନିବା ପାଇଁ ଶିକ୍ଷକମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେ ଏପରି ଏକ ପରିବେଶ ସୃଷ୍ଟି କରିବା ପାଇଁ କହିଛନ୍ତି ଯେଉଁଠାରେ ଛାତ୍ରମାନେ ପାଠର ଗୁରୁତ୍ବ ଓ ମୂଲ୍ୟ ବୁଝିପାରିବେ। ପରୀକ୍ଷା ବନାମ ଜ୍ଞାନ: ପରୀକ୍ଷାର ମହତ୍ତ୍ୱକୁ ସ୍ୱୀକାର କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଶୈକ୍ଷିକ ପରୀକ୍ଷାକୁ ପ୍ରକୃତ ଶିକ୍ଷା ଭାବି ଭୁଲ୍‌ କରିବା ଉଚିତ ନୁହେଁ। କେବଳ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ପରିବର୍ତ୍ତେ ଜ୍ଞାନ ଅର୍ଜନ ଉପରେ ଧ୍ୟାନ ଦେବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଛନ୍ତି। ହବି ଓ ପାଠ୍ୟକ୍ରମ ବହିର୍ଭୂତ କାର୍ଯ୍ୟକଳାପ: ପିତାମାତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ପିଲାମାନଙ୍କୁ ସେମାନଙ୍କ ଆଗ୍ରହ ଅନୁସନ୍ଧାନ କରିବାର ସ୍ୱାଧୀନତା ଦେବାକୁ କହିଥିଲେ। ଛାତ୍ରଛାତ୍ରୀମାନେ କେବଳ ବହିରେ ସୀମିତ ରହିବା ଉଚିତ ନୁହେଁ ବରଂ ନିଜର ହବି ପାଇଁ ସମୟ ଦେବା ଉଚିତ, କାରଣ ଏହା ସାମଗ୍ରିକ ବିକାଶକୁ ବଢ଼ାଇଥାଏ ବୋଲି ସେ କହିଛନ୍ତି। ଚାପର ମୁକାବିଲା: କ୍ରିକେଟ୍‌ରୁ ପ୍ରେରଣା ନେଇ ପ୍ରଧାନମନ୍ତ୍ରୀ ମୋଦୀ ଛାତ୍ରଛାତ୍ରୀମାନଙ୍କୁ ବାହ୍ୟ ଚାପ ପରିବର୍ତ୍ତେ ପାଠପଢ଼ାରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। ଯେମିତି ଜଣେ ବ୍ୟାଟ୍ସମ୍ୟାନ୍ ଦର୍ଶକଙ୍କ କୋଳାହଳ ଭିତରେ ବଲ୍ ଉପରେ ଧ୍ୟାନ ଦିଅନ୍ତି, ସେହିଭଳି ଛାତ୍ରଛାତ୍ରୀମାନେ ଚାପ ବିଷୟରେ ଚିନ୍ତା କରିବା ପରିବର୍ତ୍ତେ ଶିଖିବା ଉପରେ ଧ୍ୟାନ ଦେବା ଉଚିତ।

ସ୍ୱାସ୍ଥ୍ୟ, ନିଦ୍ରା ଓ ଖାଦ୍ୟପେୟ: ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସେ ଛାତ୍ରମାନଙ୍କୁ ସ୍ମରଣ କରାଇ ଦେଇଛନ୍ତି ଯେ କେବଳ ରୋଗରୁ ଦୂରେଇ ରହିବାକୁ ସ୍ୱାସ୍ଥ୍ୟ କୁହାଯାଏ ନାହିଁ – ଠିକ୍ ନିଦ୍ରା ଓ ସନ୍ତୁଳିତ ଖାଦ୍ୟ ସାମଗ୍ରିକ କଲ୍ୟାଣ ପାଇଁ ଗୁରୁତ୍ୱପୂର୍ଣ୍ଣ। ପରୀକ୍ଷା ପେ ଚର୍ଚ୍ଚା ୨୦୨୫ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଓ ମାର୍ଗଦର୍ଶନ ଦେବା, ଆତ୍ମବିଶ୍ୱାସ ବଢ଼ାଇବା ଓ ସକାରାତ୍ମକ ମାନସିକତା ସହିତ ପରୀକ୍ଷା ଋତୁ ପରିଚାଳନା କରିବା ଉପରେ ଗୁରୁତ୍ବ ଦେଇଛନ୍ତି। ଚଳିତ ବର୍ଷ ପରୀକ୍ଷା ପେ ଚର୍ଚ୍ଚାରେ ୩.୩୦ କୋଟିରୁ ଅଧିକ ଛାତ୍ରଛାତ୍ରୀ, ୨୦.୭୧ ଲକ୍ଷ ଶିକ୍ଷକ ଏବଂ ୫.୫୧ ଲକ୍ଷ ଅଭିଭାବକ ନାମ ପଞ୍ଜୀକରଣ କରିଥିଲେ।

 

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.