Breaking News

ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ‘ଅଧିକ ଚାପଗ୍ରସ୍ତ ହୁଅନ୍ତୁ ନାହିଁ’

ପରୀକ୍ଷା ପୂର୍ବରୁ ଅଧିକ ଚାପଗ୍ରସ୍ତ ହୁଅନ୍ତୁ ନାହିଁ। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପରାମର୍ଶ ମାନି ସମୟର ଠିକ୍‌ ଉପଯୋଗ କରନ୍ତୁ। ଆଗକୁ ବଢ଼ିବାର ଇଚ୍ଛା ନେଇ ଆତ୍ମବିଶ୍ୱାସର ସହ କଠୋର ପରିଶ୍ରମ ଜାରି ରଖନ୍ତୁ।

ଭୁବନେଶ୍ୱର: ପରୀକ୍ଷା ପୂର୍ବରୁ ଅଧିକ ଚାପଗ୍ରସ୍ତ ହୁଅନ୍ତୁ ନାହିଁ। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପରାମର୍ଶ ମାନି ସମୟର ଠିକ୍‌ ଉପଯୋଗ କରନ୍ତୁ। ଆଗକୁ ବଢ଼ିବାର ଇଚ୍ଛା ନେଇ ଆତ୍ମବିଶ୍ୱାସର ସହ କଠୋର ପରିଶ୍ରମ ଜାରି ରଖନ୍ତୁ। ତେବେ ଯାଇ ସଫଳତା ମିଳିବ। ଭୁବନେଶ୍ୱରସ୍ଥିତ ୟୁନିଟ‌୍‌-୧ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ‘ପରୀକ୍ଷା ପେ ଚର୍ଚ୍ଚା-୨୦୨୫’ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛାତ୍ରଛାତ୍ରୀଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି। ପରୀକ୍ଷାର୍ଥୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ ଶିକ୍ଷା ଜୀବନ ପ୍ରତି ଏକ ଆନନ୍ଦର ମନୋଭାବକୁ ପ୍ରୋତ୍ସାହିତ କରେ। ତେଣୁ ପରୀକ୍ଷା ପୂର୍ବ ସମୟକୁ ଭଲ ଭାବେ ଉପଯୋଗ କରିବା ସହିତ ନିଜକୁ ମାନସିକ ସ୍ତରରେ ଦୃଢ଼ ରଖନ୍ତୁ। ପରୀକ୍ଷା ସମୟରେ ଚିନ୍ତାରେ ନ ଆସି ଶିକ୍ଷକ ଶିକ୍ଷୟିତ୍ରୀଙ୍କ କଥା ମାନି ଏକାଗ୍ର ଚିତ୍ତରେ ପଢ଼ନ୍ତୁ। କେବେ ହେଲେ ପରୀକ୍ଷା ପ୍ରତି ଭୟ ରଖିବ ନାହିଁ। କାରଣ ଭୟ ଆସିଗଲେ ମନରୁ ଏକାଗ୍ରତା ଚାଲିଯିବ। ଏକାଗ୍ରତା ପାଇଁ ଟିକେ ରିଲାକ୍ସ ହେବା ଦରକାର। ତେଣୁ ଅଧିକ ସମୟ ଏକାଗ୍ର ଚିତ୍ତରେ ପଢ଼ିବାକୁ ହେଲେ ମଝିରେ ୫/୧୦ ମିନିଟ୍‌ ବିରତି ନେବାକୁ ହେବ। ଏହାପରେ ପୁଣିଥରେ ମନଦେଇ ପଢ଼ିବ। ଆତ୍ମବିଶ୍ୱାସର ସହ କଠୋର ପରିଶ୍ରମ ଜାରି ରଖିଲେ ଉଦ୍ୟମ ଆଦୌ ବୃଥା ଯିବ ନାହିଁ।

ସେ ଆହୁରି କହିଲେ ପରୀକ୍ଷା ଫଳ ଉପରେ ଫୋକସ୍‌ ନ କରି ପରୀକ୍ଷା ପ୍ରସ୍ତୁତି ଉପରେ ଅଧିକ ଗୁରୁତ୍ବ ଦେଲେ ହିଁ ସଫଳତା ମିଳିବ। ପରୀକ୍ଷା ସମୟରେ ଅଲଗା ଚିନ୍ତା ନକରି ଯାହା ପ୍ରଶ୍ନ ପଡ଼ିଛି, ସେହି ବିଷୟରେ ଧ୍ୟାନ ଦେବା ଉଚିତ। ଯେଉଁ ବିଷୟରେ ପରୀକ୍ଷା ଦେବେ ପରୀକ୍ଷା ପୂର୍ବରୁ ତାହାର ସାରାଂଶ ନୋଟ୍‌ କରି ରଖନ୍ତୁ। ଏହାକୁ ବାରମ୍ବାର ଅଭ୍ୟାସ କରି ପରୀକ୍ଷା ହଲ୍‌କୁ ଗଲେ ତୁମେମାନେ ନର୍ଭସ୍‌ ହେବ ନାହିଁ। ପାଠପଢ଼ା ସମୟରେ ଡିଜିଟାଲ ଉପକରଣର କମ୍‌ ବ୍ୟବହାର କରିବା ଉଚିତ। ବିଶେଷକରି ପରୀକ୍ଷା ବେଳେ ମୋବାଇଲଠାରୁ ଦୂରେଇ ରହିବା ଆବଶ୍ୟକ। ଶିକ୍ଷକମାନେ ଯାହା ପଢ଼ାଇଛନ୍ତି ତାହାକୁ ସର୍ବୋତ୍ତମ ମଡେଲ୍‌ ଭାବେ ଗ୍ରହଣ କରି ପ୍ରସ୍ତୁତ ହୁଅ। ତୁମମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ। କେବଳ ପାଠପଢ଼ା ଓ ଶିକ୍ଷକମାନଙ୍କ ପରାମର୍ଶ ନିଅ। ତା’ପରେ ଯାହା ହେବ ଭଲ ହେବ। ଏଥିରେ ଆଦୌ ସନ୍ଦେହ ନାହିଁ ବୋଲି ସେ କହିଥିଲେ।

ୟୁନିଟ‌୍‌-୧ ସରକାରୀ ଉଚ୍ଚବିଦ୍ୟାଳୟର ମାଟ୍ରିକ୍‌ ପରୀକ୍ଷା ଦେବାକୁ ଥିବା ୧୬୮ ଜଣ ଛାତ୍ରଛାତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ସିଧାସଳଖ କଥା ହେବା ସହ ପ୍ରସ୍ତୁତି ବିଷୟରେ ଆଲୋଚନା କରିଥିଲେ। ଉପସ୍ଥିତ ବିଦ୍ୟାର୍ଥୀଙ୍କ ମଧ୍ୟରୁ ଲିଜା ନାୟକ, ଶୁଭମ ପାତ୍ର, ଜେ ମିନାକ୍ଷୀ, ସସ୍ମିତା ସାହୁ, ସଞ୍ଜୀବ ଦିଗଲ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପ୍ରସ୍ତୁତି କିଟ୍‌ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଅନୁପମ ସାହା, ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସଙ୍କ ସମେତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ‘ପରୀକ୍ଷା ପେ’ ଚର୍ଚ୍ଚା’ର ଅଷ୍ଟମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିବା ସହ ସିଦ୍ଧାନ୍ତ ଓ ଦୃଢ଼ ବିଶ୍ୱାସର ସହ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ସହ ଚାପମୁକ୍ତ ରହି ପରୀକ୍ଷା ଦେବାକୁ ଉପଦେଶ ଦେଇଛନ୍ତି।

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.