Breaking News

ଆନ୍ଧ୍ର, ଛତିଶଗଡ଼ ଚାଲିଗଲା ଓଡ଼ିଶା ଧାନ: ଜଙ୍ଗଲ ଜମିରୁ ହୋଇଥିଲା ଉତ୍ପାଦନ

ଆଉ କିଛି ଦିନ ପରେ ମାଲକାନଗିରି ଜିଲ୍ଲାରେ ଶେଷ ହୋଇଯିବ ଖରିଫ ଧାନ ମଣ୍ଡି। ଆଜି ସୁଦ୍ଧା ୧୧ଲକ୍ଷ କୁଇଣ୍ଟାଲରୁ ଅଧିକ ଧାନ ମଣ୍ଡିରେ ବିକ୍ରି ହୋଇସାରିଲାଣି। ଆଗକୁ ଅଢ଼େଇ ଲକ୍ଷ କୁଇଣ୍ଟାଲ ଧାନ କିଣିବା ପାଇଁ ଯୋଜନା ଚାଲିଛି।

ମାଲକାନଗିରି: ଆଉ କିଛି ଦିନ ପରେ ମାଲକାନଗିରି ଜିଲ୍ଲାରେ ଶେଷ ହୋଇଯିବ ଖରିଫ ଧାନ ମଣ୍ଡି। ଆଜି ସୁଦ୍ଧା ୧୧ଲକ୍ଷ କୁଇଣ୍ଟାଲରୁ ଅଧିକ ଧାନ ମଣ୍ଡିରେ ବିକ୍ରି ହୋଇସାରିଲାଣି। ଆଗକୁ ଅଢ଼େଇ ଲକ୍ଷ କୁଇଣ୍ଟାଲ ଧାନ କିଣିବା ପାଇଁ ଯୋଜନା ଚାଲିଛି। ଏଥିପାଇଁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଚାଷୀଙ୍କ ନିକଟରେ ରହିଥିବା ଧାନର ପରିମାଣ ଯାଞ୍ଚ କରାଯାଉଛି। ବର୍ତ୍ତମାନ ଚାଷୀଙ୍କ ନିକଟରେ ଯେତିକି ଧାନ ଅଛି ଟାର୍ଗେଟ ପୂରଣ ହୋଇଯିବ। ତଥାପି ଜିଲ୍ଲାର ହଜାର ହଜାର ଚାଷୀ ଚଳିତବର୍ଷ ଖରିଫ ମଣ୍ଡିରେ ଧାନ ବିକ୍ରି କରିବାକୁ ସୁଯୋଗ ପାଇଲେ ନାହିଁ। ତେଣୁ ଆନ୍ଧ୍ର ଏବଂ ଛତିଶଗଡ଼ ବ୍ୟବସାୟୀଙ୍କୁ ଶସ୍ତାରେ ଧାନ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି ଆଦିବାସୀ ଚାଷୀ। କାରଣ ଏହି ଚାଷୀ ଜଙ୍ଗଲ ଜମିରେ ଧାନ ଚାଷ କରିଥିଲେ।

ସରକାରୀ ରିପୋର୍ଟ ଅନୁଯାୟୀ, ଚିତ୍ରକୋଣ୍ଡା ତହସିଲ ଅଧୀନରେ ୩୬୧୫ ଜଣ ହିତାଧିକାରୀଙ୍କୁ ୨୮୬୬ ହେକ୍ଟର ଜଙ୍ଗଲ ଜମି ପଟ୍ଟା ଦିଆଯାଇଛି। ସେହି ଭଳି କାଲିମେଳା ତହସିଲ ଅଧୀନରେ ୪୭୬୬ଜଣ ହିତାଧିକାରୀଙ୍କୁ ୬୫୨୫ ହେକ୍ଟର, ଖଇରପୁଟ ତହସିଲରେ ୪୧୭୬ ଜଣ ହିତାଧିକାରୀ ୩୭୦୯ ହେକ୍ଟର, କୋରୁକୋଣ୍ଡା ତହସିଲ ଅଧୀନରେ ୫୫୭୯ଜଣ ହିତାଧିକାରୀ ୫୭୧୪ ହେକ୍ଟର,  ମାଲକାନଗିରି ତହସିଲ ଅଧୀନରେ ୭୮୭୧ଜଣ ହିତାଧିକାରୀ ୮୮୧୯ ହେକ୍ଟର, ମାଥିଲି ତହସିଲ ଅଧୀନରେ ୮୬୭୦ଜଣ ହିତାଧିକାରୀ ୫୮୦୦ ହେକ୍ଟର ଏବଂ ପଡ଼ିଆ ତହସିଲ ଅଧୀନରେ ୨୪୮୯ଜଣ ହିତାଧିକାରୀ ୩୯୬୬ ହେକ୍ଟର ଜଙ୍ଗଲ ଜମି ପଟ୍ଟା ଦିଆଯାଇଛି।

ମାଲକାନଗିରି ଜିଲ୍ଲାରେ ମୋଟ ୩୭,୧୬୬ଜଣ ହିତାଧିକାରୀ ୩୭,୪୦୨ ହେକ୍ଟର ଜଙ୍ଗଲ ଜମି ପଟ୍ଟା ପାଇଛନ୍ତି। ସେଥିରୁ ୬୦ପ୍ରତିଶତ ଜଙ୍ଗଲ ଜମିରେ ଚଳିତ ଖରିଫ ଋତୁ‌ରେ ଧାନ ଚାଷ ହୋଇଥିଲା। କିନ୍ତୁ ଚାଷୀଙ୍କ ପଞ୍ଜୀକରଣ ସମୟରେ ଜଙ୍ଗଲ ଜମିକୁ ଗ୍ରହଣ କରାଗଲା ନାହିଁ। ସେହିପରି ଏଫ୍‌ଏକ୍ୟୁ ମାନର ଧାନ ଉତ୍ପାଦନ ହୋଇନଥିବା କୁହାଗଲା। ଏମିତି ବିଭିନ୍ନ ଆଳ ଦେଖାଇବାରୁ ଧାନ ବିକ୍ରିରୁ ବଞ୍ଚିତ ହୋଇଛନ୍ତି ହଜାର ହଜାର ଚାଷୀ। ବିଜେଡି ଜିଲ୍ଲା ସଭାପତି ମାନସ ମାଡ଼କାମୀ ଏବଂ ଆଦିବାସୀ ମହାସଂଘର ପୂର୍ବତନ ସଭାପତି ତଥା ଉପଦେଷ୍ଟା ଘନଶ୍ୟାମ ମାଡ଼କାମୀ ସରକାରଙ୍କ ଏହି ବ୍ୟବସ୍ଥାକୁ ପ୍ରବଳ ବିରୋଧ କରିଛନ୍ତି। ସରକାର ଦେଇଥିବା ଜମିରେ ଚାଷୀ ଧାନ ଚାଷ କରିଛନ୍ତି। ଚାଷୀ କ’ଣ ଅପରାଧ କରିଛନ୍ତି ଯେ ସରକାର ଧାନ କିଣୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଛତିଶଗଡ଼ ଏବଂ ଆନ୍ଧ୍ରକୁ ଧାନ ବିକ୍ରି କରି ଚାଷୀ ଶୋଷଣର ଶିକାର ହେଉଛନ୍ତି। ଆଗକୁ ଚାଷୀଙ୍କ ସ୍ବାର୍ଥ ଲାଗି ବିଜେଡି ଆନ୍ଦୋଳନ କରିବ ବୋଲି ସୂଚନା ଦେଇଛନ୍ତି।

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.