Breaking News

ବାପାଙ୍କ ପ୍ରତି ନିର୍ଦ୍ଦୟ ହେଲେ ପୁଅ, ନିସ୍ତୁକ ମାଡ଼ରେ ୨ ଜଣଙ୍କ ଜୀବନ ଗଲା

ବାପାଙ୍କ ପ୍ରତି ପୁଅଙ୍କ ଅତ୍ୟାଚାର ସୀମା ଟପିଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ଓ କେନ୍ଦୁଝର ଜିଲ୍ଲା ଯୋଡ଼ା ବାଂଶପାଣି ଅଞ୍ଚଳରେ ଦୁଇଟି ପୃଥକ ଘଟଣାରେ ୨ ଜଣ ବ୍ୟକ୍ତି ନିଜ ପୁଅଙ୍କ ଦ୍ବାରା ଲହୁଲୁହାଣ ହୋଇ ପ୍ରାଣ ହରାଇଛନ୍ତି।

କେସିଙ୍ଗା/ଯୋଡ଼ା: ବାପାଙ୍କ ପ୍ରତି ପୁଅଙ୍କ ଅତ୍ୟାଚାର ସୀମା ଟପିଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ଓ କେନ୍ଦୁଝର ଜିଲ୍ଲା ଯୋଡ଼ା ବାଂଶପାଣି ଅଞ୍ଚଳରେ ଦୁଇଟି ପୃଥକ ଘଟଣାରେ ୨ ଜଣ ବ୍ୟକ୍ତି ନିଜ ପୁଅଙ୍କ ଦ୍ବାରା ଲହୁଲୁହାଣ ହୋଇ ପ୍ରାଣ ହରାଇଛନ୍ତି। ସୂଚନା ଅନୁସାରେ କଳହାଣ୍ଡି କେସିଙ୍ଗା ଥାନା ବୋରିଂପଦରରେ ବିଦେଶୀ ଶବର (୬୦)ଙ୍କ ପରିବାର ଯାଯାବର ଜୀବନଯାପନ କରୁଛନ୍ତି। ରାତିରେ ଶୋଇବାକୁ କେନ୍ଦ୍ର କରି ଶନିବାର ରାତିରେ ବିଦେଶୀ ଓ ପୁଅ ଦିନେଶ ଶବର (୩୦)ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ନିଶାସକ୍ତ ଦିନେଶ ବାପାଙ୍କୁ ନିର୍ଘାତ ମାଡ଼ ମାରିଥିଲା। ପୁଅ ମାଡ଼ରେ ବିଦେଶୀ ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକ ତାଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଅଭିଯୁକ୍ତ ପୁଅ ଦିନେଶ ଫେରାର୍‌ ହୋଇଯାଇଥିଲା। ରବିବାର ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ପରେ ପୁଲିସ ଦିନେଶକୁ କାବୁ କରି ଅଟକ ରଖି ପଚରାଉଚରା କରୁଛି। ଏସ୍‌ଆଇ ଡି. ମୋହନ ଏହାର ତଦନ୍ତ କରୁଛନ୍ତି।

ସେପଟେ କେନ୍ଦୁଝର ଜିଲ୍ଲା ଯୋଡ଼ା ବାଂଶପାଣି ନିକଟ ଟୋଲ୍‌ଗେଟ୍‌ ବସ୍ତିରେ ପୁଅର କାଠଫାଳିଆ ମାଡ଼ରେ ବାପାର ଜୀବନ ଯାଇଛି। ମୃତକ ହେଉଛନ୍ତି ଅଜୟ ସେଠୀ (୫୦)। ଅଜୟଙ୍କ ‌ପୈତୃକ ଘର ଚମ୍ପୁଆ ନିକଟ ପତଳା ଗ୍ରାମରେ ହୋଇଥିବା ବେଳେ ସେ ଯୋଡ଼ାରେ ଗ୍ୟାରେଜ୍‌ ମିସ୍ତ୍ରି ଭାବେ କାମ କରିବା ସହ ପରିବାର ସହ ରହୁଥିଲେ। ପୁଅ ବିକାଶ ବିବାହ କରିବାକୁ ଜିଦ୍‌ କରୁଥିଲା। କାମଧନ୍ଦା କରିବା ପରେ ବାହାଘର କରାଯିବ ବୋଲି ବାପା ଅଜୟ କହୁଥିଲେ। ଏହାକୁ ନେଇ ଗତକାଲି ବାପପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ବିକାଶ ଉତ୍ତ୍ୟକ୍ତ ହୋଇ ଏକ କାଠଫାଳିଆରେ ବାପାଙ୍କୁ ଆକ୍ରମଣ କରିବା ଫଳରେ ଅଜୟ ଗୁରୁତର ହୋଇଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଟାଟାଷ୍ଟିଲ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ଅଜୟଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଯୋଡ଼ା ଥାନା କେସ୍‌ ନମ୍ବର ୨୫/୨୫ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଅଭିଯୁକ୍ତକୁ ପୁଲିସ ଗିରଫ କରିବା ସହ ତଦନ୍ତ ଜାରି ରଖିଛି।

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.