Breaking News

ଷଢ଼େଇକଳାରେ ଓଡ଼ିଆ ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିର୍ଯାତନା: ଶିକ୍ଷାଧିକାରୀଙ୍କ ଧମକରେ ବେହୋସ୍‌ ହୋଇପଡ଼ିଲେ

ଝାଡ଼ଖଣ୍ଡର ବିଚ୍ଛିନ୍ନାଞ୍ଚଳ ଷଢ଼େଇକଳାରେ ଅନେକ ସମୟରେ ଓଡ଼ିଆ ସ୍କୁଲ୍‌ଗୁଡ଼ିକ ପ୍ରାଶାସନିକ ଷଡ଼୍‌ଯନ୍ତ୍ରର ଶିକାର ହୋଇଆସୁଛନ୍ତି। ଓଡ଼ିଆ ଭାଷାକୁ ଆଗକୁ ବଢ଼ିବାକୁ ନଦେବାଠାରୁ ଆରମ୍ଭ...

ଷଢ଼େଇକଳା/ରାଇରଙ୍ଗପୁର: ଝାଡ଼ଖଣ୍ଡର ବିଚ୍ଛିନ୍ନାଞ୍ଚଳ ଷଢ଼େଇକଳାରେ ଅନେକ ସମୟରେ ଓଡ଼ିଆ ସ୍କୁଲ୍‌ଗୁଡ଼ିକ ପ୍ରାଶାସନିକ ଷଡ଼୍‌ଯନ୍ତ୍ରର ଶିକାର ହୋଇଆସୁଛନ୍ତି। ଓଡ଼ିଆ ଭାଷାକୁ ଆଗକୁ ବଢ଼ିବାକୁ ନଦେବାଠାରୁ ଆରମ୍ଭ କରି ଓଡ଼ିଆ ଶିକ୍ଷକ/ ଶିକ୍ଷୟିତ୍ରୀଙ୍କୁ ମାନସିକ ନିର୍ଯାତନା ଦେବା ପର୍ଯ୍ୟନ୍ତ ଅନେକ ଘଟଣା ଘଟୁଥିବା ଦେଖୁଥିବା ମିଳୁଛି। ନିକଟରେ ଜଣେ ଶିକ୍ଷାଅଧିକାରୀ ଧମକ ଦେବାରୁ ସେଠାରେ କାର୍ଯ୍ୟରତ ଓଡ଼ିଆ ପ୍ରଧାନଶିକ୍ଷୟିତ୍ରୀ ବେହୋସ୍‌ ହୋଇଯାଇଥିଲେ। ବିଦ୍ୟାଳୟର ଅନ୍ୟ ଶିକ୍ଷୟିତ୍ରୀ, ଶିକ୍ଷକ ମୁହଁରେ ପାଣି ସିଞ୍ଚିବା ପରେ ତାଙ୍କର ଚେତା ଫେରିଥିଲା। ଏହି ଘଟଣାକୁ କେନ୍ଦ୍ରକରି ଓଡ଼ିଆ ଭାଷାଭାଷୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଷଢ଼େଇକଳାର ଐତିହାସିକ ନୃପରାଜ ରାଜକୀୟ +୨ ସି.ଏମ୍ ଏକ୍ସଲେନ୍ସି ସ୍କୁଲ୍‌ରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ଅମ୍ବିକା ପ୍ରଧାନ। ଶିକ୍ଷାଧିକାରୀ ସନ୍ତୋଷ ଗୁପ୍ତା ତାଙ୍କୁ ସେବାପୁସ୍ତକ (ସର୍ଭିସ୍ ବୁକ୍)ରେ ପିଛିଲା ତାରିଖରେ ନୂତନ ଭାବେ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦସ୍ତଖତ କରିବା ପାଇଁ ଚାପ ପକାଇ ଆସୁଥିଲେ। ଗତ ଶୁକ୍ରବାର ଦିନ ସ୍କୁଲ୍‌ରେ ପହଞ୍ଚି ସେ ପୁନର୍ବାର ପିଛିଲା ତାରିଖରେ ଦସ୍ତଖତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର, ଲିଖିତ ଆକାରରେ ଆଦେଶ ନ ଦେଲେ ଦସ୍ତଖତ କରିବେ ନାହିଁ ବୋଲି ପ୍ରଧାନଶିକ୍ଷୟିତ୍ରୀ କହିଥିଲେ। ଏହାପରେ ଶିକ୍ଷାଧିକାରୀ ତାଙ୍କୁ ଗାଳିଗୁଲଜ କରିବା ସହିତ ଧମକ ଦେଇଥିଲେ। ଫଳରେ, ପ୍ରଧାନଶିକ୍ଷୟିତ୍ରୀ ଅମ୍ବିକା ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ବିଦ୍ୟାଳୟର ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ତାଙ୍କ ମୁହଁରେ ପାଣି ସିଞ୍ଚନ କରିବା ପରେ ତାଙ୍କର ଚେତା ଫେରିଥିଲା।

ଓଡ଼ିଆ ଭାଷାଭାଷୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ଏହି ଘଟଣାକୁ ନେଇ ସେଠାକାର ଓଡ଼ିଆ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଓଡ଼ିଆ ଭାଷାଭାଷୀ ସଂଗଠନର ପ୍ରମୁଖ କର୍ମକର୍ତ୍ତା ତଥା ବରିଷ୍ଠ ସାମ୍ବାଦିକ କାର୍ତ୍ତିକ କୁମାର ପରିଚ୍ଛା କହିଛନ୍ତି, ଶିକ୍ଷାଧିକାରୀ ଶ୍ରୀ ଗୁପ୍ତା ହଜାରିବାଗ ଜିଲ୍ଲାରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ବିରୋଧରେ ବହୁ ଅଭିଯୋଗ ରହିଥିଲା, ଯାହାର ତଦନ୍ତ ଚାଲିଛି। ସେହିପରି, ଷଢ଼େଇକଳାର ଏହି ସ୍କୁଲ୍‌ରେ ଯୋଗ ଦେଇଥିବା ୧୦ଜଣ ଅଣଓଡ଼ିଆ ଶିକ୍ଷକଙ୍କ ଚାକିରି ସମ୍ପର୍କିତ କାର୍ଯ୍ୟକୁ ତଞ୍ଚକତା କରିବାକୁ ଉଦ୍ୟମ କରୁଛନ୍ତି। ଏଥିରେ ସହଯୋଗ ନ କରିବାରୁ ଧମକ ଦେଉଛନ୍ତି। ଏହାର ତଦନ୍ତ କରାଯାଉ। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଓଡ଼ିଆ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ବିରୋଧରେ ଶ୍ରୀ ଗୁପ୍ତା ଷଡ଼୍‌ଯନ୍ତ୍ର କରୁଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଝାଡ଼ଖଣ୍ଡ ସରକାର ବିଭିନ୍ନ ପରୀକ୍ଷା ଓ ନିଯୁକ୍ତିରେ ଓଡ଼ିଆ ଭାଷାକୁ ତାଲିକାରୁ ବାଦ୍ ଦେଇଥିଲେ। ଯାହାକୁ ନେଇ ଝାଡ଼ଖଣ୍ଡରେ ବସବାସ କରୁଥିବା ଓଡ଼ିଆମାନେ ଅସନ୍ତୁଷ୍ଟ ପ୍ରକାଶ କରିବା ସହିତ ଉଭୟ ଓଡ଼ିଶା ଓ ଝା଼ଡଖଣ୍ଡ ସରକାରଙ୍କ ନିକଟରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଦାବି କରିଥିଲେ।

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.