Breaking News

ବର୍ଷ ଆରମ୍ଭରୁ ଦୁର୍ନୀତି ଉପରେ ପାହାର: ମାସକରେ ବନ୍ଧାହେଲେଣି ୭, ୨୦କୋଟିରୁ ଊର୍ଧ୍ବ ଟଙ୍କାର ସମ୍ପତ୍ତି ଠାବ, ୯ ଦୋଷୀ ସାବ୍ୟସ୍ତ

ଲାଞ୍ଚ କାରବାର ଯେମିତି ରକ୍ତରେ ମିଶିଗଲାଣି। ବାବୁମାନେ ଲାଞ୍ଚ ନ ନେଲେ ଫାଇଲ୍‌ ହଲୁନି। କିଏ କୃଷି ଋଣ କରାଇଦେବା ପାଇଁ ତ କିଏ ବ୍ୟବଚ୍ଛେଦ ରିପୋର୍ଟ ଦେବା ପାଇଁ ଲାଞ୍ଚ ନେଇ ଗିରଫ ହେଲାଣି।

ଭୁବନେଶ୍ବର: ଲାଞ୍ଚ କାରବାର ଯେମିତି ରକ୍ତରେ ମିଶିଗଲାଣି। ବାବୁମାନେ ଲାଞ୍ଚ ନ ନେଲେ ଫାଇଲ୍‌ ହଲୁନି। କିଏ କୃଷି ଋଣ କରାଇଦେବା ପାଇଁ ତ କିଏ ବ୍ୟବଚ୍ଛେଦ ରିପୋର୍ଟ ଦେବା ପାଇଁ ଲାଞ୍ଚ ନେଇ ଗିରଫ ହେଲାଣି। କିଏ ଜନ୍ମ ପଞ୍ଜୀକରଣ ସାର୍ଟିଫିକେଟ୍‌ ପାଇଁ ତ କିଏ ମାମଲାର ରଫାଦଫା ପାଇଁ ଲାଞ୍ଚ ମାଗି ବନ୍ଧାହେଲାଣି। ବର୍ଷ ଆରମ୍ଭରୁ ଦୁର୍ନୀତିଖୋର ବାବୁମାନଙ୍କ ଉପରେ ଭିଜିଲାନ୍‌ସ ପାହାର ବସିଲାଣି। ମାସକ ଭିତରେ ୭ ଲାଞ୍ଚୁଆବାବୁ ବନ୍ଧାହେଲେଣି। ୨୦କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଛି।

ରାଜ୍ୟରେ ଏମିତି କୌଣସି ବିଭାଗ ନାହିଁ ଯେଉଁଠି ଦୁର୍ନୀତି ହେଉନାହିଁ। ସବୁ ସରକାରୀ କାର୍ଯ୍ୟାଳୟରେ ମାଳମାଳ ଲାଞ୍ଚୁଆ ଅଧିକାରୀ ଓ କର୍ମଚାରୀ। ଚଳିତ ବର୍ଷ ଜାନୁଆରି ପହିଲାରୁ ଏପର୍ଯ୍ୟନ୍ତ ମାସକ ମଧ୍ୟରେ ଭିଜିଲାନ୍‌ସ ୧୫ଟି ମାମଲା ରୁଜୁ କରିଛି। ୮ଟି ଆୟ ବହିର୍ଭୂତ ମାମଲା ରହିଛି ଏବଂ ୫ଟି ଟ୍ରାପ୍‌ ଓ ୨ଟି ଦୁର୍ନୀତି ମାମଲା ରହିଛି। ଏହି ତାଲିକାରେ ୭ ଦୁର୍ନୀତିଖୋରଙ୍କୁ ଗିରଫ କରାଯାଇଛି। ଯେଉଁଥିରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ବଡ଼ ବାବୁଙ୍କ ପର୍ଯ୍ୟନ୍ତ ଅଛନ୍ତି। ଏମିତିକି ପୁଲିସ ବି ଏଥିରୁ ବାଦ ପଡ଼ିନାହିଁ। ଅର୍ଥାତ ପ୍ରତି ୪ଦିନ ବ୍ୟବଧାନରେ ଭିଜିଲାନ୍‌ସ ଜଣେ ଦୁର୍ନୀତିଖୋରଙ୍କୁ ବାନ୍ଧୁଛି। ଏହି କର୍ମଚାରୀ ଓ ଅଧିକାରୀଙ୍କଠାରୁ କୋଟିକୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। କାହାର ଆୟଠାରୁ ୪୦୦ଗୁଣ ସମ୍ପତ୍ତି, ଦାମୀ କାର୍‌, ପୁଳାପୁଳା ସୁନା ଗହଣା ଠାବ କରାଯାଇଛି ତ ପୁଣି କାହାଠାରୁ ୮ କୋଟିରୁ ଊର୍ଧ୍ବ ସମ୍ପତ୍ତି ମିଳିଛି।

୫/୨: ଭିଜିଲାନ୍‌ସ ଦ୍ବାରା ଗିରଫ ହୋଇଥିବା ମାଲକାନଗିରି ଜଳଛାୟା ପ୍ରକଳ୍ପ ପିଡି ଶାନ୍ତନୁ ମହାପାତ୍ରଙ୍କୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଚଢ଼ଉ ବେଳେ ୬କୋଟିରୁ ଊର୍ଧ୍ବ ଟଙ୍କାର ସମ୍ପତ୍ତି ଠାବ କରାଯାଇଥିଲା। ନିଜ ଘର ଓ ସହଯୋଗୀଙ୍କ ଘରୁ ମିଶି ନଗଦ ୨କୋଟିରୁ ଊର୍ଧ୍ବ ଟଙ୍କା, ରାଜଧାନୀର ପ୍ରମୁଖ ଅଞ୍ଚଳକୁ ମିଶାଇ ମୋଟ ୪ଟି ପ୍ଲଟ୍‌ ଠାବ କରାଯାଇଥିଲା। ସେମିତି ଦୁଇଟି କୋଠା, ୪୦୦ ଗ୍ରାମରୁ ଊର୍ଧ୍ବ ଓଜନର ସୁନାଗହଣା ମଧ୍ୟ ଜବତ ହୋଇଥିଲା।

୩୦/୧: ସୁନ୍ଦରଗଡ଼  ଜିଲ୍ଲା ଆଇଟିଡିଏ ପିଏ  ବିଶ୍ବଦର୍ଶୀ ସାହୁଙ୍କୁ ଭିଜିଲାନ୍‌ସ ଗିରଫ କରିବା ପରେ ତାଙ୍କ ଅମାପ ସମ୍ପତ୍ତିର ଗୁମର ଖୋଲିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ ବେଳେ ତାଙ୍କଠାରୁ ନଗଦ ସାଢ଼େ ୪ଲକ୍ଷ ଟଙ୍କା, ୧୫୦ ଗ୍ରାମର ସୁନାଗହଣା, ରାଜଧାନୀ ଓ ପୁରୀର ପ୍ରମୁଖ ସ୍ଥାନରେ ୯ଟି ପ୍ଲଟ, ୩ଟି ଦାମୀ ଫ୍ଲାଟ୍‌ ଆଦି ଠାବ କରାଯଇଥିଲା। ଜବତ ହୋଇଥିବା ସମ୍ପତ୍ତିର  ମୂଲ୍ୟ ୮କୋଟିରୁ ଊର୍ଧ୍ବ ହେବ ବୋଲି ଭିଜିଲାନ୍ସ ଆକଳନରୁ ଜଣାପଡ଼ିଥିଲା।

୧/୨: ଏକ ଘରୋଇ ହିଂସା ମାମଲାର ରଫଦଫା ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍‌ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଏସ୍‌ଆଇ ଅଭୟ କୁମାର ନାୟକଙ୍କୁ ଗିରଫ କରିଥିଲା। ସେହିପରି ଗତ ୪ ତାରିଖରେ ଏକ ଜବତ ବାଇକ୍‌କୁ ଛାଡ଼ିବା ପାଇଁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନାର ଏଏସ୍‌ଆଇ ବୁଦୁ  ଭୋଇକୁ ଭିଜିଲାନ୍‌ସ ଗିରଫ କରିଥିଲା।

୨୨/୧: ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବା ଲାଗି କଟକ ଜିଲ୍ଲା ବଡ଼ମ୍ବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ବିଶ୍ବନାଥ ଆଭେକ୍‌ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍‌ସ ଟିମ୍‌ ଗିରଫ କରିଥିଲା।

୧୦/୧: ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲରେ କାର୍ଯ୍ୟରତ ଏଆର୍‌ଆଇ କୈଳାସ ବେହେରା ୨୦ ହଜାର ଟଙ୍କା ଲାଞ୍ଚ ନେ‌ବା ବେଳେ ଧରାପଡ଼ିଥିଲେ।

୨/୧: ଜନ୍ମ ପ୍ରମାଣପତ୍ର ଦେବା ପାଇଁ କଳାହାଣ୍ଡିର ହେଲ୍‌ଥ ଅଫିସର ଲକ୍ଷ୍ମୀନାରାୟଣ ମହାରଣା ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ପଞ୍ଝାରେ ପଡ଼ିଥିଲେ।

ଏମିତି ୭ ଦୁର୍ନୀତିଖୋରଙ୍କଠାରୁ ୨୦କୋଟିରୁ ଊର୍ଧ୍ବ ଟଙ୍କା ସମ୍ପତ୍ତି ଠାବ ହୋଇଛି।ଦୁର୍ନୀତିମୁକ୍ତ ରାଜ୍ୟ ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଉଛନ୍ତି। ଦୁର୍ନୀତି ନିବାରଣ ସପ୍ତାହ ସମୟରେ ଲକ୍ଷ ଲକ୍ଷ ଅଧିକାରୀ ଓ କର୍ମଚାରୀଙ୍କୁ ଶପଥପାଠ କରାଯାଉଛି। ସେହିଭଳି ଦୁର୍ନୀତିଖୋରଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଉଛି। ପୂର୍ବରୁ ଅନେକଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏହାସତ୍ତ୍ବେ ଦୁର୍ନୀତିଖୋର୍‌ ଚେତୁ ନାହାନ୍ତି। ଖାଲି ଏତିକି ନୁହେଁ, ୯ ଦୁର୍ନୀତିଖୋର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ୯ ଜଣଙ୍କ ମଧ୍ୟରେ ପୂର୍ବତନ ଉପଜିଲ୍ଲାପାଳ, ତହସିଲ୍‌ଦାର, ଆର୍‌ଆଇ, ଫରେଷ୍ଟ ରେଞ୍ଜର, ବ୍ୟାଙ୍କ ମ୍ୟାନେଜର, ମେଡିକାଲ୍‌ ଅଫିସର ଓ ଯନ୍ତ୍ରୀ ଅଛନ୍ତି।

 

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.