Breaking News

ବାରବାଟୀ ଫ୍ଲଡ୍‌ ଲାଇଟ୍‌ ବନ୍ଦ ଘଟଣା: ଓସିଏକୁ କାରଣ ଦର୍ଶାଅ ନୋଟିସ୍, ୧୦ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

୫ବର୍ଷର ବ୍ୟବଧାନ ପରେ ଓଡ଼ିଶାକୁ ଏକ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ମ୍ୟାଚ୍ ମିଳିଥିଲା। ଏହାକୁ ନେଇ ରାଜ୍ୟବ୍ୟାପୀ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍ସାହ। ତେବେ ଏହି ଉତ୍ସାହ ଭିତରେ ଗତକାଲି ବାରବାଟୀରେ...

ଭୁବନେଶ୍ବର: ୫ବର୍ଷର ବ୍ୟବଧାନ ପରେ ଓଡ଼ିଶାକୁ ଏକ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ମ୍ୟାଚ୍ ମିଳିଥିଲା। ଏହାକୁ ନେଇ ରାଜ୍ୟବ୍ୟାପୀ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍ସାହ। ତେବେ ଏହି ଉତ୍ସାହ ଭିତରେ ଗତକାଲି ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍‌ ଚାଲିଥିବା ବେଳେ ଗୋଟିଏ ଫ୍ଲଡ୍‌ ଲାଇଟ୍‌ ବନ୍ଦ ହୋଇଯିବାରୁ ଓଡ଼ିଶାକୁ ବିଶ୍ବ ଦରବାରରେ ନିନ୍ଦିତ ହେବାକୁ ପଡ଼ିଛି। କୋଟି କୋଟି କ୍ରୀଡ଼ାପ୍ରେମୀଙ୍କୁ ଏହି ଅବ୍ୟବସ୍ଥା ଆଘାତ ଦେଇଛି। ଦେଶବ୍ୟାପୀ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) ଓ ବିସିସିଆଇ ସମାଲୋଚନାର ଶରବ୍ୟ ହୋଇଛି। ଏପରିକି ଇଂଲଣ୍ଡର ‘ବାର୍ମୀ ଆର୍ମୀ’ଙ୍କଠାରୁ ଆରମ୍ଭ କରି ପାକିସ୍ତାନର ସାମାଜିକ ଗଣମାଧ୍ୟମରେ ବାରବାଟୀରେ ମ୍ୟାଚ୍ ସମୟରେ ଲାଇଟ୍‌ ବନ୍ଦ ହୋଇଯିବାର ଉଦାହରଣ ଦେଇ ଥଟ୍ଟା ପରିହାସ କରାଯାଇଛି।

ଏହି ଘଟଣା ପରେ ରାଜ୍ୟ କ୍ରୀଡ଼ା ବିଭାଗ ଆଜି ଓସିଏକୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ହାତ ଝାଡ଼ି ଦେଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ କେଉଁ ବ୍ୟକ୍ତି ଓ ସଂସ୍ଥାର ଭୁଲ୍‌ ପାଇଁ ଏହି ଘଟଣା ଘଟିଲା ସେମାନଙ୍କୁ ଚିହ୍ନଟ କର। ଏହାର ଯେପରି ପୁନରାବୃତ୍ତି ନ ହୁଏ, ସେଥିପାଇଁ କ’ଣ ପଦକ୍ଷେପ ନିଆଯାଇଛି ସେ ସଂପର୍କରେ ୧୦ଦିନ ଭିତରେ ଏକ ବିସ୍ତୃତ ରିପୋର୍ଟ ଦେବା ଲାଗି କୁହାଯାଇଛି। ଅନ୍ୟପକ୍ଷରେ ବାରବାଟୀ ଫ୍ଲଡ୍‌ ଲାଇଟ୍‌ ବନ୍ଦ ହେବାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ଏହି ଅଭାବନୀୟ ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କ୍ରୀଡ଼ା ମନ୍ତ୍ରୀ କହିଛନ୍ତି। ଦୀର୍ଘଦିନ ପରେ ଓଡ଼ିଶାକୁ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ମିଳିଥିବାରୁ ଖେଳାଳିଙ୍କଠାରୁ ଆରମ୍ଭ କରି ଦର୍ଶକଙ୍କୁ ସବୁପ୍ରକାର ସୁବିଧା ସୁଯୋଗ ଦେବା ପାଇଁ ଓସିଏ ଲାଗି ପଡ଼ିଥିଲା। ଖୋଦ୍ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମ୍ୟାଚ୍‌ର ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ବାରବାଟୀକୁ ଯାଇ ପ୍ରସ୍ତୁତି ସଂପର୍କରେ ପଚାରି ବୁଝିଥିଲେ। ଏସବୁ ସତ୍ତ୍ବେ ଓସିଏର ଅବହେଳା ପାଇଁ ଓଡ଼ିଶା ଅପବାଦ ମୁଣ୍ଡାଇଛି। ପୂର୍ବରୁ ୨୦୧୫ ମସିହାରେ ବାରବାଟୀରେ ଦର୍ଶକଙ୍କ ବୋତଲ ମାଡ଼ ପାଇଁ ଓଡ଼ିଶାକୁ ୨ବର୍ଷ ପାଇଁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ମିଳି ନ ଥିବା କୁହାଯାଏ। ଏବେ ଲାଇଟ୍‌ ଅବ୍ୟବସ୍ଥା ପରେ ଓଡ଼ିଶାର ମ୍ୟାଚ୍ ପ୍ରସ୍ତୁତିକୁ ନେଇ ଉଠିଛି ପୁଳାପୁଳା ପ୍ରଶ୍ନ।

ଦେଶବ୍ୟାପୀ ସମାଲୋଚନା
ପାକିସ୍ତାନରେ ବି ବାରବାଟୀର ଉଦାହରଣ
ଘେରିଲେ ବିରୋଧୀ, କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା ଦାବି
ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ସୂରଜ ସୂର୍ଯ୍ୟବଂଶୀ

କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ଏହା ଏକ ଛୋଟ କଥା ନୁହେଁ। ରାଜ୍ୟର ଲକ୍ଷ ଲକ୍ଷ କ୍ରୀଡ଼ା ପ୍ରେମୀଙ୍କୁ ଆଘାତ ଦେଇଛି। କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା, ସେଥିପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ଓସିଏର ବିଭିନ୍ନ ସବ୍ କମିଟି ରହିଛି। ଦୁଇ ଦୁଇଥର ସମୀକ୍ଷା କରାଯାଇ ସବୁକିଛି ବ୍ୟବସ୍ଥିତ କରିବା ଲାଗି ଉଦ୍ୟମ ହୋଇଥିଲା। କେଉଁ କମିଟି ଲାଇଟ୍‌ ଦାୟିତ୍ବରେ ଥିଲେ ଓ କେଉଁ କାରଣ ପାଇଁ ବ୍ୟାକ୍‌ଅପ୍‌ ଜେନେରେଟର ଠିକ୍ ସମୟରେ ପହଞ୍ଚିପାରିଲା ନାହିଁ, ତାହାର ତଦନ୍ତ ହେବ। ଲାଇଟ୍‌ ଲିଭିବା ବଡ଼ କଥା ନୁହେଁ, ମାତ୍ର ବିଳମ୍ବ ହେବା ବଡ଼ କଥା। ଗତକାଲି ଏହି ଘଟଣା ପରେ ଡିସିପିଙ୍କୁ ସଂପୃକ୍ତ ବ୍ୟକ୍ତିକୁ ଗିରଫ କରିବା ଲାଗି ନିର୍ଦ୍ଦେଶ ଦେଇଥିଲି। ଯେଉଁମ‌ାନେ ଏଥିପାଇଁ ଦାୟୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସେପଟେ ଏହି ଘଟଣାକୁ ନେଇ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି, ଦୀର୍ଘ ୫ବର୍ଷ ପରେ ଦିନିକିଆ ମ୍ୟାଚ୍ ମିଳିଥିବାରୁ ଏହାକୁ ସଫଳତାର ସହ ଆୟୋଜନ କରିବା ଓସିଏ ଓ ରାଜ୍ୟ ସରକାରଙ୍କ ଗୁରୁ ଦାୟିତ୍ବ ରହିଥିଲା। କ୍ରୀଡ଼ା ମନ୍ତ୍ରୀ ସମୀକ୍ଷା ବୈଠକରେ ଭାଗ ନେବା ସହ ପ୍ରସ୍ତୁତିର ତଦାରଖ କରିଥିଲେ। ଏତେ ପ୍ରସ୍ତୁତି ପରେ ଫ୍ଲଡ୍‌ ଲାଇଟ୍‌ ବିଭ୍ରାଟ ଦେଖାଯିବା ଯୋଗୁଁ ସବୁ ଆୟୋଜନ ଫସର ଫାଟିଛି। ଏହି ଘଟଣାରେ ଓସିଏକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ ବୋଲି କ୍ରୀଡ଼ା ମନ୍ତ୍ରୀ କହିବା ହାସ୍ୟାସ୍ପଦ। ଗତ ୮ମାସ ଭିତରେ କ୍ରୀଡ଼ା ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅବଦାନ ଶୂନ। ଏହି ଲାଇଟ୍‌ ବିଭ୍ରାଟ ବିଫଳତାକୁ ରାଜ୍ୟ ସରକାର ମୁଣ୍ଡକୁ ନିଅନ୍ତୁ ଓ କ୍ରୀଡ଼ା ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ଦଳ ପକ୍ଷରୁ ଦାବି କରାଯାଇଥିବା ଶ୍ରୀ ମହାନ୍ତି କହିଛନ୍ତି। ସେହିପରି ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି କହିଛନ୍ତି, ଗତକାଲି ଖେଳ ମଝିରେ ଫ୍ଲଡ୍‌ ଲାଇଟ୍‌ ବନ୍ଦ ହୋଇଯିବାକୁ ବିଶ୍ବବ୍ୟାପୀ ନିନ୍ଦା କରାଯାଉଛି। ରାଜ୍ୟ ସରକାର ଆୟୋଜନରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଏହି ବୈଷୟିକ ତ୍ରୁଟି ପାଇଁ ଯେଉଁମାନେ ସଂପୃକ୍ତ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ବିଜେପି ଦଳ ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଥିଲେ। ଅସ୍ମିତା କଥା କିଛି ମାନୁ ନ ଥିବାରୁ ଜଗନ୍ନାଥ ଏହି ସରକାରକୁ ଗୋଟିଏ ପରେ ଗୋଟିଏ ଦଣ୍ଡ ଦେଉଛନ୍ତି। ବିଜେଡି ସରକାର ସମୟରେ ବି ଏଭଳି ଅବ୍ୟବସ୍ଥା ହୋଇଛି। ବର୍ତ୍ତମାନ ଟିକେଟ୍‌ ପାସ ବଣ୍ଟନଠାରୁ ଆରମ୍ଭ କରି ଲାଇଟ୍‌ ଅବ୍ୟବସ୍ଥା ସଂପର୍କରେ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଯିବ ବୋଲି ଶ୍ରୀ ବାହିନୀପତି କହିଛନ୍ତି।

 

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.