Breaking News

ରେକର୍ଡ ସ୍ତରରେ ସୁନା ଦର, ସାରା ବିଶ୍ବରେ ମହଙ୍ଗା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଭିମୁଖ୍ୟ କଣ ଆକଳନ କରାଯାଇପାରୁ ନ ଥିବାରୁ ବିଶ୍ବବ୍ୟାପୀ ଏକ ଅନିଶ୍ଚିତତାର ପରିସ୍ଥିତି ସୃଷ୍ଟି ହୋଇଛି। ନିବେଶକମାନେ ସେଥିରେ ଭୟଭୀତ ହୋଇପଡ଼ିଛନ୍ତି।

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଭିମୁଖ୍ୟ କଣ ଆକଳନ କରାଯାଇପାରୁ ନ ଥିବାରୁ ବିଶ୍ବବ୍ୟାପୀ ଏକ ଅନିଶ୍ଚିତତାର ପରିସ୍ଥିତି ସୃଷ୍ଟି ହୋଇଛି। ନିବେଶକମାନେ ସେଥିରେ ଭୟଭୀତ ହୋଇପଡ଼ିଛନ୍ତି। ଏହି ଅନିଶ୍ଚିତତା ସୁନା ଦରରେ ନିଆଁ ଲଗାଇଛି। ସାରା ବିଶ୍ବରେ ସୁନା ମହଙ୍ଗା ହେବାରେ ଲାଗିଛି। ସୋମବାର ନୂଆଦିଲ୍ଲୀରେ ୧୦ ଗ୍ରାମ ସୁନା ଦାମ୍ ୨୪୩୦ ଟଙ୍କା ବୃଦ୍ଧି ପାଇ ୮୮,୫୦୦ ଟଙ୍କା ହୋଇଛି।  ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମପିଛା ଦାମ୍ ୩୫୦ ଟଙ୍କା ବୃଦ୍ଧି ପାଇ ୭୯,୮୦୦ ଟଙ୍କାରେ ପହଞ୍ଚିଛି। ୨୪ କ୍ୟାରେଟ୍ ସୁନା ଦାମ୍ ୩୯୦ ଟଙ୍କା ବୃଦ୍ଧି ପାଇ ୮୭,୦୬୦ ଟଙ୍କା ହୋଇଛି। ରୁ‌ପା କେଜି ୧,୦୭,୦୦୦ ଟଙ୍କା ରହିଛି। ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍‌ସ ପିଛା ଦର ରେକର୍ଡ ୨୯୦୦ ଡଲାରରେ ପହଞ୍ଚିଛି।

ସ୍ପାତ ଓ ଆଲୁମିନିୟମ୍ ଉପରେ ୨୫ ପ୍ରତିଶତ ଟିକସ ଲଗାଇବାକୁ ଟ୍ରମ୍ପ ଘୋଷଣା କରିବା ପରେ ସୁନା ଦାମ୍ ବଢ଼ିଛି। ଗୋଟିଏ ପଟେ ଟ୍ରମ୍ପଙ୍କ ଶୁଳ୍କ ପ୍ରହାର ଜାରି ରହିଥିବା ବେଳେ ଅନ୍ୟପଟେ ଡଲାର ତୁଳନା‌ରେ ଟଙ୍କା ଦୁର୍ବଳ ହେଉଥିବାରୁ ସୁନା ଆମଦାନି ମହଙ୍ଗା ହୋଇଛି। ଏକ ଡଲାର ଦାମ୍ ୮୭ ଟଙ୍କା ୪୩ ପଇସା ସ୍ତରରେ ରହିଛି। ସୁନା ଉପରେ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମତ ରଖିଛନ୍ତି। ସେ କହିଛନ୍ତି ଯେ ଭାରତରେ ସୁନା ଚାହିଦା ଦୃଢ଼ ରହିଛି। ପରିବାର, କ୍ଷୁଦ୍ର ବ୍ୟବସାୟୀ ଓ ମହିଳାମାନେ ସୁନାକୁ ଏକ ସୁରକ୍ଷିତ ଓ ଯେକୌଣସି ସମୟରେ ତାହାକୁ ନଗଦ ରାଶିରେ ବଦଳାଇ ହେବାର ଏକ ବିକଳ୍ପ ଭାବେ ଭାବୁଛନ୍ତି ବୋଲି ସେ କହିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ଲଗାତାର ଭାବେ ସୁନା କିଣୁଥିବା ଉପରେ ମତ ଦେଇ ସେ କହିଛନ୍ତି ଯେ ମୁଦ୍ରା ଭଣ୍ଡାରରେ ସନ୍ତୁଳନ ରକ୍ଷା କରିବା ଲାଗି ସୁନା କିଣା ହେଉଛି। ମୁଦ୍ରା ଭଣ୍ଡାରରେ ଡଲାରର ସ୍ଥାନ ସୁନା ନେବ ନାହିଁ ବୋଲି ସେ କହିଛନ୍ତି। ଏହା ଡଲାରଠାରୁ ଦୂରେଇ ଯିବାର କୌଣସି ରଣନୀତି ନୁହେଁ।

କଂଗ୍ରେସ ସାଂସଦ ମନୋଜ ତିୱାରୀ କହିଥିଲେ ଯେ ୧୯୭୧ରେ ଆମେରିକା ସୁନା ମାନକକୁ ରଦ୍ଦ କରିବା ପରେ ଏକ ପ୍ରମୁଖ ଆର୍ଥିକ ସମ୍ପତ୍ତି ଭାବେ ଏହା ଗୁରୁତ୍ବ ହରାଇଛି। କିନ୍ତୁ ଗତ କିଛି ବର୍ଷରେ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ବିପୁଳ ସୁନା କିଣୁଛନ୍ତି। ୨୦୦୬ରେ ବିଶ୍ବ ମୁଦ୍ରା ଭଣ୍ଡାରରେ ସୁନାର ଭାଗ ୬ ପ୍ରତିଶତ ଥିଲା ଯାହା ୨୦୨୪ ସୁଦ୍ଧା ୧୧ ପ୍ରତିଶତକୁ ବୃଦ୍ଧି ପାଇଛି। ଚୀନ୍, ଭାରତ, ପୋଲାଣ୍ଡ ଓ ତୁର୍କୀ ଅଧିକ ସୁନା କିଣୁଛନ୍ତି।

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.