Breaking News

ମାନ୍‌ଙ୍କୁ ହଟାଇ ପଂଜାବ ମୁଖ୍ୟମନ୍ତ୍ରୀ ହେବେ କେଜ୍ରିୱାଲ!

ଦିଲ୍ଲୀରେ ଆପ୍‌ର ପରାଜୟ ପରେ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ଇତିମଧ୍ୟରେ ଚର୍ଚ୍ଚା ହେଉଛି ‌ଯେ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କୁ ହଟାଇ କେଜ୍ରିୱାଲ ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହେବେ।

ନୂଆଦିଲ୍ଲୀ: ଦିଲ୍ଲୀରେ ଆପ୍‌ର ପରାଜୟ ପରେ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି।  ଇତିମଧ୍ୟରେ ଚର୍ଚ୍ଚା ହେଉଛି ‌ଯେ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କୁ ହଟାଇ କେଜ୍ରିୱାଲ ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହେବେ। ଦିଲ୍ଲୀ ନିର୍ବାଚନ ହାରିବାପରେ କେଜ୍ରିୱାଲ ଦିଲ୍ଲୀରେ ପଂଜାବ ବିଧାୟକମାନଙ୍କର ଆଜି ଏକ ବୈଠକ କରିଥିଲେ। ରିପୋର୍ଟ ଅନୁଯାୟୀ କେଜ୍ରିୱାଲ ମାନ୍‌ଙ୍କୁ ମୁଖ୍ୟମନ୍ତ୍ରୀ ଆସନରୁ ହଟାଇବାପାଇଁ ଚେଷ୍ଟା କରୁଛନ୍ତି। ମାନ୍‌ ଦକ୍ଷ ନୁହନ୍ତି ଏବଂ ସେ ରାଜ୍ୟରେ ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା‌ରେ ବିଫଳ ହୋଇଛନ୍ତି ବୋଲି  ଦାବି କରି କେଜ୍ରିୱାଲ ତାଙ୍କୁ କ୍ଷମତାରୁ ହଟାଇବାକୁ ଚେଷ୍ଟା କରୁଛନ୍ତି ବୋଲି  ବିଜେପି ଓ କଂଗ୍ରେସ ନେତାମାନେ ଦାବି କରିଛନ୍ତି। ରାଜୌରୀ ଗାର୍ଡେନର ନବ ନିର୍ବାଚିତ ବିଧାୟକ ମଜିନ୍ଦର ସିଂହ ସିର୍ସା ଏକ ଭିଡିଓରେ ଦାବି କରିଛନ୍ତି ଯେ ଆପ୍‌ ସୁପ୍ରିମୋ ମାନ୍‌ଙ୍କୁ ଅପରାଗ ଦର୍ଶାଇ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାପାଇଁ ଚେଷ୍ଟା କରୁଛନ୍ତି।

ମାନ୍‌ଙ୍କ ଜବାବ: ଦଳ ଏକଜୁଟ ରହିଛି

ପ୍ରତିଶ୍ରୁତି ପୂରଣ କରିବୁ
‘କଂଗ୍ରେସ ଦିଲ୍ଲୀରେ ନିଜ ବିଧାୟକଙ୍କ ସଂଖ୍ୟା ଗଣୁ’

ତେବେ ଏନେଇ ମାନ୍‌ଙ୍କୁ ପ୍ରଶ୍ନ କରିବାରୁ ସେ   କହିଛନ୍ତି ଯେ ସେମାନଙ୍କୁ କହିବାକୁ ଦିଅନ୍ତୁ। ‌ସେ ମଧ୍ୟ ନିଶ୍ଚିତ କରିଛନ୍ତି ଯେ ପଂଜାବ ସରକାର ପ୍ରତି ମାସରେ ମହିଳାଙ୍କୁ ୧ ହଜାର ଟଙ୍କା ଦେବେ ବୋଲି ଯେଉଁ  ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିବେ।  ମୁଖ୍ୟମନ୍ତ୍ରୀ ମଧ୍ୟ କଂଗ୍ରେସ ନେତା ପ୍ରତାପ ସିଂହ ବଜୱାଙ୍କ ଦାବି ଉପରେ ପ୍ରତିକ୍ରିୟା‌ ରଖି କହିଛନ୍ତି ଯେ ପଂଜାବରେ  ୨୦ରୁ ଅଧିକ ଆପ୍‌  ବିଧାୟକ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି।   ଉକ୍ତ ଘଟଣାରେ ପ୍ରତିକ୍ରିୟା ରଖି ମାନ୍‌ କହିଛନ୍ତି, ପ୍ରତାପ ବଜୱା ପାଖାପାଖି ୩ ବର୍ଷ ଧରି ଏହି ସମାନ କଥା କହୁଛନ୍ତି।   ତାଙ୍କୁ ତୃତୀୟ ଥର ପାଇଁ ଦିଲ୍ଲୀରେ ନିଜ ଦଳର ବିଧାୟକଙ୍କ ସଂଖ୍ୟା ଗଣିବାକୁ ଦିଅନ୍ତୁ। ଉଲ୍ଲେଖଯୋଗ୍ୟ,  ୧୧୭ ସଦସ୍ୟ ବିଶିଷ୍ଟ ପଂଜାବ ବିଧାନସଭାରେ ଆପ୍‌ର ୯୩ ବିଧାୟକ ଏବଂ କଂଗ୍ରେସର ୧୬ ଜଣ ବିଧାୟକ ଅଛନ୍ତି।
ଦିଲ୍ଲୀ ନିର୍ବାଚନରେ ଆପ୍‌ କର୍ମୀମାନେ ତୃଣମୂଳ ସ୍ତରରେ କରିଥିବା କାମ ପାଇଁ କେଜ୍ରିୱାଲ ଆଜିର ବୈଠକରେ ସେମାନଙ୍କୁ ଧନ୍ୟବାଦ ଦେଇଥିବା ମାନ୍‌ କହିଛନ୍ତି। ସେ କହିଛନ୍ତି, ଆପ୍‌ ଦିଲ୍ଲୀରେ ବହୁତ କାମ କରିଛି। କିନ୍ତୁ ହାର୍‌ ଏବଂ ଜିତ୍‌ ରାଜନୀତିର ଏକ ଅଂଶ। ଆମେ ଦିଲ୍ଲୀରେ ଲୋକଙ୍କ ଜନାଦେଶକୁ ଗ୍ରହଣ କରୁଛୁ।  ଏବେ ଆମେ ପଂଜାବକୁ ଏକ ଆଦର୍ଶ ରାଜ୍ୟରେ ପରିଣତ କରିବାପାଇଁ ଯୋଜନା କରୁଛୁ।  ମାନ୍‌ କହିଛନ୍ତି, ସମସ୍ତ ବିଧାୟକ କେଜ୍ରିୱାଲଙ୍କୁ ଭେଟିବାକୁ ଚାହିଲେ। ସବୁ ବିଧାୟକ ଏକଜୁଟ୍‌ ଅଛନ୍ତି ଏବଂ ସେଥିପାଇଁ ସେମାନେ ସମସ୍ତେ ଦିଲ୍ଲୀ ଆସି କେଜ୍ରିୱାଲଙ୍କୁ ଭେଟିଲେ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.