Breaking News

ମହାକୁମ୍ଭରେ ବୁଡ଼: ୪୫ କୋଟି ଟପିଲା

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭମେଳାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୪୫ କୋଟି ଅତିକ୍ରମ କରିଥିବା ଜଣାପଡ଼ିଛି। ତଥ୍ୟ ଅନୁଯାୟୀ, ମହାକୁମ୍ଭ ଶେଷ ହେବାର ୧୫ ଦିନ ପୂର୍ବରୁ ମଙ୍ଗଳବାର ସକାଳେ ମହାକୁମ୍ଭ...

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭମେଳାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୪୫ କୋଟି ଅତିକ୍ରମ କରିଥିବା ଜଣାପଡ଼ିଛି। ତଥ୍ୟ ଅନୁଯାୟୀ, ମହାକୁମ୍ଭ ଶେଷ ହେବାର ୧୫ ଦିନ ପୂର୍ବରୁ ମଙ୍ଗଳବାର ସକାଳେ ମହାକୁମ୍ଭ ମେଳାକୁ ଆସୁଥିବା ସାଧୁ, ଶ୍ରଦ୍ଧାଳୁ, କଳ୍ପବାସୀ, ସ୍ନାନକର୍ତ୍ତା ଓ ଗୃହିଣୀଙ୍କ ସଂଖ୍ୟା ୪୫୦ ନିୟୁତ ଅତିକ୍ରମ କରିଛି, ଯାହା କି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟ ଥିଲା। ମଙ୍ଗଳବାର ସକାଳ ୮ଟା ସୁଦ୍ଧା ପ୍ରାୟ ୫୦ ଲକ୍ଷ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ସ୍ନାନ କରିଥିବା ବେଳେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ନାନ ପର୍ବ ବାକି ଥିବାରୁ ସ୍ନାନ କରୁଥିବା ଲୋକଙ୍କ ସଂଖ୍ୟା ୫୦ କୋଟି ଟପିବ ବୋଲି ଅନୁମାନ କରାଯାଉଛି।

ପ୍ରୟାଗରାଜରେ ତିନୋଟି ଅମୃତ ସ୍ନାନ (ମକର ସଂକ୍ରାନ୍ତି, ମୌନୀ ଅମାବାସ୍ୟା ଓ ବସନ୍ତ ପଞ୍ଚମୀ) ପରେ ମଧ୍ୟ ଭକ୍ତମାନଙ୍କ ଉତ୍ସାହରେ କୌଣସି ହ୍ରାସ ଘଟିନାହିଁ। ପବିତ୍ର ତ୍ରିବେଣୀରେ ଶ୍ରଦ୍ଧା ଓ ବିଶ୍ୱାସର ସହ ସ୍ନାନ କରି ପୁଣ୍ୟ ପ୍ରାପ୍ତି ପାଇଁ ଦେଶ ତଥା ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରୟାଗରାଜରେ ପହଞ୍ଚୁଛନ୍ତି। ମୌନୀ ଅମାବାସ୍ୟାରେ ସର୍ବାଧିକ ୮୦ ନିୟୁତ ଶ୍ରଦ୍ଧାଳୁ ସ୍ନାନ କରିଥିବା ବେଳେ ମକର ସଂକ୍ରାନ୍ତି ଅବସରରେ ୩୫ ନିୟୁତ ଶ୍ରଦ୍ଧାଳୁ ଅମୃତ ସ୍ନାନ କରିଥିଲେ। ଫେବ୍ରୁଆରି ୧ ଓ ଜାନୁଆରି ୩୦ରେ ୧୭ ନିୟୁତ ଶ୍ରଦ୍ଧାଳୁ ସ୍ନାନ କରିଥିବା ବେଳେ ପୌଷ ପୂର୍ଣ୍ଣିମା ଓ ବସନ୍ତ ପଞ୍ଚମୀରେ ତ୍ରିବେଣୀରେ ୨୫.୭ ନିୟୁତ ଶ୍ରଦ୍ଧାଳୁ ସ୍ନାନ କରିଥିଲେ। ମାଘ ପୂର୍ଣ୍ଣିମା ପୂର୍ବରୁ ୧୦ ନିୟୁତରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ସ୍ନାନ ପାଇଁ ସଙ୍ଗମରେ ପହଞ୍ଚୁଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଏହି ସଙ୍ଗମସ୍ଥଳରେ ସ୍ନାନ କରିଛନ୍ତି। ଏହାବ୍ୟତୀତ ୟୁପି ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ, ହରିୟାଣା ମୁଖ୍ୟମନ୍ତ୍ରୀ ନାଇବ ସିଂହ ସାଇନି, ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ଅର୍ଜୁନ ରାମ ମେଘୱାଲ, ଶ୍ରୀପଦ ନାଏକ, ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀ, ରାଜ୍ୟସଭା ସାଂସଦ ସୁଧା ମୂର୍ତ୍ତି, ଆସାମ ବିଧାନସଭା ବାଚସ୍ପତି ବିଶ୍ୱଜିତ୍ ଦାରୀ, ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ମଧ୍ୟ ତ୍ରିବେଣୀ ସଙ୍ଗମରେ ସ୍ନାନ କରିଥିଲେ। ୟୁପି ବିଧାନସଭାରେ ବିରୋଧୀ ଦଳ ନେତା ମାତା ପ୍ରସାଦ ପାଣ୍ଡେ, ଗୋରଖପୁର ସାଂସଦ ରବି କିଷନ, ହେମା ମାଳିନୀ, ପୂର୍ବତନ ସାଂସଦ ଦିନେଶ ଲାଲ ଯାଦବ, ବଲିଉଡ୍ ଅଭିନେତ୍ରୀ ଭାଗ୍ୟଶ୍ରୀ, ଅନୁପମ ଖେର, ମିଲିନ୍ଦ ସୋମନ, ଅଲିମ୍ପିକ୍ ପଦକ ବିଜେତା ସାଇନା ନେହୱାଲ, ମମତା କୁଲକର୍ଣ୍ଣି, ବିଶିଷ୍ଟ କବି କୁମାର ବିଶ୍ୱାସ, କ୍ରିକେଟର ସୁରେଶ ରାଇନା ପ୍ରମୁଖ ସଙ୍ଗମରେ ସ୍ନାନ କରିଛନ୍ତି। ଫେବ୍ରୁଆରି ୨୬ ମହାଶିବରାତ୍ରି ପର୍ଯ୍ୟନ୍ତ ଏହି ଭବ୍ୟ କାର୍ଯ୍ୟକ୍ରମ ଚାଲିବ।

ମହାକୁମ୍ଭରେ ବୁଡ଼ ପକାଇଲେ ଅମ୍ବାନୀ ପରିବାର 

ଲକ୍ଷ୍ନୌ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସପରିବାର ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ଆଜି ବୁଡ଼ ପକାଇଛନ୍ତି। ମୁକେଶଙ୍କ ସହିତ ମା କୋକିଳାବେନ୍ ଅମ୍ବାନୀ, ପୁଅ ଆକାଶ ଅମ୍ବାନୀ, ଅନନ୍ତ ଅମ୍ବାନୀ, ବୋହୂ ‌‌ଶ୍ଳୋକା, ରାଧିକା, ନାତି ପୃଥିବୀ ଏବଂ ନାତୁଣୀ ବେଦା, ଭଉଣୀ ଦୀପ୍ତି ସାଲଗାଓକର ଏବଂ ନିନା କୋଠାରୀ  ପ୍ରମୁଖ ଥିଲେ। ସେମାନଙ୍କ ସହିତ ମୁକେଶଙ୍କ ଶାଶୂ ପୂର୍ଣ୍ଣିମାବେନ ଦଲାଲ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ନିରଞ୍ଜନ ଆଖଡ଼ାର ସ୍ବାମୀ କୈଳାଶାନନ୍ଦ ଗିରିଜୀ ମହାରାଜ ଗଙ୍ଗା ପୂଜା କରିଥିଲେ। ଏହାପରେ ମୁକେଶ ପରମାର୍ଥ ନିକେତନ ଆଶ୍ରମର ସ୍ବାମୀ ଚିଦାନନ୍ଦ ସରସ୍ବତୀ ମହାରାଜଙ୍କୁ ଭେଟିଥିଲେ। ଆଶ୍ରମରେ ଅମ୍ବାନୀ ପରିବାର ମିଠା ଏବଂ ଜୀବନରକ୍ଷାକାରୀ ଜ୍ୟାକେଟ୍‌ ବାଣ୍ଟିଥିଲେ। ରିଲାଏନ୍ସ ଏହାର ‘ତୀର୍ଥ ଯାତ୍ରୀ ସେବା’ ଅଧୀନରେ ମହାକୁମ୍ଭରେ ଯାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଉଛି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.