Breaking News

ତିରୁପତି ଲଡୁ ବିବାଦ ରିପୋର୍ଟ ଦାଖଲ: କଳା ତାଲିକାଭୁକ୍ତ ଫାର୍ମ ସହ ଘିଅ ଯୋଗାଣ ଚୁକ୍ତି ହୋଇଥିଲା

ତିରୁପତି ଲଡୁ ବିବାଦରେ ଗିରଫ ହୋଇଥିବା ୪ ଜଣ ବ୍ୟକ୍ତି ପଶୁ ଚର୍ବି ଥିବା ନକଲି ଓ ଅପମିଶ୍ରିତ ଘିଅ ଯୋଗାଣ ପାଇଁ କଳା ତାଲିକାଭୁକ୍ତ କମ୍ପାନୀଗୁଡ଼ିକରୁ ଘିଅ ବିକ୍ରି କରିବାକୁ ଷଡ଼ଯନ୍ତ୍ର କରିଥିଲେ ବୋଲି ଏକ ରିପୋର୍ଟରେ ପୁଲିସ କହିଛି।

ନୂଆଦିଲ୍ଲୀ: ତିରୁପତି ଲଡୁ ବିବାଦରେ ଗିରଫ ହୋଇଥିବା ୪ ଜଣ ବ୍ୟକ୍ତି ପଶୁ ଚର୍ବି ଥିବା ନକଲି ଓ ଅପମିଶ୍ରିତ ଘିଅ ଯୋଗାଣ ପାଇଁ କଳା ତାଲିକାଭୁକ୍ତ କମ୍ପାନୀଗୁଡ଼ିକରୁ ଘିଅ ବିକ୍ରି କରିବାକୁ ଷଡ଼ଯନ୍ତ୍ର କରିଥିଲେ ବୋଲି ଏକ ରିପୋର୍ଟରେ ପୁଲିସ କହିଛି। ୧୪ ପୃଷ୍ଠାର ଏହି ରିପୋର୍ଟରେ ତିରୁପତି ପୁଲିସ କହିଛି ଯେ ଏପର୍ଯ୍ୟନ୍ତ ତଦନ୍ତରୁ ଜଣାପଡ଼ିଛି ଯେ ଏହି ଚାରି ଜଣ ବ୍ୟକ୍ତି ପ୍ରକ୍ସି କମ୍ପାନି ଗଠନ କରିଥିଲେ ଏବଂ ବେଆଇନ ଭାବେ ଟେଣ୍ଡର ଜିତିବା ପାଇଁ ଖାଦ୍ୟ ନିରାପତ୍ତା ମାନକ ଓ ପ୍ରକୃତ ଉତ୍ପାଦନ ପ୍ରକ୍ରିୟା ବିଷୟରେ ମିଥ୍ୟା ସାକ୍ଷ୍ୟ ଦେବା ସହ ମିଥ୍ୟା ଦସ୍ତାବିଜ ପ୍ରଦାନ କରିଥିଲେ। ଏହି ୪ ଜଣ ହେଲେ ଭୋଲେ ବାବା ଡାଏରିର ନିର୍ଦ୍ଦେଶକ ପୋମିଲ ଜୟ, ବୈଷ୍ଣବୀ ଡାଏରିର ନିର୍ଦ୍ଦେଶକ ବିପିନ ଜୈନ, ବୈଷ୍ଣବୀ ଡେରୀର ସିଇଓ ଅପୂର୍ବା ଚାୱଡା ଓ ଏଆର୍ ଡେରୀର ପରିଚାଳନା ନିର୍ଦ୍ଦେଶକ ଆର୍ ରାଜଶେଖରନ। ତଦନ୍ତ କରୁଥିବା ସ୍ୱତନ୍ତ୍ର ସିବିଆଇ ଟିମ୍ ଏହି ୪ ଜଣଙ୍କୁ ଗିରଫ କରିଛି।

ବିଶ୍ୱ ପ୍ରସିଦ୍ଧ ତିରୁପତି ଲଡୁରେ ପଶୁ ଚର୍ବି ଥିବା ଦାବି ଗତବର୍ଷ ଚର୍ଚ୍ଚାର ବିଷୟ ପାଲଟିଥିଲା, ଯାହା ସୁପ୍ରିମ୍‌କୋର୍ଟରେ ପହଞ୍ଚିବା ପରେ ଧାର୍ମିକ ଓ ରାଜନୈତିକ ବିବାଦ ସୃଷ୍ଟି ହୋଇଥିଲା। ଅଭିଯୋଗର ସମ୍ପୂର୍ଣ୍ଣ ତଦନ୍ତ କରିବାକୁ କୋର୍ଟ ଫେଡେରାଲ ଏଜେନ୍ସିକୁ ନିର୍ଦ୍ଦେଶ ଦେଇଥିଲେ। ଚଳିତ ସପ୍ତାହରେ ସେହି ଟିମ୍ ଦାଖଲ କରିଥିବା ରିମାଣ୍ଡ ରିପୋର୍ଟରେ ଅନେକ ଉଦାହରଣ ରହିଛି ଯେଉଁଥିରେ ଟେଣ୍ଡର ଜିତିବା ପାଇଁ ୪ଟି ଡେରୀ ମଧ୍ୟରୁ ଏକ କିମ୍ବା ଏକାଧିକ ଜାଲ୍ ଦସ୍ତାବିଜ ଓ ମୂଲ୍ୟ ଉଲ୍ଲେଖ କରିଛନ୍ତି। ଏହାର ଏକ ଉଦାହରଣ ହେଉଛି ଏଆର୍ ଡା‌ଏରି ଫାର୍ମ। ଟେଣ୍ଡର ଅନୁଯାୟୀ ତିରୁପତିଠାରୁ ୧୫୦୦ କିଲୋମିଟର ଦୂରରେ ଥିବା ଏହି ଫାର୍ମ ଦୈନିକ ଅତି କମ୍‌ରେ ୬ ଟନ୍ ଗାଈ ଘିଅ ଯୋଗାଣ କରିବାରେ ସକ୍ଷମ ବୋଲି ଦାବି କରିଥିଲା। ତେବେ ସ୍ୱତନ୍ତ୍ର ଟିମ୍ ବା ଏସ୍‌ଆଇଟି ଏହି ଦାବିକୁ ମିଥ୍ୟା ବୋଲି ପ୍ରମାଣିତ କରିଛି।

ରିମାଣ୍ଡ ରିପୋର୍ଟ ଅନୁଯାୟୀ, ଘିଅ ଏଆର୍ ଡାଏରି ଯୋଗାଣ କରୁଛି ବୋଲି ଦାବି କରାଯାଉଥିବା ବେଳେ ବାସ୍ତବରେ ଭୋଲେ ବାବା ଫାର୍ମ ମାଧ୍ୟମରେ ବୈଷ୍ଣବୀ ଫାର୍ମରୁ ଯୋଗାଣ କରାଯାଉଥିଲା। ଏଆର୍ ଫାର୍ମ  ସେମାନଙ୍କ ସିଲ୍ ହଟାଇ ନିଜ ସିଲ୍ ଲଗାଇ ଓ ତଦନୁଯାୟୀ ଦସ୍ତାବିଜ ପ୍ରସ୍ତୁତ କରି ନକଲି ଘିଅ ବିକ୍ରି କରୁଥିଲା। ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ଅପୂର୍ବା ଚାୱଡ଼ା (ବୈଷ୍ଣବୀ ଡାଏରିର ସିଇଓ) ରାଜଶେଖରନ (ଏଆର୍ ଡା‌ଏରିର ଏମ୍‌ଡି)ଙ୍କ ସହ ଯୋଗାଯୋଗ କରିଥିଲେ। ଘିଅ ଯୋଗାଣର ଦାୟିତ୍ବ ନେବାକୁ ପ୍ରତିଶ୍ରୁତି ଦେଇଥିବା ଏଆର୍  ଡାଏରି କିଲୋ ପିଛା ୨.୭୫ରୁ ୩ ଟଙ୍କା କମିସନ ପ୍ରଦାନ କରାଯାଉଥିଲା। ଭୋଲେ ବାବା ଫାର୍ମ ବିଷୟରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ୨୦୨୨ରେ ସେହି କମ୍ପାନିଠାରୁ କିଣାଯାଇଥିବା ଘିଅ ଇନ୍-ହାଉସ୍ ଲ୍ୟାବ୍ ଦ୍ୱାରା କରାଯାଇଥିବା ପରୀକ୍ଷାରେ ପାସ୍ କରିନଥିଲା। ବୈଷ୍ଣବୀ ଫାର୍ମ ଭଳି ଭୋଲେ ବାବା ଫାର୍ମକୁ ତିରୁପତି ଲଡୁ ତିଆରି କରିବା ପାଇଁ ଘିଅ ଯୋଗାଣ ଲାଗି ଅଯୋଗ୍ୟ ଘୋଷଣା କରାଯାଇଥିଲା।

ତିରୁପତି ମନ୍ଦିରର ରୋଷେଇ ଘରେ ଦୈନିକ ପ୍ରାୟ ୩ ଲକ୍ଷ ଲଡୁ ତିଆରି ହୋଇଥାଏ, ଯେଉଁଥିରେ ପ୍ରାୟ ୧୫୦୦ କେଜି ଘିଅ ଏବଂ ବିପୁଳ ପରିମାଣର କାଜୁ ବାଦାମ, କିସମିସ୍, ଅଳେଇଚ, ବେସନ ଓ ଚିନି ବ୍ୟବହାର କରାଯାଏ। ଗତବର୍ଷ ଆନ୍ଧ୍ରପ୍ରଦେଶ ସରକାର ଗୁଜୁରାଟର ଏକ ଲ୍ୟାବ୍‌ ରିପୋର୍ଟ ପ୍ରକାଶ କରିବା ପରେ ଏହି ଦୁର୍ନୀତି ପ୍ରଘଟ ହୋଇଥିଲା, ଯେଉଁଥିରେ କୁହାଯାଇଛି ଯେ ତାମିଲନାଡୁର ଡିଣ୍ଡିଗୁଲରେ ଜଣେ ଯୋଗାଣକାରୀଙ୍କଠାରୁ କିଣାଯାଇଥିବା ଘିଅରେ ମାଛ ତେଲ ଓ ପଶୁଚର୍ବି ଥିଲା।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.