Breaking News

ଚିନ୍ତା ବଢ଼ାଉଛି ବିବାହ ବିଚ୍ଛେଦ: ରାଜ୍ୟରେ ଖୋଲିବ ପ୍ରାକ୍‌ ବିବାହ ପରାମର୍ଶ କେନ୍ଦ୍ର

ସମାଜରେ ଏବେ ଅଧିକ ମାତ୍ରାରେ ବିବାହ ବିଚ୍ଛେଦ ହେଉଛି। ଏହା ଏବେ ଚିନ୍ତାର ବିଷୟ ପାଲଟିଛି। ଦମ୍ପତିଙ୍କ ମଧ୍ୟରେ ବୁଝାମଣା ଅଭାବ ହିଁ ଏହାର ବଡ଼ କାରଣ। ସାମାଜିକ ସ୍ତରରେ ଏ ନେଇ ବ୍ୟାପକ ସଚେତନତା‌ ସୃଷ୍ଟି ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି।

ଭୁବନେଶ୍ବର: ସମାଜରେ ଏବେ ଅଧିକ ମାତ୍ରାରେ ବିବାହ ବିଚ୍ଛେଦ ହେଉଛି। ଏହା ଏବେ ଚିନ୍ତାର ବିଷୟ ପାଲଟିଛି। ଦମ୍ପତିଙ୍କ ମଧ୍ୟରେ ବୁଝାମଣା ଅଭାବ ହିଁ ଏହାର ବଡ଼ କାରଣ। ସାମାଜିକ ସ୍ତରରେ ଏ ନେଇ ବ୍ୟାପକ ସଚେତନତା‌ ସୃଷ୍ଟି ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। ବିବାହ ବିଛେଦକୁ ରୋକିବା ଉଦ୍ଦେଶ୍ୟରେ ରାଜ୍ୟରେ ପ୍ରାକ ବିବାହ  ପରାମର୍ଶ କେନ୍ଦ୍ର ଖୋଲାଯିବ। ୨୦୨୫ ବର୍ଷକୁ ବିବାହ ବିଚ୍ଛେଦ କମାଇବା ବର୍ଷ ଭାବେ ପାଳନ କରାଯିବ।

ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ବିଜୟା ରାହତକର ତାଙ୍କ ଓଡ଼ିଶା ଗସ୍ତ ଅବସରରେ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ଆଲୋଚନା ସମୟରେ ପ୍ରାକ୍ ବିବାହ ପରାମର୍ଶ କେନ୍ଦ୍ର ଖୋଲିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ମୁଖ୍ୟମନ୍ତ୍ରୀ ଏଥିରେ ସହମତି ପ୍ରଦାନ କରି କହିଥିଲେ, ପରାମର୍ଶ କେନ୍ଦ୍ର ମାଧ୍ୟମରେ ବିବାହ ପୂର୍ବରୁ ସାଂସାରିକ ଜୀବନ ସମ୍ବନ୍ଧରେ ଉପଯୁକ୍ତ ପରାମର୍ଶ ମିଳିଲେ ଏହି ହାର ନିଶ୍ଚୟ କମିବ। ଏଥିପାଇଁ  ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ। ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଗ୍ରାମ ସଭା, ବାଲ୍ୟ ବିବାହ ଏବଂ ମହିଳା ହିଂସାକୁ ରୋକିବା, କାର୍ଯ୍ୟ କ୍ଷେତ୍ରରେ ମହିଳାଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା।

    ରାଜ୍ୟରେ ଖୋଲିବ ପ୍ରାକ୍‌ ବିବାହ ପରାମର୍ଶ କେନ୍ଦ୍ର
    ଏବର୍ଷ ବିବାହ ବିଚ୍ଛେଦ କମାଇବା ବର୍ଷ ଭାବେ ପାଳନ ହେବ

ରାଜ୍ୟ ମହିଳା କମିସନର ୩୨ତମ ପ୍ରତିଷ୍ଠା ଦିବସ ଅବସରରେ ଶ୍ରୀମତୀ ରାହତକର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରାକ୍ ବିବାହ ପରାମର୍ଶ କେନ୍ଦ୍ର ଖୋଲାଯିବା ଉପରେ ମତ ରଖିଥିଲେ। ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇ କହିଥିଲେ, ଓଡ଼ିଶା ଭଳି ଏକ ସଂସ୍କୃତି ସଂପନ୍ନ ରାଜ୍ୟରେ ବିଚ୍ଛେଦ ହାରରେ ହ୍ରାସ ଆଣିବାକୁ ପଡ଼ିବ। ଏଥି ପାଇଁ ୨୦୨୫ ବର୍ଷକୁ ବିବାହ ବିଚ୍ଛେଦ କମାଇବା ବର୍ଷ ଭାବେ ପାଳନ କରାଯିବ। ମା’ ଭାବେ ଦମ୍ପତିଙ୍କ ସହ ମହିଳା କମିସନ ଛିଡ଼ା ହୋଇ ସେମାନଙ୍କୁ ଉଚିତ ପରାମର୍ଶ ଦେବ। ମହିଳା ଓ ଶିଶୁ ବିକାଶ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଉପସ୍ଥିତ ରହି ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା ମନିଷା ବାନାର୍ଜୀଙ୍କ ସହ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ରାଜ୍ୟ ମହିଳା ଆୟୋଗର ଅଧିକାରୀ, କ୍ଷେତ୍ରସ୍ତରୀୟ କର୍ମଚାରୀ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ଯୁବ ନେତୃବର୍ଗ, ସ୍ୱୟଂ ସହାୟକ ଗୋଷ୍ଠୀ ଫେଡେରେସନ ସଦସ୍ୟମାନେ ଉପସ୍ଥିତ ଥିଲେ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.