ସମ୍ପାଦକୀୟ

Editorial: ଦୃଶ୍ୟାନ୍ତର!

ବାଂଲାଦେଶକୁ ଏକ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବାର ପ୍ରତିଶ୍ରୁତି ଦେଇଥିବା ତାରିକ ରହମନ ଅବଲୀଳା କ୍ରମେ ପ୍ରତିଶୋଧ ରାଜନୀତି ଓ ଉଗ୍ର ମୌଳବାଦର ଆବର୍ତ୍ତରେ ଆପଣା ସତ୍ତା ହରାଇ ପାରନ୍ତି।

ବାଂଲାଦେଶକୁ ଏକ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବାର ପ୍ରତିଶ୍ରୁତି ଦେଇଥିବା ତାରିକ ରହମନ ଅବଲୀଳା କ୍ରମେ ପ୍ରତିଶୋଧ ରାଜନୀତି ଓ ଉଗ୍ର ମୌଳବାଦର ଆବର୍ତ୍ତରେ ଆପଣା ସତ୍ତା ହରାଇ ପାରନ୍ତି। ତେଣୁ, ଜମାତର ହାତ ଧରି ପ୍ରଥମେ ପାକିସ୍ତାନ ଏବଂ ତା’ ପରେ ପାକିସ୍ତାନର ହାତ ଧରି ଚୀନର ପ୍ରବେଶ ବାଂଲାଦେଶକୁ ଭାରତ ସମକ୍ଷରେ ଏକ ବୃହତ୍‌ ଆହ୍ବାନ ଭାବେ ଛିଡ଼ା କରାଇପାରେ।

ଗଲା ୧୩ ତାରିଖରେ ବାଂଲାଦେଶରେ ଏକ ନିର୍ବାଚିତ ସରକାର କ୍ଷମତାସୀନ ହେବା ଏକ ସକାରାତ୍ମକ ଘଟଣା ଏବଂ ବିଶେଷ କରି ଭାରତ ସକାଶେ କିଛିଟା ଆଶ୍ବାସନାମୂଳକ; କାରଣ, ୨୦୨୪ ମସିହା, ଅଗଷ୍ଟ ମାସର ସଡ଼କ ବିଦ୍ରୋହ ପର ଠାରୁ ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ଶାସନ ସମ୍ଭାଳୁ ଥିବା କାମଚଳା ସରକାର ଗଲା ଦେଢ଼ ବର୍ଷ ଧରି ଭାରତ ସଂପର୍କିତ ତା’ର ନୀତି ଓ ଆଭିମୁଖ୍ୟରେ ସମୁଦ୍ରରେ ଭାସି ବୁଲୁଥିବା ଏକ ଲଙ୍ଗରହୀନ ଜାହାଜ ସୁଲଭ ଲକ୍ଷ୍ୟହୀନତା ପ୍ରଦର୍ଶନ କରୁଥିଲା, ଯେଉଁ ସ୍ଥିତିରେ ଏବେ ପରିବର୍ତ୍ତନ ଘଟି ସ୍ଥିରତା ଆସିବାର ସମ୍ଭାବନା ଉଜ୍ଜ୍ବଳ। ତେବେ, ଏହା ମଧ୍ୟ ଏକ ବାସ୍ତବତା ଯେ ବାଂଲାଦେଶର ରାଜନୀତି ସଂପ୍ରତି ଏଭଳି ଏକ ଚୋରାବାଲିରେ ପରିଣତ ହୋଇଛି ଯେ ସେଥିରେ ୨୦୯ଟି ଆସନ ସହିତ ଦୁଇ-ତୃତୀୟାଂଶରୁ ଅଧିକ ଆସନ ଜିଣି କ୍ଷମତା ଦଖଲ କରିଥିବା ‘ବାଂଲାଦେଶ ନେସନାଲିଷ୍ଟ ପାର୍ଟି’ ବା ‘ବି.ଏନ.ପି.’ ସକାଶେ ମଧ୍ୟ ଦୃଢ଼ ଭାବେ ଛିଡ଼ା ହୋଇ ରହିବା ଦୁଷ୍କର ହୋଇପାରେ। ଏଭଳି ସ୍ଥିତିରେ ଭବିଷ୍ୟତ୍‌ର ପୂର୍ବାନୁମାନ କରିବା କଷ୍ଟକର ହେବ, ଯଦିଓ ଏକ କ୍ଷୁଦ୍ର ଆଲୋଚନାରୁ ଏ ନେଇ କିଛି ସଂକେତ ମିଳିପାରେ।
କାଳର ପରିହାସ ଭଳି, ବାଂଲାଦେଶର ଜନ୍ମ ଲାଭ (୧୯୭୧ ମସିହା) ପଛରେ ଥିବା ରକ୍ତ-ରଂଜିତ ପଥରେ ‘ଆୱାମୀ ଲିଗ’ ଓ ଭାରତୀୟ ସାମରିକ ବାହିନୀର ଅସୀମ ତ୍ୟାଗ ଓ ଆତ୍ମବଳିର ପଦଚିହ୍ନମାନ ସଂପ୍ରତି ନିଶ୍ଚିହ୍ନ ହେବାକୁ ବସିଲାଣି ଏବଂ ବାଂଲାଦେଶର ମୁକ୍ତିଯୁଦ୍ଧ ସମୟରେ ଶତ୍ରୁ ପକ୍ଷ ପାକିସ୍ତାନକୁ ସମର୍ଥନ କରିଥିବା ‘ଜମାତ୍‌ ଇ ଇସଲାମୀ’ ଏହି ନିର୍ବାଚନରେ ୬୮ଟି ଆସନ ଜିଣି ମୁଖ୍ୟ ବିରୋଧୀ ଦଳ ରୂପେ ଅବତୀର୍ଣ୍ଣ। ପ୍ରକା‌ଶ ଥାଉ କି ବାଂଲାଦେଶର ମୁକ୍ତି ସଂଗ୍ରାମରେ ଜଣେ ଅଗ୍ରଣୀ ସେନାପତି ଜିଆ ଉର ରହମନଙ୍କ ଚକ୍ଷୁରେ ‘ଜମାତ ଇ ଇସଲାମୀ’ ସୁନିଶ୍ଚିତ ଭାବେ ‘ରଜାକର’ ବା ‘ଗୃହଶତ୍ରୁ’ମାନଙ୍କ ଗୋଷ୍ଠୀ ରୂପେ ବିବେଚିତ ହେଉଥିବ, ଅଥଚ, ଇତିହାସର କଡ଼ ଲେଉଟାରେ, ତାଙ୍କ ସନ୍ତାନ ତାରିକ ରହମନ, ଦୀର୍ଘ ୧୭ ବର୍ଷର ଆତ୍ମ ନିର୍ବାସନ ପରେ ସେହି ବାଂଲାଦେଶକୁ ପ୍ରତ୍ୟାବର୍ତ୍ତନ କରି ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି, ଯାହାର ସଂସଦରେ ‘ମୁକ୍ତିଯୋଦ୍ଧା’ ଓ ‘ରଜାକର’ମାନଙ୍କ ଦାୟାଦଗଣ ଏକତ୍ର ହୋଇ ରାଷ୍ଟ୍ର ପରିଚାଳନା କରିବେ। ଏଭଳି ଏକ ସ୍ଥିତିରେ ବିଭିନ୍ନ ସମୟରେ ମତାନୈକ୍ୟ ଓ ସଂଘାତର ସ୍ଫୁଲିଙ୍ଗମାନ ସୃଷ୍ଟି ହେବା ସୁନିଶ୍ଚିତ।
ଏହି ପରିପ୍ରେକ୍ଷୀରେ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ହେଉଛି ନୂତନ ସରକାର ଅମଳରେ ଭାରତ ସହିତ ବାଂଲାଦେଶର ସଂପର୍କ କିଭଳି ହେବ? କାରଣ, ୧୯୭୧ ମସିହାରୁ ୨୦୨୪ ମସିହା ପର୍ଯ୍ୟନ୍ତ ପ୍ରାୟ ଅର୍ଦ୍ଧ ଶତାବ୍ଦୀର ସମୟ ଖଣ୍ଡ ମଧ୍ୟରେ ବାଂଲାଦେଶ ଦୃଷ୍ଟିରେ ଭାରତ ଏକ ପରମ ହିତୈଷୀ ମିତ୍ରରୁ ଚରମ ଶତ୍ରୁରେ ପରିଣତ ହୋଇ ସାରିଲାଣି। ଏ କଥା ମଧ୍ୟ ସର୍ବଜନବିଦିତ ଯେ ବାଂଲାଦେଶର ବିତାଡ଼ିତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଆଶ୍ରୟ ପ୍ରଦାନ କରିଥିବା କାରଣରୁ ଭାରତ ବିରୋଧରେ ସେଠାକାର ଜନମତ ଅତ୍ୟନ୍ତ ତୀବ୍ର; ଯାହାକୁ ଅଧିକ ଘନୀଭୂତ କରିଥିଲା ମହମ୍ମଦ ୟୁନୁସଙ୍କ ଦ୍ବାରା ପ୍ରୋତ୍ସାହିତ ପରିବେଶ। ସୁତରାଂ, ୨୦୨୪ ପର ଠାରୁ ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ଗ୍ଳାନିଶୂନ୍ୟ ଉତ୍ତମ ସଂପର୍କର ସୂତ୍ରପାତ ଘଟିଲାଣି। ଏ‌ଭଳି ଦୃଶ୍ୟପଟରେ ଭାରତ ପ୍ରତି ତାରିକ ରହମନ କିଭଳି ଆଭିମୁଖ୍ୟ ଗ୍ରହଣ କରିବେ?
ଅବଶ୍ୟ, କେହି କେହି କହିପାରନ୍ତି ଯେ ଏକ ରାଜନୈତିକ ଦଳ ରୂପେ ଆରମ୍ଭରୁ ଅର୍ଥାତ୍‌ ଖଲିଦା ଜିଆ(ତାରିକ ରହମନଙ୍କ ମା’)ଙ୍କ ନେତୃତ୍ବାଧୀନ ଥିବା ସମୟରୁ ‘ବି.ଏନ.ପି.’ର ଆଭିମୁଖ୍ୟରେ ଭାରତ ବିରୋଧୀ ମନୋଭାବ ପ୍ରଦର୍ଶିତ ହେଉଥିଲା। ଅଭିଯୋଗ ହୋଇଥାଏ ଯେ ‘ବି.ଏନ୍‌.ପି.’ର ଶାସନ କାଳରେ ପାକିସ୍ତାନର ‘ଆଇ.ଏସ.ଆଇ.’ ଦ୍ବାରା ପ୍ରୋତ୍ସାହିତ ଉଗ୍ରବାଦୀ କାର୍ଯ୍ୟକଳାପ ବାଂଲାଦେଶର ଭୂମିରେ ପରିପୁଷ୍ଟ ହୋଇଥିିଲା, ଯଦ୍ଦ୍ବାରା ଉତ୍ତର-ପୂର୍ବୀୟ ଭାରତ ଦୀର୍ଘ କାଳ ଧରି ଅଶାନ୍ତ ହୋଇ ରହିଥିଲା। ତେଣୁ, କେତେକ ବିଶେଷଜ୍ଞ କହନ୍ତି ଯେ ଆଂଶିକ ରାଜନୈତିକ ଭୂମି ଲାଭ କରିଥିବା ‘ଜମାତ’ ତା’ର ଅସଂଖ୍ୟ ହିଂସ୍ର ଉଗ୍ରବାଦୀ ପଦାତିକମାନଙ୍କ ମାଧ୍ୟମରେ ‘ବି.ଏନ.ପି.’ ଉପରେ ଚାପ ସୃଷ୍ଟି କରିବ ଯେ ତାହା କ୍ରମେ ପାକିସ୍ତାନ ଆଡ଼କୁ ଅଧିକ ଢଳୁ! ସୁତରାଂ, ଖୁବ୍‌ ସମ୍ଭବ ଯେ ଏହି ନୂତନ ସରକାରର ଅମଳରେ ଭାରତ ସହିତ ବାଂଲାଦେଶର ସୁସଂପର୍କ ସ୍ଥାପିତ ହେବାର ଆଶା ଅତ୍ୟନ୍ତ କ୍ଷୀଣ।

ତେବେ, ଆଉ କେତେକ ପର୍ଯ୍ୟବେକ୍ଷକ କହନ୍ତି ଯେ ‘ଜମାତ’ ଭଳି ‘ବି.ଏନ.ପି.’ କଦାଚିତ୍‌ ନିଃସଂକୋଚ ଭାବେ ପାକିସ୍ତାନ ପ୍ରତି ସମର୍ଥନ ପ୍ରଦର୍ଶନ କରିନାହିଁ। ସେମାନେ ଏହା ମଧ୍ୟ କହନ୍ତି ଯେ ଖଲିଦା ଜିଆଙ୍କ କାଳର ଦୁର୍ବଳ ବାଂଲାଦେଶ ପରିବର୍ତ୍ତେ ସଂପ୍ରତି ଏକ ପରିବର୍ତ୍ତିତ ବାଂଲାଦେଶ ବିଦ୍ୟମାନ, ଯାହା ବିକାଶର ସମସ୍ତ ସୂଚକାଙ୍କ ଏବଂ ଆର୍ଥିକ ସ୍ଥିତି ଦୃଷ୍ଟିରୁ ପାକିସ୍ତାନ ଠାରୁ ଅଧିକ ଉନ୍ନତ(ମୁଣ୍ଡ ପିଛା ଆୟରେ ପାକିସ୍ତାନ ଠାରୁ ୩୩% ଅଧିକ)। ତେଣୁ ପାକିସ୍ତାନକୁ ପ୍ରଶ୍ରୟ ଦେବା ବାଂଲାଦେଶ ସକାଶେ ବାଧ୍ୟବାଧକତା ହେବ ନାହିଁ। ଏଣେ ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ଏକ ସର୍ବେକ୍ଷଣରୁ ଦେଖିବାକୁ ମିଳିଛି ଯେ ୭୦% ବାଂଲାଦେଶୀ ଭାରତ ସହିତ ଉତ୍ତମ ସଂପର୍କ ଚାହାନ୍ତି। ପ୍ରକାଶ ଥାଉ କି ନିର୍ବାଚନର ଫଳାଫଳ ପ୍ରକାଶିତ ହେବା କ୍ଷଣି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାରିକ ରହମନଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହିତ ଉଭୟ ରାଷ୍ଟ୍ର ମଧ୍ୟରେ ସୁସଂପର୍କର କାମନା କରିଛନ୍ତି। ତାରିକ ରହମନଙ୍କ ଉତ୍ତର ମଧ୍ୟ ସକାରାତ୍ମକ ହୋଇଛି। କିନ୍ତୁ ସମସ୍ୟା ରହିଛି, ଭାରତରୁ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ନେଇ ବାଂଲାଦେଶର ଦାବିରେ, ଯାହାକୁ ନୂତନ ସରକାର ପ୍ରାରମ୍ଭରୁ ତା’ କାର୍ଯ୍ୟକ୍ରମରେ ଅଗ୍ରାଧିକାର ଦେଇଥିବାର ସୂଚନା ମିଳୁଛି। ଏହା ଦ୍ବାରା ଉଭୟ ରାଷ୍ଟ୍ର ଅସ୍ବସ୍ତିର ବଳୟ ମଧ୍ୟକୁ ପ୍ରବେଶ କରିବା ସ୍ବାଭାବିକ। ହସିନାଙ୍କ ପ୍ରତ୍ୟର୍ପଣକୁ ଘେନି ସୃଷ୍ଟ ଦ୍ବନ୍ଦ୍ବ ଓ ଟଣାଓଟରାକୁ ନେଇ ‘ଜମାତ’ ପକ୍ଷରୁ ଏଭଳି ଏକ ପରିବେଶ ମଧ୍ୟ ସୃଷ୍ଟି କରାଯାଇପାରେ, ଯେଉଁଠି ବାଂଲାଦେଶ ଭାରତ ଠାରୁ ଦୂରେଇ ଯାଇ ପାକିସ୍ତାନର ଅଧିକ ସନ୍ନିକଟ ହୋଇପାରେ।
ତାରିକ ରହମନ ବିପୁଳ ଜନମତ ଲାଭ କରି କ୍ଷମତାସୀନ ହୋଇଥିଲେ ହେଁ ବାଂଲାଦେଶର ରାଜନୈତିକ ମଞ୍ଚରେ ଦୃଶ୍ୟମାନ ହୋଇ ଆସିଥିବା ଉଲଙ୍ଗ କ୍ଷମତା ଲିପ୍‌ସା, ସାମରିକ ବିଦ୍ରୋହ ଓ ଅକଳ୍ପନୀୟ ରକ୍ତପାତ, ସହସା ନ୍ୟାୟ ପାଇବା ଲାଗି ଭିଡ଼ତନ୍ତ୍ର ଉପରେ ଜନସାଧାରଣଙ୍କ ଆସ୍ଥା; ହୁଏତ ତାଙ୍କୁ ଅଧିକାଂଶ ସମୟରେ ଉତ୍କଣ୍ଠିତ, ଅସୁରକ୍ଷିତ ଏବଂ ପରିସ୍ଥିତିର ଦାସ କରି ରଖିପାରେ। ତେଣୁ, ବାଂଲାଦେଶକୁ ଏକ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବାର ପ୍ରତିଶ୍ରୁତି ଦେଇଥିବା ତାରିକ ରହମନ ଅବଲୀଳା କ୍ରମେ ପ୍ରତିଶୋଧ ରାଜନୀତି ଓ ଉଗ୍ର ମୌଳବାଦର ଆବର୍ତ୍ତରେ ଆପଣା ସତ୍ତା ହରାଇ ପାରନ୍ତି। ତେଣୁ, ଜମାତର ହାତ ଧରି ପ୍ରଥମେ ପାକିସ୍ତାନ ଏବଂ ତା’ ପରେ ପାକିସ୍ତାନର ହାତ ଧରି ଚୀନର ପ୍ରବେଶ ବାଂଲାଦେଶକୁ ଭାରତ ସମକ୍ଷରେ ଏକ ବୃହତ୍‌ ଆହ୍ବାନ ଭାବେ ଛିଡ଼ା କରାଇପାରେ।
କହିବା ଅନାବଶ୍ୟକ ଯେ ବାଂଲାଦେଶରେ ଦୃଶ୍ୟାନ୍ତର ଘଟିଛି। ସେ ଦେଶର ନାଗରିକମାନେ ଆଶ୍ବସ୍ତ ଥିବେ ଯେ ଅନ୍ତତଃ ପକ୍ଷେ ଗତ ବର୍ଷର ସଡ଼କ ବିଦ୍ରୋହ ସହିତ ସୃଷ୍ଟ ଅରାଜକତାର ଅବସାନ ଘଟିବ ଏବଂ ଦେଶ ବିକାଶ ଦିଗରେ ଅଗ୍ରସର ହେବ। ତେଣୁ, ହୁଏତ ୨୦୨୪ ମସିହା, ଅଗଷ୍ଟ ବିଦ୍ରୋହର ସୂତ୍ରଧର ହୋଇଥିବା ଛାତ୍ର ଓ ତରୁଣମାନଙ୍କ ସଂଗଠନ ‘ନେସନାଲ ସିଟିଜନ୍‌ସ ପାର୍ଟି’କୁ ଜନ ସମର୍ଥନ ମିଳିନାହିଁ, ଯେଉଁ ଦଳକୁ ମିଳିଛି ମାତ୍ର ୬ଟି ଆସନ। ଏହି ନିର୍ବାଚନରୁ ଆୱାମୀ ଲିଗ ବହିଷ୍କୃତ ହୋଇଥିଲେ ହେଁ ଦେଶ କୌଣସି ଅନଭିଜ୍ଞ ରାଜନୈତିକ ଦଳ ହାତକୁ ଯାଇନାହିଁ। ‘ବି.ଏନ.ପି.’ ହେଉଛି କିଛି ଅତ୍ୟନ୍ତ ସମର୍ଥ ଓ ପୁରୁଖା ରାଜନେତାମାନଙ୍କ ସମଷ୍ଟିରେ ଗଠିତ ଏକ ଅଭିଜ୍ଞ ରାଜନୈତିକ ଦଳ। କିନ୍ତୁ କଥା ହେଲା, ଦୃଶ୍ୟାନ୍ତର ଘଟିବା ସହିତ କଥାବସ୍ତୁକୁ ରୋଚକ କରିବା ସକାଶେ ଯେଉଁ ‘ଟୁଇଷ୍ଟ’ର ଆବଶ୍ୟକତା ଅଛି, ତାହା ଘଟିବ ତ? ତାହା ନ ହେଲେ ବାଂଲାଦେଶର କାହାଣୀ ଅତ୍ୟନ୍ତ ସାଧାରଣ ସ୍ତରୀୟ ହୋଇ ଗଡ଼ି ଚାଲିବ। ତେଣୁ ବହୁତ କିଛି ନିର୍ଭର କରିବ ତାରିକ ରହମନଙ୍କ ଉପରେ, କାହାଣୀରେ ଟୁଇଷ୍ଟ ଦେବାରେ ତାଙ୍କ ସାମର୍ଥ୍ୟ ଉପରେ!

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button