Breaking News

ପଦ୍ମଶ୍ରୀ ସମ୍ମାନକୁ ନେଇ ବିବାଦ: ଦୁଇ ଅନ୍ତର୍ଯ୍ୟାମୀଙ୍କୁ ହାଜର ନିର୍ଦ୍ଦେଶ

ପଦ୍ମଶ୍ରୀ ସମ୍ମାନକୁ ନେଇ ବିବାଦ ହାଇକୋର୍ଟରେ ପହଞ୍ଚିଛି। ୨୦୨୩ରେ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। କିନ୍ତୁ ଯେଉଁ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ପଦ୍ମଶ୍ରୀ ପାଇଁ ମନୋନୀତ...

କଟକ: ପଦ୍ମଶ୍ରୀ ସମ୍ମାନକୁ ନେଇ ବିବାଦ ହାଇକୋର୍ଟରେ ପହଞ୍ଚିଛି। ୨୦୨୩ରେ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। କିନ୍ତୁ ଯେଉଁ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ପଦ୍ମଶ୍ରୀ ପାଇଁ ମନୋନୀତ କରାଯାଇଥିଲା ତାଙ୍କୁ ଏହା ଦିଆନଯାଇ ଅନ୍ୟ ଜଣେ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ବୋଲି ଅଭିଯୋଗ କରି ମାମଲା ଦାୟର ହୋଇଛି। ଏହି ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରି ଆବେଦନକାରୀ ଅନ୍ତର୍ଯ୍ୟାମୀ ମିଶ୍ର ଓ ପ୍ରତିପକ୍ଷ ନମ୍ବର-୨ ଢେଙ୍କାନାଳର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ବ୍ୟକ୍ତିଗତ ଭାବେ ଫେବ୍ରୁଆରି ୨୪ ତାରିଖ ଦିନ ୨ଟାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପଦ୍ମଶ୍ରୀ ସମ୍ମାନ ଦାବି ସଂକ୍ରାନ୍ତରେ ପ୍ରମାଣ କରିବା ପାଇଁ ଉଭୟ ସେମାନଙ୍କ ପ୍ରକାଶିତ ସମସ୍ତ ପ୍ରାସଂଗିକ ପୁସ୍ତକ ଓ ତଥ୍ୟ ଉପସ୍ଥାପନ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଡକ୍ଟର ଜଷ୍ଟିସ୍‌ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମାମଲାରେ କେନ୍ଦ୍ର ସରକାରଙ୍କୁ ପକ୍ଷ ରଖିବାକୁ ହାଇକୋର୍ଟ କହିଛନ୍ତି। ଏଥି ସହିତ ପ୍ରତିପକ୍ଷ ନମ୍ବର-୨ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ମଧ୍ୟ ହାଇକୋର୍ଟ ଆଜି ନୋଟିସ୍ ଜାରି କରିଛନ୍ତି। ପଦ୍ମଶ୍ରୀ ସମ୍ମାନ ଘୋଷଣା ପୂର୍ବରୁ ଯାଞ୍ଚ ପ୍ରକ୍ରିୟାରେ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଓ ବିଭିନ୍ନ ଆବଶ୍ୟକ ବିଧି ବିଧାନ ଅନୁସରଣ କରାଯାଉଥିବା ବେଳେ ଏକାଭଳି ନାଁ କାରଣରୁ ଏପରି ଦାବି  ଓ ପ୍ରତିଦାବି ସ୍ଥିତି ଉପୁଜିବା ଆଶ୍ଚର୍ଯ୍ୟର ବିଷୟ ବୋଲି ହାଇକୋର୍ଟ କହିଛନ୍ତି। ବିଭିନ୍ନ କ୍ଷେତ୍ରରେ  ଉଲ୍ଲେଖନୀୟ ସେବା ପାଇଁ ଏହି ସମ୍ମାନ ଏକ ମହାନ୍‌ ସ୍ବୀକୃତି ବୋଲି ହାଇକୋର୍ଟ କହିଛନ୍ତି। ଏହା ଏକ ଗୁରୁତର ପ୍ରସଂଗ ହୋଇଥିବା ବେଳେ ଉଭୟ ପକ୍ଷଙ୍କ ବ୍ୟକ୍ତିଗତ ଉପସ୍ଥିତି ପାଇଁ ନିର୍ଦ୍ଦେଶ ଦିଆଯାଉଛି ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ଜଣେ ପଶୁ ଚିକିତ୍ସକ ଓ ଲେଖକ। ‌ସେ ଭୁବନେଶ୍ବରରେ ଅବସ୍ଥାନ କରନ୍ତି। ଓଡ଼ିଆ ଓ ଅନ୍ୟ ଭାରତୀୟ ଭାଷାରେ ଆବେଦନକାରୀ ୨୯ଟି ପୁସ୍ତକ ଲେଖିଛନ୍ତି। ସାହିତ୍ୟ ପ୍ରତି ଅବଦାନ ପାଇଁ ତାଙ୍କ ନାଁ ୨୦୨୩ର ପଦ୍ମଶ୍ରୀ ସମ୍ମାନ ତାଲିକାରେ ସ୍ଥାନ ପାଇଥିଲା ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀ ଦର୍ଶାଇଛନ୍ତି ଯେ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ତାଙ୍କୁ ଫୋନ୍ କଲ ଆସିଥିଲା। ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯିବା ସହିତ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବା ପାଇଁ ନିମନ୍ତ୍ରଣ ପତ୍ର ଲାଗି ଅପେକ୍ଷା କରିବାକୁ କୁହାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଅନ୍ୟ ଜଣେ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା। ତଞ୍ଚକତା କରି ଏପରି କରାଯାଇଛି। ଏହି ଘଟଣାର ଯାଞ୍ଚ କରାଯିବା ସହିତ ଯେଉଁ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ପଦ୍ମଶ୍ରୀ ପାଇଁ ମନୋନୀତ କରାଯାଇଥିଲା ତାଙ୍କୁ ଏହା ପ୍ରଦାନ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ କେନ୍ଦ୍ର ସରକାର ଓ ୨୦୨୩ରେ ପଦ୍ମଶ୍ରୀ ପାଇଥିବା ‌ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆନନ୍ଦ ଚନ୍ଦ୍ର ସ୍ବାଇଁ ଓ ଆଇନଜୀବୀ ସନସାଇନ୍ ଆନନ୍ଦ ସ୍ବାଇଁ ମାମଲା ପରିଚାଳନା କରୁଛନ୍ତି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.