Breaking News

ମହାଶିବରାତ୍ରି ପାଇଁ ଶ୍ରୀଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ: ରାତି ୧୦ଟାରେ ଉଠିବ ମହାଦୀପ

ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ଆସନ୍ତା ୨୬ ତାରିଖରେ ପାଳନ ହେବ। ଏହି ଉପଲକ୍ଷେ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି। ରାତି ୧୦ଟାରେ ମହାଦୀପ ଉଠିବ। ମହାଶିବରାତ୍ରି ପୂର୍ବ ରାତ୍ର ୨ଟା ୩୦ ମିନିଟରେ ମନ୍ଦିର ଦ୍ୱାର ଖୋଲିବ।

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ଆସନ୍ତା ୨୬ ତାରିଖରେ ପାଳନ ହେବ। ଏହି ଉପଲକ୍ଷେ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି। ରାତି ୧୦ଟାରେ ମହାଦୀପ ଉଠିବ। ମହାଶିବରାତ୍ରି ପୂର୍ବ ରାତ୍ର ୨ଟା ୩୦ ମିନିଟରେ ମନ୍ଦିର ଦ୍ୱାର ଖୋଲିବ। ଭୋର ୩ଟାରୁ ସାଢ଼େ ୩ଟା ମଧ୍ୟରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପନ୍ନ ହେବ। ଏହାପରେ ଭୋର ସାଢ଼େ ୩ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ରହିବ। ଏହି ସମୟରେ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ନିକଟକୁ ଯାଇପାରିବେ। ସକାଳ ସାଢ଼େ ୬ଟାରେ ରୋଷ ହୋମ କରାଯିବ। ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଛାମୁ ପରିଷ୍କାର, ୧୨ଟାରୁ ୧୨ଟା ୪୫ମଧ୍ୟରେ ମହାସ୍ନାନ ବେଶ, ୧୨ଟା ୪୫ରୁ ସୂର୍ଯ୍ୟ ପୂଜା, ଦ୍ବାରପାଳ ପୂଜା, ଶ୍ରୀଜିଉ ଓ ଠାକୁରାଣୀଙ୍କ ବଲ୍ଲଭ ଏବଂ ଶ୍ରୀ ଜୀଉଙ୍କ ସକାଳ ଧୂପ ଅନୁଷ୍ଠିତ ହେବ।

ଟ୍ରଷ୍ଟ ବୋର୍ଡ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି

ସାଢ଼େ ୨ଟାରୁ ଶ୍ରୀ ଭୁବନେଶ୍ବରୀଙ୍କ ସକାଳ ଧୂପ, ୨ଟା ୪୫ରୁ ଭୋଗ ମଣ୍ଡପ, ଅପରାହ୍ନ ୩ଟା ୪୫ରୁ ୪ଟା ୪୫ ମିନିଟ୍‌ ମଧ୍ୟରେ ପୁଣି ସାହାଣମେଲା ଦର୍ଶନ ହେବ। ଅପରାହ୍ନ ୪ଟା ୪୫ରୁ ୫ଟା ୧୫ ପର୍ଯ୍ୟନ୍ତ ଛାମୁ ପରିଷ୍କାର, ୫ଟା ୧୫ରେ ଶ୍ରୀଜିଉଙ୍କ ବେଶ, ୫ଟା ୪୫ରୁ ବୀର କିଶୋର ବଲ୍ଲଭ, ଦ୍ବିପ୍ରହର ଧୂପ, ସନ୍ଧ୍ୟା ୭ଟାରେ ପହୁଡ ପଡ଼ିବ। ୭ଟା ୧୦ରୁ ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତି ଓ ଟେରା ଫିଟା। ସନ୍ଧ୍ୟା ସାଢ଼େ ୭ରୁ ଶ୍ରୀଜିଉଙ୍କ ମାଜଣା ଓ ବେଶ, ୮ଟା ୧୦ରେ ଶ୍ରୀ ଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା ପରିକ୍ରମା ହେବ। ୮ଟା ୫୫ମିନିଟ୍‌ରେ ସନ୍ଧ୍ୟା ଧୂପ ଓ ତୀର୍ଥଜଳ ଆନୟନ କରାଯାଇ ରାତି ୧୦ଟାରେ ମହାଦୀପ ଉଠିବ। ରାତି ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ। ସାଢ଼େ ୧୧ଟାରୁ ଚାରି ପ୍ରହର ପୂଜା ସାଢ଼େ ୩ଟା ପର୍ଯ୍ୟନ୍ତ ଚାଲିବ। ସାଢ଼େ ୩ଟାରୁ ସାଢ଼େ ୪ଟା ହରିହର ଭେଟ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ବିଭିନ୍ନ ସେବାୟତମାନଙ୍କୁ ନେଇ ଏହି ନୀତି ନିର୍ଘଣ୍ଟ ହୋଇଥିବା ବେ‌ଳେ ଟ୍ରଷ୍ଟ ବୋର୍ଡ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ତେବେ ଚଳିତ ବର୍ଷଠୁ ବ୍ୟବହାର ହୋଇଆସୁଥିବା ପାଞ୍ଜି ବଦଳରେ ନୂଆ ପାଞ୍ଜି ବ୍ୟବହାର ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.