Breaking News

ସହଦେବ ନାୟକ ହତ୍ୟା ଘଟଣା: ଅଧା ଭୁବନେଶ୍ବରରେ ସଫେଇ ବନ୍ଦ

ମୁନିସିପାଲିଟି ସଫେଇ ମଜଦୁର ସଂଘର ସମ୍ପାଦକ ସହଦେବ ନାୟକଙ୍କୁ ହତ୍ୟା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ହତ୍ୟା ଘଟଣାକୁ ଗୋଟିଏ ମାସ ପୂରଣ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ପରିବାରକୁ ଉଚିତ୍‌ ନ୍ୟାୟ ମିଳିନାହିଁ।

ଭୁବନେଶ୍ୱର: ମୁନିସିପାଲିଟି ସଫେଇ ମଜଦୁର ସଂଘର ସମ୍ପାଦକ ସହଦେବ ନାୟକଙ୍କୁ ହତ୍ୟା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ହତ୍ୟା ଘଟଣାକୁ ଗୋଟିଏ ମାସ ପୂରଣ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ପରିବାରକୁ ଉଚିତ୍‌ ନ୍ୟାୟ ମିଳିନାହିଁ। ହତ୍ୟାର ମାଷ୍ଟର ମାଇଣ୍ଡ ଏବେ ବି ବାହାରେ ବୁଲୁଛି। ପରିବାରକୁ ୩୦  ଲକ୍ଷ ଅନୁକମ୍ପା ରାଶି ଦେବ କହି ବିଏମ୍‌ସି ଭଣ୍ଡାଉଛି। ଏହାକୁ ନେଇ ତାତିଛି ମୁନିସିପାଲିଟି ସଫେଇ ମଜଦୁର ସଂଘ। ଗତ ଦୁଇ ଦିନ ଧରି ବିଏମ୍‌ସି ଅଫିସ୍‌ ଆଗରେ ବିକ୍ଷୋଭ କରିବା ସହ ଆଜି ବିଏମ୍‌ସିର ସମସ୍ତ ‌ଫାଟକକୁ ତାଲା ପକାଇ ଆନ୍ଦୋଳନ କରିଥିଲେ। ଶେଷରେ ସଂଘର କର୍ମକର୍ତ୍ତା ଓ ବିଏମ୍‌ସି ଅଧିକାରୀଙ୍କ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରହିଛି।

ଗତକାଲି ଭଳି ଆଜି ଶହ ଶହ ସଂଖ୍ୟାରେ ସଫେଇ କର୍ମଚାରୀମାନେ ବିଏମ୍‌ସି ଅଫିସ୍‌ ଆଗରେ ଆନ୍ଦୋଳନରେ ବସି ରହିଥିଲେ। ଆଜି ବିଏମ୍‌ସି କାର୍ଯ୍ୟାଳୟରେ ଜାତୀୟ ମହିଳା କମିସନଙ୍କ ‘ମହିଳା ଜନ ଶୁଣାଣି’ ଥିବାରୁ ଅନ୍ୟଦିନ ଅପେକ୍ଷା ଲୋକଙ୍କ ଭିଡ଼ ରହିଥିଲା। ଦୀର୍ଘ ସମୟ ଅପେକ୍ଷା କରିବା ପରେ ବିଏମ୍‌ସିର ଅଧିକାରୀ ଆଲୋଚନା ପାଇଁ ଆସି ନଥିଲେ। ଏହି ସମୟରେ ଆନ୍ଦୋଳନକାରୀମା‌ନେ ସମସ୍ତ ଫାଟକକୁ ବନ୍ଦ କରି ଦେଇଥିଲେ। ଫାଟକରେ ତାଲା ପକାଇ ସହଦେବଙ୍କୁ ନ୍ୟାୟ ଦେବା ପାଇଁ ନାରା ଦେଇଥିଲେ। ମହିଳା ଜନ ଶୁଣାଣି ଥିବାରୁ ଅଧିକ ପୁଲିସ ଫୋର୍ସ ମୁତୟନ ହୋଇଥିଲେ ହେଁ ସଫେଇ କର୍ମଚାରୀଙ୍କ ବିକ୍ଷୋଭ ଆଗରେ ପୋଲିସ ଏକ ପ୍ରଚାର ଚୁପ୍‌ ରହିଥିଲେ। ମେୟର କିମ୍ବା କମିସନର୍‌ କେହି ଆଲୋଚନାକୁ ଆସି ନଥିଲେ। ଦିନ ପ୍ରାୟ ୧ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ୪ ଘଣ୍ଟା ଧରି ଫାଟକ ତାଲା ପଡ଼ିଥିଲା। ‌ବାହାରୁ କେହି ଭିତରକୁ ପ୍ରବେଶ କରି ପାରିନଥିଲେ କିମ୍ବା ଭିତରକୁ କେହି ବାହାରକୁ ପ୍ରବେଶ କରି ପାରିନଥିଲେ। ଅପରାହ୍ନରେ ସଫେଇ ମଜଦୁର ସଂଘର ସଭାପତି ଅକ୍ଷୟ ରାଉତରାୟଙ୍କ ନେତୃତ୍ବରେ ଏକ ଟିମ୍‌ ପୋଲିସ ସହ ମିଶି ବିଏମ୍‌ସି ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁଙ୍କ ସହ ଆଲୋଚନା କରିଥିଲେ। ଆଲୋଚନାରେ ନିଷ୍ପତ୍ତି ଅନୁସାରେ ସହଦେବଙ୍କ ପତ୍ନୀଙ୍କୁ ସଫେଇ ସୁପରଭାଇଜର ଭାବେ ନିଯୁକ୍ତି ମିଳିବ। ହତ୍ୟାକାଣ୍ଡକୁ ସିବିଆଇକୁ ହସ୍ତାନ୍ତର, ପରିବାରକୁ ସୁରକ୍ଷା ପ୍ରଦାନ ନେଇ ୧୪ ତାରିଖରେ ଡିସିପିଙ୍କ ଆଲୋଚନା  ଏବଂ ଅନୁକମ୍ପା ରାଶି ସପ୍ତାହ ଭିତରେ ପ୍ରଦାନ ପାଇଁ ପ୍ରତିଶ୍ରୁତି ମିଳିଥଲା। ଏହାପରେ ଆନ୍ଦୋଳନ ସ୍ଥଗିତ କରାଯାଇଥିଲା। ଏନେଇ ସଂଘର ସଭାପତି ଅକ୍ଷୟ ରାଉତରାୟ କହିଛନ୍ତି ଆମେ ପ୍ରଶାସନକୁ ସମ୍ମାନ ଜଣାଇ ଆନ୍ଦୋଳନ ସ୍ଥଗିତ ରଖିଛୁ। ସପ୍ତାହ ଭିତରେ ଦାବି ପୂରଣ ନହେଲେ ବଡ଼ ଆନ୍ଦୋଳନ ହେବ।

ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ପ୍ରାୟ ୪୦ଟି ୱାର୍ଡରେ ସଫେଇ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଏହି ୱାର୍ଡଗୁଡ଼ିକୁ ସଫେଇ ଗାଡ଼ି ଯାଇଥିଲେ ବି ରାସ୍ତାଘାଟ ସଫା ହୋଇ ନଥିଲା କି ଘରୁ ବାହାରିଥିବା ଆବର୍ଜନାଗୁଡ଼ିକୁ ଉଠାଇ ଗାଡ଼ିରେ ପକାଇବା ପାଇଁ କର୍ମଚାରୀ ନଥିଲେ। ଆଜିର ଆନ୍ଦୋଳନକୁ ନେଇ ବିଏମ୍‌ସିର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜାନୁଆରି ୮ ତାରିଖରେ ସହଦେବଙ୍କୁ ହତ୍ୟା କରାଯାଇଥିଲା। ଏହା ଭିତରେ ଗୋଟିଏ ମାସ ବିତିଯାଇଥିଲେ ବି ସହଦେବଙ୍କ ପରିବାରର ଦାବିକୁ ବିଚାର କରିବାରେ ବିଏମ୍‌ସି ବିଫଳ ହୋଇଛି। ସହଦେବଙ୍କ ପତ୍ନୀ ଏକ ଘରୋଇ ସଫେଇ ସଂସ୍ଥାରେ ଚାକିରି କରୁଛନ୍ତି। କିନ୍ତୁ ତାଙ୍କୁ ବିଏମ୍‌ସିରେ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି ହେଉଛି। ଏସମ୍ପର୍କରେ ବିଏମ୍‌ସି କିଛି ସ୍ପଷ୍ଟ କରି ନାହିଁ। ହତ୍ୟାଜନିତ ମୃତ୍ୟୁ ପାଇଁ ୩୦ ଲକ୍ଷ ଟଙ୍କାର ଅନୁଦାନ ରାଶି ଦାବି କରାଯାଉଛି। ବିଏମ୍‌ସି ଘରୋଇ ସଫେଇ ସଂସ୍ଥାଗୁଡ଼ିକୁ କହି ତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଦେବାର ବ୍ୟବସ୍ଥା କରିଛି। ଅବଶିଷ୍ଟ ଟଙ୍କା ଦିଆଯିବ କି ନାହିଁ, ତାହା ସ୍ପଷ୍ଟ କରୁ ନାହିଁ। ଦାବି ପୂରଣ ନ ହେଲେ ୧୦ ତାରିଖରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ହେବ ବୋଲି ଗତ ୨ ତାରିଖରେ ସଫେଇ ମଜଦୁର ସଂଘ ପକ୍ଷରୁ ବିଏମ୍‌ସିକୁ ଲିଖିତ ଭାବେ ଜଣାଯାଇଥିଲା। ତାହା ସ‌ତ୍ତ୍ବେ ବିଏମ୍‌ସି ନିଦାବିଷ୍ଣୁ ସାଜିଥିଲା। ଗତକାଲି ସଂଘ ପକ୍ଷରୁ ବିଏମ୍‌ସି କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦିଆଯାଇଥିଲେ ବି କେହି ଆଲୋଚନାକୁ ଆସି ନଥିଲେ। ଏହାର ପରିଣତ ସ୍ବରୂପ ଆଜି ସହରବାସୀ ହଇରାଣ ହେଲେ। ନିୟମିତ ବ୍ୟବଧାନରେ ବିଭିନ୍ନ ଦାବି ନେଇ ସଫେଇ ବନ୍ଦ କରାଯାଉଥିବାର ଦେଖିବାକୁ ମିଳୁଛି। ଏହା ସହରର ଏକ ମୌଳିକ ସେବା ହୋଇଥିବାରୁ ଏପରି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ଠୋସ୍ ଯୋଜନା କରିବାକୁ ସଚେତନ ନାଗରିକ ମହଲ‌ରେ ଦାବି ହେଉଛି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.