Breaking News

ଭୁବନେଶ୍ବରର ଟ୍ରାଫିକ୍‌ ମୁକାବିଲା ପାଇଁ ଯୋଜନା: ଫ୍ଲାଏଓଭର୍‌ ଉପରେ ଚାଲିବ ମେଟ୍ରୋ

ଭୁବନେଶ୍ବରରେ ସୃଷ୍ଟି ହେଉଥିବା ଟ୍ରାଫିକ୍‌ ସମସ୍ୟା ଦୂର କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ସହର ଚାରିପାଖରେ ୩ଟି ରିଙ୍ଗରୋଡ୍‌ ସହ ଦୁଇଟି ଏଲିଭେଟେଡ୍‌ କରିଡର ନିର୍ମାଣ କରାଯିବ।

ଭୁବନେଶ୍ବର: ଭୁବନେଶ୍ବରରେ ସୃଷ୍ଟି ହେଉଥିବା ଟ୍ରାଫିକ୍‌ ସମସ୍ୟା ଦୂର କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ସହର ଚାରିପାଖରେ ୩ଟି ରିଙ୍ଗରୋଡ୍‌ ସହ ଦୁଇଟି ଏଲିଭେଟେଡ୍‌ କରିଡର ନିର୍ମାଣ କରାଯିବ। ଏଥିସହ ଏଜି ଛକରେ ଏକ ଅଣ୍ଡରଗ୍ରାଉଣ୍ଡ ରାସ୍ତା ନିର୍ମାଣ ହେବ। ପାଖାପାଖି ୭ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଆସନ୍ତା ୩ରୁ ୪ ବର୍ଷ ମଧ୍ୟରେ ଶେଷ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି।

ସହରରେ ବଢ଼ୁଥିବା ଜନସଂଖ୍ୟାକୁ ନଜରରେ ରଖି ଆସନ୍ତା ୫୦ ବର୍ଷ ପାଇଁ ରୂପରେଖ ପ୍ରସ୍ତୁତ କରିଛନ୍ତି। ଭୁବନେଶ୍ବରରୁ କଟକ ସଂଯୋଗ କରୁଥିବା ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାକୁ ଏଲିଭେଟେଡ୍‌ କରିଡର କରାଯିବ। ତିନି ଥାକିଆ ହେବାକୁ ଥିବା ଏହି ରାସ୍ତାରେ ସବୁଠୁ ଉପରେ ମେଟ୍ରୋ ଟ୍ରାକ୍‌ ରହିବ। ତା’ ତଳକୁ ଗାଡ଼ି ଚଳାଚଳ ପାଇଁ ଫ୍ଲାଏଓଭର ନିର୍ମାଣ ହେବ। ଆଉ ଫ୍ଲାଏଓଭର ତଳେ ରହିବ ରାସ୍ତା। ମେଟ୍ରୋ ପ୍ରକଳ୍ପ ଅଧୀନ ଜୟଦେବବିହାରଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତାକୁ ନେଇ ଏମିତି ଯୋଜନା ହୋଇଛି। ନୂଆ ପରିକଳ୍ପନା ଅନୁସାରେ ରାସ୍ତାଠାରୁ ପ୍ରାୟ ୮ ମିଟର ତଥା ୨୬.୨୪ ଫୁଟ୍ ଉପରେ ରହିବ ଫ୍ଲାଏଓଭର। ତା’ ଉପରେ ନିର୍ମାଣ ହେବ ମେଟ୍ରୋ ଟ୍ରାକ୍। ଅର୍ଥାତ୍‌ ମାଟିରୁ ୧୪ ମିଟର ତଥା ୪୬ ଫୁଟ୍ ଉପରେ ମେଟ୍ରୋ ଟ୍ରାକ୍‌ ରହିବ। ଫ୍ଲାଏଓଭର ୪ ନ ହେଲେ ୬ ଲେନ୍‌ ବିଶିଷ୍ଟ ହେବ। ଫଳରେ ତଳେ ‌ଯେତିକି ଗାଡ଼ି ଚାଲିବ, ଉପରେ ମଧ୍ୟ ସେତିକି ଯିବ। ଯେଉଁଠି ବଡ଼ ବଡ଼ ଛକ ଅଛି ସେଠି ଏସ୍‌କେପ ୱେ ରହିବ। ଯେଉଁମାନେ ଉପରେ ଯାତାୟାତ କରୁଥିବେ ସେମାନେ ତଳକୁ ଓହ୍ଲାଇବାକୁ କୌଣସି ଅସୁବିଧା ହେବ ନାହିଁ। ୨୦୨୭-୨୮ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବା ସହ ଭୁବନେଶ୍ୱରର ଲାଇଫ୍‌ଲାଇନ ପାଲଟିବ ବୋଲି ପୂର୍ତ୍ତ ତଥା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।

ଜୟଦେବବିହାରରୁ ନନ୍ଦନକାନନ ହେବ ଫ୍ଲାଏଓଭର୍‌
ସହର ଚାରିପାଖରେ ନିର୍ମାଣ ହେବ ୩ ରିଙ୍ଗ୍‌ରୋଡ୍‌
ଏଜି ଛକରେ ଅଣ୍ଡର୍‌ଗ୍ରାଉଣ୍ଡ ରାସ୍ତା, କମିବ କଳ୍ପନା ଛକ ଭିଡ଼
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି

ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆହୁରି କହିଛନ୍ତି ଯେ ବର୍ତ୍ତମାନ ଜୟଦେବବିହାର-ନନ୍ଦନକାନନ ତଳ ରାସ୍ତା ସମ୍ପ୍ରସାରଣ କଲେ ବହୁତ ଲୋକଙ୍କୁ ରାସ୍ତାପାର୍ଶ୍ବରୁ ହଟାଇବାକୁ ହେବ। ରାସ୍ତାପାର୍ଶ୍ବରେ ଥିବା ହଜାର ହଜାର ଗଛ ମଧ୍ୟ କାଟିବାକୁ ପଡ଼ିବ। ତେଣୁ ଏହି କରିଡ଼ରର ଯୋଜନା ହୋଇଛି। ଗତକାଲି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରକଳ୍ପ କାର୍ଯ୍ୟ ଆଗେଇବାକୁ ସହମତି ପ୍ରକାଶ କରିଛନ୍ତି। ଏବେ ଭୁବନେଶ୍ବରରୁ କଟକ, ଖୋର୍ଦ୍ଧା ଓ ପୁରୀକୁ ଯିବା ସମୟରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ଯଦି ଆମେ ଏକାଧିକ ପ୍ରବେଶ ଓ ପ୍ରସ୍ଥାନ ପଥ ରଖିବା ତାହା ହେଲେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବ ନାହିଁ। ରାସ୍ତାରୁ ଚାପ କମିବ। ସେହିପରି ରାଜମହଲ ଛକ, କଳ୍ପନା ଛକ ଓ ମ୍ୟୁଜିୟମ୍‌ ଛକକୁ ମିଶାଇ ଆଉ ଗୋଟିଏ ଏଲିଭିଟେଡ୍‌ କରିଡର କରାଯିବ। ଏଥିସହ ଏଜି ଛକରେ ଗୋଟିଏ ଅଣ୍ଡରଗ୍ରାଉଣ୍ଡ ରାସ୍ତା ନିର୍ମାଣ କରିବାକୁ ରୂପରେଖ ପ୍ରସ୍ତୁତ ହୋଇଛି।

ଏହାବ୍ୟତୀତ ପୁରୀ ଜାତୀୟ ରାଜପଥ ଓ ଜାତୀୟ ରାଜପଥ-୧୬କୁ ସଂଯୋଗ ପାଇଁ ଏକ ରାସ୍ତା କରିବାକୁ ବ୍ୟବସ୍ଥା ହେଉଛି। ଏହାଦ୍ବାରା ଯେଉଁମାନେ ଗଞ୍ଜାମରୁ ପୁରୀ ଯିବାକୁ ଚାହୁଛନ୍ତି ସେମାନଙ୍କୁ ଆଉ ଭିଡ଼ରେ ପଶିବାକୁ ପଡ଼ିବ ନାହିଁ। ଏହାବ୍ୟତୀତ ଏନ୍‌ଏଚ୍‌ଏଆଇ ପକ୍ଷରୁ କ୍ୟାପିଟାଲ ରିଜିଅନ୍‌ ରିଙ୍ଗ୍‌ ରୋଡ୍‌ ପ୍ରସ୍ତୁତ ହେଉଛି, ଯାହାକି ରାମେଶ୍ବରରୁ ବାହାରି ଟାଙ୍ଗୀ ଦେଇ ଜାତୀୟ ରାଜପଥ-୧୬ରେ ମିଶିବ। ଏହାର ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ୧୪୨ କିମି ରିଙ୍ଗରୋଡ୍‌ ଭୁବନେଶ୍ବର ବାହାରେ ପ୍ରସ୍ତୁତ ହେଉଛି। ଯେଉଁଥିରେ ପିପିଲି, ଜଟଣୀ, ତ୍ରିଶୁଳିଆ ପ୍ରଭୃତି ଅଞ୍ଚଳକୁ ସଂଯୋଗ କରିବ। ଭୁବନେଶ୍ବର କଳେବର ବଢ଼ୁଥିବା ଟ୍ରାଫିକ୍‌ ସମସ୍ୟା ଦୂର କରିବାରେ ଏହା ସହାୟକ ହେବ। ସହର ଭିତରେ ଇନ୍‌ର ରିଙ୍ଗ୍‌ରୋଡ୍‌ ମଧ୍ୟ ହେଉଛି। ଏହା ଶେଷ ହେବା ପରେ ଭୁବନେଶ୍ବରରୁ ଟ୍ରାଫିକ୍‌ ସମସ୍ୟା ଦୂର ହେବ। ରିଙ୍ଗ୍‌ରୋଡ୍‌ଗୁଡ଼ିକ ୬ ଲେନ୍‌ ବିଶିଷ୍ଟ ହେବ। ଆବଶ୍ୟକ ପଡ଼ିଲେ ଭବିଷ୍ୟତରେ ୮ ଲେନ୍‌ ହୋଇପାରିବ। ରାସ୍ତାରୁ କିଭଳି ରୋଜଗାର ହୋଇପାରିବ ତାହା ଉପରେ ମଧ୍ୟ ରାଜ୍ୟ ସରକାର ଚିନ୍ତା କରୁଥିବା ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.