Breaking News

ଢିଙ୍କିଶାଳରୁ ଢେଙ୍କାନାଳ: ଗୋଟିଏ ସଂକ୍ରମିତ ନଖର କାହାଣୀ

ଆମ ସରକାରୀ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥାର ବିକଳ ଚିତ୍ର ଅନେକ ସମୟରେ ଖବରକାଗଜର ପୃଷ୍ଠା ବା ଟେଲିଭିଜନର ପରଦା ମଣ୍ଡନ କରେ। କେଉଁଠି ଡାକ୍ତର ନାହାନ୍ତି ତ ଆଉ କେଉଁଠି ଠିକ୍ ସମୟରେ ଚିକିତ୍ସା ନ ମିଳିବାରୁ ରୋଗୀ ମୃତ୍ୟୁବରଣ କଲେଣି।

 ସନ୍ଦୀପ ସାହୁ

ଆମ ସରକାରୀ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥାର ବିକଳ ଚିତ୍ର ଅନେକ ସମୟରେ ଖବରକାଗଜର ପୃଷ୍ଠା ବା ଟେଲିଭିଜନର ପରଦା ମଣ୍ଡନ କରେ। କେଉଁଠି ଡାକ୍ତର ନାହାନ୍ତି ତ ଆଉ କେଉଁଠି ଠିକ୍ ସମୟରେ ଚିକିତ୍ସା ନ ମିଳିବାରୁ ରୋଗୀ ମୃତ୍ୟୁବରଣ କଲେଣି। କେତେବେଳେ ଜେନେରେଟର ନ ଥିବାରୁ ଅନ୍ଧାରରେ ରୋଗୀ ସେବା ଚାଲିଛି ତ ଆଉ କେତେବେଳେ ମହମବତି ଆଲୁଅରେ ବିପଜ୍ଜନକ ଅସ୍ତ୍ରୋପଚାର ହେଉଛି। କେଉଁଠି ଦଲାଲଙ୍କ ଦୌରାତ୍ମ୍ୟ ଯୋଗୁଁ ରୋଗୀ ଓ ତାଙ୍କ ସମ୍ପର୍କୀୟ ହନ୍ତସନ୍ତ ତ ଆଉ କେଉଁଠି ବେଡ୍‌ଟିଏ ପାଇଁ ହାତଗୁଞ୍ଜା ଦେବାକୁ ପଡୁଛି। କେତେବେଳେ ୱାର୍ଡ ଭିତରେ ପଙ୍ଖା ଗଳି ପଡ଼ି ରୋଗୀ ଆହତ ହେଉଛନ୍ତି ତ ଆଉ କେଉଁଠି ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ରୋଗୀ ମୃତ୍ୟୁ ବରଣ କରୁଛନ୍ତି।
ସଚରାଚର ଦେଖାଯାଏ ଯେ ଯେଉଁ ଅଞ୍ଚଳ ଯେତେ ଦୁର୍ଗମ ବା ଅପହଞ୍ଚ, ସେ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ସେତେ ବିପର୍ଯ୍ୟସ୍ତ। ସେ ସବୁ ଅଞ୍ଚଳର ଲୋକେ କ୍ଷୋଭ ପ୍ରକାଶ କରନ୍ତି ଯେ ସରକାରୀ ସ୍ବାସ୍ଥ୍ୟ ସେବାର ଲାଭ କେବଳ କଟକ, ଭୁବନେଶ୍ୱର, ରାଉରକେଲା ପରି ବଡ଼ ବଡ଼ ସହରରେ ରହୁଥିବା ଲୋକେ ହିଁ ପାଉଛନ୍ତି। ଅବଶ୍ୟ ସେମାନଙ୍କର ଏ କ୍ଷୋଭ ନିରାଧାର ନୁହେଁ। ବଡ଼ ସହରମାନଙ୍କରେ ଥିବା ସରକାରୀ ଡାକ୍ତରଖାନାଗୁଡ଼ିକରେ ସବୁ ବିଭାଗର ବିଶେଷଜ୍ଞ ଡାକ୍ତର ଥାଆନ୍ତି; ଆବଶ୍ୟକ ଚିକିତ୍ସା ଉପକରଣ ଥାଏ। କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ବଡ଼ ସହରରେ ମଧ୍ୟ କେବଳ ଗରିବ, ଅସହାୟ ଶ୍ରେଣୀର ଲୋକେ ହିଁ ସରକାରୀ ସ୍ବାସ୍ଥ୍ୟ ସେବା ଉପରେ ନିର୍ଭର କରନ୍ତି। ଯାହାର ସାଧ୍ୟ ଅଛି, ସେ ସେଇ ସହରରେ ଥିବା କୌଣସି ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ପସନ୍ଦ କରନ୍ତି (ସେଥିପାଇଁ ଯେତେ ଅଧିକ ଅର୍ଥଶ୍ରାଦ୍ଧ କରିବାକୁ ପଡୁ ପଛେ)।
ତେବେ କ’ଣ ଏହାର କାରଣ? କାହିଁକି ଲୋକେ ସରକାରୀ ଡାକ୍ତରଖାନାରେ ମିଳୁଥିବା ମାଗଣା ସ୍ବାସ୍ଥ୍ୟ ସେବା ଛାଡ଼ି ବ୍ୟୟବହୁଳ ଘରୋଇ ଚିକିତ୍ସାକୁ ଅଧିକ ପସନ୍ଦ କରନ୍ତି? ଏହାର ଏକମାତ୍ର କାରଣ ହେଲା ମାଗଣାରେ ମିଳୁଥିବା ସରକାରୀ ସ୍ବାସ୍ଥ୍ୟସେବା ଉପରେ ଲୋକଙ୍କର ଭରସା ନାହିଁ। ବିଭିନ୍ନ ଭେଷଜ ପରୀକ୍ଷା ସରକାରୀ ଡାକ୍ତରଖାନାରେ ମାଗଣାରେ ହୁଏ। କିନ୍ତୁ ଲୋକେ ବିଶ୍ୱାସ କରନ୍ତି ନାହିଁ ଯେ ମାଗଣା ଭେଷଜ ପରୀକ୍ଷାର ଫଳାଫଳ ଠିକ୍ ହୋଇଥିବ। ‘‘ନିରାମୟ’’ ଯୋଜନାରେ ସରକାରୀ ଡାକ୍ତରଖାନାରେ ଔଷଧ ମାଗଣା ମିଳେ। କିନ୍ତୁ ଏଭଳି ଔଷଧର ମାନକୁ ନେଇ ଲୋକଙ୍କ ମନରେ ଘୋର ସନ୍ଦେହ ରହିଛି। ତେବେ ସରକାରୀ ସ୍ବାସ୍ଥ୍ୟସେବା ପ୍ରତି ଲୋକଙ୍କ ବିମୁଖତାର ସବୁଠାରୁ ବଡ଼ କାରଣ ହେଉଛି ସେବା ଯୋଗାଇ ଦେଉଥିବା ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କ ମାନସିକତା। ରୋଗୀ ସେବା ପରି ଏକ ମହତ କାର୍ଯ୍ୟରେ ଯେଉଁ ପ୍ରକାର ନିଷ୍ଠା ଓ ଦାୟିତ୍ବବୋଧ ରହିବା କଥା, ତାହା ସେମାନଙ୍କ ପାଖରେ କ୍ବଚିତ୍‌ ଦେଖିବାକୁ ମିଳେ। ଅଧିକନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଆଚରଣରେ ରୋଗୀଙ୍କ ପ୍ରତି ସମ୍ବେଦନଶୀଳତାର ଘୋର ଅଭାବ ପରିଲକ୍ଷିତ ହୋଇଥାଏ। ରୋଗୀ (ଓ ସେମାନଙ୍କ ସମ୍ପର୍କୀୟ)ଙ୍କ ପ୍ରତି ସେମାନଙ୍କ ବ୍ୟବହାର ଅନେକ ସମୟରେ ନିର୍ଲିପ୍ତ, ବୀତସ୍ପୃହ ଓ ହତୋତ୍ସାହଜନକ (ବେଳେବେଳେ ରୁକ୍ଷ ମଧ୍ୟ)।
ଭାତହାଣ୍ଡିରୁ ଗୋଟିଏ ଚିପିଲା ପରି ସରକାରୀ ଡାକ୍ତରଖାନାରେ ଏହିଭଳି ଜଣେ ‘ରୋଗୀ’ଙ୍କ ଅନୁଭୂତିର ଅବତାରଣା କଲେ ସ୍ପଷ୍ଟ ହୋଇଯିବ ଯେ ଆମ ସରକାରୀ ସ୍ବାସ୍ଥ୍ୟ ବ୍ୟବସ୍ଥା ଏତେ ରୁଗ୍‌ଣ କାହିଁକି?
ଭୁବନେଶ୍ବରରେ ରହୁଥିବା ସମ୍ପୃକ୍ତ ବ୍ୟକ୍ତି ଜଣକ ତାଙ୍କ ଡାହାଣ ଗୋଡ଼ ବୁଢ଼ା ଆଙ୍ଗୁଠିର ନଖଟି ‘ଫଙ୍ଗସ୍’ଗ୍ରସ୍ତ ହୋଇ ଯାଇଥିବାରୁ ବେଶ୍‌ କିଛି ଦିନ ଧରି କଷ୍ଟ ପାଉଥିଲେ। ନଖଟି ଭୀଷଣ ଟାଣ ହୋଇ ମାଂସକୁ କାମୁଡ଼ି ଧରିଥିବାରୁ ତାକୁ କାଟି ହେଉ ନ ଥିଲା। ବ୍ଲେଡ୍ କି ‘ନେଲ୍‌ କଟର୍‌’ କାମ ଦେଉ ନ ଥିଲା। ଜବରଦସ୍ତ କାଟିବାକୁ ଚେଷ୍ଟା କଲେ ପ୍ରବଳ ବ୍ୟଥା ହେଉଥିଲା। ନାଖଟି ବଢ଼ି ରହିଥିବାରୁ ସେ ଜୋତା ପିନ୍ଧି ପାରୁ ନ ଥିଲେ। ୨୦୨୪ ନଭେମ୍ବର ୧୫ ତାରିଖରେ ରୋଗୀ ଜଣକ ଯାଇ ପହଞ୍ଚିଲେ ରାଜଧାନୀର ସବୁଠାରୁ ‘‘ଉନ୍ନତ’’ ଓ ‘ଆଧୁନିକ’ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସପିଟାଲରେ (ଯାହା ଇତି ମଧ୍ୟରେ ନବକଳେବର ହୋଇ ‘‘ସ୍ନାତକୋତ୍ତର ଭେଷଜ ଶିକ୍ଷା ଓ ଅନୁସନ୍ଧାନ ଅନୁଷ୍ଠାନ’’ ବା ସଂକ୍ଷେପରେ ‘ପି.ଜି.ଆଇ.ଏମ୍‌.ଇ.ଆର ପାଲଟିଛି)। ପ୍ରଥମେ ଧାଡ଼ିରେ ଛିଡ଼ା ହୋଇ ପଞ୍ଜୀକରଣ କଲେ; ତା’ପରେ ଶଲ୍ୟ ବିଭାଗ ବହିର୍ବିଭାଗ (ଆଉଟଡୋର)ରେ ନମ୍ବର ଚଢ଼େଇ ପୁଣି ଧାଡ଼ିରେ ଛିଡ଼ା ହେଲେ। ପ୍ରାୟ ଅଧ ଘଣ୍ଟା ଅପେକ୍ଷା କଲା ପରେ ଶେଷରେ ଭିତରକୁ ଯିବା ପାଇଁ ଡାକରା ଆସିଲା। ବୟସ୍କ ଡାକ୍ତର ଜଣକ ନଖ ଉପରେ ଆଖି ବୁଲେଇ ଆଣିଲେ ଓ ତା’ପରେ କିଛି ଔଷଧ ଲେଖିଲେ। କହିଲେ; ‘‘ଏଇଟା ଅପରେସନ ହେବ। ଏ ଔଷଧ ନେଇ ଯାଆନ୍ତୁ। ଖାଇବେ ଓ ୧୫ ଦିନ ପରେ ଆସିବେ।’’
ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସଂପୃକ୍ତ ପୀଡ଼ିତ ବ୍ୟକ୍ତି ଔଷଧ ନେଇ ଫେରିଲେ। ଔଷଧ ତକ ଖାଇ ୧୫ ଦିନ ପରେ ହସପିଟାଲରେ ପହଞ୍ଚିଲେ। ଏଥର ବି ଧାଡ଼ିରେ ପ୍ରାୟ ୪୫ ମିନିଟ ଛିଡ଼ା ହେବାକୁ ପଡ଼ିଲା। ଏଥର କିନ୍ତୁ ବୟସ୍କ ଡାକ୍ତରଙ୍କ ବଦଳରେ ଜଣେ ଯୁବ ଡାକ୍ତର ବସିଥିଲେ। ପ୍ରେସ୍କ୍ରିପସନ୍ ଦେଖିଲା ପରେ କହିଲେ; ‘‘ଆପଣଙ୍କୁ ମିଶ୍ର ସାର୍ ଦେଖିଥିଲେ। ତେଣୁ ସେ ହିଁ ଦେଖିବେ। ଶୁକ୍ରବାର ଦିନ ଆସନ୍ତୁ। ସେ ଦିନ ତାଙ୍କର ପାଳି ଅଛି।’’ ପୁଣି ଆଉ ଥରେ ଆସିବା କଥା ଶୁଣି ସାମାନ୍ୟ ନିରାଶ ରୋଗୀ ଜଣକ ଯୁବ ଡାକ୍ତରଙ୍କୁ ଅନୁରୋଧ କଲେ ଦେଖିବାକୁ। କିନ୍ତୁ ସେ କହିଲେ; ‘‘ନା, ନା। ସେ ସିନିୟର୍ ଡାକ୍ତର। ତେଣୁ ମୁଁ ଦେଖି ପାରିବି ନାହିଁ। ଶୁକ୍ରବାର ଦିନ ଆସନ୍ତୁ।’’ ଏହାପରେ ଆଉ କୌଣସି ଯୁକ୍ତି ତର୍କର ଅବକାଶ ନ ଥିଲା। ତେଣୁ ସେ ବିଫଳ ମନୋରଥ ହୋଇ ଘରକୁ ଫେରିଲେ।
ପରବର୍ତ୍ତୀ ଶୁକ୍ରବାର ବ୍ୟକ୍ତି ଜଣକ ପୁଣି ଡାକ୍ତରଖାନାରେ ପହଞ୍ଚିଲେ। ‘‘ମିଶ୍ର ସାର୍’’ କାଗଜ ଦେଖିଲେ ଓ ଗଦାଏ ‘‘ଟେଷ୍ଟ’’ ଲେଖିଦେଲେ, ଯାହା ଭିତରେ ଇ.ସି.ଜି. ଓ ଏଚ୍.ଆଇ.ଭି. ପରୀକ୍ଷା ମଧ୍ୟ ଥିଲା। ଟେଷ୍ଟ ପାଇଁ ପଞ୍ଜୀକରଣ କରି ପରିସ୍ରା ନମୁନା ପାଇଁ ଏକ ପ୍ଲାଷ୍ଟିକ ବୋତଲ ଧରି ଘରକୁ ଫେରିଲେ। ପରଦିନ ସେଥିରେ ପରିସ୍ରା ସଂଗ୍ରହ କରି ପୁଣି ଡାକ୍ତରଖାନାରେ ପହଞ୍ଚିଲେ। କିନ୍ତୁ ଆଶ୍ଚର୍ଯ୍ୟ! ପରୀକ୍ଷା ପାଇଁ ବୋତଲ ଦେଲା ବେଳକୁ ଜାଣିଲେ ଯେ ସବୁତକ ପରିସ୍ରା ଇଡ଼ି ଯାଇଛି; ଆଉ ଟୋପାଏ ବି ନାହିଁ! ନମୁନା ରଖୁଥିବା ବ୍ୟକ୍ତିଙ୍କୁ ପଚାରିଲେ; ‘‘ଆଉ ଥରେ ନେଇ ଆସିଲେ ହେବ।’’ ସେ କିନ୍ତୁ କହିଲେ; ‘‘ନା, ନା। ସେମିତି କଲେ ଠିକ୍ ରିପୋର୍ଟ ଆସିବନି। ଆପଣ ୬ ନମ୍ବର କାଉଣ୍ଟରକୁ ଯାଇ ସେଠୁ ଆଉ ଗୋଟେ ବୋତଲ ନେଇ ଯାଆନ୍ତୁ। କାଲି ଆସିବେ।’’
୬ ନମ୍ବର କାଉଣ୍ଟରରେ ବସିଥିବା ବ୍ୟକ୍ତି ଜଣକ କିନ୍ତୁ ଆଉ ଗୋଟିଏ ବୋତଲ ଦେବାକୁ ସଫା ମନା କରିଦେଲେ। କହିଲେ; ‘‘ସେମିତି ଦେଇ ହବନି। ବୋତଲ ‘ସର୍ଟେଜ’ ଅଛି। ଆପଣ କାଲି ଆସନ୍ତୁ। ନଚେତ୍ ବଜାରରୁ କିଣି ନିଅନ୍ତୁ।’’ ରୋଗୀ ଜଣକ ମନରେ ସ୍ବାଭାବିକ ଭାବରେ ପ୍ରଶ୍ନ ଉଠିଲା; ‘‘ସତରେ ଯଦି ବୋତଲ ଅଭାବ ଅଛି, ତେବେ କାଲି ପୁଣି କେମିତି ମିଳିବ!’’ କିନ୍ତୁ ସେ ଜାଣିଥିଲେ ଏ ପ୍ରଶ୍ନ ପଚାରିବା ନିରର୍ଥକ। ତେଣୁ ଫେରିଲା ବାଟରେ ଏକ ଔଷଧ ଦୋକାନରୁ ୧୫ ଟଙ୍କା ଦେଇ ଗୋଟିଏ ବୋତଲ କିଣି ଘରକୁ ଫେରିଲେ ଓ ପରଦିନ ସେଇଥିରେ ପରିସ୍ରା ଧରି ଡାକ୍ତରଖାନାରେ ପହଞ୍ଚିଲେ। ଏଥର କିନ୍ତୁ ସମୁଦାୟ ପରିସ୍ରା ବୋତଲ ଭିତରେ ଥିଲା; ଟୋପାଏ ବି ଇଡ଼ି ନ ଥିଲା। କହିବା ବାହୁଲ୍ୟ ଡାକ୍ତରଖାନା ତରଫରୁ ଦିଆ ଯାଇଥିବା ଶିଶିଟି ଥିଲା ଅତ୍ୟନ୍ତ ନିମ୍ନ ମାନର ଏବଂ ଏହା କିଣିବାରେ କିଛି ହସ୍ପିଟାଲ କର୍ମଚାରୀ ବେଶ୍‌ ହାତ ଚିକ୍କଣ କରିଥିବେ।
ଦୁଇ ଦିନ ପରେ ସବୁ ଟେଷ୍ଟ ରିପୋର୍ଟ ଧରି ରୋଗୀ ଜଣକ ପୁଣି ‘‘ମିଶ୍ର ସାର୍’’ଙ୍କ ପାଖରେ ପହଞ୍ଚିଲେ। ସେ ରିପୋର୍ଟ ଉପରେ ଏକ ତ୍ୱରିତ ଆଖି ବୁଲେଇ ଆଣିଲେ ଓ କହିଲେ; ‘‘ମୋର ମନେ ହେଉଛି ଆପଣଙ୍କ ‘‘ହାର୍ଟ’’ରେ କିଛି ସମସ୍ୟା ଅଛି। ଟିକେ ‘‘କାଡିଓଲୋଜି’’ (ହୃଦ୍‌ରୋଗ)ରେ ଦେଖେଇ ଦିଅନ୍ତୁ।’’ ହୃଦ୍‌ରୋଗ ବିଭାଗରେ ପ୍ରାୟ ଅଧ ଘଣ୍ଟାଏ ଅପେକ୍ଷା କଲାପରେ ଡାକ୍ତର ଇ.ସି.ଜି. ରିପୋର୍ଟ ଦେଖିଲେ ଓ କହିଲେ; ‘‘କିଛି ସମସ୍ୟା ନାହିଁ।’’ ଫେରିଆସି ‘‘ମିଶ୍ର ସାର୍’’ଙ୍କୁ ସେକଥା କହିଲା ପରେ ସେ ସେ ବିଷୟରେ ଆଉ କିଛି ନ କହି କହିଲେ; ‘‘ଆପଣଙ୍କ ସୁଗର୍ ଲେଭଲ (ଶର୍କରା) ଟିକେ ଅଧିକ ଅଛି। ନର୍ମାଲ ହେଲା ପରେ ଆସନ୍ତୁ।’’
କିନ୍ତୁ ‘‘ସୁଗର୍ ଲେଭଲ ନର୍ମାଲ’’ ହେଲା ପରେ ଜାନୁଆରି ପ୍ରଥମ ସପ୍ତାହରେ ହସ୍‌ପିଟାଲରେ ପହଞ୍ଚିଲା ପରେ ଜଣା ପଡ଼ିଲା ଯେ ‘‘ମିଶ୍ର ସାର୍’’ ଡିସେମ୍ବର ୩୧ ତାରିଖରେ ଅବସର ଗ୍ରହଣ କରି ସାରିଛନ୍ତି! ଆହୁରି ମଧ୍ୟ ଜଣା ପଡ଼ିଲା ଯେ ସେ କାହିଁକି ରୋଗୀ ଜଣଙ୍କର ଅସ୍ତ୍ରୋପଚାର କରିବା ବଦଳରେ ବାରମ୍ବାର ତାଙ୍କୁ ବାଆଁରେଇ ଚାଲିଥିଲେ। କିନ୍ତୁ ଜାଣିଲେ ବି କିଛି କରିବାର ନ ଥିଲା। ତେଣୁ ଅଗତ୍ୟା ସେଦିନ ଡ୍ୟୁଟିରେ ଥିବା ଅନ୍ୟ ଜଣେ ଡାକ୍ତରଙ୍କୁ ସବୁ କଥା କହିଲେ ଓ ସମସ୍ତ ଟେଷ୍ଟ ରିପୋର୍ଟ ଦେଖେଇଲେ। ନୂଆ ଡାକ୍ତର ଜଣକ ରିପୋର୍ଟ ଉପରେ ଆଖି ବୁଲେଇ ନେଲେ ଓ ତା’ପରେ ପାଖରେ ବସିଥିବା ଦିଦିଙ୍କୁ ଏକ ରେଜିଷ୍ଟର ମାଗିଲେ। ତା’ର ପୃଷ୍ଠା ଓଲଟାଇ ଦେଖିଲା ପରେ କହିଲେ; ‘‘ଆପଣ ଯଦି ଆଜି ରେଜିଷ୍ଟ୍ରେସନ କରିବେ, ତେବେ ଅପରେସନ ପାଇଁ ଜୁଲାଇ ବେଳକୁ ଆପଣଙ୍କ ପାଳି ପଡ଼ିବ।’’
ଜାନୁଆରି ପ୍ରଥମ ସପ୍ତାହରେ ଏ କଥା ଶୁଣି ରୋଗୀ ଜଣଙ୍କର ଧୈର୍ଯ୍ୟ ବନ୍ଧ ସମ୍ପୂର୍ଣ୍ଣ ଭାଙ୍ଗିଗଲା। ସେ ଉଠିଲେ। ତାଙ୍କ ମନସ୍ଥିତି ଆକଳନ କରି ସମ୍ପୃକ୍ତ ଡାକ୍ତର ଜଣକ ଆଶ୍ବାସନା ଦେବା ଛଳରେ କହିଲେ; ‘‘ଆପଣ ଯଦି ତା’ ପୂର୍ବରୁ ଅପରେସନ କରିବାକୁ ଚାହୁଁଛନ୍ତି, ତେବେ ଶୁକ୍ରବାର ଦିନ ଆସି ପଞ୍ଜୀକରଣ କରନ୍ତୁ। ହୁଏତ ଟିକେ ଆଗରୁ ଡେଟ୍ ମିଳିଯିବ।’’ କିନ୍ତୁ ସେତେବେଳକୁ ରୋଗୀ ଜଣକ ପଣ କରି ସାରିଥିଲେ ଯେ ନିଜ ଅପରେସନ ସେ ଏ ଡାକ୍ତରଖାନାରେ କେବେ କରିବେ ନାହିଁ। ଦେଢ଼ ଦୁଇ ମାସ କାଳ ରାଜ୍ୟର ଏକ ପ୍ରମୁଖ ସରକାରୀ ଡାକ୍ତରଖାନା ଦୌଡ଼ିଲା ପରେ ସେ ଅନୁଭବ କଲେ ସତେ ଯେମିତି ଡାକ୍ତରଙ୍କ ସମେତ ସବୁ କର୍ମଚାରୀ ତାଙ୍କୁ ତାଚ୍ଛଲ୍ୟଭରା କଣ୍ଠରେ କହୁଛନ୍ତି: ‘‘ହଇଓ ବାବୁ। ତମକୁ ଦେଖିଲେ ତ ଲାଗୁଚି ଘରୋଇ ଚିକିତ୍ସା ପାଇଁ ତୁମ ପାଖରେ ସମ୍ବଳ ନିଶ୍ଚୟ ଅଛି। ହୁଏତ ମେଡିକାଲ ଇନ୍‌ସ୍ୟୁରାନ୍‌ସ ବି ଅଛି। ତେବେ ସେଠିକି ନ ଯାଇ କାହିଁକି ଏମିତି ହନ୍ତସନ୍ତ ହଉଚ!’’
(ମତାମତ ଲେଖକଙ୍କ ନିଜସ୍ବ)

ମୋ: ୯୯୩୭୨୨୮୧୨୨

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.