Breaking News

ଛାଇକୁ ଡରିଲାଣି ବିଜେଡି: ବରିଷ୍ଠଙ୍କୁ ଫୋନ୍ କରି ତାଗିଦ୍ କଲେ ନବୀନ, ଖୋର୍ଦ୍ଧା ନିକଟରେ ଏକାଠି ହେଲେ ୨୦ରୁ ଅଧିକ ନେତା

ଗତ ମାସରେ ବିଜେଡିର ଯୁବ ନେତାମାନଙ୍କୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଫୋନ୍ କରିଥିଲେ। ମେଳି ନ କରିବାକୁ ତାଗିଦ୍ କରିଥିଲେ। ଏହାକୁ ନେଇ ଦଳ ଭିତରେ ଚର୍ଚ୍ଚା ଥମି ନଥିଲା ବେଳେ ଏବେ ଆଉ ଏକ ସମାନ ଧରଣର ଘଟଣା ସାମ୍ନାକୁ ଆସିଛି।

ଭୁବନେଶ୍ବର: ଗତ ମାସରେ ବିଜେଡିର ଯୁବ ନେତାମାନଙ୍କୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଫୋନ୍ କରିଥିଲେ। ମେଳି ନ କରିବାକୁ ତାଗିଦ୍ କରିଥିଲେ। ଏହାକୁ ନେଇ ଦଳ ଭିତରେ ଚର୍ଚ୍ଚା ଥମି ନଥିଲା ବେଳେ ଏବେ ଆଉ ଏକ ସମାନ ଧରଣର ଘଟଣା ସାମ୍ନାକୁ ଆସିଛି। ଦଳର ଦୁଇ ଜଣ ବରିଷ୍ଠ ନେତାଙ୍କୁ ନିଜେ ନବୀନ ଫୋନ୍ କରି କାହିଁକି ମେଳି କରୁଛ ବୋଲି ପଚାରିଛନ୍ତି। ତେବେ ଏହାଠାରୁ ଆହୁରି ରୋଚକ ବିଷୟ ହେଲା, ନବୀନଙ୍କ କଲ୍‌ ପରେ ବି ୨୦ରୁ ଅଧିକ ବରିଷ୍ଠ ନେତା ଏକାଠି ହୋଇ ଭବିଷ୍ୟତ ଯୋଜନା ସଂପର୍କରେ ମାନସ ମନ୍ଥନ କରିଛନ୍ତି। ନବୀନଙ୍କ ବିରୋଧରେ ନୁହେଁ, ତାଙ୍କ ପାଖ ଲୋକଙ୍କ ଏକଚାଟିଆ କାରବାର ବିରୋଧରେ ସେମାନେ ଅସନ୍ତୋଷ ଓଗାଳିଛନ୍ତି।

ନିକଟରେ ନବୀନ ଢେଙ୍କାନାଳ ଜିଲ୍ଲାର ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ଫୋନ୍ କରିଥିଲେ। ଆପଣମାନେ ଏକାଠି ହୋଇ ଗଣମାଧ୍ୟମକୁ କହୁଥିବାରୁ ଦଳ ପାଇଁ ଭୁଲ୍‌ ବାର୍ତ୍ତା ଯାଉଛି ବୋଲି କହିଥିଲେ। କିନ୍ତୁ ସେହି ବରିଷ୍ଠ ନେତାଜଣକ ଏହାକୁ ଅସ୍ବୀକାର କରିଥିଲେ। ଦଳ ବିରୋଧରେ କେବେ କୌଣସି କାମ କରାଯାଉନି ବୋଲି ସିଧାସଳଖ ଜଣାଇଥିଲେ। ମୁଁ ଅଧିକାଂଶ ସମୟରେ ନିଜ ଅଞ୍ଚଳରେ ରହୁଛି ବୋଲି କହିଥିଲେ। ଏହା ପରେ ନବୀନ ପଶ୍ଚିମ ଓଡ଼ିଶାର ଜଣେ ବରିଷ୍ଠ ନେତାଙ୍କୁ ଫୋନ୍ କରିଥିଲେ। ସମାନ କଥା କହିଥିଲେ। ଗଣମାଧ୍ୟମକୁ ସେ ଦେଇଥିବା ସାକ୍ଷାତକାର ଦଳ ପାଇଁ କ୍ଷତି ପହଞ୍ଚାଉଛି ବୋଲି ନବୀନ କହିଥିଲେ। ଏହାକୁ ସିଧାସଳଖ ଅସ୍ବୀକାର କରିଥିଲେ ସଂପୃକ୍ତ ନେତା। ତେବେ ସେ ସେତିକିରେ ଅଟକି ନଥିଲେ। ସଙ୍ଗେ ସଙ୍ଗେ ନବୀନ ନିବାସରେ ପହଞ୍ଚୁଛନ୍ତି ବୋଲି କହି ଫୋନ୍ କାଟିଥିଲେ। ଏହାର କିଛି ସମୟରେ ସେହି ବରିଷ୍ଠ ନେତାଜଣକ ନବୀନ ନିବାସରେ ପହଞ୍ଚିଥିଲେ। ୟୁଟୁବ୍ ଖୋଲି ନିଜ ସାକ୍ଷାତକାର ବି ନବୀନଙ୍କୁ ଦେଖାଇଥିଲେ। କୌଣସି ସ୍ଥାନରେ ଦଳର ସୁପ୍ରିମୋ ଓ ଦଳ ବିରୋଧରେ କହି ନାହିଁ ବୋଲି ଜୋର୍‌ ଦେଇଥିଲେ। ନବୀନ ମଧ୍ୟ ବୁଝିଥିଲେ। କିଛି ଲୋକ ଏବେ ବି ତାଙ୍କୁ ଭୁଲ୍‌ ସୂଚନା ଦେଇ ଦଳରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ବୋଲି ନେତାଜଣକ ରାଗ ତମତମ ହୋଇ କହିଥିଲେ।

ଏହି ଘଟଣା ଧୀରେ ଧୀରେ ପଦାକୁ ଆସିବା ପରେ ଦଳ ଭିତରେ ଚର୍ଚ୍ଚାର ବିଷୟ ହୋଇଛି। ନବୀନ ନିଜ ଆଡ଼ୁ ବରିଷ୍ଠ ଓ ଯୁବ ନେତାମାନଙ୍କୁ କଲ୍‌ କରି ଏମିତି କଥା ପଚାରିବା ଘଟଣାକୁ କେହି ସହଜରେ ଗ୍ରହଣ କରି ପାରୁନାହାନ୍ତି। ନବୀନଙ୍କୁ କହି କେହି ଫୋନ୍ କରାଉଛନ୍ତି ବୋଲି ଧାରଣା ଦୃଢ଼ ହେବାରେ ଲାଗିଛି। ସାଂଗଠନିକ ନିର୍ବାଚନ ଜରିଆରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ଗୋଟି ଚଳାଉଥିବା ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏପରି କରୁଥିବା କୁହାଯାଉଛି। ତେବେ ବରିଷ୍ଠ ଓ ଯୁବ ନେତାଙ୍କ ମେଳି ଭାଙ୍ଗିବା ପାଇଁ ନବୀନଙ୍କ ଦ୍ବାରା ହେଉଥିବା ଫୋନ୍‌ ବିଶେଷ ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରୁନି।

ଗତ ସପ୍ତାହରେ ବିଜେଡିର କିଛି ବରିଷ୍ଠ ନେତା ପୁଣି ଏକାଠି ହୋଇଥିଲେ। ଖୋର୍ଦ୍ଧା ନିକଟସ୍ଥ ଜାତୀୟ ରାଜପଥ ପାର୍ଶ୍ବରେ ଏକ ସ୍ଥାନରେ ୨୦ରୁ ଅଧିକ ନେତା ଏକାଠି ହୋଇଥିଲେ। ସମସ୍ତେ  ଅନୁଭବୀ ଓ ଲମ୍ବା ସମୟ‌ ଧରି ଜନ ପ୍ରତିନିଧି ଭାବେ ଦାୟିତ୍ବ ତୁଲାଇଛନ୍ତି। ବର୍ତ୍ତମାନର ସାଂଗଠନିକ ନିର୍ବାଚନ ପ୍ରକ୍ରିୟାକୁ ବାଟବଣା କରିବାକୁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଚକ୍ରାନ୍ତ କରୁଛନ୍ତି ବୋଲି ଏହି ବୈଠକରେ ମତପ୍ରକାଶ ପାଇଥିଲା। ଆହୁରି ଅଭିଯୋଗ ହୋଇଥିଲା ଯେ ଏହି ଚକ୍ରାନ୍ତକାରୀମାନେ ନବୀନ ନିବାସରେ ବାରମ୍ବାର ଦଳର ସୁପ୍ରିମୋଙ୍କୁ ଭୁଲ୍‌ ସୂଚନା ଦେଇ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ସେମାନେ ହିଁ ସଂଗଠନକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଷଡ୍‌ଯନ୍ତ୍ର କରୁଛନ୍ତି। ଏ ସମ୍ପର୍କରେ ନବୀନଙ୍କ ସହ ସିଧାସଳଖ ଆଲୋଚନା ହେବ ବୋଲି ନିଷ୍ପତ୍ତି ହୋଇଥିଲା। ତେବେ ନବୀନଙ୍କ ନେତୃତ୍ବ ପ୍ରତି ସମସ୍ତେ ଆନୁଗତ୍ୟ ପ୍ରକାଶ କରିବା ସହ ବିଜେଡିକୁ ତଳିତଳାନ୍ତ କରୁଥିବା ଲୋକଙ୍କୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ଏହି ବୈଠକ ଲମ୍ବା ସମୟ ଧରି ଚାଲିଥିଲା। ଖୁବ୍ ଶୀଘ୍ର ସେମାନେ ପୁଣି ଏକାଠି ହେବେ ବୋଲି ସୂଚନା ମିଳିଛି। କ୍ଷମତାରେ ଥିଲା ବେଳେ ନବୀନଙ୍କ ନାଁ ନେଇ ଦ୍ବିତୀୟ ଓ ତୃତୀୟ କ୍ଷମତା କେନ୍ଦ୍ର ନାଲି ଆଖି ଦେଖାଇ ସମସ୍ତଙ୍କୁ ଚୁପ୍ କରିଦେଉଥିଲେ। ସାଂଗଠନିକ ନିର୍ବାଚନ କିଛି ଗୁରୁତ୍ବ ରଖୁ ନଥିଲା। ତାହା କେବଳ ଔପଚାରିକତା ଥିଲା। କିନ୍ତୁ ପ୍ରଥମ ଥର ପାଇଁ ବିଜେଡି ବିରୋଧୀ ଦଳରେ ବସିଲା ପରେ ସାଂଗଠନିକ ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି। ଏବେ ବି ନବୀନ ନିବାସରେ ନବୀନଙ୍କ ପାଖରେ ରହି ଭି କେ ପାଣ୍ଡିଆନ ବିଜେଡିକୁ ନିୟନ୍ତ୍ରଣ କରୁଛନ୍ତି। ପ୍ରଣବପ୍ରକାଶ ଦାସ ଓ ଆଉ କିଛି ନିର୍ଦ୍ଦିଷ୍ଟ ନେତା ହିଁ ପାଣ୍ଡିଆନଙ୍କ ଇସାରାରେ କାମ କରୁଛନ୍ତି। ତେଣୁ ସାଂଗଠନିକ ନିର୍ବାଚନରେ ବରିଷ୍ଠ ଓ ଅନୁଭବୀ ନେତାମାନଙ୍କୁ ଆଡ଼େଇ ନିଜ ପସନ୍ଦର ନେତାଙ୍କୁ ଥଇଥାନ କରିବାକୁ ଗୋଟି ଚାଳନା ହୋଇଛି। କିନ୍ତୁ ଏହାକୁ ବରିଷ୍ଠ ନେତାମାନେ ହଜମ କରିବା ସ୍ଥିତିରେ ନାହାନ୍ତି। ଫଳରେ ବି‌ଜେଡିରେ ଆଭ୍ୟନ୍ତରୀଣ ସ୍ଥିତି ଦୋହଲିଗଲାଣି। ଯେ କୌଣସି ସମୟରେ ଏହା ବିସ୍ଫୋରକ ସ୍ଥିତିକୁ ଆସିପାରେ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.