Breaking News

ଖୁଚୁରା ମୁଦ୍ରାସ୍ଫୀତି ୬.୦୫%କୁ ହ୍ରାସ: ସହର ଦରଦାମ୍ ଗାଁଠୁ ଉନ୍ନତ

ଚଳିତ ବର୍ଷ ଜାନୁଆରିରେ ଖାଦ୍ୟ ସାମଗ୍ରୀ ଦର କମିବାରୁ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୩୧ ପ୍ରତିଶତକୁ ହ୍ରାସ ପାଇଛି। ଓଡ଼ିଶାରେ ମଧ୍ୟ ଏହି ମୁଦ୍ରାସ୍ଫୀତି ୬.୦୫ ପ୍ରତିଶତକୁ ଖସିଛି। ୨୦୨୪ ଡିସେମ୍ବରରେ ତାହା ୬.୯୭ ପ୍ରତିଶତ ଥିଲା।

ଭୁବନେଶ୍ବର: ଚଳିତ ବର୍ଷ ଜାନୁଆରିରେ ଖାଦ୍ୟ ସାମଗ୍ରୀ ଦର କମିବାରୁ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୩୧ ପ୍ରତିଶତକୁ ହ୍ରାସ ପାଇଛି। ଓଡ଼ିଶାରେ ମଧ୍ୟ ଏହି ମୁଦ୍ରାସ୍ଫୀତି ୬.୦୫ ପ୍ରତିଶତକୁ ଖସିଛି। ୨୦୨୪ ଡିସେମ୍ବରରେ ତାହା ୬.୯୭ ପ୍ରତିଶତ ଥିଲା। କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ଓଡ଼ିଶାର ଦରଦାମ୍‌ରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ସହରାଞ୍ଚଳରେ ଦରଦାମ୍‌ ଗାଁଠାରୁ ଯଥେଷ୍ଟ ଉନ୍ନତ ସ୍ଥିତିରେ ରହିଛି। ଅର୍ଥାତ ସହରରେ ବାସ କରୁଥିବା ଲୋକମାନଙ୍କ ପାଇଁ ଦରବୃଦ୍ଧି କମ୍ ରହୁଥିବା ବେଳେ ଗାଁ ଲୋକଙ୍କୁ ଜିନିଷ କିଣିବା ଲାଗି ଅଧିକ ଟଙ୍କା ଗଣିବାକୁ ପଡ଼ୁଛି। ଜାନୁଆରିରେ ଓଡ଼ିଶାର ସହରାଞ୍ଚଳ ମୁଦ୍ରାସ୍ଫୀତି ୪.୦୭ ପ୍ରତିଶତ ରହିଛି ଯାହା ଦେଶର ମୁଦ୍ରାସ୍ଫୀତି ୪.୩୧ ପ୍ରତିଶତଠାରୁ କମ୍, କିନ୍ତୁ ଦେଶର ସହରାଞ୍ଚଳ ମୁଦ୍ରାସ୍ଫୀତି ୩.୮୭ ପ୍ରତିଶତଠାରୁ ସାମାନ୍ୟ ଅଧିକ। କିନ୍ତୁ ରାଜ୍ୟର ଗ୍ରାମୀଣ ମୁଦ୍ରାସ୍ଫୀତି ହାର ୬.୭୯ ପ୍ରତିଶତ ରହିଛି ଯାହା ଦେଶର ଗ୍ରାମୀଣ ମୁଦ୍ରାସ୍ଫୀତି ହାର ୪.୬୪ ପ୍ରତିଶତଠାରୁ ଯଥେଷ୍ଟ ଅଧିକ। ସାମଗ୍ରିକ ଖୁଚୁରା ମୁଦ୍ରାସ୍ଫୀତି ଅନୁଯାୟୀ ଗତ ଜାନୁଆରିରେ ଓଡ଼ିଶା ଥିଲା ମଣିପୁର (୭.୪୧%) ଓ କେରଳ (୬.୭୫%) ପଛକୁ ଦେଶର ତୃତୀୟ ମହଙ୍ଗା ବଜାର। ଏହି ଦୁଇ ରାଜ୍ୟକୁ ବାଦ୍ ଦେ‌ଲେ ଅନ୍ୟ କୌଣସି ରାଜ୍ୟର ମୁଦ୍ରାସ୍ଫୀତି ୬ ପ୍ରତିଶତରୁ ଅଧିକ ନାହିଁ। ଦିଲ୍ଲୀର ମୁଦ୍ରାସ୍ଫୀତି ସର୍ବନିମ୍ନ ୨.୦୨ ପ୍ରତିଶତ ରହିଛି। ଆଠଟି ରାଜ୍ୟରେ ଖୁଚୁରା ମୁଦ୍ରାସ୍ଫୀତି ୫ ପ୍ରତିଶତରୁ ଅଧିକ ରହିଛି। ଛତିଶଗଡ଼ ମୁଦ୍ରାସ୍ଫୀତି ୫.୮ ପ୍ରତିଶତ, ବିହାରରେ ୫.୧ ପ୍ରତିଶତ ଓ ହରିୟାଣାରେ ୫ ପ୍ରତିଶତ ରହିଛି।

ଜାତୀୟ ସ୍ତରରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ୫ ମାସର ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି। ଅନ୍ୟ ପକ୍ଷରେ ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ୦.୨୫ ପ୍ରତିଶତ ହ୍ରାସ ଘୋଷଣା କରିବା ପରେ ଦରଦାମ୍ ଆହୁରି କମ୍ ହେବାର ସମ୍ଭାବନା ଦେଖାଦେଇଛି। ଗତବର୍ଷ ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୨ ପ୍ରତିଶତ ଭଳି ଉଚ୍ଚ ସ୍ତରକୁ ଚାଲିଯାଇଥିଲା। ଜାନୁଆରି ମୁଦ୍ରାସ୍ଫୀତି ତଥ୍ୟରେ ଅନ୍ୟତମ ରୋଚକ ବିଷୟ ହେଉଛି ପ୍ରାୟ ସବୁ ରାଜ୍ୟରେ ଦରଦାମ୍ କମିଥିବା ବେଳେ କେରଳ ଓ ଗୋଆରେ ବଢ଼ିଛି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.