Breaking News

ଗିଲ୍‌ଙ୍କ ଶତକରେ ଗୌରବ: ଘରୋଇ ପରି‌ବେଶରେ ଆଉ ଏକ ୩-୦ ବିଜୟ

ଉପଅଧିନାୟକ ଶୁବମନ୍ ଗିଲ୍‌ଙ୍କ ରେକର୍ଡଭରା ଶତକ (୧୧୨ ରନ୍, ୧୦୨ ବଲ୍, ୧୪ ଚୌକା, ୩ ଛକା) ବଳରେ ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆକୁ ଭାରତ ୧୪୨ ରନ୍‌ର ବୃହତ୍ ବ୍ୟବଧାନରେ ଜିତି ନେଇଛି।

ଅହମଦାବାଦ: ଉପଅଧିନାୟକ ଶୁବମନ୍ ଗିଲ୍‌ଙ୍କ ରେକର୍ଡଭରା ଶତକ (୧୧୨ ରନ୍, ୧୦୨ ବଲ୍, ୧୪ ଚୌକା, ୩ ଛକା) ବଳରେ ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆକୁ ଭାରତ ୧୪୨ ରନ୍‌ର ବୃହତ୍ ବ୍ୟବଧାନରେ ଜିତି ନେଇଛି। ତା’ ସହିତ ୩ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ସବୁ ମ୍ୟାଚ୍ ଜିତି ଘରୋଇ ପରିବେଶରେ ଆଉ ଏକ ଶୃଙ୍ଖଳା ମୂଳପୋଛ ବିଜୟ ହାସଲ କରିଛି। ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଏଭଳି ଏକତରଫା ଓ ଦବ୍‌ଦବା ଭରା ବିଜୟ ଦଳର ଆତ୍ମବିଶ୍ବାସକୁ ବି ଢେର୍‌ ବଢ଼‌ାଇଛି। ପୁଣି ବହୁଦିନ ପରେ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ଟିମ୍ ଇଣ୍ଡିଆ ପାଇଁ ଆଉ ଏକ ଖୁସି  ଖବର ହୋଇଛି। ଦଳର ସବୁ ବୋଲର ୱିକେଟ୍ ପାଇବା ଏବଂ ମଧ୍ୟକ୍ରମ ନିଜ ଦାୟିତ୍ବ ଠିକ୍ ଭାବେ ତୁଲାଇବା ପରେ ଭାରତୀୟ ଦଳ ମଧ୍ୟ ଚାମ୍ପିଅନ୍ସ ଟ୍ରଫିର ପ୍ରମୁଖ ଦାବିଦାର ଭାବେ ଉଭା ହୋଇଛି। ନିଜ ୫୦ତମ ଦିନିକିଆକୁ ଶତକ ମାରି ସ୍ମରଣୀୟ କରିଥିବା ଗିଲ୍ ମ୍ୟାଚ୍‌ ସହ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ଘୋଷିତ ହୋଇଛନ୍ତି। ତାଙ୍କ ପସନ୍ଦର ପଡ଼ିଆ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଗିଲ୍ ପ୍ରଥମ ଭାରତୀୟ ଭାବେ ଗୋଟିଏ ସ୍ଥାନରେ କ୍ରିକେଟ୍‌ର ତିନିଟି ଯାକ ଫର୍ମାଟ୍‌ରେ ଶତକ ହାସଲ କରିବାର ଅନନ୍ୟ କୀର୍ତ୍ତିମାନ କରିଛନ୍ତି।  ୩୫୭ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ୧୮ ଓଭରରେ ମାତ୍ର ୨ ୱିକେଟ୍‌ ହରାଇ ୧୨୬ ରନ୍ କରିଥିଲା। ହେଲେ ନାଟକୀୟ ଭାବେ ପ୍ରତ୍ୟାବର୍ତ୍ତନ କରି ୬୭ ରନ୍‌ରେ ଏହି ଦଳର ୭ ୱି‌କେଟ୍ ନେବା ଭାରତୀୟ ବୋଲିଂରେ ଥିବା ଗଭୀରତାକୁ ଦର୍ଶାଇଥିଲା। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୩୫୬ ରନ୍ କରିଥିଲା। ଜବାବରେ ଇଂଲଣ୍ଡ ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୨୧୪ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା।

ବୁଧବାର ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ‘ଟସ୍’ ପୁଣି ନିରାଶ କରିଥିଲା। ଫଳରେ ଭାରତ ଲଗାତାର ଦଶମ ଏକଦିବସୀୟରେ ଟସ୍ ହାରିଥିଲା। ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ପଶ୍ଚାତ୍‌ଧାବନ ସହଜ ହେବ ବୋଲି ଭାବି ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର୍‌ ତୁରନ୍ତ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଟସ୍‌ରେ ବିଫଳ ହୋଇଥିବା ରୋହିତ କଟକରେ ଖେଳାଯାଇଥିବା ଗତ ଦିନିକିଆରେ ଶତକୀୟ ପାଳି ଖେଳିଥିଲେ ମଧ୍ୟ ଆଜି ୧ ରନ୍‌ରୁ ଆଗକୁ ବଢ଼ି ପାରି ନଥିଲେ। ଦ୍ବିତୀୟ ଓଭରର ପ୍ରଥମ ବଲ୍‌ରେ ମାର୍କ ଉଡ୍ ତାଙ୍କୁ କୌଶଳକ୍ରମେ ୱିକେଟ୍‌ରକ୍ଷକ ଫିଲ୍ ସଲ୍ଟଙ୍କ ହାତରେ କ୍ୟାଚ୍ କରାଇ ନେବା ପରେ ଇଂଲଣ୍ଡ ଖେଳାଳିମାନେ ଉଲ୍ଲସିତ ହୋଇଯାଇଥିଲେ। ତେବେ ଏହା କ୍ଷଣସ୍ଥାୟୀ ଥିଲା। ଗତ କିଛି ମ୍ୟାଚ୍‌ରେ ଲଗାତାର ବିଫଳ ହୋଇ ଆସୁଥିବା ବିରାଟ କୋହଲି ଆଜି ଦେଖିଚାହିଁ ଖେଳି ଭାରତର  ପାଳିକୁ ସଫଳତାର ସହ ଆଗକୁ ନେଇଥିଲେ। ଗିଲ୍ ଓ ସେ ଦ୍ବିତୀୟ ୱିକେଟ୍‌ରେ ୧୧୬ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। କୋହଲି ଲୟରେ ଥିଲା ବେଳେ ଆଦିଲ ରସିଦ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକାଦଶ ଥର ପାଇଁ ଆଉଟ୍ କରି ଭାରତକୁ ବଡ଼ ଝଟକା ଦେଇଥିଲେ। ଏହା ପରେ ଗିଲ୍ ଓ ଶ୍ରେୟସ୍ ଆୟର (୭୮ ରନ୍, ୬୪ ବଲ୍, ୮ ଚୌକା, ୨ ଛକା) ଭାରତ ପାଳିକୁ ଆଗେଇ ନେବା ସହ ରନ୍ ହାର କମିବାକୁ ଦେଇ ନଥିଲେ। ଗିଲ୍‌ଙ୍କୁ  ବୋଲ୍ଡ କରି ରସିଦ ଏହି ଯୋଡ଼ିକୁ ଅଲଗା କରିବା ପୂର୍ବରୁ ଭାରତ ସ୍କୋର୍ ୨୦୦ ଟପି ଯାଇଥିଲା। ଆୟର ଏହା ପରେ ରନ୍ ଗତିକୁ ବଢ଼ାଇ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ବି ରସିଦଙ୍କ ଶିକାର ହୋଇଥିଲେ। ତେବେ କେଏଲ୍ ରାହୁଲ (୪୦) ଏବଂ ହାର୍ଦିକ ପାଣ୍ଡ୍ୟା (୧୭)ଙ୍କ ସହ ଅକ୍ଷର ପଟେଲ (୧୩), ୱାସିଂଟନ୍ ସୁନ୍ଦର (୧୪) ଓ ହର୍ଷିତ ରାଣା (୧୩) ଛୋଟ ପାଳି ଖେଳିଥିଲେ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିବା ଯୋଗୁଁ ଭାରତର ସ୍କୋର୍ ୩୫୦ ରନ୍ ଟପି ଯାଇଥିଲା।

୩୫୭ ରନ୍‌କୁ ପିଛା କରିବା ଭ୍ରମଣକାରୀ ଇଂଲଣ୍ଡ ପାଇଁ ବେଶ୍ ଆହ୍ବାନଭରା ଥିଲା। ଫିଲ୍ ସଲ୍ଟ, ବେନ୍ ଡକେଟ୍ ଓ ଟମ୍ ବାଣ୍ଟନ ସାହସର ସହ ବ୍ୟାଟିଂ କରିଥିଲେ। ତେବେ ରନ୍ ସଂଗ୍ରହ ହାର ଚାପର ପଡ଼ି ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। କୌଣସି ଇଂଲଣ୍ଡ ବ୍ୟାଟର୍‌ଙ୍କୁ ଭାରତୀୟ ବୋଲର ପାଦ ଜମାଇବାକୁ ଦେଇ ନଥିଲେ। ଦ୍ରୁତ ବୋଲର ୬ ୱିକେଟ୍ ବାଣ୍ଟିନେବା ପରେ ଅବଶିଷ୍ଟ ୪ ୱିକେଟ୍ ସ୍ପିନର କବ୍‌ଜା କରି ନେଇଥିଲେ।

ସଂକ୍ଷିପ୍ତ ସ୍କୋର୍: ଭାରତ ୫୦ ଓଭରରେ ୩୫୬/୧୦ (ଶୁବମନ୍ ଗିଲ୍ ୧୧୨, ଶ୍ରେୟସ୍ ଆୟର ୭୮, ବିରାଟ କୋହଲି ୫୨, କେଏଲ୍ ରାହୁଲ ୪୦, ହାର୍ଦିକ ପାଣ୍ଡ୍ୟା ୧୭, ଆଦିଲ ରସିଦ ୪/୬୪, ମାର୍କ ଉଡ୍ ୨/୪୫)। ଇଂଲଣ୍ଡ ୩୪.୨ ଓଭରରେ ୨୧୪/୧୦ (ଟମ୍ ବାଣ୍ଟମ ୩୮, ଗସ୍ ଆଟକିନ୍‌ସନ୍ ୩୮, ବେନ୍ ଡକେଟ୍ ୩୪, ଜୋ ରୁଟ୍ ୨୪, ଅକ୍ଷର ପଟେଲ ୨/୨୨, ହର୍ଷିତ ରାଣା ୨/୩୧, ଅର୍ଶଦୀପ ସିଂହ ୨/୩୩)।

    ଘରୋଇ ପରି‌ବେଶରେ ଆଉ ଏକ ୩-୦ ବିଜୟ
    ତୃତୀୟ ଦିନିକିଆକୁ ୧୪୨ ରନ୍‌ରେ ହାରିଲା ଇଂଲଣ୍ଡ
    ଅର୍ଦ୍ଧଶତକ ବଢ଼ାଇଲା କୋହଲିଙ୍କ ଆତ୍ମବିଶ୍ବାସ

୧ନମ୍ବରର ନିକଟତର
ଦୁବାଇ: ଭାରତୀୟ ଉପଅଧିନାୟକ ଶୁବମନ ଗିଲ୍ ଆଇସିସି ମାନ୍ୟତାର ଏକ ନମ୍ବର ସ୍ଥାନର ଆହୁରି ନିକଟତର ହୋଇଛନ୍ତି। ପାକିସ୍ତାନର ବାବର ଆଜମ ୭୮୬ ପଏଣ୍ଟ୍‌ରେ ଥିଲା ବେଳେ ଗିଲ୍ ଏବେ ୭୮୧ ପଏଣ୍ଟ୍‌ରେ ରହିଛନ୍ତି। ତେବେ ବୁଧବାରର ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ରେକର୍ଡ ଶତକ ଅର୍ଜନ କରିବା ପରେ ଗିଲ୍‌ଙ୍କ ରୢାଙ୍କିଂ ପଏଣ୍ଟ୍‌ରେ ଆହୁରି ଉନ୍ନତି ପରିଲକ୍ଷିତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ମାନ୍ୟତାରେ ସେ ସଂପ୍ରତି ଏକ ନମ୍ବର ସ୍ଥାନରେ ଥିବା ପାକିସ୍ତାନର ବାବର ଆଜମଙ୍କୁ ହଟାଇ ୧ନଂ ସ୍ଥାନ ଅଧିକାର କରିନେବାର ଯଥେଷ୍ଟ ସମ୍ଭାବନା ରହିଛି। ଗିଲ୍ ନିଜ ଅଧିନାୟକ ରୋହିତ ଶର୍ମାଙ୍କୁ ହଟାଇ ଦ୍ବିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଶ୍ରେଷ୍ଠ ୧୦ ତାଲିକାରେ ୪ ଭାରତୀୟ ରହିବା ମଧ୍ୟ ସମର୍ଥକଙ୍କ ପାଇଁ ଆଉ ଏକ ଖୁସି ଖବର ହୋଇଛି। ଶ୍ରେୟସ୍ ଆୟର ସଦ୍ୟତମ ଭାରତୀୟ ଭାବେ ଶ୍ରେଷ୍ଠ ୧୦ରେ ପ୍ରବେଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିରାଟ କୋହଲି ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.