Breaking News

ମାତିଛନ୍ତି ବାଲି ବୋଝେଇ ହାଇୱା: ମାଫିଆଙ୍କ କବଜାରେ ନଦୀନାଳ, ସାଧାରଣ ଲୋକଙ୍କ ଜୀବନ ବିପନ୍ନ, ସୁରକ୍ଷା ଦେଉଛନ୍ତି ଗୁଣ୍ଡା

ବାଲି ଚୋରା ଚାଲାଣ ଏବେ ସାଧାରଣ ଲୋକଙ୍କ ପାଇଁ କାଳ ହୋଇଛି। କମ୍‌ ସମୟରେ ଚୋରା ବାଲି କେତେଶୀଘ୍ର ଲକ୍ଷ୍ୟସ୍ଥଳରେ ପହଞ୍ଚିବ ସେ ନେଇ ଭାରୀଯାନ ଚାଳକଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି।

ବାଲିଅନ୍ତା: ବାଲି ଚୋରା ଚାଲାଣ ଏବେ ସାଧାରଣ ଲୋକଙ୍କ ପାଇଁ କାଳ ହୋଇଛି। କମ୍‌ ସମୟରେ ଚୋରା ବାଲି କେତେଶୀଘ୍ର ଲକ୍ଷ୍ୟସ୍ଥଳରେ ପହଞ୍ଚିବ ସେ ନେଇ ଭାରୀଯାନ ଚାଳକଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଏଣୁ ରାତି ଅଧରେ ‌ସେମାନେ କ୍ଷୀପ୍ରଗତିରେ ଗାଡ଼ି ଚଳାଉଛନ୍ତି, ସର୍ଟକଟ୍‌ ଖୋଜି ରଙ୍ଗରୁଟ୍‌ରେ ଯାଉଛନ୍ତି। ଘୂର୍ଣ୍ଣିଝଡ଼ ଭଳି ଧୂଳି ଉଡ଼ାଉଛନ୍ତି। ମୁଖ୍ୟଛକମାନଙ୍କରେ ମଧ୍ୟ କିଛି ମାନୁ ନାହାନ୍ତି। ଚୋରା ବାଲି ଚାଲାଣକାରୀଙ୍କ ପାଇଁ ସାଧାରଣ ଲୋକଙ୍କ ଜୀବନ ବିପନ୍ନ ହେଉଛି। ପ୍ରତ୍ୟେକ ଦିନ ଏଥିପାଇଁ ଦୁର୍ଘଟଣା ଘଟୁଛି। ଉପକଣ୍ଠରୁ ସହର ପର୍ଯ୍ୟନ୍ତ ଏମାନେ ଆତଙ୍କ ଖେଳାଇଛନ୍ତି। ମାଫିଆମାନେ ସରକାରୀ ଅଧିକାରୀମାନଙ୍କୁ ଏଭଳି ପ୍ରଭାବିତ କରି ରଖିଛନ୍ତି ଯେ, ଯେତେ‌ବଡ଼ ଅଘଟଣ ଘଟିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ।

ଭୁବନେଶ୍ବର ଓ ଉପକଣ୍ଠରେ ସରକାରୀ ଓ ବେସରକାରୀ ନିର୍ମାଣ ପାଇଁ ଆବଶ୍ୟକ ବାଲିର ପ୍ରମୁଖ ଉତ୍ସ ହେଉଛି କୁଆଖାଇ, କୁଶଭଦ୍ରା ଓ ଭାର୍ଗବୀ ନଦୀ। ଏହି ନଦୀର ଅଧିକାଂଶ ସରକାରୀ ବାଲିଘାଟ ୨୦୧୯ ମସିହାରୁ ବନ୍ଦ ରହିଛି। ଏହି ତାଲିକାରେ କୁଆଖାଇ ନଦୀର ଭୁବନପୁର, ଧବଳାହାର, ଟଙ୍କପାଣି, ଭାର୍ଗବୀ ନଦୀର ପ୍ରତାପଶାସନ, ଚଢ଼େଇବର, ଝିଣ୍ଟିଶାସନ, ସାଇଫନ, ପ୍ରତାପଶାସନ (ଉତ୍ତରା) ଘାଟ ଆଦି ସରକାରୀ ବାଲିଘାଟ ରହିଛି। କୁଶଭଦ୍ରା ନଦୀର ମହୁଖଣ୍ଡା ବାଲିଘାଟ ମଧ୍ୟ ବନ୍ଦ ରହିଛି। ସରକାରୀ ନିଲାମ ଘାଟ ବନ୍ଦ ରହିବା ଯୋଗୁ ବାଲି ମାଫିଆଙ୍କ ପାଇଁ ରୋଜଗାରର ବାଟ ଫିଟିଛି। ସରକାରୀ ଭାବେ ଏସବୁ ଘାଟ ନିଲାମ ହୋଇନଥିବାରୁ  ଏହା ମାଫିଆଙ୍କ କବ୍‌ଜାକୁ ଚାଲିଯାଇଛି। ନାଲିଆଖି, ବନ୍ଧୁକ, ଭୁଜାଲି ଦେଖାଇ ସେମାନେ ଜୋର ଜବରଦସ୍ତ ଘାଟ ପରିଚାଳନା କରୁଛନ୍ତି। ରାତି ୧୦ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଏହି ଚୋରା କାରବାର ଚାଲୁଛି। ହାଇୱା ଜରିଆରେ ଶହ ଶହ ଟ୍ରିପ ଚାଲାଣ ହେଉଛି। ଏବେ ନଈ ଶୁଖିଲା ଥିବାରୁ ଚୋରି ପରିମାଣ ବହୁଗୁଣିତ ହୋଇଯାଇଛି।
ଗୋଟିଏ ପଟେ ଏହି ବେଆଇନ ବାଲି ଉତ୍ତୋଳନ ପରି‌ବେଶକୁ ପ୍ରଭାବିତ କରିବା ସହ ଚାଲାଣ ପାଇଁ ଚାଲିଥିବା ପ୍ରତିଯୋଗିତା ସହରବାସୀଙ୍କ ପାଇଁ କାଳ ହୋଇଛି। ବିଳମ୍ବିତ ରାତିରେ ଯେତିକି ଦୁର୍ଘଟଣା ହୋଇଛି ସବୁ ଏହି ବାଲିଗାଡ଼ି ହିଁ ଘଟାଇଛନ୍ତି। ପୂର୍ବରୁ ବାଲିଘାଟ ତହସିଲ୍‌ ଜରିଆରେ ପରିଚାଳନା କରାଯାଉଥିଲା। ହେଲେ ଏବେ ଏହି ସବୁ ଘାଟ ଖଣି ବିଭାଗ ଅଧୀନକୁ ଚାଲିଯିବା ପରେ ତହସିଲଦାର ଓ ପୁଲିସ ଆଉ ସେଥିରେ ପଶୁନାହାନ୍ତି। ପୁଲିସ ସାମନାରେ ଏ ସବୁ କାରବାର ଚାଲିଛି। ଖଣିବିଭାଗକୁ ସୂଚନା ନଦେବା ପାଇଁ ପୁଲିସକୁ ମୋଟା ଅଙ୍କର ହାତଗୁଞ୍ଜା ନେଉଥିବା ଅଭିଯୋଗ ରହିଛି। କେଉଁ ପଟେ ଗାଡ଼ି ଯିବ, କିଏ କେଉଁଠି ଡ୍ୟୁଟିରେ ଥିବ, କାହାକୁ କେତେ ପଇସା ଦିଆଯିବ, ତାହାର ରୁଟ୍‌ମ୍ୟାପ୍‌ ପ୍ରସ୍ତୁତ ହୋଇଛି।

ପୂର୍ବତନ ବାଲିଅନ୍ତା ତହସିଲଦାର ଅକ୍ଷୟ ରାଉତଙ୍କ ସୂଚନା ଅନୁସାରେ ୨୦୧୯ ପରଠାରୁ ବାଲିଘାଟଗୁଡ଼ିକୁ ନିଲାମ ଦିଆଯାଉନାହିଁ। ସେତେବେଳେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଗାଡ଼ି ମାଲିକଙ୍କ ଠାରୁ ୩୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ବର୍ତ୍ତମାନର ବାଲିଅନ୍ତା ତହସିଲଦାର ବିମଳ କୁମାର ଲେଙ୍କାଙ୍କ ସୂଚନା ଅନୁସାରେ ବାଲିଘାଟରେ ଚଢ଼ଉ ଓ କାର୍ଯ୍ୟାନୁଷ୍ଠାନ ଦାୟିତ୍ବ ଖଣି ବିଭାଗକୁ ଦିଆଯାଇଛି। ‌ଏଣୁ ଆମର କିଛି କର୍ତ୍ତୃତ୍ବ ନାହିଁ। ଗତକାଲି ଖୋର୍ଧା ଜିଲ୍ଲା‌ପାଳଙ୍କ ଉପସ୍ଥିତିରେ ଖଣିବିଭାଗ ଉପନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଏକ ସମନ୍ବୟ ବୈଠକ  ହୋଇଥିଲା। ସେଥିରେ ବାଲିଅନ୍ତା ଓ ବାଲିପାଟଣା ବ୍ଲକ‌୍ ଦାୟିତ୍ବରେ ଥିବା ଖଣି ଅଧିକାରୀ ଜଗନ ବେହେରା ମଧ୍ୟ ଉପସ୍ଥିତ ଥିଲେ। ବନ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଏସଂପର୍କିତ ବିଭିନ୍ନ ଅଧିକାରୀଙ୍କ ସହିତ ଆଲୋଚନା ହୋଇଥିଲା। ବାଲି ଚୋରି ରୋକିବାକୁ ପଦକ୍ଷେପ ବିଷୟରେ ଆଲୋଚାନା ହୋଇଥିଲା। ଖଣି ଅଧିକାରୀ ଶ୍ରୀ ବେହେରାଙ୍କ ସୂଚନା ଅନୁସାରେ ୨୦୧୯ ମସିହାରୁ ବାଲିଅନ୍ତା ତହସିଲ ଅଧୀନ କେବଳ ଭିଙ୍ଗାରପୁର ବାଲିଘାଟ ନିଲାମ ଦିଆଯାଇଛି। ଏହି ଘାଟ ୨୦୨୭ ମସିହା ପର୍ଯ୍ୟନ୍ତ ଚାଲିବା ନେଇ ନିଲାମ ବଳବତ୍ତର ରହିଛି। ବାଲିଚାଲାଣ କରୁଥିବା ହାଇୱା ଦୁର୍ଘଟଣାରେ ବେଣ୍ଟପୁର ପେଟ୍ରୋଲ ଟାଙ୍କି ନିକଟରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ପରେ ଘାଟ ବନ୍ଦ ରହିଥିଲା। ୧୨ ଏକର ପରିମିତ ଆୟତନ ଭିତରୁ ନିଲାମଧାରୀ ବାଲି ଉଠାଇ ପାରିବେ। ତହସିଲଦାରଙ୍କ ଉପସ୍ଥିତିରେ ସୀମା ଚିହ୍ନଟ କରି ନାଲି ପତ୍ତାକା ପୋତାଯିବ। ବାକି ଅନ୍ୟସବୁ ଘାଟ ଖୁବଶୀଘ୍ର ନିଲାମ କରାଯିବ। ସୂଚନା ମୁତାବକ, ବାଲି ଟ୍ରାକ୍ଟର ଟ୍ରିପ ପିଛା ୨୬ ଶହ ଓ ହାଇୱା ଟ୍ରିପ୍‌ ପିଛା ୧୫ରୁ ୧୭ ହଜାର ଟଙ୍କାରେ ବିକ୍ରି ହେଉଛି। ମାଗଣାରେ ମିଳୁଥିବା ବାଲିରୁ ଭଲ ପଇସା ମିଳୁଥିବାରୁ ମାଫିଆମାନେ ଆତଙ୍କରାଜ ଚଳାଉଛନ୍ତି। ବନ୍ଧୁକ, ଭୁଜାଲି ଧରି ଗୁଣ୍ଡାମାନେ ବୁଲୁଛନ୍ତି। ବିରୋଧ କରୁଥିବା ଲୋକ ଆକ୍ରମଣର ଶିକାର ହେଉଛନ୍ତି। ଏଣେ ଟ୍ରକ୍‌ ଚାଳକ କରୁଥିବା ପ୍ରତିଯୋଗିତାରେ ନିରୀହ ଲୋକ ପ୍ରାଣ ହରାଉଛନ୍ତି।

ରାତି ବଢ଼ିଲେ ଉତ୍ପାତ ବଢ଼ୁଛି

ଚନ୍ଦ୍ରଶେଖରପୁର: ରାତି ହେଲେ ନନ୍ଦନକାନନ-ଜୟଦେବବିହାର ରାସ୍ତା ବାଲି ମାଫିଆଙ୍କ କବ୍‌ଜାକୁ ଚାଲିଯାଉଛି। ରାତି ଯେତିକି ବଢ଼ୁଛି ଏମାନଙ୍କ ଉତ୍ପାତ ସେତିକି ବଢ଼ୁଛି। ରାତି ପାହିବା ପୂର୍ବରୁ ବାଲି ତ୍ରିଶୁଳିଆ, ବାରଙ୍ଗ ଘାଟରୁ କିଏ କେତେ ଟ୍ରିପ୍ ଆଣି ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ପାରିବ, ଚାଳକଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି। ପଛରେ ଆସୁଥିବା ଗାଡ଼ି, ଆଗ ଗାଡ଼ିକୁ କାଟିବା ବେଳେ ଭୟଙ୍କର ପରିସ୍ଥିତି ଉପୁଜୁଛି। ଏଭଳି ଉତ୍ପାତ ଯୋଗୁ ରାସ୍ତାରେ ଯାତାୟାତ କରୁଥିବା ସାଧାରଣ ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି। ନିକଟ ଅତୀତରେ ଓମଫେଡ଼ ଛକରେ ଶିଖରଚଣ୍ଡୀନଗରର ଜଣେ ଯୁବକଙ୍କୁ ବାଲିବୋଝେଇ ହାଇୱା ଚାପିଦେବାରୁ ଯୁବକଙ୍କର ମୃତ୍ୟୁ ହୋଇଥିଲା। ପଟିଆ ଛକରେ ରାସ୍ତା କଡ଼ରେ ବାଇକ୍‌ରେ ବସି ଫୋନରେ କଥା ହେଉଥିବା ଜଣେ ଯୁବକଙ୍କୁ ବାଲିବୋଝେଇ ଟ୍ରକ୍ ଧକ୍କାଦେବାରୁ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଚାଲିଯାଇଥିଲା। ଡମଣା ଟ୍ରାଫିକ୍ ପୋଷ୍ଟକୁ ଏକ ବାଲି ବୋଝେଇ ହାଇୱା ଧକ୍କାଦେଇ ଚୂରମାର କରିଦେଇଥିଲା। ଏତେ ସିସିଟିଭି ଥାଇ ମଧ୍ୟ ପୁଲିସ୍ ଜାଣି ପାରିଲା ନାହିଁ କେଉଁ ବାଲି ବୋଝେଇ ଗାଡ଼ି ଏହି ଟ୍ରାଫିକ୍ ପୋଷ୍ଟ ଭାଙ୍ଗିଲା। ଏବେ ବି ଏଠାରେ ନୂଆ ପୋଷ୍ଟ ଲଗାଯାଇ ନାହିଁ। ଟ୍ରାଫିକ୍ ପୁଲିସ୍ ଖରାରେ ଠିଆହୋଇ ଯାନବାହନ ନିୟନ୍ତ୍ରଣ କରୁଛନ୍ତି। ଏ ସମସ୍ତ ଘଟଣା ବିଳମ୍ବିତ ରାତିରେ ହିଁ ଘଟିଛି।

ଏଭଳି ଘଟଣା ନୂଆପଲ୍ଲୀ, ମୈତ୍ରୀବିହାର, ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି, ନନ୍ଦନକାନନ ଓ ବାରଙ୍ଗ ଥାନା ଅଞ୍ଚଳରେ ବାରମ୍ବାର ଘଟୁଛି। ପୁଲିସ ଏହି ବାଲିବୋ‌ଝେଇ ଟ୍ରକ୍ ଚାଳକଙ୍କ ଉପରେ କଟକଣା ଲଗାଇ ପାରୁନାହିଁ। ଚଢ଼ଉ ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷ ପୁଲିସ ସାହାଯ୍ୟ ଲୋଡ଼ିଲେ ଯୋଗାଇ ଦିଆଯାଉଥିବା ପୁଲିସ କହୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି, କିଏ ଉପଯୁକ୍ତ କର୍ତ୍ତୃପକ୍ଷ? କିଏ କାର୍ଯ୍ୟାନୁଷ୍ଠାନ ନେବ? କିଏ ଜଗିବ? ଏସବୁରେ ସାଧାରଣ ଲୋକଙ୍କର କୌଣସି ସମ୍ପର୍କ ନାହିଁ। ଏମାନଙ୍କ ପାଇଁ ଯେଉଁ ମୂଲ୍ୟବାନ ଜୀବନ ଚାଲିଯାଇଛି, କିଛି ଲୋକ ପଙ୍ଗୁ ହୋଇଯାଇଛନ୍ତି, ତା’ ପାଇଁ କିଏ ଦାୟୀ? ଏବେ ସେହି ରାସ୍ତାରେ ବିଳମ୍ବିତ ରାତିରେ ଫେରିବାକୁ ଡର ଲାଗୁଛି। ଆଗାମୀ ଦିଗରେ ଏସବୁର ସମାଧାନ ନ ହେଲେ ବରିଷ୍ଠ ନାଗରିକ ଓ ଯୁବକମାନେ ଧାରଣା ଦେ‌ଇ ପ୍ରତିବାଦ କରିବେ ବୋଲି କହିଛନ୍ତି।

ବାଲିଅନ୍ତା, ବାଲିପାଟଣାରେ ମାସକରେ ମରିଛନ୍ତି ୪

ବାଲିପାଟଣା: ଚୋରା ବାଲିଚାଲାଣ କରୁଥିବା ଗାଡ଼ିଚାଳକଙ୍କ ପ୍ରତିଯୋଗିତାରେ ନିରୀହ ଲୋକଙ୍କ ଜୀବନ ଯାଉଛି। ଗତ ମାସରେ ବାଲିପାଟଣା ଓ ବାଲିଅନ୍ତା ଅଞ୍ଚଳରେ ବାଲିବୋଝେଇ ହାଇୱା ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। କିଛି ଦିନ ତଳେ ବିଳମ୍ବିତ ରାତିରେ ଖଣି ବିଭାଗ, ତହସିଲ ଓ ପୁଲିସ ମିଳିତ ଚଢ଼ଉ କରି ୫ଗାଡ଼ି ଜବତ କରିଥିଲେ। ହେଲେ ଗାଡ଼ିମାଲିକ ଜରିମାନା ଅର୍ଥ ପୈଠ ନ କରିବାରୁ ଥାନାରେ ମାମଲା ହୋଇଛି। କିନ୍ତୁ ଏହା କେବଳ ଧର୍ମକୁ ଆଖିଠାର। ସରକାରଙ୍କୁ କେବଳ କାର୍ଯ୍ୟାନୁଷ୍ଠାନର ହିସାବ ଦେଖାଇବା ପାଇଁ ଏଭଳି ଚଢ଼ଉ ହେଉଥିବା ଅଭିଯୋଗ ହୋଇଛି। ବାଲିପାଟଣା ତହସିଲ ଅଧୀନରେ ୧୦ ବାଲିଘାଟ ନିଲାମ ଦିଆଯାଉଥିଲା। ସେଥିରୁ ୪ଟିର ନିଲାମ ଅବଧି ସରିନାହିଁ। ସୋମଣାଶାସନ ଘାଟ ସରକାରୀ ସ୍ବୀକୃତି ମୁତାବକ ଚାଲିଛି। କୋଟି କୋଟି ଟଙ୍କା ବାକି ପଡ଼ିବାରୁ ଆଉ କିଛି ଘାଟ ବନ୍ଦ ରହିଛି। ପଡୋଶୀ ଜିଲ୍ଲାରୁ ବାଲିପାଟଣା ଦେଇ ଶହଶହ ବାଲି ବୋଝେଇ ଗାଡ଼ି ଯା’ଆସ କରୁଛି। ଭାରୀ ଯାନ ଚଳାଚଳ ଫଳରେ ସଡ଼କ ଦୁର୍ଘଟଣାରେ ନିରୀହ ଜୀବନ ଯାଉଛି। ସୂଚନାଯୋଗ୍ୟ, ପୂର୍ବରୁ ନିଲାମ ହେଉଥିବା ବାଲିଘାଟ ମଧ୍ୟରୁ କୁଶଭଦ୍ରା ନଦୀର ଅଠାନ୍ତର, ଗିରିଙ୍ଗ, ମହୁଖଣ୍ଡା, ମାର୍ଥାପୁର, ଭଅଁରା ନିଜିଗଡ଼, ଅଭୟମୁଖୀ ଓ ଭାକରସାହି, ଭାର୍ଗବୀ ନଦୀର ମୁକୁନ୍ଦଦାସ ପୁର, ସୋମଣାଶାସନ, ଅଚ୍ୟୁତପୁର ପ୍ରମୁଖ ରହିଛି। କିଛି ଦିନ ଭିତରେ ଆଉ ୨ଟି ଘାଟ ନିଲାମ ହେବ ବୋଲି ଖଣି ବିଭାଗ ସୂତ୍ରରୁ ଜଣାପଡ଼ିଛି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.