Breaking News

କଥାଟିଏ-ଯାଯାବର: ଦୁଇଟି ଶଙ୍ଖ

ଜଣେ ଲୋକ ଅତ୍ୟନ୍ତ ଦାରିଦ୍ର୍ୟରୁ ମୁକ୍ତି ପାଇବା ଲାଗି ଘୋର ତପସ୍ୟା କଲା। ଭଗବାନ ତାକୁ ଶଙ୍ଖଟିଏ ଦେଲେ। ତାକୁ କହିଲେ- ଏ ଶଙ୍ଖକୁ ଯାହା ମାଗିବୁ ତା’ର ଅଧେ ନିଶ୍ଚୟ ପାଇବୁ। ଲୋକଟି ତାକୁ ନେଇ ବହୁତ କିଛି ମାଗି ପକାଇଲା।

ଜଣେ ଲୋକ ଅତ୍ୟନ୍ତ ଦାରିଦ୍ର୍ୟରୁ ମୁକ୍ତି ପାଇବା ଲାଗି ଘୋର ତପସ୍ୟା କଲା। ଭଗବାନ ତାକୁ ଶଙ୍ଖଟିଏ ଦେଲେ। ତାକୁ କହିଲେ- ଏ ଶଙ୍ଖକୁ ଯାହା ମାଗିବୁ ତା’ର ଅଧେ ନିଶ୍ଚୟ ପାଇବୁ।
ଲୋକଟି ତାକୁ ନେଇ ବହୁତ କିଛି ମାଗି ପକାଇଲା। ଯାହା ମାଗିଲା ତା’ର ଅଧା ପାଇଲା। ଏମିତି କରି ସେ ବହୁତ ଧନୀ ହୋଇଗଲା।
ଏଇ ସମୟରେ ଦିନେ ତା’ ଘରକୁ ଆସିଲେ ଜଣେ ସାଧୁ। ଲୋକଟି ସାଧୁଙ୍କୁ ଘରେ ଦିନକ ଲାଗି ଆଶ୍ରୟ ଦେଲା। ପରଦିନ ସକାଳେ ସାଧୁ ଯିବାକୁ ବାହାରିବା ଆଗରୁ ଏକାନ୍ତରେ ବସି ପୂଜା କଲେ। ଲୋକଟି ଦେଖିଲା ସାଧୁଙ୍କ ପାଖରେ ବି ସେମିତି ଶଙ୍ଖଟିଏ ଅଛି। ସେ କିଛି ଦୂରରୁ ଶୁଣିଲା ଯେ ସାଧୁ ଶଙ୍ଖକୁ କହୁଛନ୍ତି-ମୋତେ ଫୁଲଟିଏ ଦିଅ। ତା’ ପରେ ଶଙ୍ଖ କହିଲା- ଗୋଟାଏ କାହିଁକି ଦୁଇଟି ଫୁଲ ନିଅ।
ଏ କଥା ଶୁଣିବା ପରେ ଲୋକଟି ଚକିତ ହୋଇଗଲା। ସେ ନିଜକୁ କହିଲା- ଏଇଟା ହେଉଛି ଅସଲ ଶଙ୍ଖ। ମୋତେ କେଉଁ ଛୋଟମୋଟ ଠାକୁର ବୋଧହୁଏ ଶଙ୍ଖଟିଏ ଦେଲେ ଯେ ଯାହା ମାଗିଲେ ଅଧା ମିଳୁଛି।
ଏହା ଭାବି ସେ ସାଧୁଙ୍କ ପାଖକୁ ଯାଇ କହିଲା- ମହାତ୍ମା, ମୋର ବି ଗୋଟିଏ ଶଙ୍ଖ ଅଛି ଯାହା ମାଗିଥିବା ଦ୍ରବ୍ୟର ଅଧା ଦେଉଛି। କିନ୍ତୁ ଆପଣଙ୍କ ଶଙ୍ଖ ଦୁଇଗୁଣ ଦେଉଛି। ମୁଁ ସ˚ସାରୀ ଲୋକ ଓ ଆପଣ ସନ୍ନ୍ୟାସୀ। ଏଣୁ ଆପଣ ମୋ ଶଙ୍ଖ ନେଇ ଆପଣଙ୍କ ଶଙ୍ଖ ମୋତେ ଦିଅନ୍ତୁ। ସାଧୁ ରାଜି ହୋଇଗଲେ ଏବ˚ ନିଜ ଶଙ୍ଖଟି ଦେଇ ଚାଲିଗଲେ।
ସାଧୁ ଯିବା ପରେ ଲୋକଟି ଶଙ୍ଖକୁ ମାଗିଲା- ମୋତେ ଲକ୍ଷେ ଟଙ୍କା ଦିଅ। ଶଙ୍ଖ କହିଲା ଦୁଇ ଲକ୍ଷ ନିଅ। କିନ୍ତୁ କିଛି ଟଙ୍କା ଆସିଲା ନାହିଁ। ଲୋକଟି ଯେତେ ଥର ଯାହା ମାଗିଲା ଶଙ୍ଖ କେବଳ ତା’ର ଦୁଇ ଗୁଣ ନିଅ ବୋଲି କହିଲା ସିନା, କିଛି ଦେଲା ନାହିଁ। ଲୋକଟି ବୁଝିଲା ଯେ ଏ ହେଉଛି କଥା କୁହା ଶଙ୍ଖ। କିନ୍ତୁ ଲୋଭରେ ଆସି ସେ କାମ କରୁଥିବା ଶଙ୍ଖକୁ ହରାଇ ଦେଇଥିଲା। ସେ ହତାଶା ଓ ଦୁଃଖରେ ପାଗଳ ପ୍ରାୟ ହୋଇଗଲା।

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.