Breaking News

କମ୍ବଳର ଆଲିଙ୍ଗନ

ନିକଟତମ ପଡ଼ୋଶୀ ଭାବେ ଭାରତ ଭଳି ଏକ ଦୃଢ଼ ରାଷ୍ଟ୍ର ପରିବର୍ତ୍ତେ ଦୂରବର୍ତ୍ତୀ ଓ ଭଙ୍ଗୁର ପାକିସ୍ତାନ ପ୍ରତି ବାଂଲାଦେଶ ଅନ୍ତରୀଣ ସରକାରର ଅନୁରକ୍ତି ହୁଏତ ଜେନେରାଲ ଜମାନଙ୍କୁ ଅପରିଣାମଦର୍ଶିତା ଭଳି ବୋଧ ହେଉଥିବ।

ନିକଟତମ ପଡ଼ୋଶୀ ଭାବେ ଭାରତ ଭଳି ଏକ ଦୃଢ଼ ରାଷ୍ଟ୍ର ପରିବର୍ତ୍ତେ ଦୂରବର୍ତ୍ତୀ ଓ ଭଙ୍ଗୁର ପାକିସ୍ତାନ ପ୍ରତି ବାଂଲାଦେଶ ଅନ୍ତରୀଣ ସରକାରର ଅନୁରକ୍ତି ହୁଏତ ଜେନେରାଲ ଜମାନଙ୍କୁ ଅପରିଣାମଦର୍ଶିତା ଭଳି ବୋଧ ହେଉଥିବ। ତେଣୁ ସେ ତାଙ୍କ ଭାଷଣରେ ଏଭଳି ସତର୍କ ବାଣୀଟିଏ ମଧ୍ୟ ଶୁଣାଇଛନ୍ତି ଯେ ‘ଏହା ମୁଁ କହିବାର କାରଣ ହେଲା, ଭବିଷ୍ୟତ୍‌ରେ କେହି ଯେମିତି ନ କହେ ଯେ ମୁଁ ସାବଧାନ କରାଇ ଦେଇ ନ ଥିଲି!’

‘ବାଂଲାଦେଶର ରାଜନୈତିକ ଦଳଗୁଡ଼ିକ ବର୍ତ୍ତମାନ ଯେମିତି କଳହ ଓ ସଂଘର୍ଷରେ ଲିପ୍ତ ଅଛନ୍ତି, ସେମିତି ଜାରି ରହିଲେ ଦେଶଟି ଅଚିରେ ଏକ ଅରାଜକ ଭୂଖଣ୍ଡରେ ପରିଣତ ହେବ। ତା’ ସହିତ ଅବଲୀଳା କ୍ରମେ ତା’ର ସ୍ବାଧୀନତା ମଧ୍ୟ ବାହାର ଶକ୍ତିମାନଙ୍କ ଦ୍ବାରା ଅପହୃତ ହୋଇଯିବ।’
ଏହି ସ୍ତମ୍ଭର ଅନେକ ପାଠକପାଠିକା ଉପରୋକ୍ତ ବକ୍ତବ୍ୟ ପରିପ୍ରେକ୍ଷୀରେ ହୁଏତ ଅନୁମାନ କରିବେ ଯେ ଏଭଳି ମନ୍ତବ୍ୟ ଶାନ୍ତି ଲାଗି ନୋବେଲ ପୁରସ୍କାର ବିଜେତା ଅର୍ଥଶାସ୍ତ୍ରୀ ତଥା ବାଂଲାଦେଶ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ମୁଖ ନିସୃତ ହୋଇଥିବ; ହୁଏତ ସେ ବାଂଲାଦେଶର ଅସରନ୍ତି ହିଂସାକାଣ୍ତ ଓ ଦଙ୍ଗା ଆଦିିରେ ଅତିଷ୍ଠ ହୋଇ ପଡ଼ିଥିବେ। ଅପର ପକ୍ଷେ, ଭାରତର ଉଦ୍‌ବେଗକୁ ଅଙ୍ଗୀକାର କଲା ଭଳି ଏମିତି ଏକ ବକ୍ତବ୍ୟ କୌଣସି ବାଂଲାଦେଶୀଙ୍କ ଠାରୁ ଆସିବା ଅତ୍ୟନ୍ତ ବିରଳ ବୋଲି ଜାଣି ଅନେକ ପାଠକପାଠିକା ହୁଏତ କୌଣସି ଅନ୍ଦାଜ ଲଗାଇ ନ ପାରନ୍ତି ମଧ୍ୟ! କିନ୍ତୁ ବିସ୍ମୟକର ବାସ୍ତବତାଟି ହେଲା ଏହା ଆସିଛି ବାଂଲାଦେଶର ସେନାଧ୍ୟକ୍ଷ ୱାକାର ଉଜ ଜମାନଙ୍କ ଠାରୁ, ଯିଏ ଦେଶ ଉଦ୍ଦେଶ୍ୟରେ ପ୍ରଦାନ କରିଥିବା ଏକ ଟେଲିଭିଜନ ଭାଷଣରେ ଏହା କହିଛନ୍ତି। ଏଠାରେ ସ୍ମରଣଯୋଗ୍ୟ ‌ଯେ ଆଜିକୁ ଛଅ ମାସ ପୂର୍ବେ ଶେଖ ହସିନାଙ୍କ ନେତୃତ୍ବାଧୀନ ସରକାରଙ୍କ ପତନ ପରେ ଜେନେରାଲ ଜମାନ ଅତ୍ୟନ୍ତ ଉତ୍‌ଫୁଲ୍ଲିତ କଣ୍ଠରେ ହସିନାଙ୍କ ପଳାୟନ ଓ ନୂଆ ଅନ୍ତରୀଣ ସରକାର ଗଠନ ସଂପର୍କରେ ଦେଶକୁ ଅବଗତ କରାଇଥିଲେ। ଏଥିରୁ ଏହା ଅନ୍ତତଃ ସୁନିଶ୍ଚିତ ଯେ ଇତିମଧ୍ୟରେ ଜେନେରାଲ ଜମାନଙ୍କ ମୋହ ଭଙ୍ଗ ଘଟିଲାଣି ଏବଂ ବାଂଲାଦେଶର ସ୍ବାଧୀନତା ବିପଦରେ ବୋଲି ମଧ୍ୟ ତାଙ୍କର ଧାରଣା ହେଲାଣି। ସୁତରାଂ, ଏ ପ୍ରସଙ୍ଗରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ହୋଇଥାଏ।
ଏଥିରେ ଦ୍ବିଧା ନାହିଁ ଯେ ‌‌ଜେନେରାଲ ଜମାନଙ୍କ ଉଦ୍‌ବେଗ ଯଥାର୍ଥ, ଯାହାର କାରଣ ବାଂଲାଦେଶରେ ସଂପ୍ରତି ଦୃଶ୍ୟମାନ ହେଉଥିବା ଘୋର ନୈରାଜ୍ୟ; ଯହିଁରେ ପ୍ରାୟ ପ୍ରତ୍ୟେକ ଦିନ ସଡ଼କ ଉପରେ ପ୍ରକାଶ୍ୟରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ହିଂସା ଜାରି ରହିଥିବା ଦେଖାଯାଉଛି, ଯହିଁରେ ପଇଁତରା ଦେବା ଲାଗି ମୁତୟନ ହୋଇଥିବା ସେନାବାହିନୀ କେବଳ ମୂକ ଦର୍ଶକରେ ପରିଣତ ହୋଇଛନ୍ତି। ଜେନେରାଲ ଜମାନ ଏହା ମଧ୍ୟ ହୃଦୟଙ୍ଗମ କରନ୍ତି ଯେ ବାଂଲାଦେଶର ଜନସାଧାରଣ ସାମରିକ ଶାସନ ଓ ହସ୍ତକ୍ଷେପକୁ ତୀବ୍ର ଘୃଣା କରନ୍ତି, ତେଣୁ ସେ ଏହି ସଂକେତ ମଧ୍ୟ ଦେଇଛନ୍ତି ଯେ ବାଂଲାଦେଶର ସାମରିକ ବାହିନୀ ରାଜଧାନୀର ରାଜନୀତିରୁ ଦୂରସ୍ଥ ବାରାକ୍‌ଗୁଡ଼ିକୁ ବାହୁଡ଼ି ଯିବାକୁ ଚାହାନ୍ତି। କିନ୍ତୁ ତାଙ୍କର କ୍ଷୋଭ ହେଲା ନିର୍ବାଚନ ମାଧ୍ୟମରେ ଏକ ସୁସ୍ଥ ରାଜନୈତିକ ପରିବେଶ ବାହଲ ନ ହେବା ପର୍ଯ୍ୟନ୍ତ ସେଭଳି ସମ୍ଭାବନା ନାହିଁ, ଏଣେ ରାଜନୈତିକ ଦଳଗୁଡ଼ିକ ପାରସ୍ପରିକ କନ୍ଦଳରେ ନିମଗ୍ନ ରହି ସେ ଦିଗରେ ନିଃସ୍ଫୃହ। କିନ୍ତୁ, ବିଡ଼ମ୍ବିତ ବାସ୍ତବତାଟି ହେଲା ବାଂଲାଦେଶ‌େର ସଡ଼କ ଆନ୍ଦୋଳନ ଏବଂ ଶାସନ ବ୍ୟବସ୍ଥା; ଉଭୟ ଜମାତ୍‌-ଏ-ଇସଲାମୀ ଭଳି ଚରମ ମୌଳବାଦୀ ସଂଗଠନ ଦ୍ବାରା ପ୍ରଭାବିତ ଓ ଏପରିକି ପରିଚାଳିତ ମଧ୍ୟ! ତେଣୁ ଛଅ ମାସ ହେଲାଣି କ୍ଷମତା ଅଳିନ୍ଦରୁ ଆରମ୍ଭ କରି ସହରର ଗଳି ପର୍ଯ୍ୟନ୍ତ ସର୍ବତ୍ର ବିତାଡ଼ିତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ରକ୍ତ ଲାଗି ପୈଶାଚିକ ଚିତ୍କାର ଶୁଭୁଛି। ପର୍ଯ୍ୟବେକ୍ଷକମାନଙ୍କ ଅନୁସାରେ ଏଭଳି ଏକ ଦୁର୍ବାର ନିଶାରୁ ମୁକ୍ତ ନ ହେଲା ପର୍ଯ୍ୟନ୍ତ ବାଂଲାଦେଶରେ ସୁସ୍ଥ ରାଜନୈତିକ ପରିବେଶ ସୃଷ୍ଟି ହେବା ଅସମ୍ଭବ। କେବଳ ସେତିକି ନୁହେଁ, ଜମାତ୍‌-ଏ-ଇସଲାମୀ ଭଳି ସଂଗଠନ ମୂଳରୁ ପାକିସ୍ତାନର ସମର୍ଥକ ଥିବାରୁ ଏବର କ୍ଷମତାସୀନ ଅନ୍ତରୀଣ ସରକାର ମଧ୍ୟ ପାକିସ୍ତାନକୁ ପୁନର୍ବାର ଏକ ମିତ୍ର ରୂପେ ବରଣ କଲାଣି, ଯେଉଁ ପାକିସ୍ତାନ ଦୀର୍ଘ ପଚାଶ ବର୍ଷରୁ ଅଧିକ କାଳ ଧରି ବାଂଲାଦେଶର ଚରମ ଶତ୍ରୁ ବୋଲି ପରିଗଣିତ ହେଉଥିଲା। ଏହାର ଉଦାହରଣ ହେଲା ଦୀର୍ଘ ୫୩ ବର୍ଷ ପରେ ବାଂଲାଦେଶ ପକ୍ଷରୁ ପାକିସ୍ତାନରୁ ସାମରିକ ସରଞ୍ଜାମ ଓ ଅସ୍ତ୍ରଶସ୍ତ୍ର ଏବଂ ଚାଉଳ ଆମଦାନି କରାଯିବା ଆରମ୍ଭ ହୋଇଛି। ପ୍ରକାଶ ଥାଉ କି ବହୁ ବର୍ଷ ଧରି ଟନ୍‌ ପିଛା ୪୭୪ ଡଲାର ମୂଲ୍ୟରେ ଭିଏତନାମରୁ ଚାଉଳ ଆମଦାନି କରୁଥିବା ବାଂଲାଦେଶ ଚଳିତ ବର୍ଷ ପ୍ରଥମ ଥର ଲାଗି ପାକିସ୍ତାନରୁ ୫୦,୦୦୦ ‌ମେଟ୍ରିକ ଟନ୍‌ ଚାଉଳ ଆମଦାନି କରୁଛି, ଯେଉଁଠି ଚାଉଳ ମୂଲ୍ୟ ଟନ୍‌ ପିଛା ୪୯୯ ଡଲାର, ଅର୍ଥାତ୍‌ ପୂର୍ବାପେକ୍ଷା ୨୫ ଡଲାର ଅଧିକ। ଏହା ସହିତ ଆଉ ଯାହା ଭ୍ରୂକୁଂଚନ ସୃଷ୍ଟିକାରୀ, ତାହା ହେଲା କୁଖ୍ୟାତ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇ.ଏସ.ଆଇ.ର ପ୍ରତିନିଧିଙ୍କ ଦ୍ବାରା ବାଂଲାଦେଶ ଗସ୍ତ। ମନେ ହୁଏ ଯେ ଆତଙ୍କବାଦୀଙ୍କ ସୃଷ୍ଟି, ପ୍ରଶିକ୍ଷଣ ଓ ପୋଷଣରେ ବ୍ରତୀ ଆଇ.ଏସ୍‌.ଆଇ. ଭଳି ଏକ ସନ୍ଦିଗ୍‌ଧ ସଂସ୍ଥା ସହିତ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ସଂପର୍କ ଜେନେରାଲ ଜମାନଙ୍କୁ ବିବ୍ରତ କରିଥିବ। କହିବା ଅନାବଶ୍ୟକ ଯେ ସେନା ବାହିନୀର ପ୍ରଶ୍ନାତୀତ ପ୍ରଭୁତ୍ବ ଏବଂ ଆତଙ୍କବାଦର ରାହୁଛାୟା ତଳେ ଏକ ଅସ୍ଥିର ଗଣତନ୍ତ୍ର ତଥା ଅର୍ଥନୈତିକ ଭଗ୍ନସ୍ତୂପ ପାକିସ୍ତାନ କୌଣସି ସୁସ୍ଥ ମସ୍ତିଷ୍କ ସଂପନ୍ନ ରାଷ୍ଟ୍ର ସକାଶେ ଆଦର୍ଶ ସତୀର୍ଥ ହେବା କଥା ନୁହେଁ।
ବାଂଲାଦେଶର ଅନ୍ତରୀଣ ସରକାରରେ ପଦାସୀନ ପ୍ରତିନିଧିମାନେ କିଭଳି ଅର୍ବାଚୀନସୁଲଭ ଦାୟିତ୍ବହୀନତାର ପରିଚୟ ଦିଅନ୍ତି, ତାହା ଭାରତ ବିରୋଧରେ ସେମାନେ ଅହରହ ପ୍ରଦାନ କରି ଚାଲିଥିବା ମନ୍ତବ୍ୟମାନରୁ ସୁସ୍ପଷ୍ଟ। ବାଂଲାଦେଶର ପ୍ରତ୍ୟେକ ଅଘଟଣ ସକାଶେ ସେମାନେ ଭାରତକୁ ଦାୟୀ କରନ୍ତି, ଏପରିକି ଅତ୍ୟନ୍ତ ହାସ୍ୟାସ୍ପଦ ଭାବେ ‌େସଠାରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ମଧ୍ୟ ଭାରତର ଚକ୍ରାନ୍ତକୁ ଆବିଷ୍କାର କରନ୍ତି! ଏହି ପରିପ୍ରେକ୍ଷୀରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ନିକଟରେ ପ୍ରଦାନ କରିଥିବା ବିରକ୍ତିସୂଚକ ମନ୍ତବ୍ୟ ବେଶ୍‌ ପ୍ରଣିଧାନଯୋଗ୍ୟ, ଯାହାର ସାରାଂଶ ହେଲା ଭାରତ ସହିତ କିଭଳି ସଂପର୍କ ରଖିବାକୁ ବାଂଲାଦେଶ ଆଗ୍ରହୀ, ତାହା ପ୍ରଥମେ ସ୍ଥିର କରି ନେଉ। ଏହା ସୁବିଦିତ ଯେ ବାଂଲାଦେଶର ଜନ୍ମ ପର ଠାରୁ ଏକ ହୃଦୟବାନ ମିତ୍ର ରୂ‌େପ ଭାରତ ସର୍ବଦା ଏକ ଗଠନମୂଳକ ଭୂମିକା ନିର୍ବାହ କରି ଆସିଛି। ପୁଣି ନିକଟତମ ପଡ଼ୋଶୀ ଭାବେ ଭାରତ ଭଳି ଏକ ଦୃଢ଼ ରାଷ୍ଟ୍ର ପରିବର୍ତ୍ତେ ଦୂରବର୍ତ୍ତୀ ଓ ଭଙ୍ଗୁର ପାକିସ୍ତାନ ପ୍ରତି ବାଂଲାଦେଶ ଅନ୍ତରୀଣ ସରକାରର ଅନୁରକ୍ତି ହୁଏତ ଜେନେରାଲ ଜମାନଙ୍କୁ ଅପରିଣାମଦର୍ଶିତା ଭଳି ବୋଧ ହେଉଥିବ। ତେଣୁ ସେ ତାଙ୍କ ଭାଷଣରେ ଏଭଳି ସତର୍କ ବାଣୀଟିଏ ମଧ୍ୟ ଶୁଣାଇଛନ୍ତି ଯେ ‘ଏହା ମୁଁ କହିବାର କାରଣ ହେଲା, ଭବିଷ୍ୟତ୍‌ରେ କେହି ଯେମିତି ନ କହେ ଯେ ମୁଁ ସାବଧାନ କରାଇ ଦେଇ ନ ଥିଲି!’
କହିବା ବାହୁଲ୍ୟ ଯେ ଜେନେରାଲ ଜମାନଙ୍କ ସତର୍କ ବାଣୀ ଆଲୋଡ଼ନ ସୃଷ୍ଟି କଲା ଭଳି! ସେ ତାଙ୍କ ଭାଷଣରେ ସେଠାକାର ନିର୍ବାଚନକୁ ନେଇ ଏ ଯାବତ୍‌ ରହିଥିବା ଅନିଶ୍ଚିତତାକୁ ଦୂର କରିବାର ପ୍ରୟାସ ସ୍ବରୂପ ଅନ୍ତତଃ ପକ୍ଷେ ଏକ ମୋଟାମୋଟି ସମୟ ସୀମାର ଆଭାସ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ୨୦୨୫ ସମାପ୍ତ ହେବା ପୂର୍ବରୁ ବାଂଲାଦେଶରେ ନିର୍ବାଚନ ଅନୁଷ୍ଠିତ ହେବ। କିନ୍ତୁ, ବିଡ଼ମ୍ବନା, ବିଦ୍ବାନ ମହମ୍ମଦ ୟୁନୁସ ଏ ନେଇ ସଂପୂର୍ଣ୍ଣ ନିରବ; ସେଠାକାର ଛାତ୍ର ଓ ନାଗରିକଙ୍କ ଗୋଷ୍ଠୀଗୁଡ଼ିକ ନିଜ ନିଜର ରାଜନୈତିକ ଉଚ୍ଚାକାଂକ୍ଷା ଚରିତାର୍ଥ କରିବା ଲାଗି ଶକ୍ତି ପ୍ରଦର୍ଶନରେ ବ୍ୟାପୃତ, ଯାହାର ପରିଣାମ ରକ୍ତାକ୍ତ ସଂଘର୍ଷର ଧାରା। ଏଭଳି ପରିସ୍ଥିତିରେ ଜେନେରାଲ ଜମାନ ନଈ ବଢ଼ି ଦେଖୁଥିବା ସେହି ବ୍ୟକ୍ତିଟି ଭଳି ମନେ ହୁଅନ୍ତି, ଯିଏ ବଢ଼ିରେ ଭାସି ଯାଉଥିବା କମ୍ବଳଟିଏ ଟାଣି ଆଣିବା ଲାଗି କୁଦା ମାରିବାକୁ ଉଦ୍ୟତ ତା’ର ବନ୍ଧୁକୁ ତହିଁରୁ ନିବୃତ୍ତ କରିବାର ଚେଷ୍ଟା କରିଥିଲା। କିନ୍ତୁ ଅବୋଲକରା ବନ୍ଧୁ ଡେଇଁ ପଡ଼ିବା ପରେ ଯାଇ ଆବିଷ୍କାର କରିଥିଲା ଯେ କମ୍ବଳଟି ହେଉଛି ପ୍ରକୃତରେ ଏକ ଭାଲୁ! ସୁତରାଂ, କମ୍ବଳର ଆଲିଙ୍ଗନରେ ଆବଦ୍ଧ ଯୁବକଟି ବଢ଼ିରେ ଭାସି ଯାଇ ଅବଲୀଳା କ୍ରମେ ଦୃଷ୍ଟି ଅନ୍ତରାଳକୁ ଚାଲିଯାଇଥିଲା। କହିବାର ମର୍ମ ହେଲା ଜେନେରାଲ ଜମାନ ବଜାଇଥିବା ସତର୍କ ଘଣ୍ଟି ପରେ ମହମ୍ମଦ ୟୁନୁସ କମ୍ବଳକୁ ଭିଡ଼ି ଧରିବା ପୂର୍ବରୁ ଚିହ୍ନି ଯାଆନ୍ତୁ ଯେ ଜମାତ-ଏ-ଇସଲାମୀ ହେଉ ବା ପାକିସ୍ତାନ, ଉଭୟେ ହେଉଛନ୍ତି ଗୋଟିଏ ଗୋଟିଏ ଭାଲୁ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.