Breaking News

କୃତ୍ତିବାସ କଟକ

ଶ୍ରୀଲିଙ୍ଗରାଜଙ୍କ ନାଆଁ ‘କୃତ୍ତିବାସ’। ଲିଙ୍ଗରାଜ ନାମରେ ନାମିତ ହେବା ପୂର୍ବରୁ ସେ ଏହି କୃତ୍ତିବାସ ନାମରେ ପରିଚିତ ଓ ପ୍ରସିଦ୍ଧ ଥିଲେ। ତାଙ୍କ ଏକାମ୍ରକ୍ଷେତ୍ରର ନାଆଁ ମଧ୍ୟ ସେହି ଅନୁସାରେ ‘କୃତ୍ତିବାସ କଟକ’ ହୋଇଥିଲା। ମାଦଳାପାଞ୍ଜିରେ ଶ୍ରୀଲିଙ୍ଗରାଜଙ୍କର କୃତ୍ତିବାସ ନାମର ଉଲ୍ଲେଖ ଅଛି।

ଶ୍ରୀଲିଙ୍ଗରାଜଙ୍କ ନାଆଁ ‘କୃତ୍ତିବାସ’। ଲିଙ୍ଗରାଜ ନାମରେ ନାମିତ ହେବା ପୂର୍ବରୁ ସେ ଏହି କୃତ୍ତିବାସ ନାମରେ ପରିଚିତ ଓ ପ୍ରସିଦ୍ଧ ଥିଲେ। ତାଙ୍କ ଏକାମ୍ରକ୍ଷେତ୍ରର ନାଆଁ ମଧ୍ୟ ସେହି ଅନୁସାରେ ‘କୃତ୍ତିବାସ କଟକ’ ହୋଇଥିଲା। ମାଦଳାପାଞ୍ଜିରେ ଶ୍ରୀଲିଙ୍ଗରାଜଙ୍କର କୃତ୍ତିବାସ ନାମର ଉଲ୍ଲେଖ ଅଛି। ତାଙ୍କ ମନ୍ଦିରର ନିର୍ମାତା ଲଲାଟେନ୍ଦୁ କେଶରୀ ବୋଲି ମଧ୍ୟ ସେଥିରେ ଉଲ୍ଲେଖ ରହିଛି। ଶ୍ରୀଲିଙ୍ଗରାଜଙ୍କର ଏହି ‘କୃତ୍ତିବାସ’ ନାମ ଏବଂ ଏକାମ୍ରକ୍ଷେତ୍ରର ‘କୃତ୍ତିବାସ କଟକ’ ନାମ ପଛରେ ରହିଛି ପୌରାଣିକ ଉପାଖ୍ୟାନ। କେତେକ ଶିଳାଲେଖରେ ‘କୃତ୍ତିବାସ କଟକ’କୁ ‘କୀର୍ତ୍ତିବାସ କଟକ’ ମଧ୍ୟ କୁହାଯାଇଛି।

ଶବ୍ଦାର୍ଥ ଦୃଷ୍ଟିରୁ ଦେଖିଲେ- କୃତ୍ତି ବା ଚର୍ମ ଯାହାଙ୍କର ବାସ ବା ବସ୍ତ୍ର ସେ କୃତ୍ତିବାସ। ଶିବ ବ୍ୟାଘ୍ର, ମୃଗ ବା ଗଜର ଚର୍ମ ପରିଧାନ କରୁଥିବାରୁ ସେ କୃତ୍ତିବାସ। କିନ୍ତୁ ‘କୀର୍ତ୍ତିବାସ’ ନାଆଁ ପଛରେ ରହିଛି ଭିନ୍ନ ପୌରାଣିକ କିଂବଦନ୍ତି। ‘କୀର୍ତ୍ତିବାସ’ କୀର୍ତ୍ତି ଓ ବାସ- ଏହି ଦୁଇଟି ଶବ୍ଦର ସମଷ୍ଟି। ଏ ଦୁହେଁ ଦୁଇ ଅସୁର ଭ୍ରାତା। କିଂବଦନ୍ତି ଅନୁସାରେ, ଏକାମ୍ର କ୍ଷେତ୍ରକୁ ଶିବଙ୍କର ଆଗମନ ପୂର୍ବରୁ ତାହା ଥିଲା ଏହି ଦୁଇ ଅସୁର ଭ୍ରାତାଙ୍କର ବିଚରଣ ଭୂମି। ସେ ଦୁହେଁ ଦ୍ରୁମିଳ ଦୈତ୍ୟର ସନ୍ତାନ। ପିତାଙ୍କ ଦ୍ବାରା ବିତାଡ଼ିତ ହୋଇ ସେମାନେ ଏଠାରେ ବାସ କରୁଥିଲେ। ପାର୍ବତୀଙ୍କର ରୂପ ଲାବଣ୍ୟରେ ଆକୃଷ୍ଟ ହୋଇ ସେମାନେ ତାଙ୍କ ନିକଟରେ ରତି ଭିକ୍ଷା କରିଥିଲେ। ଦେବୀ ପାର୍ବତୀ ତାହାକୁ ଅସ୍ବୀକାର ନକରି, ଛଳନା କରି ସେଥିରେ ସମ୍ମତ ହେଲେ।

ଦେବୀ କହିଲେ- ତୁମେ ଦୁହେଁ ଯଦି ମୋତେ କାନ୍ଧରେ ବସାଇ ବନ ଭ୍ରମଣ କରାଇବ, ତେବେ ମୁଁ ତୁମର ଇଚ୍ଛା ପୂରଣ କରିବି। ରାକ୍ଷସ ଦୁହେଁ ସେଥିରେ ସମ୍ମତ ହେଲେ। ଫଳରେ ଦେବୀ ବାସ କାନ୍ଧରେ ବାମ ପାଦ ଓ କୀର୍ତ୍ତି କାନ୍ଧରେ ଡାହାଣ ପାଦ ‌ରଖି ଦୁହିଁଙ୍କ କାନ୍ଧରେ ବସିଲେ। ତାହା ପରେ, ସେ କ୍ରମେ ନିଜର ଓଜନ ବଢ଼ାଇ ବଢ଼ାଇ ଦୁହିଁଙ୍କୁ ମାଟିରେ ଚାପି ମାରିଦେଲେ। ତେଣୁ ତାଙ୍କର ନାମ ହେଲା କୀର୍ତ୍ତିବାସ ବିମର୍ଦ୍ଦିନୀ। ଦୁଇ ରାକ୍ଷସ ଚାପି ହୋଇ ମରିଥିବା ସ୍ଥାନ ହେଲା ‘ଦେବୀପାଦହରା’। କିନ୍ତୁ ଏହି ଦୁଇ ଅସୁରଭ୍ରାତା କୀର୍ତ୍ତି ଓ ବାସଙ୍କ ନାମ ଅନୁସାରେ ଏକାମ୍ର କ୍ଷେତ୍ରର ନାମ କୀର୍ତ୍ତିବାସ କଟକ ବା କୃତ୍ତିବାସ କଟକ ହୋଇନାହିଁ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.