Breaking News

ଅଙ୍ଗଦାନ କରି ଅମର ହୋଇଗଲେ; ଦୁଇ ଜଣଙ୍କୁ ନୂଆ ଜୀବନ ଦେଲେ ଜନ୍ମେଶ

ଜୀବନ କ’ଣ ଜାଣିବା ପୂର୍ବରୁ ମୃତ୍ୟୁ କୋଳେଇ ନେଲା। ମାତ୍ର ନିଜ କିଡ୍‌ନି ଓ ଲିଭର ଦାନ କରି ଅମର ହୋଇଯାଇଛନ୍ତି ୧୬ ମାସର ଶିଶୁ ଜନ୍ମେଶ। ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଥିଲେ ସୁଦ୍ଧା ଦୁଇଜଣଙ୍କୁ ନୂତନ ଜୀବନ ଦେଇ ନିଜର ସତ୍ତା ଛାଡ଼ିଯାଇଛନ୍ତି।

ଭୁବନେଶ୍ବର: ଜୀବନ କ’ଣ ଜାଣିବା ପୂର୍ବରୁ ମୃତ୍ୟୁ କୋଳେଇ ନେଲା। ମାତ୍ର ନିଜ କିଡ୍‌ନି ଓ ଲିଭର ଦାନ କରି ଅମର ହୋଇଯାଇଛନ୍ତି ୧୬ ମାସର ଶିଶୁ ଜନ୍ମେଶ। ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଥିଲେ ସୁଦ୍ଧା ଦୁଇଜଣଙ୍କୁ ନୂତନ ଜୀବନ ଦେଇ ନିଜର ସତ୍ତା ଛାଡ଼ିଯାଇଛନ୍ତି। ଗତ ମାସ ୧୨ ତାରିଖରେ ଏମ୍‌ସ ଭୁବନେଶ୍ୱରର ଶିଶୁ ରୋଗ ବିଭାଗରେ ଭର୍ତ୍ତି ହୋଇଥିଲେ ଜନ୍ମେଶ। ଶ୍ବାସକ୍ରିୟାଜନିତ ରୋଗରେ ପୀଡ଼ିତ ହୋଇ ଜନ୍ମେଶ ଡାକ୍ତର କୃଷ୍ଣମୋହନ ଗୁଲ୍ଲାଙ୍କ ତତ୍ତ୍ୱାବଧାନରେ ଚିକିତ୍ସାଧୀନ ଥିଲେ। ସିପିଆର୍‌ ଦିଆଯିବା‌ ପରେ ଦୁଇ ସପ୍ତାହ ଧରି ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ସବୁ ଚେଷ୍ଟା ସତ୍ତ୍ବେ ଗତ ୧ ତାରିଖରେ ତାଙ୍କୁ ମସ୍ତିଷ୍କ ମୃତ (ବ୍ରେନ୍‌ ଡେଡ୍‌) ଘୋଷଣା କରାଯାଇଥିଲା। ଏମ୍‌ସ ଭୁବନେଶ୍ୱର ଡାକ୍ତରୀ ଦଳ ନିକଟରୁ ଅଙ୍ଗଦାନ ବିଷୟରେ ପରାମର୍ଶ ପାଇ ପରିବାର ଲୋକଙ୍କ ସହିତ ବିଚାର ବିମର୍ଶ ପରେ ଶୋକାକୁଳ ପିତାମାତା ଏଥି ପାଇଁ ସମ୍ମତି ପ୍ରଦାନ କରିଥିଲେ।

ଏମ୍‌ସର ସର୍ଜନ ଏବଂ ପ୍ରତିରୋପଣ ସଂଯୋଜକଙ୍କ ଏକ ବହୁମୁଖୀ ଦଳ ଦ୍ବାରା ଅଙ୍ଗ ପୁନରୁଦ୍ଧାର ଓ ପ୍ରତିରୋପଣ କରାଯାଇଥିଲା। ଡାକ୍ତର ବ୍ରହ୍ମଦତ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ଗ୍ୟାଷ୍ଟ୍ରୋ ସର୍ଜରି ଦଳ ଦ୍ୱାରା ଯକୃତ (ଲିଭର)କୁ ସଫଳତାର ସହିତ ଉଦ୍ଧାର କରାଯାଇ ଗ୍ରିନ୍‌ କରିଡର୍‌ରେ ନୂଆଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର୍‌ ଆଣ୍ଡ୍ ବିଲିଆରି ସାଇନ୍ସେସ୍ (ଆଇଏଲ୍‌ବିଏସ)କୁ ପଠାଯାଇଛି। ଅନୁରୂପ ଭାବେ ୟୁରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ପ୍ରଶାନ୍ତ ନାୟକଙ୍କ ନେତୃତ୍ୱରେ ଜନ୍ମେଶଙ୍କ ଦୁଇ କିଡ୍‌ନିକୁ ପୁନରୁଦ୍ଧାର କରାଯାଇ ଏମ୍‌ସ ଭୁବନେଶ୍ୱରର ଜଣେ କିଶୋର ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। ଏହାଦ୍ବାରା ଜନ୍ମେଶ ଓଡ଼ିଶାର ସର୍ବକନିଷ୍ଠ ଅଙ୍ଗଦାତା ପାଲଟିଯାଇଛନ୍ତି। ରାଜ୍ୟରେ ଏନ୍‌-ବ୍ଲକ୍ କିଡ୍‌ନି ପ୍ରତିରୋପଣ କ୍ଷେତ୍ରରେ ଏହା ଦ୍ବିତୀୟ ଘଟଣା।

ଏମ୍‌ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ ଡାକ୍ତରୀ ଦଳକୁ ପ୍ରଶଂସା କରିବା ସହିତ ଜନ୍ମେଶଙ୍କ ପିତାମାତାଙ୍କ ଅସାଧାରଣ ଉଦାରତା ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି। ଜନସଚେତନତା, ସମୟୋଚିତ ସମ୍ମତି ତଥା ଡାକ୍ତରୀ ଦଳର ସମନ୍ୱୟ ଦ୍ବାରା ମସ୍ତିଷ୍କ ମୃତ ରୋଗୀଙ୍କ ଅଙ୍ଗ ଆବଶ୍ୟକ ଲୋକଙ୍କୁ ନୂତନ ଜୀବନ ଦେବା ପାଇଁ ବ୍ୟବହାର କରାଯାଇପାରୁଛି ବୋଲି ସୂଚନା ଦେଇଛନ୍ତି। ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଜନ୍ମେଶଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅନ୍ତିମ ସଂସ୍କାର ସମୟରେ ପରିବାରବର୍ଗଙ୍କ କ୍ରନ୍ଦନରେ ଖଣ୍ଡିଗିରି ଶ୍ମଶାନରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଉଲ୍ଲେଖଯୋଗ୍ୟ, ଜନ୍ମେଶଙ୍କ ପିତା ଅଶୋକ ଲେଙ୍କା ଏମ୍‌ସ ଭୁବନେଶ୍ୱରରେ ହଷ୍ଟେଲ ୱାର୍ଡେନ ଭାବରେ କାର୍ଯ୍ୟ କରୁଛନ୍ତି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.