Breaking News

୨୫ ନଦୀର ଜନନୀକୁ ଜଳକଷ୍ଟ: ସେଚିତ ହେଉଛି କଳାହାଣ୍ଡି, ବୌଦ୍ଧ, ନୟାଗଡ଼, ଗଞ୍ଜାମ ଜିଲ୍ଲାର ଜମି

କନ୍ଧମାଳ ଜିଲ୍ଲାରେ ୨୫ରୁ ଅଧିକ ନଦୀର ଉତ୍ପତ୍ତି। ଏହି ସବୁ ‌ନଈ ପଡ଼ୋଶୀ ଜିଲ୍ଲାକୁ ଜଳ ଯୋଗାଇ ଆସୁଛି। ମାତ୍ର ଏତେ ସଂଖ୍ୟକ ନଦୀକୁ ଜନ୍ମ ଦେଇଥିବା କନ୍ଧମାଳରେ ପ୍ରତିବର୍ଷ ଜଳକଷ୍ଟ ଉତ୍କଟ ରୂପ ଧାରଣ କରିଥାଏ।

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ୨୫ରୁ ଅଧିକ ନଦୀର ଉତ୍ପତ୍ତି। ଏହି ସବୁ ‌ନଈ ପଡ଼ୋଶୀ ଜିଲ୍ଲାକୁ ଜଳ ଯୋଗାଇ ଆସୁଛି। ମାତ୍ର ଏତେ ସଂଖ୍ୟକ ନଦୀକୁ ଜନ୍ମ ଦେଇଥିବା କନ୍ଧମାଳରେ ପ୍ରତିବର୍ଷ ଜଳକଷ୍ଟ ଉତ୍କଟ ରୂପ ଧାରଣ କରିଥାଏ। କନ୍ଧମାଳର ମାଳଭୂମିରୁ ଋଷିକୁଲ୍ୟା, ସାଲୁଙ୍କୀ, ଖଡ଼୍‌ଗ, ବୃତ୍ତଙ୍ଗ, ରାହୁଳ, ବାଘ, ଉତ୍ତେଇ, ଚାଉଳଧୁଆ ଆଦି ପ୍ରମୁଖ ନଦୀ ଏବଂ ସେମାନଙ୍କର ଉପନଦୀ ପିଲାସାଲୁଙ୍କୀ, ଦିଗିଯୋଡ଼ି, କେରାସାଲ, କାକଲବାକି, ସିଙ୍ଗୁଡ଼ାରଙ୍ଗା, ଟିକାପାଟ, ସୁଣ୍ଡିଆଜା, ଗଣ୍ଡୁକି, ପୁଣ୍ଡାଲି, କ୍ରାଇବାଲି, ଦମଦେଇ, କଲରାନାଳ, କୋଡ଼ଙ୍ଗ, ଓଡ଼ିଙ୍ଗି, କରଡ଼ା, ଗଣ୍ଡମୁଣ୍ଡି ଆଦି ଉତ୍ପତ୍ତିଲାଭ କରିଛି।

ଜିଲ୍ଲାର ଏମିତି କୌଣସି ବ୍ଲକ ନାହିଁ ଯେଉଁଠି ଛୋଟବଡ଼ ନଦୀର ଉତ୍ପତ୍ତି ‌ହୋଇନାହିଁ। କନ୍ଧମାଳରୁ ଉତ୍ପତ୍ତିଲାଭ କରିଥିବା ନଈଗୁଡ଼ିକ ପଡ଼ୋଶୀ କଳାହାଣ୍ଡି, ବୌଦ୍ଧ, ନୟାଗଡ଼ ଏବଂ ଗଞ୍ଜାମ ଜିଲ୍ଲାର ଚାଷଜମିକୁ ଜଳ ଯୋଗାଇଥାନ୍ତି। ମାତ୍ର, ନଦୀନାଳ ଘେରା ଏ ପାହାଡ଼ିଆ ମାଳଭୂମିରେ ପ୍ରତିବର୍ଷ ଜଳକଷ୍ଟ ଉତ୍କଟ ରୂପ ଧାରଣ କରିଥାଏ। ଅନ୍ୟପଟେ, ଗ୍ରୀଷ୍ମଦିନେ କନ୍ଧମାଳ ଭଳି ପାହାଡ଼ିଆ ଅଞ୍ଚଳରେ ଭୂ-ତଳ ଜଳ ଅତିମାତ୍ରାରେ ନିମ୍ନଗାମୀ ହୋଇ ପଡୁଥିବାରୁ ନଦୀ, ନାଳ, କୂଅ, ପୋଖରୀ, ଝରଣା ଶୁଖିଯାଏ। ଏହି ନଦୀମାନଙ୍କ ମଧ୍ୟରୁ ରୁଷିକୁଲ୍ୟା ନଦୀ କନ୍ଧମାଳର ଦାରିଙ୍ଗିବାଡ଼ି ବ୍ଲକରୁ ବାହାରି ପଡ଼ୋଶୀ ଗଞ୍ଜାମ ଜିଲ୍ଲାକୁ ଜଳ ପ୍ଲାବିତ କରି ଶେଷରେ ବଙ୍ଗୋପସାଗରରେ ଲୀନ ହୋଇଥିବା ବେଳେ ସାଲୁଙ୍କୀ ନଦୀ ଘୁ.ଉଦୟଗିରି ବ୍ଲକରୁ ବାହାରି ବୌଦ୍ଧ ଜିଲ୍ଲାରେ ପ୍ରବାହିତ ହୋଇ ଶେଷରେ ମହାନଦୀ ସହ ମିଶିଛି। ସେହିଭଳି ଅନ୍ୟ ନଦୀମାନଙ୍କ ମଧ୍ୟରେ ବୃତ୍ତଙ୍ଗ ନଦୀ କନ୍ଧମାଳ ଜିଲ୍ଲାରୁ ବାହାରି ନୟାଗଡ଼ ଜିଲ୍ଲାକୁ ଜଳ ପ୍ଲାବିତ କରୁଥିବା ବେଳେ ଖଡ଼୍‌ଗ, ରାହୁଳ, ଚାଉଳଧୂଆ, ଉତ୍ତେଇ ନଦୀ କନ୍ଧମାଳରୁ ଉତ୍ପତ୍ତି ଲାଭ କରି କଳାହାଣ୍ଡି ଜିଲ୍ଲାର ଚାଷ ଜମିକୁ ଜଳ ପ୍ଲାବିତ କରୁଛି।

ବାଘ ନଦୀ କନ୍ଧମାଳରୁ ନିର୍ଗତ ହୋଇ ବୌଦ୍ଧ ଜିଲ୍ଲାର ଚାଷ ଜମିରେ ଜଳସେଚିତ କରୁଛି। କିନ୍ତୁ ଏସବୁ ନଦୀମାନଙ୍କର ଉପରମୁଣ୍ଡ କନ୍ଧମାଳ ଜିଲ୍ଲା ହୋଇଥିବାରୁ କନ୍ଧମାଳ ଜିଲ୍ଲାର ପାହାଡ଼ିଆ ମାଳଭୂମି ବିଶେଷ ଭାବେ ଉପକୃତ ହୋଇ ନଥାଏ। ଅନ୍ୟପଟେ ନଦୀନାଳବହୁଳ କନ୍ଧମାଳ ଜିଲ୍ଲାରେ ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ଜଳ ସଂକଟ ଅତି ମାତ୍ରାରେ ସଙ୍ଗିନ ହୋଇପଡ଼େ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜଳ ଯୋଗାଣ ଯୋଜନା ମଧ୍ୟ କନ୍ଧମାଳରେ କାର୍ଯ୍ୟକାରୀ ହୋଇପାରୁନି। କନ୍ଧମାଳ ଜିଲ୍ଲାରେ ଚାରି ବର୍ଷ ଧରି ଏକ ବୃହତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣାଧୀନ ଅବସ୍ଥାରେ ରହିଛି। ଏହାର ନିର୍ମାଣ କାର୍ଯ୍ୟ ଆଜି ଯାଏ ଶେଷ ହୋଇ ପାରୁନି। ସେହିଭଳି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଏବଂ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ସ୍ଥାନୀୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ବସୁଧା ଯୋଜନା ଏବଂ ଅନ୍ୟାନ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ପାନୀୟଜଳ ଯୋଗାଇ ଦେବାରେ ଅସମର୍ଥ ହେଉଛନ୍ତି। ପ୍ରତିବର୍ଷ ଖରାଦିନେ ଫୁଲବାଣୀ ସହରରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଥାଏ। ଜନସ୍ବାସ୍ଥ୍ୟ ବିଭାଗ ସହରବାସୀଙ୍କୁ ପାନୀୟ ଜଳ ‌ଯୋଗାଇ ଦେବାରେ ସମର୍ଥ ହୋଇ ନଥାଏ। ଖରାଦିନେ ପାନୀୟ ଜଳ ପାଇଁ ଅଧା ଦିନ ହାଣ୍ଡି, ମାଠିଆ, ଗରା, ବାଲ୍‌ଟି ଧରି ସହରବାସୀ ରାଜରାସ୍ତାକୁ ଓହ୍ଲାନ୍ତି। କିନ୍ତୁ ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରେନା। ଅନ୍ୟପ‌‌ଟେ, ଫୁଲବାଣୀ ସହରବାସୀଙ୍କୁ ପିଲାସାଲୁଙ୍କୀ ନଦୀରୁ ପାଇପ ପାଣି ଯୋଗାଇ ଦିଆଯାଇଥାଏ। ଖରାଦିନେ ପିଲାସାଲୁଙ୍କୀ ନଦୀ ଶୁଖି ଯାଉଥିବାରୁ ପାଣି ଯୋଗାଇବା ସମ୍ଭବପର ‌ହୁଏନା। ତେବେ ଫୁଲବାଣୀ ସହରବାସୀଙ୍କୁ ପିଲାସାଲୁଙ୍କୀ ଜଳଭଣ୍ଡାରରୁ ପାନୀୟ ଜଳ ଯୋଗାଇ ଦେବାକୁ ଏକ ପ୍ରସ୍ତାବ ବହୁଦିନ ଧରି ଫାଇଲ୍‌ ତଳେ ଚାପି ହୋଇ ରହିଛି। ଅନେକ ନଦୀ, ନାଳକୁ ଜନ୍ମ ଦେଇଥିବା କନ୍ଧମାଳରେ କେବେ ପାନୀୟଜଳ ସମସ୍ୟା ସ୍ବାଭାବିକ ହୋଇପାରିବ, ତାହା ସମୟ କହିବ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.