Breaking News

ଆଳାପ ଓ ଆଲୋଚନା: ସଂଗୀତରେ ସାଂସ୍କୃତିକ ମହାସଂଗମ

ତାଙ୍କ ପିଲା ଦିନେ ସେବେକାର ମାନ୍ଦ୍ରାଜରେ ବାରମ୍ବାର ବିଜୁଳି ଚାଲିଯିବା ଏକ ନିତିଦିନିଆ ଘଟଣା ଥିଲା। ଘରେ ତାଙ୍କର ବ୍ୟାଟେରିର ବ୍ୟବସ୍ଥା ନ ଥିଲା। ତେଣୁ ରେଡିଓରୁ ନିୟମିତ ଗୀତ ଶୁଣିବା ନେଇ ସେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ।

ଅଭିରାମ ବିଶ୍ବାଳ

ତାଙ୍କ ପିଲା ଦିନେ ସେବେକାର ମାନ୍ଦ୍ରାଜରେ ବାରମ୍ବାର ବିଜୁଳି ଚାଲିଯିବା ଏକ ନିତିଦିନିଆ ଘଟଣା ଥିଲା। ଘରେ ତାଙ୍କର ବ୍ୟାଟେରିର ବ୍ୟବସ୍ଥା ନ ଥିଲା। ତେଣୁ ରେଡିଓରୁ ନିୟମିତ ଗୀତ ଶୁଣିବା ନେଇ ସେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ। ତଥାପି ସଂଗୀତ ପ୍ରତି ତାଙ୍କର ପ୍ରବଳ ଆଗ୍ରହ ଟିକେ ବି କମୁ ନ ଥିଲା। ଭାବିବା, ଚାଲିବା, ଖାଇବା, ଖେଳିବା, କହିବା ଓ ଶୋଇବା କାର୍ଯ୍ୟମାନ ଗାଇବା ପରେ ହିଁ ତାଙ୍କ ଦ୍ବାରା ସଂପାଦିତ ହେଉଥିଲା। ଗୋବର ପାଣିରେ ଘର ଲିପାପୋଛା କରି ନଡ଼ିଆ ପତ୍ର ପ୍ରସ୍ତୁତ ପହଁରାରେ ଝାଡୁ ଦେଲା ବେଳେ ମଧ୍ୟ ସିଏ ଅନବରତ ଗୀତ ଗାଇ ଚାଲୁଥିଲେ। ଏକ ତାମ୍‌ବ୍ରାହ୍ମ ପରିବାରର ବଡ଼ ଝିଅ ଥିଲେ ଚନ୍ଦ୍ରିକା କୃଷ୍ଣାମୂର୍ତ୍ତି। ମା’ ଚାହୁଁଥିଲେ ତାଙ୍କର ଶୀଘ୍ର ବାହାଘର ହୋଇଯାଉ। ପୁଅମାନେ ପଢୁଥିବା ମାଡ୍ରାସ ଖ୍ରୀଷ୍ଟିଆନ କଲେଜରେ ସିଏ ପଢ଼ନ୍ତୁ ବୋଲି ତାଙ୍କ ମା’ ଆଦୌ ଚାହୁଁ ନ ଥିଲେ ଓ ମା’ଙ୍କୁ ରାଜି କରିବା ପାଇଁ ଚନ୍ଦ୍ରିକାଙ୍କୁ ଅଖିଆ ଅପିଆ ପ୍ରତିବାଦ ଧାରଣାରେ ବସିବାକୁ ପଡ଼ିଥିଲା। ଆଇ.ଆଇ.ଏମ୍. ଅହମଦାବାଦରେ ନଁା ଲେଖେଇବା ପାଇଁ ପ୍ରବେଶିକା ପରୀକ୍ଷାର ଅଂଶବିଶେଷ ସ୍ବରୂପ ୪୫ ମିନିଟିଆ ସାକ୍ଷାତକାର ବେଳେ ବୋର୍ଡର ଅନ୍ୟତମ ସଦସ୍ୟ ପ୍ୟାରିସ ଫେରନ୍ତା ପ୍ରଫେସର ମୋହନ କାଉଲ ତାଙ୍କର ଫରାସୀ ଗୀତ-ସଂଗୀତରେ ରୁଚି ସମ୍ବନ୍ଧରେ ଅବଗତ ହେବା ପରେ ତାଙ୍କୁ କହିଥିଲେ ଯେ ସେ କୌଣସି ଏକ ଫରାସୀ ଗୀତ ବୋଲନ୍ତୁ। ସାଙ୍ଗେ ସାଙ୍ଗେ ଚନ୍ଦ୍ରିକା ପରିବେଷଣ କରିଥିଲେ ସେଇ ଗୀତଟି ଯାହାର ମର୍ମ ଥିଲା ‘ଶରତର ପତର’। ତାଙ୍କ ପାଇଁ ଆଇ.ଆଇ.ଏମ୍.ର ବାଟ ଖୋଲିଯାଇଥିଲା।
ଚନ୍ଦ୍ରିକା ବେରୁଟ୍ ସହରରେ ସିଟି ବ୍ୟାଙ୍କ୍‌ରେ ୧୯୭୫ ମସିହାରେ ଯୋଗ ଦେବା ବେଳକୁ ଲେବାନନରେ ଘମାଘୋଟ ଗୃହ ଯୁଦ୍ଧ ଚାଲିଥାଏ। ସବୁବେଳେ ବୋମା ଓ ବନ୍ଧୁକର ଢୋ ଢା! ସେ ହିଂସ୍ର ଓ ମାରାତ୍ମକ ଶବ୍ଦ ତାଙ୍କ ପ୍ରଗାଢ଼ ସଂଗୀତ ପ୍ରୀତିକୁ ଦବେଇ ପାରୁ ନ ଥାଏ। ବେରୁଟ୍‌ରୁ ସିଏ ନ୍ୟୁୟର୍କ ଗଲାବେଳେ ସାଙ୍ଗରେ ଥାଏ କେବଳ ଶାଢ଼ି, ସ୍ଲିପର୍ ଓ ସୁଟ୍‌କେସ୍। ନ୍ୟୁୟର୍କରେ ଚନ୍ଦ୍ରିକା ଯୋଗ୍ୟା ବିବେଚିତ ହୋଇଥିଲେ ମ୍ୟାକେନ୍‌ଜି ଆଣ୍ଡ୍ କଂପାନି ପାଇଁ। ଆମେରିକାରେ ଆରମ୍ଭରୁ ଆରମ୍ଭରୁ ତାଙ୍କୁ ଏଇ ଭଳି ପ୍ରଶ୍ନର ସାମନା କରିବାକୁ ପଡ଼ିଥିଲା- ମଥାର ଲାଲ ଟୋପାକୁ କାହିଁକି ସିନ୍ଦୂର କୁହାଯାଏ? ଆପଣଙ୍କ କେଶ ଏତେ କଳା ଓ ଦାନ୍ତ ଏମିତି ଧଳା କାହିଁକି? ଉତ୍ତରରେ ଥରେ ସିଏ କହିଥିଲେ- ମୋ ଅଜା ଓ ଜେଜେ ନିର୍ଜୀବ ବ୍ରସ୍‌ ବଦଳରେ ଜୈବିକ ନିମ କାଠିରେ ଦାନ୍ତ ଘଷୁଥିଲେ ଏବଂ ତା’ର ପ୍ରଭାବ ନିଶ୍ଚୟ ମୋ ଡି.ଏନ୍.ଏ.ରେ ଥିବ। କହିବା ବାହୁଲ୍ୟ, ଏକଦା ପେପ୍‌ସିର ମୁଖ୍ୟା ଥିବା ଇନ୍ଦ୍ରା ନୁୟୀଙ୍କ ବଡ଼ ଭଉଣୀ ହେଉଛନ୍ତି ଚନ୍ଦ୍ରିକା ଯିଏ କି ବିବାହ ପରେ ଚନ୍ଦ୍ରିକା କୃଷ୍ଣାମୂର୍ତ୍ତିରୁ ହୋଇଥିଲେ ଚନ୍ଦ୍ରିକା କୃଷ୍ଣାମୂର୍ତ୍ତି ଟଣ୍ଡନ।
ଅର୍ଥ, ଯଶ, ସ୍ବୀକୃତି, ପ୍ରତିଷ୍ଠା ଓ ସଫଳତା ଦୃଷ୍ଟିରୁ ଦେଖିଲେ ବୃତ୍ତିଗତ ଜୀବନରେ ତାଙ୍କୁ ସବୁ ମିଳିଥିଲା; ହେଲେ ଗୋଟିଏ ପର୍ଯ୍ୟାୟରେ ଚନ୍ଦ୍ରିକାଙ୍କୁ ଏଇଭଳି ଲାଗିଥିଲା- ନିଜ ମନ, ହୃଦୟ ଓ ଆତ୍ମାର ଅସଲ ଡକରା ଅନୁସାରେ ସମୁଚିତ ପଦକ୍ଷେପ ନେବାରେ ସିଏ ଅବହେଳା କରୁନାହାନ୍ତି ତ? ତାଙ୍କର ବୃହତ୍ତର ଉଦ୍ଦେଶ୍ୟ କ’ଣ? ସିଏ ପ୍ରକୃତରେ କିଏ? କାହିଁକି ଏ ପୃଥିବୀକୁ ଆସିଛନ୍ତି? ତେଣୁ ପ୍ରାଚୁର୍ଯ୍ୟ ଓ ସ୍ବାଚ୍ଛନ୍ଦ୍ୟ ସୁନିଶ୍ଚିତ କରୁଥିବା ଆଧୁନିକ ବୃତ୍ତି ସହ ନିଜର ପୁରୁଣା ଓ ଅତି ପ୍ରିୟ ପ୍ରବୃତ୍ତି ସଂଗୀତରେ ମଧ୍ୟ ସିଏ ଅଧିକ ମନୋନିବେଶ କଲେ। ଏକ ବହୁଚର୍ଚ୍ଚିତ ଦର୍ଶନର ସେହି ଆପ୍ତବାକ୍ୟ ତାଙ୍କୁ ବେଶ୍ ପ୍ରଭାବିତ କଲା। ତାହା ହେଲା- ଜ୍ଞାନୋଦୟ ପୂର୍ବରୁ ‌େଯମିତି କାଠ ଚିରା କାମ ଚାଲିଥିଲା ଜ୍ଞାନୋଦୟ ପରେ ବି ସେମିତି କାଠ ଚିରା କାମ ଅବ୍ୟାହତ ରହିପାରିବ। ସିଏ କହନ୍ତି- ମୁଁ ପ୍ରକୃତରେ ଯାହା, ତାହା ହେଲା ସଂଗୀତ; ଅନ୍ୟ ସବୁ ସେଇଆ ଯାହା ମୁଁ ଖାଲି କରିଚାଲିଥାଏ। ସଂଗୀତ ସକାଶେ ଚନ୍ଦ୍ରିକା ଏକ ପ୍ରକାରର ଭିକ୍ଷୁକ ସାଜିଥିଲେ। ପାରମ୍ପରିକ, ଶାସ୍ତ୍ରୀୟ, ଆଧୁନିକ, ଫ୍ୟୁଜନ୍ ଓ ପାଶ୍ଚାତ୍ୟ ଉତ୍ସ ତଥା ସୂତ୍ରରୁ ସାହାଯ୍ୟ ନେବାକୁ କୁଣ୍ଠା ବୋଧ କରୁ ନ ଥିଲେ ସିଏ। ଏମିତିରେ ତ ସିଏ ଭାରତରେ ଥିଲା ବେଳେ ଏମ୍‌. ଏସ୍‌. ଶୁବୁଲକ୍ଷ୍ମୀ, ଲତା, ଅାଶା, ରଫି ଓ କିଶୋରଙ୍କ ଗୀତର ରାଗ, ଛନ୍ଦ, ଲୟ, ପଦ ଓ ସୁରରୁ ପ୍ରେରଣା ପାଇ ସାରିଥିଲେ। ଆମେରିକାରେ ବସବାସ କରିବା ପରେ ପୃଥିବୀର ଭିନ୍ନ ଭିନ୍ନ ସଂଗୀତ ଧାରା ସହିତ ଅତ୍ୟାଧୁନିକ ପ୍ରଯୁକ୍ତିର ସିଏ ହିତାଧିକାରୀ ହୋଇପାରିଲେ ଅଧିକରୁ ଅଧିକ। ବିଖ୍ୟାତ ବିଜ୍ଞାନ ଉପନ୍ୟାସ ଲେଖକ ଓ ଭବିଷ୍ୟତ-ଭାଷ୍ୟକାର ଆର୍ଥର କ୍ଲାର୍କ ଥରେ କହିଥିଲେ ଅତି ଉନ୍ନତ ସୋପାନର ପ୍ରଯୁକ୍ତି କୁହୁକ ଠାରୁ କୌଣସି ଗୁଣରେ କମ୍‌ ନୁହେଁ।
କୁହାଯାଏ ସାହିତ୍ୟ ପାଇଁ ନୋବେଲ ଓ ଚଳଚ୍ଚିତ୍ର ନିମନ୍ତେ ଓସ୍କାର ଯାହା, ସଂଗୀତ ସକାଶେ ଗ୍ରାମି ତାହା। ୨୦୨୪ ମସିହାରେ ଆତ୍ମପ୍ରକାଶ କରିଥିବା ତାଙ୍କ ଆଲବମ ‘ତ୍ରିବେଣୀ’ ଗ୍ରାମି ପାଇବା ପାଇଁ ଯୋଗ୍ୟ ବିବେଚିତ ହେଲା ଚଳିତ ବର୍ଷ, ନିକଟ ଅତୀତରେ। ଚନ୍ଦ୍ରିକାଙ୍କ ସହ ସେ ଆଲବମକୁ ସାକାର କରିବାରେ ସାମିଲ ହୋଇଥିଲେ ଦକ୍ଷିଣ ଆଫ୍ରିକାର ବଂଶୀବାଦକ ଉଟର କେଲରମ୍ୟାନ ଓ ଜାପାନୀ ଚେରମୂଳର ସେଲୋ ବାଦକ ଏରୁ ମାତ୍‌ସୁମୋଟେ। ତିନିହେଁ ମୂଳତଃ ତିନି ଭିନ୍ନ ଭିନ୍ନ ସାଂସ୍କୃତିକ ପରମ୍ପରାର। ଉଟର ରହନ୍ତି ଜୋହାନ୍‌ସବର୍ଗରେ, ଏରୁ ଲସ୍ ଆଞ୍ଜେଲସ୍‌ରେ ଓ ଚନ୍ଦ୍ରିକା ନ୍ୟୁୟର୍କରେ। ‘ତ୍ରିବେଣୀ’ ପାଇଁ ତିନିହେଁ ଏକାଠି ହୋଇଥିଲେ ମାନହାଟ୍ଟାନ୍‌ରେ। ଯେଉଁ ବର୍ଗରେ ଆଲବମଟି ଗ୍ରାମିଯୋଗ୍ୟ ହୋଇଥିଲା, ତାହା ହେଲା ‘ନ୍ୟୁ ଏଜ୍‌’ (ନବଯୁଗ), ‘ଆମ୍ବିଏଣ୍ଟ’ (ପରିବେଶୀ) ଓ ‘ମନ୍ତ୍ର ବର୍ଗ’। ଗଲା ପ୍ରାୟ ଦୁଇ ଦଶନ୍ଧି ଧରି ଚନ୍ଦ୍ରିକା ଗାଇ ଚାଲିଛନ୍ତି ‌େଶ୍ଳାକ, ସ୍ତୋତ୍ର, ମନ୍ତ୍ର ଓ ପ୍ରାର୍ଥନା ପ୍ରକରଣର ଗୀତ ସଂଗୀତ ଏବଂ ମଝିରେ ମଝିରେ ସେଥିରେ ସମ୍ମିଳିତ ହୋଇଛି ସଂସ୍କୃତ ସାଙ୍ଗକୁ ଇଂଲିସ।
୨୦୦୯ ମସିହାରେ ସିଏ ପ୍ରସ୍ତୁତ କରିଥିଲେ ନିଜ ନବେ ବର୍ଷ ବୟସ୍କ ଶ୍ବଶୁରଙ୍କ ପାଇଁ ଆଲବମ ‘ସୋଲ୍‌ କଲ୍’ ଯେଉଁଥିରେ ସ୍ଥାନ ପାଇଥିଲା ଓଁ ନମୋ ନାରାୟଣାୟ। ତା’ର ଚାରି ବର୍ଷ ପରେ ଚନ୍ଦ୍ରିକା ଭେଟି ଦେଇଥିଲେ ‘ସୋଲ୍ ମାର୍ଚ୍ଚ’ ଯାହା ଥିଲା ଗାନ୍ଧୀଜୀଙ୍କ ୧୯୩୦ ମସିହାର ଦାଣ୍ଡି ଲବଣ ଯାତ୍ରାର ସ୍ମୃତି ଓ ସମ୍ମାନରେ ଏବଂ ସେ ଆଲବମରେ ଅନ୍ତର୍ଭୁକ୍ତ ଥିଲା ‘ରଘୁପତି ରାଘବ ରାଜାରାମ’। ଶାସ୍ତ୍ରୀୟ ହିନ୍ଦୁସ୍ତାନୀ ସାଙ୍ଗକୁ ଜାଜ୍ ଓ ଲାଟିନ ସମ୍ଭବ କରିଥିଲେ ୭୫ ଜଣ ସଂଗୀତଜ୍ଞ। ୨୦୧୪ ମସିହାରେ ଆତ୍ମପ୍ରକାଶ କରିଥିଲା ନବ ରାଗର ‘‘ସୋଲ୍ ମନ୍ତ୍ର’’ ଏବଂ ସେଥିରେ ଚନ୍ଦ୍ରିକା ଗାଇଥିଲେ ଓଁ ନମୋ ଶିବାୟ। ‘ଶିବୋହମ୍- ଦି କ୍ବେଷ୍ଟ’ ଆସେ ୨୦୧୭ ମସିହାରେ। ନଅଟି ଷ୍ଟୁଡିଓରେ ଓ ଚାରିଟି ମହାଦେଶରେ ରେକର୍ଡିଂ କରାଯାଇଥିବା ସେ ଆଲବମଟି ଚନ୍ଦ୍ରିକାଙ୍କ କୋଡ଼ିଏ ବର୍ଷର ଗଭୀର ଓ ପ୍ରଗାଢ଼ ବ୍ୟକ୍ତିଗତ ଯାତ୍ରାର ଥିଲା ଆତ୍ମନିଷ୍ଠ ସାଂଗୀତିକ ପରିପ୍ରକାଶ।
ପୃଥିବୀରେ ଏମିତି କୌଣସି ଆଈ ବା ବୁଢ଼ୀମା’ ନ ଥିବେ, ଯେଉଁମାନେ ସେମାନଙ୍କ ପିଲାପିଲି, ବିଶେଷ କରି ନାତିନାତୁଣୀଙ୍କୁ ଗୀତ ଓ କାହାଣୀ ଶୁଣେଇ ନ ଥିବେ! ସେଥିରୁ ଚନ୍ଦ୍ରିକା ବାଦ ପଡ଼ନ୍ତେ ବା କିପରି? ଥରେ ସିଏ କହିଥିଲେ- ମୋ ପିଲା ଓ ନାତିଙ୍କ ପାଇଁ ମୁଁ ସି.ଇ.ଓ. ହେବା ସମ୍ଭବ, ଉଚିତ ଓ ବାଞ୍ଛନୀୟ ନୁହେଁ। ନିଜ ନାତି କବିଙ୍କ ପାଇଁ ସିଏ ତିଆରି କରିଥିଲେ- ଅମ୍ମ’ସ୍ ଟ୍ରେଜର୍ସ- ଆଈମା’ର ଅମୂଲ୍ୟ ଗୀତ କାହାଣୀ ପେଡ଼ି, ତିନି ଭାଗରେ। ସେ ପ୍ରକଳ୍ପ ପାଇଁ ସହଯୋଗର ହାତ ବଢ଼େଇଥିଲେ ସତର ଜଣ ସଂଗୀତଜ୍ଞ ୩୫ଟି ଗୀତ ଓ ୨୧ଟି ମନ୍ତ୍ରକୁ ମୂର୍ତ୍ତିମନ୍ତ କରିବାକୁ। କଥାବସ୍ତୁ ସବୁ ପୁଣି ନିଆଯାଇଥିଲା ଭିନ୍ନ ଭିନ୍ନ ପ୍ରକରଣ, ଐତିହ୍ୟ, ଭୂଖଣ୍ଡ ଓ ଭାଷାରୁ। ଅନେକର ଆବେଦନ ଥିଲା ନାନାବାୟା ଗୀତସମ- ଶୋଇଲା ବେଳେ ଗାୟନ ଓ ଶ୍ରବଣ ଲୋଡ଼ା ପଡ଼େ; ଛୋଟପିଲା ଶୋଇଲା ପରେ ବି ଗାଇବା ପ୍ରକ୍ରିୟା ସରେନି। ଇଂଲିସ ଗୀତମାନଙ୍କ ଭିତରୁ କେତୋଟିର ଓଡ଼ିଆ ମର୍ମାର୍ଥ ମୋଟାମୋଟି ଏଇଆ:
ତୋ ପାଇଁ ମୁଁ ଫୁଲ ଆଣିବି, ଲେମ୍ବୁ ଗଛ, ଟିକେ ଶୀଘ୍ର ଚାଲିବ କି!, ବିଦାୟ କଳା ଚଢ଼େଇ!, ଏକ ଶୀତଳ ଗ୍ରୀଷ୍ମ ସକାଳ, ଝରକା ପାଖରେ କିଏରେ, ଆମ ଡଗି କି?, କୁଆଡ଼େ ଦୁଶୁନାହାନ୍ତି ଫୁଲସବୁ!, ମୋ ବାଲ୍‌ତିରେ ଗୋଟେ କଣା, ‘କ୍ବେ ସେରା ସେରା’ (ଯାହା ହେବା କଥା ହେବ। ଭବିଷ୍ୟତ କିଏ ଦେଖିଛି?) ଇତ୍ୟାଦି।
‘‘ତ୍ରିବେଣୀ’’ ଖ୍ୟାତିସଂପନ୍ନା ଚନ୍ଦ୍ରିକାଙ୍କ ପୂର୍ବରୁ ଅବଶ୍ୟ ରବିଶଙ୍କର, ଯୁବିନ ମେହେଟ୍ଟା, ଜାକିର ହୁସେନ, ରିକି କେଜ୍, ଏ. ଆର. ରେହମନ, ଗୁଲ୍‌ଜାର, ଶଙ୍କର ମହାଦେବନ, ବିଶ୍ବମୋହନ ଭଟ୍ଟ, ଟି. ବିନାୟକରାମ, ଏଚ. ଶ୍ରୀଧର, ତନଭି ଶାହା, ଫାଲ୍‌ଗୁନି ଶାହା, ନୀଲା ନଶୱାନି ଓ ରାକେଶ ଚୌରାସିଆ ଗ୍ରାମି ପୁ‌ରସ୍କାର ପାଇ ସାରିଛନ୍ତି। ନିଜ ଶୈଳୀରେ ଏ ଥରକର ୭୧ ବର୍ଷ ବୟସ୍କା ବିଜୟିନୀ କହନ୍ତି- ସଂଗୀତ ମାନେ ଭଲ ପାଇବା, ଆଲୁଅ ଓ ହର୍ଷ ପୁଲକ ଯାହା ପ୍ରାଣକୁ ଶୀତଳ କରିପାରେ, ଆତ୍ମା‌କୁ ଶାନ୍ତି ଦେଇପାରେ ଓ ଆରୋଗ୍ୟ ଲାଭ କରିବାରେ ଶରୀରକୁ ସାହାଯ୍ୟ କରିଥାଏ। ସଂଗୀତ ସକାଶେ ସିଏ ରାତି ୩.୩୦ରୁ ଉଠି ରିଆଜ କରନ୍ତି; ବାର ଘଣ୍ଟା ଯାଏ ଦିନକୁ ଲମ୍ବିଯାଏ ତାଙ୍କ ଅଭ୍ୟାସ। ଉଭୟ ପୁନଃ ସଂଯୋଗ ଓ ନବ ମିଳନ ପାଇଁ ବାଟ ଫିଟା‌ଏ ସଂଗୀତ। ଆହୁରି କହନ୍ତି ସିଏ: ଆମେ ଯଦି ଅନ୍ତରର ଅଗଣାରେ ଆଲୋକର ଅନୁଭବ ପାଇବାନି, ତେବେ ପରମାନନ୍ଦର ମାଧ୍ୟମ ସାଜିପାରିବାନି। ସେଭଳି ଅନୁଭବ ଓ ପରିପୂର୍ଣ୍ଣ ଉପଲବ୍‌ଧି ହାସଲ କରିବା ଦିଗରେ ସଂଗୀତର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭୂମିକା ସର୍ବଜନବିଦିତ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୩୦୭୦୭୯

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.