Breaking News

ଭୁବନେଶ୍ବରରେ ୬୧ ପିଲା ଦେଲେନି ମାଟ୍ରିକ ପରୀକ୍ଷା: ସହର ଛାଡ଼ି ପଳାଇଲେ

ମାଟ୍ରିକ୍‌ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିଲେ। ମାତ୍ର ଦିନଟିଏ ମଧ୍ୟ ପରୀକ୍ଷା କେନ୍ଦ୍ରକୁ ଆସିଲେ ନାହିଁ। ତନାଘନା ପରେ ଏହା ପଛର କାରଣ ସମସ୍ତଙ୍କୁ ଚକିତ କରିଛି। ଫର୍ମ ପୂରଣ କରିଥିବା ଜଣେ ଛାତ୍ରୀ ବିବାହ କରିଛନ୍ତି।

ଭୁବନେଶ୍ବର: ମାଟ୍ରିକ୍‌ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିଲେ। ମାତ୍ର ଦିନଟିଏ ମଧ୍ୟ ପରୀକ୍ଷା କେନ୍ଦ୍ରକୁ ଆସିଲେ ନାହିଁ। ତନାଘନା ପରେ ଏହା ପଛର କାରଣ ସମସ୍ତଙ୍କୁ ଚକିତ କରିଛି। ଫର୍ମ ପୂରଣ କରିଥିବା ଜଣେ ଛାତ୍ରୀ ବିବାହ କରିଛନ୍ତି। ଦୁଇ ଜଣ ପରୀକ୍ଷାର୍ଥୀଙ୍କର ମୃତ୍ୟୁ ଘଟିଛି। ଅଧିକାଂଶ ସହର ଓ ରାଜ୍ୟ ବାହାରକୁ ଚାଲିଯାଇଛନ୍ତି। କୌଣସି ଉପାନ୍ତ କି ଆଦିବାସୀ ଅଞ୍ଚଳ ନୁହେଁ, ବରଂ ଏହି ଚିତ୍ର ରାଜ୍ୟ ରାଜଧାନୀର। ଚଳିତବର୍ଷ ପରୀକ୍ଷାରେ ବିଏମ୍‌ସି ଅଞ୍ଚଳରେ ୬୦ ଓ ଭୁବନେଶ୍ବର ବ୍ଲକ ଅଞ୍ଚଳରେ ଜଣେ ପରୀକ୍ଷା ଦେବାକୁ ଆସି ପାରି ନଥିବା ସୂଚନା ମିଳିଛି।

ଅନୁପସ୍ଥିତ ରହିଥିବା ୬୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୮ଜଣଙ୍କ ଅନୁପସ୍ଥିତିର କାରଣ ‘ସମ୍ବାଦ’ର ହସ୍ତଗତ ହୋଇଛି। ଗଣ୍ତମୁଣ୍ଡା ସରକାରୀ ଉଚ୍ଚବିଦ୍ୟାଳୟରେ ପଢ଼ୁଥିବା ଜଣେ ଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ପୂର୍ବରୁ ବିବାହ କରିଛନ୍ତି। ଝିଅ ବିବାହ କରିବାରୁ ପରୀକ୍ଷା ଦେବାକୁ ଆସିପାରି ନଥିବା ପରିବାର ଲୋକେ କହିଛନ୍ତି। ସହର ଛାଡ଼ି ପଳାଇ ଯାଇଥିବା ପରୀକ୍ଷାର୍ଥୀ ମଧ୍ୟରୁ ରସୁଲଗଡ଼ସ୍ଥିତ ଗୋପୀନାଥ ଦେବ ହାଇସ୍କୁଲର ଜଣେ ଛାତ୍ରୀଙ୍କ ବିଷୟରେ ଯାଞ୍ଚ ସମୟରେ ଘରେ ତାଲା ପଡ଼ିଥିଲା। ୟୁନିଟ୍‌-୯ ବାଳକ ଉଚ୍ଚବିଦ୍ୟାଳୟର ଜଣେ ଛାତ୍ର ବାହାର ରାଜ୍ୟକୁ ଚାଲିଯାଇଛନ୍ତି। ଗଣ୍ତମୁଣ୍ଡା ସରକାରୀ ଉଚ୍ଚବିଦ୍ୟାଳୟର ୩ ଜଣ ପରୀକ୍ଷା ସମୟରେ ସହରରେ ନଥିବାରୁ ରାଜ୍ୟ ବାହାରକୁ ଚାଲିଯାଇଥିବା ସ୍କୁଲ କର୍ତ୍ତୃପକ୍ଷ ଅନୁମାନ କରୁଛନ୍ତି।

ପରୀକ୍ଷା ପୂର୍ବରୁ ଜଣେ ବାହା ହୋଇଗଲେ
ଅସୁସ୍ଥତା ପାଇଁ ଅଧିକାଂଶ ଅନୁପସ୍ଥିତ

ୟୁନିଟ୍‌-୬ ସରକାରୀ ହାଇସ୍କୁଲର ଜଣେ ପରୀକ୍ଷାର୍ଥୀ ବେଙ୍ଗାଲୁରୁ ଚାଲିଯିବାରୁ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ। କପିଳେଶ୍ବର ସରକାରୀ ହାଇସ୍କୁଲ, ବିଜେବି ନଗରସ୍ଥିତ ହରିହର ସରକାରୀ ହାଇସ୍କୁଲ, ମଞ୍ଚନାଥଦେବ ହାଇସ୍କୁଲ, ପଟିଆ ବାଳିକା ହାଇସ୍କୁଲର ଜଣେ ଲେଖାଏ ପରୀକ୍ଷାର୍ଥୀ ସହର ବାହାରକୁ ଚାଲିଯାଇଥିଲେ। ଯଦୁପୁରସ୍ଥିତ ମମତାଜ୍‌ ଅଲ୍ଲୀ ହାଇସ୍କୁଲର ୩ଜଣଙ୍କ ମଧ୍ୟରୁ ଜଣେ ସୁରଟ ଯାଇଥିବା ବେଳେ ଅନ୍ୟଜଣେ ଘରେ ନଥିଲେ। ଅନ୍ୟ ଜଣକ ୫୦ ମିନିଟ୍‌ ବିଳମ୍ବରେ କେନ୍ଦ୍ରରେ ପହଞ୍ଚିବାରୁ ପରୀକ୍ଷା ଦେବାକୁ ସୁଯୋଗ ପାଇନାହାନ୍ତି।

ତାଲିକାରେ ଅସୁସ୍ଥ ପରୀକ୍ଷାର୍ଥୀଙ୍କ ସଂଖ୍ୟା ଅଧିକ ରହିଛି। ୟୁନିଟ୍‌-୧  ସରକାରୀ ହାଇସ୍କୁଲର ଦୁଇ ଜଣ ପରୀକ୍ଷାର୍ଥୀଙ୍କ ଅକାଳ ବିୟୋଗ ହୋଇଯାଇଛି। ଅନ୍ୟ ଜଣେ ଅସୁସ୍ଥତା ପାଇଁ ପରୀକ୍ଷା ଦେଇପାରି ନାହାନ୍ତି। ଆଇଆରସି ଭିଲେଜ୍‌ ସରକାରୀ ଉଚ୍ଚବିଦ୍ୟାଳୟର ୪ଜଣ, ୟୁନିଟ୍‌-୧ ବାଳିକା ଉଚ୍ଚବିଦ୍ୟାଳୟର ଦୁଇ ଜଣ, ୟୁନିଟ୍‌-୨ କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍‌-୬ ବାଳିକା ହାଇସ୍କୁଲ, ବରମୁଣ୍ଡା ସିଆରପି ସରକାରୀ ହାଇସ୍କୁଲ, ବଡ଼ଗଡ଼ ସରକାରୀ ହାଇସ୍କୁଲ, ଚନ୍ଦ୍ରଶେଖରପୁର ଫେଜ୍‌-୨  ସରକାରୀ ହାଇସ୍କୁଲ, ଝାରପଡ଼ା ହାଇସ୍କୁଲ, ତପୋବନ ହାଇସ୍କୁଲର ଜଣେ ଲେଖାଏ ପରୀକ୍ଷାର୍ଥୀ ଅସୁସ୍ଥତା ପାଇଁ ପରୀକ୍ଷା ଦେବାକୁ ଆସିପାରି ନ ଥିଲେ। ପରୀକ୍ଷା ଦେଇ ନ ଥିବା ଅନ୍ୟ ପରୀକ୍ଷାର୍ଥୀଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ ଜଣାପଡ଼ି ନ ଥିଲେ ମଧ୍ୟ ଅଭିଭାବକମାନେ ବାସସ୍ଥାନ ବଦଳାଇବାରୁ ଏଭଳି ହୋଇଥିବା ଅନୁମାନ କରାଯାଉଛି।

ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ପରୀକ୍ଷାର୍ଥୀ ଅନୁପସ୍ଥିତି ପାଇଁ ସାମାଜିକ ଓ ଆର୍ଥିକ ଦୃଷ୍ଟିକୋଣ ଦାୟୀ। ରାଜ୍ୟର କେତେକ ସ୍ଥାନରେ ଛାତ୍ରୀମାନେ ପରୀକ୍ଷା ପୂର୍ବରୁ ବିବାହ କରିଥିବା ସତ। ସେଠାରେ ପିଲାଙ୍କ ସାମାଜିକ ସ୍ଥିତିକୁ ଦେଖିବାକୁ ପଡ଼ିବ। ଡ୍ରପ୍‌ ଆଉଟ୍‌ ସଂଖ୍ୟା ଯେପରି ନ ବଢ଼ିବ ତାହାକୁ ନଜରରେ ରଖି ପଦକ୍ଷେପ ନିଆଯାଉଛି। ଅଧାରୁ ପାଠପଢ଼ା ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କୁ ଖୋଜିବା ପାଇଁ ଡୋର ଟୁ ଡୋର କ୍ୟାମ୍ପେନ୍‌ ହେଉଛି। ୨୦୨୫-୨୬ ଶିକ୍ଷାବର୍ଷ ଆରମ୍ଭରୁ ପୁଣିଥରେ ପ୍ରକ୍ରିୟା ଆରମ୍ଭ ହେବ। ପିଲାମାନେ କାହିଁକି ପରୀକ୍ଷା ଦେଉନାହାନ୍ତି ତାହାର କାରଣ ଖୋଜାଯାଇ ସେମାନଙ୍କୁ ପୁଣିଥରେ ଫେରାଇ ଆଣିବାକୁ ଚେଷ୍ଟା କରାଯିବ। ଯଦି କେହି ଧନ୍ଦାମୂଳକ ଶିକ୍ଷା ପାଇଁ ଆଗ୍ରହୀ ତେବେ ସେମାନଙ୍କ ପାଇଁ ବ୍ୟବସ୍ଥା ହେବ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.